ବିହାର ମୁଜାଫରପୁରର ଏକ ବାଳିକା ଆଶ୍ରୟ ଗୃହରେ ଚାଲିଥିବା ଯୌନ କେଳେଙ୍କାରୀ ବିଷୟ ଗତ ମାସ ୨୩ ତାରିଖରେ ପଦାକୁ ଆସିଲା। ‘ସେବା, ସଂକଳ୍ପ ଏବଂ ବିକାଶ ସମିତି’ ନାମକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ଏହି ସରକାରୀ ଆଶ୍ରୟ ଗୃହର ୩୩ ଜଣ ଅନ୍ତେବାସିନୀ, ମୁଖ୍ୟତଃ ନାବାଳିକା, ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗର ତଦନ୍ତ ସିବିଆଇ କରୁଛି। ସାରା ଦେଶର ସାମୂହିକ ବିବେକକୁୁ ଦୋହଲାଇ ଦେଇଥିବା ଏହି ଦୁର୍ଭାଗ୍ୟଜନକ ନରକୀୟ କାଣ୍ଡ ଉପରୁ ପରଦା ଉଠିବାର ଦୁଇ ସପ୍ତାହ ପରେ ବିହାରର ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ମଞ୍ଜୁ ବର୍ମା ଇସ୍ତଫା ଦେଇଛନ୍ତି। ତେବେ ମନ୍ତ୍ରୀ ମହୋଦୟା ତାଙ୍କ ବିଭାଗର ଅନୁଦାନ ଓ ପ୍ରତ୍ୟକ୍ଷ ତଦାରଖରେ ଚାଲିଥିବା ଏହି ଆଶ୍ରୟ ଗୃହରେ ଘଟିଥିବା କେଳେଙ୍କାରୀ ପାଇଁ ନୈତିକ କିମ୍ବା ପ୍ରଶାସନିକ ଉତ୍ତରଦାୟିତ୍ୱ ନେଇ ଇସ୍ତଫା ଦେଇ ନାହାନ୍ତି। ଯଦି ଅଘଟଣ ପାଇଁ ମନ୍ତ୍ରୀ ମହୋଦୟା ନିଜକୁ ଉତ୍ତରଦାୟୀ କରିଥାନ୍ତେ, ତେବେ ଘଟଣା ପରେ ପରେ ତୁରନ୍ତ ପଦତ୍ୟାଗ କରିଥାନ୍ତେ। ପ୍ରବଳ ପ୍ରତିକୂଳ ଜନମତ ସତ୍ତ୍ୱେ ସେ ପଦ ଛାଡ଼ି ନ ଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ତାଙ୍କୁ ଘଣ୍ଟ ଘୋଡ଼ାଇଲେ। ଏବେ ବି ବୋଧହୁଏ ମନ୍ତ୍ରୀ ମହୋଦୟା ଇସ୍ତଫା ଦେଇ ନଥାନ୍ତେ, ଯଦି କେଳେଙ୍କାରୀର ମୁଖ୍ୟ ଖଳନାୟକ ସହ ତାଙ୍କ ସ୍ୱାମୀଙ୍କ ଘନିଷ୍ଠତା ବିଷୟ ତଦନ୍ତରେ ଜଣାପଡ଼ି ନ ଥାନ୍ତା କି ଗଣମାଧ୍ୟମରେ ତାର ଚର୍ଚ୍ଚା ହୋଇ ନଥାନ୍ତା। ମନ୍ତ୍ରୀଙ୍କ ବିଚାରରେ ଏହା ତାଙ୍କ ବିରୋଧରେ ଏକ ଜାତିଆଣ ଷଡ୍ଯନ୍ତ୍ର। ସେ ଏକ ନିର୍ଦ୍ଦିଷ୍ଟ ପଛୁଆ ଜାତିର ହୋଇଥିବାରୁ ଫିସାଦି କରି ତାଙ୍କୁ ଫସାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରୀଙ୍କ ‘ଷଡ୍ଯନ୍ତ୍ର’ ତତ୍ତ୍ୱରୁ ଏହା ସ୍ପଷ୍ଟ ଯେ ସେ ଅଗତ୍ୟା ପଦ ଛାଡ଼ିଥିଲେ ସୁଦ୍ଧା ଆଶ୍ରୟସ୍ଥଳ ପ୍ରକରଣରେ ତାଙ୍କ ବିଭାଗର ଅବହେଳା ପାଇଁ ଉତ୍ତର ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହନ୍ତି। ସରକାରଙ୍କ ଅନୁଦାନରେ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଟିଏ ଆଶ୍ରୟସ୍ଥଳ ଚାଲୁଥିଲା ଓ ଅନ୍ତେବାସିନୀ ଦିନ ଦିନ ଧରି ଯୌନ ଅତ୍ୟାଚାରର ଶିକାର ହେଉଥିଲେ। ଅଥଚ ସରକାରଙ୍କ ସମ୍ପୃକ୍ତ ବିଭାଗ କିଛି ଜାଣି ପାରିଲେ ନାହିଁ। ପରିଣତି ୩୩ ଜଣ ନାବାଳିକା ବଳାତ୍କାରର ଶିକାର ହେଲେ, ଆଶ୍ରୟ ଗୃହ ପରିଚାଳକଙ୍କ ସହଯୋଗରେ ଏସବୁ ଚାଲିଥିଲା। ସମୁଦାୟ ପ୍ରକରଣ ସ୍ୱତଃ ସରକାରୀ ତଦାରଖ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି। ତଥାପି ବିଭାଗର ଶୀର୍ଷରେ ଥିବା ରାଜନୈତିକ କାର୍ଯ୍ୟନିର୍ବାହୀ ସେଥିପାଇଁ ଉତ୍ତରଦାୟିତ୍ୱ ମୁଣ୍ଡାଇବାକୁ ନାରାଜ। ଏଥିରୁ ଅଧିକ ବିଡ଼ମ୍ବନା ଆଉ କ’ଣ ହୋଇପାରେ? କେଳେଙ୍କାରୀ ଯେତେ ଦୁର୍ଭାଗ୍ୟଜନକ, କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ଏଡ଼ାଇବା ମଧ୍ୟ ସେତିକି ଦୁର୍ଭାଗ୍ୟଜନକ।
ମୁଜାଫରପୁର ପରେ ପରେ ଶିରୋନାମାକୁ ଆସିଥିବା ଉତ୍ତରପ୍ରଦେଶ ଦେଓରିଆ ଆଶ୍ରୟଗୃହର ବାଳିକା ନିଖୋଜ ଘଟଣାରେ ମଧ୍ୟ ଶାସନର ଅନୁରୂପ ଚରିତ୍ର ସାମ୍ନାକୁ ଆସିଛି। ଦେଓରିଆ ଆଶ୍ରୟ ଗୃହର ପଞ୍ଜିକରଣ ଉପରେ ସ୍ଥଗିତାଦେଶ ଜାରି କରାଯାଇଥିଲା। ଅଥଚ ପୁଲିସ୍ ଏହାକୁ ଅଣଦେଖା କରି ଉଦ୍ଧାର କରାଯାଇଥିବା ନିରାଶ୍ରୟା ମହିଳା ଓ ଶିଶୁଙ୍କୁ ଆଣି ଏହି ଆଶ୍ରୟ ଗୃହରେ ରଖାଉଥିଲେ। ବାମ ହାତ କଥା ଡାହାଣ ଜାଣି ନ ପାରିଲା ଭଳି ସରକାରଙ୍କ ଗୋଟିଏ ବିଭାଗ ନେଉଥିବା ପଦକ୍ଷେପ ବିଷୟରେ ଆଉ ଗୋଟିଏ ବିଭାଗ ଜାଣି ପାରିଲା ନାହିଁ କେମିତି? ଏହା ବିଭାଗୀୟ ଅଧିକାରୀ, ପୁଲିସ୍ ଓ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କ ମଧରେ ଏକ ଅସାଧୁ ମେଣ୍ଟ ପ୍ରତି ଇଙ୍ଗିତ କରୁଛି। ପଞ୍ଜିକରଣ ନଥିବା ଗୋଟିଏ ବେଆଇନ ଆଶ୍ରୟ ଗୃହରେ ନିରାଶ୍ରୟାଙ୍କୁ ଆଣି ରଖିବା ଅର୍ଥ ସୁରକ୍ଷା ଓ କଲ୍ୟାଣ ଆଳରେ ସେମାନଙ୍କୁ ଶୋଷଣ ଓ ନିର୍ଯାତନା ମୁହଁକୁ ଠେଲି ଦେବ।
ମୁଜାଫରପୁର ଓ ଦେଓରିଆର ଆଶ୍ରୟ ଗୃହରେ ଯୌନ ଶୋଷଣ ଏକ ବ୍ୟତିକ୍ରମ ନୁହେଁ। ସରକାରୀ ସ୍ତରରେ ନିରାଶ୍ରୟ ଶିଶୁ ଓ ମହିଳାଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରସଙ୍ଗରେ ଉଦାସୀନତା ଓ ଉତ୍ତାରଦାୟିତ୍ୱ ଶୂନ୍ୟତାର ସଂକ୍ରମଣ ବେଶ୍ ବ୍ୟାପକ। ଉତ୍ତରପ୍ରଦେଶର ପ୍ରତାପଗଡ଼ ଓ ହରଦୋଇ ଜିଲ୍ଲାର ଦୁଇଟି ଆଶ୍ରୟ ସ୍ଥଳର ଚବିଶରୁ ଅଧିକ ମହିଳା ନିଖୋଜ ହେବା ଏହାର ଦୁଃଖଦ ପ୍ରମାଣ। ଦେଓରିଆ ଘଟଣା ପରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଚାନକ ଯାଞ୍ଚ ଯଦି ହୋଇ ନ ଥାନ୍ତା, ତେବେ ପ୍ରତାପଗଡ଼ ଓ ହରଦୋଇ ଆଶ୍ରୟ ଗୃହର କାରନାମା ସେମିତି ଅନ୍ଧାରରେ ରହିଯାଇଥାନ୍ତା।
ତେଣୁ ମୁଜାଫରପୁର ଆଶ୍ରୟ ଗୃହରେ ଯୌନ କେଳେଙ୍କାରୀଠାରୁ ଆରମ୍ଭ କରି ହରଦୋଇ ଆଶ୍ରୟ ଗୃହରୁ ମହିଳା ନିଖୋଜ ହେବା ଘଟଣା ପର୍ଯ୍ୟନ୍ତ, ସବୁ ଦୁର୍ଭାଗ୍ୟଜନକ ପ୍ରକରଣରୁ ଗୋଟିଏ ସମାନ ବିଲକ୍ଷଣର ସଂକେତ ମିଳୁଛି ଯେ, ନିୟମିତ ଯାଞ୍ଚ ଓ ତଦାରଖ ଅଭାବରୁ ନିରାଶ୍ରୟଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ ପାଇଁ ସରକାରୀ ଓ ବେସରକାରୀ ଭାବେ ଖୋଲା ଯାଇଥିବା ଅଧିକାଂଶ ଆଶ୍ରୟଗୃହ ଅସୁରକ୍ଷିତ। ଯୌନ ଶୋଷଣକାରୀ ଓ ଅପରାଧୀଙ୍କ ଚରାଭୂଇଁ। ସରକାରୀ କଳର ଉଦାସୀନତା ଓ ଉତ୍ତର ଦାୟିତ୍ୱଶୂନ୍ୟତାର ଏହା ଚରମ ପରିଣାମ। ବିଡ଼ମ୍ବନା ହେଲା, ଆଶ୍ରୟ ଗୃହଗୁଡ଼ିକ ସରକାରୀ ଅନୁଦାନରେ ଚାଲିଛି କିମ୍ବା ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି। ଅଥଚ ଏଗୁଡ଼ିକର ନିୟମିତ ଯାଞ୍ଚ ପାଇଁ ବ୍ୟବସ୍ଥା ଏକପ୍ରକାର ଅଦୃଶ୍ୟ। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ନିରାଶ୍ରୟ ଶିଶୁ ଓ ମହିଳାଙ୍କୁ ସାମୟିକ ଆଶ୍ରୟ ପ୍ରଦାନ ସକାଶେ ପ୍ରାୟ ୧୦ ହଜାର ଆଶ୍ରୟ ଗୃହ ରହିଛି। ସେଥିରୁ ୯,୫୦୦ ଆଶ୍ରୟ ଗୃହ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ମହିଳାଙ୍କ ପାଇଁ ୪୭୭ଟି ଆଶ୍ରୟ ଗୃହ ରହିଛି। ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା ପରିଚାଳିତ ୮,୭୪୪ଟି ଶିଶୁ ଆଶ୍ରୟ ଗୃହରେ ୩ ଲକ୍ଷ ୬୮ ହଜାର ନିରାଶ୍ରୟ ବାଳକ ଓ ବାଳିକା ଅଛନ୍ତି। ସ୍ୱେଚ୍ଛାସେବୀ ସଂଗଠନଙ୍କ ଦ୍ୱାରା ପରିଚାଳିତ ଦେଉଥିଲେ ସୁଦ୍ଧା ସାଧାରଣ ଭାବେ ମହିଳା ଓ ଶିଶୁଙ୍କ ସୁରକ୍ଷା ଓ କଲ୍ୟାଣ ଦାୟିତ୍ୱ ମୁଖ୍ୟତଃ ସରକାରଙ୍କର। କିନ୍ତୁ ଏହି ଆଶ୍ରୟ ଗୃହ ଗୁଡ଼ିକର ନିୟମିତ ଯାଞ୍ଚ ହୁଏ ନାହିଁ। ଯାଞ୍ଚ ତ ଦୂରେ ଥାଉ ଗତ ବର୍ଷ ପର୍ଯ୍ୟନ୍ତ ଆଶ୍ରୟ ଗୃହ ସଂଖ୍ୟା ଓ ଅବସ୍ଥିତି ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିଲା। ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଶ୍ରୟ ଗୃହ ଗୁଡ଼ିକର ସଂଖ୍ୟା ଓ ଅବସ୍ଥିତି ନେଇ ରେକର୍ଡ ପ୍ରସ୍ତୁତ କରାଯାଇଛି। କିନ୍ତୁ ଆଶ୍ରୟ ଗୃହ ଗୁଡ଼ିକର ନିୟମିତ ଯାଞ୍ଚ ପାଇଁ ସୁପ୍ରିମ୍ କୋର୍ଟଙ୍କ ଆଦେଶ ଏବେ ସୁଦ୍ଧା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରି ନାହିଁ। ନଅଟି ରାଜ୍ୟର ଆଶ୍ରୟ ଗୃହ ଗୁଡ଼ିକର ଅଦ୍ୟାବଧି ଯାଞ୍ଚ ହୋଇ ନାହିଁ। ଏହା ହିଁ ସମସ୍ୟାର ମୂଳ। ଉକ୍ତ ରାଜ୍ୟ ଗୁଡ଼ିକ ମଧ୍ୟରେ ୟୁପି ଓ ବିହାର ମଧ୍ୟ ଅନ୍ତର୍ଭୁକ୍ତ। ସରକାରୀ ଯାଞ୍ଚ ନ ହେବାର ପରିଣତି କ’ଣ ତାହା ମୁଜାଫରପୁର ଓ ଦେଓରିଆ ଆଶ୍ରୟ ଗୃହ ପ୍ରକରଣ ପରେ ଅଜଣା ରହୁନାହିଁ।
ତେଣୁ ଆଶ୍ରୟ ଗୃହ ଗୁଡ଼ିକର ପରିଚାଳନା ଦାୟିତ୍ୱ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ହାତକୁ ଟେକି ଦେଇ ସରକାର ନିଜର ଦାୟିତ୍ୱ ଏଡ଼ାଇ ପାରିବେ ନାହିଁ। ଆଶ୍ରୟ ଗୃହ ଗୁଡ଼ିକର ମୂଳ ଉଦ୍ଦେଶ୍ୟ, ନିରାଶ୍ରୟମାନଙ୍କ ସୁରକ୍ଷା ଓ କଲ୍ୟାଣ। ଏହି ଉଦ୍ଦେଶ୍ୟ ଯେମିତି ପୂରଣ ହୁଏ ତାହା ନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ। ଏ ଗୁରୁ ଦାୟିତ୍ୱ ନିର୍ବାହ ପାଇଁ ସରକାରୀ କଳ – ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ବେଦନଶୀଳ ଓ ଉତ୍ତରଦାୟୀ ହେବାକୁ ପଡ଼ିବ। ବିହାର ମନ୍ତ୍ରୀଙ୍କ ଭଳି ଉତ୍ତରଦାୟିତ୍ୱ ଏଡ଼ାଇବାର ପ୍ରବଣତାର ପ୍ରତିକାର ଏକାନ୍ତ ଅପରିହାର୍ଯ୍ୟ। ଅନ୍ୟଥା, ନିରାଶ୍ରୟା ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ବିପନ୍ନ କରୁଥିବା ମୁଜାଫରପୁର ଓ ଦେଓରିଆ ଭଳି ଦୁର୍ଭାଗ୍ୟଜନକ ପ୍ରକରଣର ଅଯଥା ପୁନରାବୃତ୍ତିକୁ ରୋକାଯାଇ ପାରିବ ନାହିଁ।