‘ମିସନ ୨୦୨୫’ ପାଇଁ ଆହ୍ଵାନ

0 224

ଓଡ଼ିଶାରେ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ବିନିଯୋଗ ସକାଶେ ବାତାବରଣ ବର୍ଷକ ଳତଳେ କିମ୍ବା ତା ପୂର୍ବ ବର୍ଷ ଯେତେ ମାତ୍ରାରେ ଅନୁକୂଳ ଥିଲା, ବାତାବରଣ ଏବେ ସେତିକି ମାତ୍ରାରେ ଅନୁକୂଳ ନୁହେଁ। ଦେଶର ଅନ୍ୟ ବହୁ ରାଜ୍ୟ ଶିଳ୍ପ ଓ ବ୍ୟବସାୟ ପାଇଁ ବାତାବରଣକୁ ଅଧିକ ଅନୁକୂଳ କରିବା ଦିଗରେ ଓଡ଼ିଶାକୁ ପଛରେ ପକାଇ ଆଗେଇ ଯାଇଛନ୍ତି। ବିଶ୍ୱ ବ୍ୟାଙ୍କ୍‌ ଓ କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ପ୍ରସାର ବିଭାଗ (ଡିଆଇପିପି) ପକ୍ଷରୁ ପ୍ରକାଶିତ ୨୦୧୭ର ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ଦୃଷ୍ଟିରୁ ରାଜ୍ୟମାନଙ୍କ ମାନ୍ୟତା ତାଲିକାରୁ ଏହି ସଂକେତ ମିଳିଛି, ଯାହା ଓଡ଼ିଶାର ଶିଳ୍ପାୟନ ଆଶା ପ୍ରତି ଏକ ବଡ଼ ଆହ୍ଵାନ। ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ବାଛିବା ବେଳେ ନିବେଶକ ଓ ଉଦ୍ୟୋଗୀମାନେ ବେଶ୍‌ ଗୁରୁତ୍ୱ ପ୍ରଦାନ କରୁଥିବା ‘ଇଜ୍‌-ଅଫ୍‌- ଡୁଇଙ୍ଗ୍‌-ବିଜିନେସ୍‌’ ମାନ୍ୟତା ତାଲିକାରେ ଓଡ଼ିଶାର ସ୍ଥାନ ୨୦୧୬ରେ ୧୧ରୁ ତିନିପାଦ ତଳକୁ ଖସି ୧୪ରେ ରହିଛି। ୨୦୧୫ରେ ଏହି ମାନ୍ୟତା ତାଲିକାରେ ଓଡ଼ିଶାର ସ୍ଥାନ ସପ୍ତମରେ ଥିଲା। ବିଭିନ୍ନ ମାପକାଠିରେ ଓଡ଼ିଶାର ସ୍କୋର ୨୦୧୬ରେ ୯୨.୧୭ରୁ ୨୦୧୭ରେ ୯୨.୦୯ ପ୍ରତିଶତକୁ ହ୍ରାସ ପାଇଛି। ଅବଶ୍ୟ, ସାନ୍ତ୍ୱନା ଏତିକି ଯେ, ତିନି ପାଦ ତଳକୁ ଖସିବା ସତ୍ତ୍ୱେ ଓଡ଼ିଶା ‘ଆଚିଭର୍ସ’ ରାଜ୍ୟଙ୍କ ତାଲିକାରେ ରହିଛି।

ମାନ୍ୟତା ତାଲିକାରେ ଓଡ଼ିଶାର ସ୍ଥାନ ତଳକୁ ଖସିବା ନେଇ ସରକାରଙ୍କ ସଫେଇ ହେଲା, ନୂଆ ମାପକାଠିର ପ୍ରବର୍ତ୍ତନ ଯୋଗୁଁ ରାଜ୍ୟର ସ୍ଥାନ ଅନ୍ୟ ତେରଟି ରାଜ୍ୟରୁ ପଛରେ ରହିଛି। ତଥାପି, ମୋଟାମୋଟି ଶିଳ୍ପ ଓ ବ୍ୟବସାୟ ପାଇଁ ବାତାବରଣ ଅନୁକୂଳ ଅଛି। ପୁଞ୍ଜି ଆକର୍ଷଣ ପାଇଁ ରାଜ୍ୟ ଗୁଡ଼ିିକ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଫଳରେ ଶୀର୍ଷ ସ୍ଥାନରେ ଥିବା ଆନ୍ଧ୍ରପ୍ରଦେଶଠାରୁ ମାତ୍ର ୬ ନମ୍ବର କମ୍‌ ପାଇଛି। ପ୍ରତିଦ୍ୱନ୍ଦ୍ୱିତା ଏତେ ତୀବ୍ର ଯେ, ୯୮.୪୨ ଏବଂ ୯୨.୦୯ ପ୍ରତିଶତ ମଧ୍ୟରେ ଓଡ଼ିଶା ସମେତ ୧୪ଟି ରାଜ୍ୟ ଅଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଯାହାବି ସ୍ପଷ୍ଟୀକରଣ ଦିଆଯାଉ, ଏହା ଏକ ସତ୍ୟ ଯେ, ଓଡ଼ିଶା ତୁଳନାରେ ଦେଶର ଅତିକମ୍‌ରେ ଅନ୍ୟ ତେରଟି ରାଜ୍ୟରେ ବାତାବରଣ ବ୍ୟବସାୟ ଓ ଶିଳ୍ପ ପାଇଁ ଅଧିକ ଅନୁକୂଳ। ଜଣେ ନିବେଶକଙ୍କ ପାଇଁ ଅନ୍ୟ ତେରଟି ରାଜ୍ୟ ତୁଳନାରେ ଓଡ଼ିଶାର ଆକର୍ଷଣ ନିଶ୍ଚିିତ ଭାବେ କମ୍‌।

‘ଭିଜନ୍‌-୨୦୨୫’ ଅନୁଯାୟୀ ପାଞ୍ଚବର୍ଷରେ ରାଜ୍ୟରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶରେ ୩୦ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ସରକାରଙ୍କ ପାଇଁ ସଦ୍ୟତମ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌’ ମାନ୍ୟତା ତାଲିକା ଏକ ଚେତାବନୀ। ପ୍ରତିଦ୍ୱନ୍ଦ୍ୱିତା ପରିପ୍ରେକ୍ଷୀରେ ଲକ୍ଷ୍ୟ ହାସଲ ପାଇଁ ଆହ୍ଵାନ ଅଧିକ କଡ଼ା ହେଉଛି। ପୁଣି ଓଡ଼ିଶା ପାଇଁ ବିଶେଷ ଉତ୍ସାହପ୍ରଦ ହୋଇ ନଥିବା ମାନ୍ୟତା ତାଲିକା ସେତେବେଳେ ପ୍ରକାଶ ପାଇଛି, ଯେତେବେଳେ ଆଉ ତିନି ମାସ ପରେ ନଭେମ୍ବରରେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ଦ୍ୱିତୀୟ ସଂସ୍କରଣ ପାଇଁ ସରକାର ପ୍ରସ୍ତୁତି ଚଳାଇ ଅଧିକ ପୁଞ୍ଜି ଆଗମନର ଆଶା ବାନ୍ଧିଛନ୍ତି। ଗତବର୍ଷ ଆୟୋଜିତ ‘ମେକ୍‌ ଇନ୍‌ ଓଡ଼ିଶା’ ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଥିଲା। ଦୁଇ ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୭୬ଟି ପ୍ରକଳ୍ପ ଲାଗି ପ୍ରସ୍ତାବ ମିଳିଥିଲା। ସେଥିରୁ ଅଧାରୁ ଅଧିକ ପ୍ରସ୍ତାବ କ୍ଷେତ୍ର ସ୍ତରରେ ରୂପାୟନର ଅଗ୍ରଗତି ସକାରାତ୍ମକ। ଶିଳ୍ପ ସଚିବଙ୍କ ସୂଚନା ଅନୁଯାୟୀ ବିଗତ ଚାରିବର୍ଷରେ ୧ ଲକ୍ଷ ୨୮ ହଜାର ନିଯୁକ୍ତିର ସମ୍ଭାବନା ରଖିଥିବା ୧୧୮ଟି ପ୍ରକଳ୍ପର ଅଗ୍ରଗତି ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଶିଳ୍ପ ସଚିବଙ୍କ ଦାବିରେ କୌଣସି ଆତିଶଯ୍ୟ ନାହିଁ। ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌’ ପାଇଁ ନିର୍ଦ୍ଧାରିତ ଅନ୍ୟତମ ମାପକାଠି ଶିଳ୍ପ ପାଇଁ ପ୍ରୟାସ ପୂର୍ବକ ନୀତି ନିର୍ଦ୍ଧାରଣ ଓ ଏହାର କାର୍ଯ୍ୟକାରିତାରେ ଓଡ଼ିଶାର ପ୍ରଦର୍ଶନ ବେଶ୍‌ ଉଲ୍ଲେଖନୀୟ। ଏହି ମାପକାଠିରେ ଓଡ଼ିଶା ୯୭.୮୩% ନମ୍ବର ପାଇଛି। ନୀତି ନିର୍ଦ୍ଧାରଣ ଓ ଏହାର ରୂପାୟନରେ ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଓଡ଼ିଶା ଅନ୍ୟ ତେରଟି ରାଜ୍ୟଠାରୁ କାହିଁକି ପଛରେ ପଡ଼ିଗଲା? ଏହାର ମୁଖ୍ୟ କାରଣ- ପୁଞ୍ଜି ଲଗାଇଥିବା ବର୍ତ୍ତମାନର ଶିଳ୍ପଦ୍ୟୋଗୀ ଓ ଓଡ଼ିଶା ସହ ପୂର୍ବରୁ ଯୋଡ଼ି ହୋଇଥିବା କେତେକ ଶିଳ୍ପଦ୍ୟୋଗୀ, ଶିଳ୍ପ ପରାମର୍ଶଦାତା ଓ ସ୍ଥପତିମାନଙ୍କ ମତାମତ ଓଡ଼ିଶା ସମ୍ପର୍କରେ ବିଶେଷ ଉତ୍ସାହପ୍ରଦ ନୁହେଁ। ଏହି ମାପକାଠିରେ ଓଡ଼ିଶା ମାତ୍ର ୩୯.୨% ନମ୍ବର ପାଇଛି। ଓଡ଼ିଶା ସମ୍ପର୍କରେ ଶିଳ୍ପଦ୍ୟୋଗୀ ଓ ବ୍ୟବସାୟୀ ମହଲରେ ନକାରାତ୍ମକ ମତ ନିଶ୍ଚିତ ଭାବେ ଏକ ଶୁଭ ସୂଚନା ନୁହେଁ।

ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ସରକାରୀ ପ୍ରୟାସ ଓ ଏହାର ରୂପାୟନରେ ଉନ୍ନତ ପ୍ରଦର୍ଶନ ସତ୍ତ୍ୱେ ଶିଳ୍ପଦ୍ୟୋଗୀମାନେ ଅସନ୍ତୁଷ୍ଟ କାହିଁକି? କ’ଣ ସେମାନଙ୍କର ଅଭିଯୋଗ? ସେମାନଙ୍କ ଅଭିଯୋଗରେ କାହିଁକି ଠିକଣା ସମାଧାନ ହୋଇପାରୁନାହିଁ? ଓଡ଼ିଶାକୁ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆଣି ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ଥିବା ‘ମିସନ ୨୦୨୫’ର ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ପ୍ରାଥମିକତା ଭିତ୍ତିରେ ଉପରୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଖୋଜିବାକୁ ପଡ଼ିବ। ନିବେଶକଙ୍କ ଆପତ୍ତି ଓ ଅଭିଯୋଗର ସମୟାବଦ୍ଧ ସମାଧାନ ଲାଗି ଆବଶ୍ୟକ ଢାଞ୍ଚାଗତ ବ୍ୟବସ୍ଥାର ପ୍ରବର୍ତ୍ତନ ଏକାନ୍ତ ଆବଶ୍ୟକ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଓଡ଼ିଶା ସମ୍ପର୍କରେ ଶିଳ୍ପଦ୍ୟୋଗୀ ମହଲରେ ଉତ୍ସାହଜନକ ସକାରାତ୍ମକ ମତ ନ ମିଳିବା ବିଷୟ ମୁଖ୍ୟତଃ ଅମଲାତନ୍ତ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କ୍ଷେତ୍ର ସ୍ତରରେ ପ୍ରକଳ୍ପ କାର୍ଯ୍ୟକାରିତା ସଂକ୍ରାନ୍ତ ଦୈନନ୍ଦିନ କାର୍ଯ୍ୟରେ ନିବେଶକମାନେ ଗତାନୁଗତିକ ଅମଲାତାନ୍ତ୍ରିକ ପାଚେରିର ସାମ୍ନା କରୁଥିବା ଆଶଙ୍କାକୁ ଅସ୍ୱୀକାର କରାଯାଇ ପାରୁନାହିଁ। ସମ୍ଭବତଃ ନୀତିରେ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ଅମଲାତନ୍ତ୍ରର ଆଭିମୁଖ୍ୟରେ ଈପ୍‌ସିତ ପରିବର୍ତ୍ତନ ତଥାପି ଅପେକ୍ଷା କରାଯାଉଛି।

ଅବଶ୍ୟ, ଗୋଟିଏ ନିର୍ବାଚିତ ପ୍ରତିନିଧିମୂଳକ ସରକାରୀ ବ୍ୟବସ୍ଥାରେ ଅମଲାତନ୍ତ୍ରର ନିରୁତ୍ସାହଜନକ ଆଭିମୁଖ୍ୟ, ଅପାରଗତା ଓ ଉଦାସୀନତା ପ୍ରସଙ୍ଗରେ ରାଜନୈତିକ କାର୍ଯ୍ୟନିର୍ବାହୀ ନିଜକୁ ଦାୟିତ୍ୱମୁକ୍ତ କରିପାରିବେ ନାହିଁ। କେଉଁଠି ନା କେଉଁଠି ଅମଲାତନ୍ତ୍ରକୁ ଉତ୍ତରଦାୟୀ କରିବାରେ ରାଜନୈତିକ କାର୍ଯ୍ୟନିର୍ବାହୀ ପ୍ରଭାବଶାଳୀ ହୋଇ ପାରୁନାହାନ୍ତି। ପରିଣତି, କ୍ଷେତ୍ର ସ୍ତରରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଶିଳ୍ପୋଦ୍ୟୋଗୀମାନେ ଯେଉଁ ପ୍ରକାର ସୁବିଧା, ସୁଯୋଗ ଓ ସହଯୋଗ ଆଶା କରୁଛନ୍ତି, ବୋଧହୁଏ ତାହା ମିଳୁନାହିଁ। ଉଦ୍ୟୋଗୀ ଓ ନିବେଶକଙ୍କ ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟା ସହଜ ଓ ସରଳ କରିବା ପାଇଁ ‘ସିଙ୍ଗଲ୍‌ ଓ୍ଵିଣ୍ଡୋ’, ‘ଗୋ ସୁଇଫ୍‌ଟ’ ଆଦି ବିଭିନ୍ନ ବ୍ୟବସ୍ଥା କାଗଜରେ ଯେମିତି ଦେଖାଯାଉଛି, କ୍ଷେତ୍ର ସ୍ତରରେ ବୋଧହୁଏ ତାହା ପ୍ରତିଫଳିତ ହେଉନାହିଁ। ଆନ୍ତଃ-ବିଭାଗୀୟ ସମନ୍ଵୟର ଅଭାବ ଯୋଗୁ ଅନେକ ପ୍ରକଳ୍ପ ଅଯଥା ବିଳମ୍ବିତ ହେଉଛି, ଯାହା ନିବେଶକଙ୍କୁ ନିରାଶ କରୁଥାଇପାରେ। ପୁଣି ଅତୀତର ‘ପୋସ୍କୋ’, ‘ଆର୍ସଲର ମିତ୍ତଲ’ ଫେରିଯିବା ଭଳି କିଛି ତିକ୍ତ ଅଭିଜ୍ଞତା ଶିଳ୍ପଦ୍ୟୋଗୀ ଓ ନିବେଶକଙ୍କ ମଧ୍ୟରେ ଓଡ଼ିଶା ପ୍ରତି ପ୍ରତିକୂଳ ମତ ସୃଷ୍ଟି କରୁଥାଇପାରେ। ଏହା ମଧ୍ୟ ଏକ ବାସ୍ତବତା ଯେ, ୨୦୦୭-୧୨ ମଧ୍ୟରେ ଓଡ଼ିଶାକୁ ପୁଞ୍ଜି ପ୍ରବାହର ଗତି ଯାହା ଥିଲା, ପରବର୍ତ୍ତୀ ସମୟରେ ସେଥିରେ ଭଟ୍ଟା ପଡ଼ିଛି।

ତେଣୁ, ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ମାନ୍ୟତା ତାଲିକାର ଦର୍ପଣରେ ସରକାର ଶିଳ୍ପାୟନ, ପୁଞ୍ଜି ନିବେଶ ନେଇ ବାସ୍ତବ ସ୍ଥିତିକୁ ଦେଖି ପାରୁଥିବେ। ପ୍ରତିଶ୍ରୁତି ଦେବା ଓ ପାଳନ କରିବା ଭିତରେ ପାର୍ଥକ୍ୟ ନିବେଶକଙ୍କୁ ବିଶେଷ ଉତ୍ସାହିତ କରୁନାହିଁ। ଆତ୍ମସମୀକ୍ଷା କରି ସଂଶୋଧନମୂଳକ ପଦକ୍ଷେପ ନେବାକୁ ପଡ଼ିବ। ମିସନ ୨୦୨୫’ର ସଫଳତା ପାଇଁ ଏହା ଏକାନ୍ତ ଜରୁରୀ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.