ଟିଟୋ, ରାଜନୀତି-ଅପରାଧ ଲିଙ୍କ୍‌

0 337

ଧଳ ସାମନ୍ତ ଭ୍ରାତାଙ୍କ ଅପରାଧ ଦୁନିଆର ଖୋଳତାଡ଼ ବେଳେ ଅପରାଧ ଓ ରାଜନୀତି ମଧ୍ୟରେ ଅସାଧୁ ସମ୍ପର୍କ ପଦାକୁ ଆସିଥିଲା। ରାଜ୍ୟର ତିନି ପ୍ରମୁଖ ଦଳର କିଛି ବିଶିଷ୍ଟ ନେତାଙ୍କ ସହ ଧଳସାମନ୍ତ ଭାଇଙ୍କ ସମ୍ପର୍କ ଉପରୁ ପରଦା ଉଠିଥିଲା। ଏବେ ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ ଟିଟୋଙ୍କ ଅପରାଧ ସାମ୍ରାଜ୍ୟର ଗୁମର ଯେତିକି ଫିଟୁଛି, ରାଜନୀତି- ଅପରାଧ ଅସାଧୁ ମେଣ୍ଟର ଭୟଙ୍କର ଚିତ୍ର ସେତିକି ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ଅପରାଧୀ- ରାଜନେତା ଅସାଧୁ ସମ୍ପର୍କ ବିଷୟରେ ଏସ୍‌ଆଇଟି ଅନୁସନ୍ଧାନରୁ ବର୍ତ୍ତମାନ ସୁଦ୍ଧା ଆଭାସ ମାତ୍ର ମିଳିଛି। ତେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳ ବିଜେପି ଓ ବିଜେଡିର ପରସ୍ପର କାଦୁଅ ଫିଙ୍ଗାରୁ ଅସାଧୁ ମେଣ୍ଟର ଚିତ୍ର ଅଧିକ ସ୍ପଷ୍ଟ ଫୁଟି ଉଠୁଛି। କେନ୍ଦ୍ରାପଡ଼ା ଓ ପାରାଦୀପଠାରେ ଦୁଇଟି ପେଟ୍ରୋଲ ପମ୍ପ୍‌ ଆବଣ୍ଟନରେ ଅନିୟମିତତା ଟିଟୋ ପ୍ରତି ସ୍ୱତନ୍ତ୍ର ଅନୁଗ୍ରହ ଦର୍ଶାଇ ବିଜେଡି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଛି। ଅନ୍ୟପକ୍ଷରେ ଶାସକ ଦଳର ପୃଷ୍ଠପୋଷକତା ଓ ପ୍ରୋତ୍ସାହନରେ ଟିଟୋର ଅପରାଧ ସାମ୍ରାଜ୍ୟ ଖାଲି ତିଷ୍ଠି ନଥିଲା, ବିସ୍ତାରିତ ହେଇ ଚାଲିଥିଲା ବୋଲି ପ୍ରତିପକ୍ଷ ବିଜେପି ପାଲଟା ଅଭିଯୋଗ ଆଣିଛି। ବିଜେଡିର ସିଧାସଳଖ ପ୍ରଶ୍ନ- ପେଟ୍ରୋଲ ପମ୍ପ୍‌ ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇକୁ ଦିଆଯିବା ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ କାରନାମାକୁ ଘଣ୍ଟ ଘୋଡ଼ାଇବା ଲାଗି ଆତ୍ମରକ୍ଷାର ଅପକୌଶଳ ନୁହେଁ ତ? ପାଲଟା ହମ୍‌ଲାରେ ବିଜେପି ପକ୍ଷରୁ ଟିଟୋ ସହ କେନ୍ଦ୍ରାପଡ଼ା ଜିଲ୍ଲାର ତିନିଜଣ ବିଧାୟକ ଏବଂ ଗୁରୁବାର ନୂଆଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ ‘ଟିଟୋ ଲିଙ୍କ୍‌’ ବିଷୟରେ ଜାତୀୟ ଗଣମାଧ୍ୟମକୁ କହିଥିବା ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ସମ୍ପର୍କ ଥିବା ଅଭିଯୋଗ କରାଯାଇଛି।

ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ଗ୍ୟାଙ୍ଗଷ୍ଟର୍‌ ଟିଟୋ ସହ ସମ୍ପର୍କ ନେଇ ପରସ୍ପରକୁ ଉଲଗ୍ନ କରିବା ପ୍ରକ୍ରିୟାରେ ଅପରାଧ ଓ ରାଜନୀତି ମଧ୍ୟରେ ମଧୁଚନ୍ଦ୍ରିକା ପ୍ରସୂତ ରାଜନେତା- ଅପରାଧୀ ଅସାଧୁ ମେଣ୍ଟର ଅସଲ ଚିତ୍ର ଉପରୁ ପରଦା ହଟି ଯାଇଛି। ଭାରତରେ ରାଜନୀତିର ଅପରାଧୀକରଣ ଓ ଅପରାଧର ରାଜନୀତୀକରଣ ଏକ ନିଷ୍ଠୁର ବାସ୍ତବତା। ରାଜନୀତିରେ ଅପରାଧର ଏ ସଂକ୍ରମଣରୁ ଓଡ଼ିଶା ବି ବାଦ୍‌ ପଡ଼ିନାହିଁ। ଧଳସାମନ୍ତ ମାମଲା ପରେ ପୁଣି ଟିଟୋ ପ୍ରକରଣରେ ଅପରାଧ ଜଗତ୍‌ ସହ ରାଜନୀତିର ସମ୍ପର୍କ ବିଷୟ ପଦାକୁ ଆସିବା ଏହାର ଅଶୁଭ ସଂକେତ ଯେ, ରାଜ୍ୟରେ ରାଜନୀତିର ଅପରାଧୀକରଣ ତା’ର କାୟା ବିସ୍ତାର କରି ଚାଲିଛି। ୧୯୯୩ରେ ଏନ୍‌ଏନ୍‌ ଭୋରା କମିଟି ପ୍ରଦାନ କରିଥିବା ସବିସ୍ତତ ରିପୋର୍ଟ ଭାରତୀୟ ରାଜନୀତିରେ ରାଜନେତା-ଅପରାଧୀ ଅସାଧୁ ମେଣ୍ଟ ପ୍ରସଙ୍ଗରେ ଏକ ପ୍ରମାଣିକ ଦସ୍ତାବିଜ। ଭୋରା କମିଟି ରିପୋର୍ଟର ରାଜନୀତି-ଅପରାଧ-ପୁଲିସ୍‌ ଓ ଅମଲାତନ୍ତ୍ର ମଧ୍ୟରେ ଅସାଧୁ ସମ୍ପର୍କ ନେଇ ତଥ୍ୟ ପ୍ରମାଣ ସହ ଅନେକ ଉଦାହରଣର ଉଲ୍ଲେଖ ରହିଛି। ରିପୋର୍ଟରେ ରାଜନୀତିର ଅପରାଧୀକରଣ ପ୍ରକ୍ରିୟା ପ୍ରସୂତ ରାଜନେତା- ଅପରାଧୀ ଅସାଧୁ ମେଣ୍ଟର ଚିତ୍ର ଏତେ ଭୟଙ୍କର ଯେ, ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣାଙ୍ଗ ରିପୋର୍ଟ୍‌ ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ।

୧୯୯୭ରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ରାଜନୀତିର ଅପରାଧୀକରଣ ଏବଂ ରାଜନୀତିରେ ଅପରାଧୀଙ୍କ ବହୁଳ ଅନୁପ୍ରବେଶ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରି ଭୋରା କମିଟି ରିପୋର୍ଟ ଉପରେ ଅଧିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କ୍ଷମତାରେ ଥିବା ରାଜନୈତିକ ବର୍ଗ ଏଥି ପ୍ରତି ବିଶେଷ ଦୃଷ୍ଟି ନେଇ ନାହାନ୍ତି। ଫଳତଃ ରାଜନୀତିର ଅପରାଧୀକରଣ ପ୍ରକ୍ରିୟା ଉପରେ ଅଙ୍କୁଶ ଲାଗିବା ପରିବର୍ତ୍ତେ ତ୍ୱରାନ୍ଵିତ ହୋଇ ଚାଲିଛି। ସଂସଦ ଓ ବିଧାନସଭାରେ ଆପରାଧିକ ପୃଷ୍ଠଭୂମି ଥିବା ସଦସ୍ୟଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ଏହାର ଦୁଃଖଦ ପ୍ରମାଣ। ନିକଟରେ ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଥିବା ତଥ୍ୟ ଅନୁଯାୟୀ ଦେଶର୧୭୬୫ ସାଂସଦ ଓ ବିଧାୟକ (ଯାହା ମୋଟ ଏମ୍‌ପି, ଏମ୍‌ଏଲ୍‌ଏ ସଂଖ୍ୟାର ୩୬%)ଙ୍କ ବିରୋଧରେ ୩୦୪୫ଟି ଆପରାଧିକ ମାମଲା ରହିଛି। ଅବଶ୍ୟ, ଏଡିଆର୍‌ର ତଥ୍ୟ ଅନୁଯାୟୀ ଦେଶର ସାଂସଦ ଓ ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ସଂଖ୍ୟା ୧୩ ହଜାରରୁ ଅଧିକ। ମାମଲା ସଂଖ୍ୟା ଯାହା ବି ହେଉ, ଏତେ ସଂଖ୍ୟକ ଆଇନ ପ୍ରଣେତାଙ୍କ ବିରୋଧରେ ଆପରାଧିକ ମାମଲା, ପୁଣି କେତେକଙ୍କ ବିରୋଧରେ ହତ୍ୟା, ଧର୍ଷଣ, ଅପହରଣ ଭଳି ସଂଗିନ୍‌ ଅଭିଯୋଗ, ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ରାଜନୀତିର ଅପରାଧୀକରଣ ଦ୍ୱାରା ଭାରତୀୟ ଗଣତନ୍ତ୍ର କିଭଳି ବିପନ୍ନ ଏହା ତାହାର ବୟାନ। ଆଜି ଯଦି ଭାରତୀୟ ରାଜନୀତିରେ ନୀତି, ନୈତିକତା, ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ଘଟିଛି, ତେବେ ସେଥିପାଇଁ ରାଜନୀତିରେ ବାହୁବଳ ଓ ଅର୍ଥବଳର ପ୍ରାଦୁର୍ଭାବ ମୁଖ୍ୟତଃ ଦାୟୀ। ସଂସଦ ଓ ବିଧାନସଭାରେ ଦାଗୀ ରାଜନେତା ଓ କୋଟିପତି ଧନୀଙ୍କ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟା ଏହାର ସୂଚକ।

ରାଜନୀତିର ଅପରାଧୀକରଣ ନେଇ ସମସ୍ତେ ବିବ୍ରତ, ସବୁ ମହଲରେ ଘୋର ଉଦ୍‌ବେଗ। ତଥାପି କାହିଁକି ଏହା ଉପରେ ପ୍ରଭାବଶାଳୀ ଅଙ୍କୁଶ ଲାଗି ପାରୁ ନାହିଁ? ଦାଗୀ ବିଧାୟକ ଓ ସାଂସଦଙ୍କ ସଂଖ୍ୟା ବଢ଼ି ଚାଲିଛି କେମିତି? ପୂର୍ବରୁ ଗୋଟିଏ ଧାରଣା ଥିଲା, ମୁଖ୍ୟତଃ ଉତ୍ତରପ୍ରଦେଶ, ବିହାର ଭଳି ଅଳ୍ପ କିଛି ରାଜ୍ୟରେ ଗ୍ୟାଙ୍ଗ୍‌ଷ୍ଟାର୍‌ ଓ ବାହୁବଳୀ ନେତାମାନେ ସଂସଦ ଓ ବିଧାନସଭାକୁ ନିର୍ବାଚିତ ହେଉଛନ୍ତି। ଏବେ ରାଜନୀତିର ଅପରାଧୀକରଣ ଏତେ ବ୍ୟାପକ ଯେ , ଓଡ଼ିଶା ଭଳି ଅନ୍ୟଥା ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡ଼ିଶାର ବିଧାନସଭାରେ ଆପରାଧିକ ମାମଲାରେ ଅଭିଯୁକ୍ତ ବିଧାୟକଙ୍କ ସଂଖ୍ୟା ୫୩। ଏହି ଅଭିଯୁକ୍ତ ବିଧାୟକଙ୍କ ମଧ୍ୟରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଭାଗ ରହିଛି। କେବଳ ଧଳସାମନ୍ତ କି ଟିଟୋ ମାମଲାରେ ନୁହେଁ, ଆହୁରି ଅନେକ ଆପରାଧିକ ମାମଲାରେ ଯୋଡ଼ି ହୋଇ ରାଜନେତାମାନଙ୍କ ନାମ ଉଠୁଛି। ରାଜନୈତିକ ହିଂସା ଘଟଣା ମଧ୍ୟ ବଢ଼ିଚାଲିଛି। ଏହାର ଦୁଇଟି କାରଣ ହୋଇପାରେ। ସାଂସଦ ଓ ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲାର ବିଚାରରେ ଅହେତୁକ ବିଳମ୍ବ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ଦ୍ୱାରା ରାଜନୈତିକ ଉଦ୍ଦେଶ୍ୟରେ ତଦନ୍ତକାରୀ ସଂସ୍ଥାଙ୍କୁ ହାତବାରିସି ଭାବେ ବ୍ୟବହାର ଲାଗି ପ୍ରବଣତା। ୨୦୧୪ରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ଆପରାଧିକ ମାମଲାରେ ଅଭିଯୁକ୍ତ ସାଂସଦ, ବିଧାୟକ ଓ ଅନ୍ୟ ରାଜନେତାଙ୍କ ବିଚାର ଲାଗି ସ୍ୱତନ୍ତ୍ର ଫାଷ୍ଟ୍‍ଟ୍ରାକ୍‌ ଅଦାଲତ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଥଚ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ଆଦେଶ କାର୍ଯ୍ୟକାରିତା ଲାଗି ପଦକ୍ଷେପ ନେବାକୁ ତିନି ବର୍ଷ ଲାଗିଗଲା। ବର୍ତ୍ତମାନ ସୁଦ୍ଧା ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ।

ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଅପରାଧକୁ ପ୍ରୋତ୍ସାହନ। ଅନ୍ୟ ସାଧାରଣ ଅପରାଧୀଙ୍କ ତୁଳନାରେ ରାଜନୀତି ସହ ସମ୍ପର୍କ ଥିବା ଅପରାଧୀଙ୍କ ପ୍ରତି ଆଇନ ଅଧିକ କୋହଳ। ଏଥିରେ ରାଜନୀତିର ଅପରାଧୀକରଣ ଉପରେ ଅଙ୍କୁଶ ଲାଗିବ କେମିତି? ତଦନ୍ତକାରୀ ସଂସ୍ଥାକୁ କିଭଳି କେନ୍ଦ୍ର ଓ ରାଜ୍ୟ ସରକାରମାନେ ରାଜନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର କରୁଛନ୍ତି, ତା’ର ଅନେକ ଉଦାହରଣ ରହିଛି। ସଂପ୍ରତି ଚର୍ଚ୍ଚାରେ ଥିବା ଟିିଟୋ ମାମଲାରେ ମଧ୍ୟ ତଦନ୍ତକାରୀ ସଂସ୍ଥାଙ୍କ ଅପବ୍ୟବହାରର ଅଭିଯୋଗକୁ ସହଜରେ ଖାରଜ କରାଯାଇ ପାରୁନାହିଁ। ଏସ୍‌ଆଇଟି ତଦନ୍ତ ଚାଲିଥିବା ବେଳେ କାହିଁକି ପେଟ୍ରୋଲ ପମ୍ପ୍‌ ଅନିୟମିତତାର ତଦନ୍ତ ସିବିଆଇକୁ ଦିଆଗଲା? ଯଦି କେନ୍ଦ୍ରାପଡ଼ା ଓ ପାରାଦୀପ ପେଟ୍ରୋଲ ପମ୍ପ୍‌ର ତଦନ୍ତ ସିବିଆଇକୁ ଦିଆଗଲା, ସେହି ସମୟରେ ଆବଣ୍ଟିତ ଅନ୍ୟ ପେଟ୍ରୋଲ ପମ୍ପ୍‌ ଗୁଡ଼ିକୁ ତଦନ୍ତରୁ କାହିଁକି ବାଦ୍‌ ଦିଆଗଲା? ଏ ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟ ବାସ୍ତବତା ପ୍ରତି ଇଙ୍ଗିତ କରୁଛି। କେଉଁଠି ସିବିଆଇକୁ ବିରୋଧୀଙ୍କୁ ହଇରାଣ କରିବା ଲାଗି ବ୍ୟବହାର କରାଯାଉଛି ତ ଆଉ କେଉଁଠି ଅପରାଧକୁ ଘଣ୍ଟ ଘୋଡ଼ାଇ ଅପରାଧୀକୁ ସୁରକ୍ଷା ଦେବା ଲାଗି ବ୍ୟବହାର କରାଯାଉଛି। ତେଣୁ ଟିଟୋ ପ୍ରକରଣରେ କେନ୍ଦ୍ରମନ୍ତ୍ରୀ ଓ କେତେକ ବିଧାୟକମାନଙ୍କ ସଂପୃକ୍ତି ନେଇ ଅଭିଯୋଗ ପରିପ୍ରେକ୍ଷୀରେ ରାଜନେତା-ଅପରାଧୀ ଅସାଧୁ ମେଣ୍ଟର ଯେଉଁ ଚିତ୍ର ଆସିଛି, ତା’ର ତଦନ୍ତ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଭାବରୁ ମୁକ୍ତ, ନ୍ୟାୟାଳୟଙ୍କ ତଦାରଖରେ ଏକ ସ୍ୱତନ୍ତ୍ର ତଦନ୍ତର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.