କଳାଧନ ମୁକାବିଲାର ଧଳାକଳା

0 117

ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଦ୍ୱାରା ଜମା ଟଙ୍କାର ପରିମାଣ ବୃଦ୍ଧି ପାଇଛି। ଏହି ତଥ୍ୟ ପ୍ରକାଶ ପାଇବା ପରେ କଳାଧନ ପ୍ରସଙ୍ଗରେ ସାନି ବିତର୍କର ସୂତ୍ରପାତ ହୋଇଛି। ଶାସକ ଓ ବିରୋଧୀଙ୍କ ମଧ୍ୟରେ ପୁଣି କାଦୁଅ ଫିଙ୍ଗା ଚାଲିଛି। ତେବେ ଏ ବିତର୍କ ଓ ବିବାଦର ଊର୍ଦ୍ଧ୍ୱରେ ସାଧାରଣ ଦେଶବାସୀଙ୍କ ପାଇଁ ଗୋଟିଏ ବିଷୟ ଜଳ ଜଳ ଯେ, ଦେଶର ଅଗ୍ରଗତିରେ ଯମଜ ବାଧକ- ଦୁର୍ନୀତି ଓ କଳାଧନ ବିରୋଧରେ ପ୍ରଭାବଶାଳୀ ମୁକାବିଲା ତଥାପି ଏକ ଦୂର ଲକ୍ଷ୍ୟ।

ସୁଇସ୍‌ ବ୍ୟାଙ୍କ୍‌ରେ ବିଦେଶୀଙ୍କ ଜମା ନେଇ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ଜମାକାରୀଙ୍କୁ ଗୋପନୀୟତାର ସୁରକ୍ଷା ଦେଉଥିବା ବ୍ୟାଙ୍କ୍‌ରେ ସାମଗ୍ରିକ ଭାବେ ବିଦେଶୀଙ୍କ ଜମା ପରିମାଣରେ ମାତ୍ର ୩ ପ୍ରତିଶତ ବୃଦ୍ଧି ପାଇଛି। ଅଥଚ, ଭାରତୀୟ ଜମାକାରୀଙ୍କ ଜମା ପରିମାଣ ବର୍ଷକରେ ୫୦.୨ ପ୍ରତିଶତ ବଢ଼ିଛି। ୨୦୧୭ରେ ସୁଇସ୍‌ ବ୍ୟାଙ୍କ୍େ‌ର ବିଦେଶୀମାନେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଜମା କରିଥିଲେ। ସେଥିରେ ଭାରତୀୟ ଜମାକାରୀଙ୍କ ଭାଗ ପାଖାପାଖି ୭ ହଜାର କୋଟି ଟଙ୍କା (୯୯୯ ନିୟୁତ ସୁଇସ୍‌ ଫ୍ରାଙ୍କ୍‌ ବା ୬,୮୯୧ କୋଟି ଟଙ୍କା)। ଗତବର୍ଷ ଭାରତୀୟଙ୍କ ଦ୍ୱାରା ସୁଇସ୍‌ ବ୍ୟାଙ୍କ୍‌ରେ ଜମା ଟଙ୍କା ୪,୫୦୦ କୋଟି ଟଙ୍କା (୪୫ ପ୍ରତିଶତ) କମିଥିବା ବେଳେ, ପରବର୍ତ୍ତୀ ବର୍ଷ ୫୦ ପ୍ରତିଶତ ବୃଦ୍ଧି ପାଇବା ସ୍ୱାଭାବିକ ଭାବେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ଗତ ୨୦୦୪ ପରେ ୨୦୧୭ରେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ପରିମାଣ ସର୍ବାଧିକ ବୃଦ୍ଧି ପାଇଛି। ବିରୋଧୀଙ୍କ ଅଭିଯୋଗ, ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ବୃଦ୍ଧି କଳାଧନ ଓ ଭ୍ରଷ୍ଟାଚାର ନିୟନ୍ତ୍ରଣରେ ବିଫଳତାର ଦୁଃଖଦ ସୂଚକ। ଗତ ତିନିବର୍ଷ ହେଲା ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ଟଙ୍କା ହ୍ରାସ ପାଉଥିବା ବିଷୟ ଦେଖାଇ ଏହା କଳାଧନ ବିରୋଧରେ ପଦକ୍ଷେପର ସୁଫଳ ବୋଲି ମୋଦୀ ସରକାର ଶ୍ରେୟ ନେଉଥିଲେ। ଏବେ ଜମା ବୃଦ୍ଧି ପାଇବା ନେଇ ନୂଆ ତଥ୍ୟ ପରିପ୍ରେକ୍ଷୀରେ ବିରୋଧୀଙ୍କ ଆକ୍ରମଣ ଆଗରେ ସରକାର ରକ୍ଷଣାତ୍ମକ ମୁଦ୍ରାକୁ ଠେଲି ହୋଇ ଯାଇଛନ୍ତି। ଏ ଅବସରରେ ନିର୍ବାଚନ ପ୍ରଚାର ବେଳେ ବିଜେପି ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଦେଇଥିବା ପ୍ରତିଶ୍ରୁତିକୁ ବିରୋଧୀ ଦଳ ମନେ ପକାଇ ଦେଇଛନ୍ତି। ମୋଦୀ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ ଯେ, ତାଙ୍କ ସରକାର କ୍ଷମତାକୁ ଆସିଲେ ବିଦେଶରେ ଜମା ଥିବା ଭାରତୀୟଙ୍କ କଳା ଟଙ୍କା ଫେରାଇ ଆଣି ପ୍ରତ୍ୟେକ ଦେଶବାସୀଙ୍କ ବ୍ୟାଙ୍କ୍‌ ଖାତାରେ ୧୫ ଲକ୍ଷ କରି ଟଙ୍କା ଜମା କରାଯିବ। ଇତିମଧ୍ୟରେ ସାଢ଼େ ଚାରିବର୍ଷ ବିତି ଯାଇଛି। ବିଦେଶରୁ ନା କଳାଟଙ୍କା ଆସିଛି ନା ଲୋକଙ୍କ ବ୍ୟାଙ୍କ୍‌ ଖାତାରେ ଟଙ୍କାଏ ବି ଜମା ହୋଇଛି। ଏହି ସମୟରେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ପରିମାଣ ବାର ମାସରେ ଦେଢ଼ଗୁଣ ବଢ଼ିବା ସରକାରଙ୍କୁ ଘେରିବା ଲାଗି ବିରୋଧୀକୁ ସୁଯୋଗ ଦେଇଛି। କାଠଗଡ଼ାରେ ଠିଆ କରି କଳାଧନ ବିରୋଧରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସଫଳତା ନେଇ ସରକାରଙ୍କ ଦାବି ଉପରେ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି।

ବିରୋଧୀଙ୍କ ପ୍ରଶ୍ନ ଉପରେ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପିୟୁଷ ଗୋଏଲ୍‌ ଓ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଓ ବର୍ତ୍ତମାନ ବିଭାଗ ବିହୀନ ମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସଫେଇ ହେଲା, ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଯେଉଁ ୭ ହଜାର କୋଟି ଟଙ୍କା ଅଧିକ ଜମା ହୋଇଛି ବୋଲି କୁହାଯାଉଛି, ସେ ସବୁକୁ କଳା ଟଙ୍କା ବୋଲି ଧରି ନେବା ଠିକ୍‌ ନୁହେଁ। ଜମା ହୋଇଥିବା ସବୁ ଟଙ୍କା କଳାଧନ ନହୋଇପାରେ, କିନ୍ତୁ ମନ୍ତ୍ରୀ ଦ୍ୱୟ ହଲପ୍‌ କରି କହିପାରିବେ କି, ନିର୍ଦ୍ଦିଷ୍ଟ ଭାବେ ସେଥିରୁ କଳା କେତେ ଓ ଧଳା କେତେ? ସରକାରଙ୍କ ପାଖରେ ଏହା ଜାଣିବାର କୌଣସି ଉପାୟ ନାହିଁ। ତେବେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଏନ୍‌ଡିଏ ମନ୍ତ୍ରୀମାନେ ସୁଇସ୍‌ ବ୍ୟାଙ୍କ୍‌ ଜମା ନେଇ ଆଜି ଯେଉଁ ଯୁକ୍ତି ବାଢ଼ୁଛନ୍ତି, ପୂର୍ବରୁ କାହିଁକି ସେ ଯୁକ୍ତିକୁ ଗ୍ରହଣ କରୁନଥିଲେ? କାହିଁକି ଦେଶବାସୀଙ୍କୁ ଗୋଟିଏ ଧାରଣା ଦେଉଥିଲେ ଯେ, ବିଦେଶରେ ଜମା ଥିବା ସବୁ ଟଙ୍କା କଳାଧନ। ଏପରିକି, ଗତ ୨୦୧୬ରେ ଯେତେବେଳେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ପରିମାଣ ୪୫ ପ୍ରତିଶତ ହ୍ରାସ ପାଇଲା, ସେତେବେଳେ ପ୍ରଧାନମନ୍ତ୍ରୀ ବାହାସ୍ଫୋଟ ମାରି କହିଥିଲେ ଯେ କଳାଧନ ବିରୋଧରେ ସରକାରଙ୍କ ଅଭିଯାନର ଏହା ସୁଫଳ। ବର୍ଷକ ତଳେ ସୁଇସ୍‌ ବ୍ୟାଙ୍କ୍‌ର ଜମା ହ୍ରାସ ପାଇବା ଯଦି କଳାଧନ ବିରୋଧୀ ଅଭିଯାନର ସୁଫଳ ଥିଲା, ପରବର୍ତ୍ତୀ ବର୍ଷ ଜମା ପରିମାଣ ବଢ଼ିବା କଳାଧନ ବୃଦ୍ଧିର ସୂଚକ ବୋଲି କାହିଁକି ଗ୍ରହଣ କରାଯିବ ନାହିଁ? ବିରୋଧୀ ଦଳରେ ଥିବା ବେଳେ ଗୋଟିଏ କଥା ଓ ସରକାରକୁ ଆସିଲା ପରେ ଆଉ ଗୋଟିଏ କଥା। ଏହା ସୁବିଧାବାଦୀ, ଦୋମୁହାଁ ନୀତି। ନିଜ ରାଜନୀତିକ ସୁବିଧା ଅନୁଯାୟୀ ମନ୍ତ୍ରୀମାନେ କଥା ବଦଳାଇ ପାରନ୍ତି, କିନ୍ତୁ ଏହା ଦ୍ୱାରା କଳାଧନ ନେଇ ବାସ୍ତବତା ବଦଳିଯିବ ନାହିଁ।

ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ପରିମାଣ ବୃଦ୍ଧି ନେଇ ବିରୋଧୀଙ୍କ ସମାଲୋଚନାରେ ସରକାରଙ୍କ ପକ୍ଷରୁ ଯାହା ବି ସଫେଇ ଦିଆଯାଉ, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ତାଙ୍କର ସହଯୋଗୀ ମାନଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ, ବିଗତ ସାଢ଼େ ଚାରିବର୍ଷରେ କଳାଧନ ପ୍ରସଙ୍ଗରେ ଦୃଶ୍ୟପଟରେ ବିଶେଷ କିଛିି ପରିବର୍ତ୍ତନ ଆସି ନାହିଁ। ଅବସ୍ଥା ଯାହା ଥିଲା ପ୍ରାୟ ସେମିତି ରହିଛି। କଳାଧନ ବିରୋଧରେ ଯେଉଁ ସବୁ ପଦକ୍ଷେପ ନିଆଯାଇଥିବା ବିଷୟରେ ଡିଣ୍ଡିମ ପିଟା ଯାଉଛି, ସେ ସବୁ କେବଳ ପ୍ରଚାରଧର୍ମୀ ଓ ବିରାଟକାୟ ପାହାଡ଼କୁ ଟେକା ମାରିବା ଭଳି। ୨୦୧୬ ନଭେମ୍ବରର ବିମୁଦ୍ରାୟନକୁ କଳାଧନ ବିରୋଧରେ ଅମୋଘ ଅସ୍ତ୍ର ବୋଲି ପ୍ରଚାର କରାଗଲା। କିନ୍ତୁ ଫଳ କ’ଣ ମିଳିଲା? ଅଚଳ କରି ଦିଆଯାଇଥିବା ୮୬ ପ୍ରତିଶତ ହଜାରେ ଓ ପାଞ୍ଚଶହ ଟଙ୍କିଆ ନୋଟ୍‌ ମୂଲ୍ୟର ପ୍ରାୟ ସବୁ ଟଙ୍କା ପୁଣି ଫେରି ଆସିଲା। ଏହି ପ୍ରକ୍ରିୟାରେ ଗରିବ, ନିମ୍ନ ଓ ମଧ୍ୟମ ଆୟକାରୀ ଅଯଥା ହଇରାଣ ହେଲେ, ବ୍ୟବସାୟ-ବାଣିଜ୍ୟ ମାନ୍ଦା ଧରିଲା ସିନା, କଳାଟଙ୍କା ବାହାରିଲା ନାହିଁ କି ଉଭେଇ ବି ଗଲାନାହିଁ। ଯାହାବି କଳାଧନ ଥିଲା ଧଳାଟଙ୍କାର ନୂଆ କଳେବର ନେଇ ପୁଣି ବ୍ୟବସ୍ଥା ମଧ୍ୟକୁ ଫେରିଆସିଲା। ବିମୁଦ୍ରାୟନର ବିଫଳତାକୁ ସରକାର ଖୋଲାଖୋଲି ସ୍ୱୀକାର କରିନାହାନ୍ତି। ତେବେ ଶାସନର ଚାରିବର୍ଷ ପୂର୍ତ୍ତି ଅବସରରେ ସଫଳତାର ଯେଉଁ ଲମ୍ବା ତାଲିକା ପ୍ରକାଶ ପାଇଛି, ସେଥିରେ ବିମୁଦ୍ରାୟନ ସ୍ଥାନ ନପାଇବା, କଳାଧନ ବିରୋଧରେ ତଥାକଥିତ ଯୁଗାନ୍ତକାରୀ ପଦକ୍ଷେପର ବିଫଳତାର ସ୍ୱୀକାରୋକ୍ତି।

ବିମୁଦ୍ରାୟନ ବ୍ୟତୀତ, କଳାଧନ ବିରୋଧରେ ସରକାର ନେଇଥିବା ଅନ୍ୟ କେତେକ ପଦକ୍ଷେପରୁ ମଧ୍ୟ ଆଶାଜନକ ସୁଫଳ ମିଳିନାହିଁ। ବିଦେଶରେ ଗଚ୍ଛିତ ସମ୍ପତ୍ତି ଏବଂ ଦେଶରେ ଆୟର ସ୍ୱେଚ୍ଛାକୃତ ଘୋଷଣା ପାଇଁ ସରକାରଙ୍କ ପକ୍ଷରୁ ଦୁଇଟି ପୃଥକ୍‌ ପୃଥକ୍‌ ଯୋଜନା ଚାଲୁ କରାଯାଇଥିଲା। ଏହାକୁ କଳାଧନ ବିରୋଧରେ ଦୃଢ଼ ପଦକ୍ଷେପ ବୋଲି ଦାବି କରାଗଲା। କିନ୍ତୁ ଏହି ଦୁଇଟି ଯୋଜନାରୁ ମିଳିଥିବା ଫଳ ପାହାଡ଼ର ମୂଷିକ ପ୍ରସବ ସଦୃଶ। ବିଦେଶୀ ବ୍ୟାଙ୍କରେ ଜମା ଓ ସମ୍ପତ୍ତିର ସ୍ୱେଚ୍ଛାକୃତ ଘୋଷଣା ଯୋଜନାରେ ମାତ୍ର ୪,୭୦୦ କୋଟି ଟଙ୍କାର ସମ୍ପତ୍ତି ପଦାକୁ ଆସିଥିଲା। ସ୍ୱେଚ୍ଛାକୃତ ଆୟ ଘୋଷଣା ଯୋଜନାରେ ମଧ୍ୟ ସରକାରଙ୍କୁ ମିଳିଥିବା ଟିକସ ପରିମାଣ, ଅନୁରୂପ ପୂର୍ବ ଯୋଜନା ଗୁଡ଼ିକ ତୁଳନାରେ କମ୍‌। ଅବଶ୍ୟ, କଳାଧନ ନେଇ ତନାଘନାର ଗୋଟିଏ ସୁଫଳ ହେଲା, ଦେଶରେ ଆୟକରଦାତାଙ୍କ ସଂଖ୍ୟା ବଢ଼ିଛି। ତେବେ, ଆୟକରଦାତାଙ୍କ ସଂଖ୍ୟା ବୃଦ୍ଧିକୁ ଦେଖାଇ କଳାଧନ ବିରୋଧୀ ଅଭିଯାନର ସଫଳତା ଦାବି କରାଯାଇ ନପାରେ। ଉଇକିଲିକ୍‌ ଓ ପାନାମା ପେପର୍‌ସରେ ବିଦେଶରେ ଟଙ୍କା ଜମା ରଖିଥିବା ଅନେକ ଧନୀ ଭାରତୀୟଙ୍କ ନାମ ଉଲ୍ଲେଖ ରହିଛି। କିନ୍ତୁ ଏ ନେଇ ଅଧିକ ତଦନ୍ତରେ ଶିଥିଳତା ସ୍ୱତଃ କଳାଧନ ପ୍ରସଙ୍ଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ତଥା ନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ବୃଦ୍ଧି ପରିପ୍ରେକ୍ଷୀରେ ସରକାର କଳାଟଙ୍କାର ମୁକାବିଲା ପାଇଁ ନିଜର ରଣକୌଶଳର ପୁନଃବିଚାରର ଆବଶ୍ୟକତା ରହିଛି। ପ୍ରଚାର ଅପେକ୍ଷା ଠୋସ ପଦକ୍ଷେପ ଉପରେ ଗୁରୁତ୍ୱ ଦିଅନ୍ତୁ। ବଡ଼ ବଡ଼ ଶିଳ୍ପପତି ଓ ପୁଞ୍ଜିପତି ବ୍ୟବସାୟୀ ସଂପୃକ୍ତ ଥିବା ବ୍ୟାଙ୍କ୍‌ ଠକେଇ ଏବଂ ଏନପିଏର ବିଶାଳ ପରିମାଣ ସହ କଳାଧନ ଓ ସୁଇସ୍‌ ବ୍ୟାଙ୍କ୍‌ର ଜମା ବୃଦ୍ଧିକୁ ପୃଥକ୍‌ କରି ବିଚାର କରାଯାଇ ନପାରେ। ‘କଳାଧନ ଉପରେ ଅଙ୍କୁଶ ଲାଗି ପାରୁନାହିଁ’ର ଅର୍ଥ ଭ୍ରଷ୍ଟାଚାର ଉପରେ ନିୟନ୍ତ୍ରଣ ଆସିନାହିଁ। ପରସ୍ପର ସହ ଯୋଡ଼ି ହୋଇଥିବା ସମସ୍ତ ବିଷୟ ଉପରେ ସାମଗ୍ରିକ ଦୃଷ୍ଟିକୋଣ ନେଇ କଳାଧନର ମୁକାବିଲା ଲାଗି ନୂଆ ନୀତି ଓ ରଣକୌଶଳ ଧାର୍ଯ୍ୟ ହେବା ଉଚିତ। ମନେରଖିବାକୁ ହେବ ଯେ, କଳାଧନ ଓ ଭ୍ରଷ୍ଟାଚାର ପରସ୍ପରର ପରିପୂରକ, ଯମଜ ଭଳି ପରସ୍ପର ସହ ଯୋଡ଼ି ହୋଇଛନ୍ତି। ଭ୍ରଷ୍ଟାଚାରର ସଫଳ ମୁକାବିଲା ବିନା କଳାଧନର ମୁକାବିଲାରେ ସଫଳତା ମିଳିବା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.