ଐତିହାସିକ ଲାଲକିଲ୍ଲାରେ ଏଥର ଅନୁଷ୍ଠିତ ସ୍ୱାଧୀନତା ଦିବସ ଉତ୍ସବର ଦୃଶ୍ୟ ସମ୍ପୂର୍ଣ୍ଣ ଗତାନୁଗତିକ ଥିଲା। ସବୁ ବର୍ଷ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀର ଉପରେ ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ। ତେବେ ଏ ଗତାନୁଗତିକତା ଭିତରେ ବି କ୍ୱଚିତ୍ କାହାରି ନଜରରୁ ଗୋଟିଏ ଭିନ୍ନତା ଏଡ଼ାଇ ଯାଇଥିବ। ଭିନ୍ନତା ଥିଲା, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଭାଷଣରେ। ଯଦି ଲାଲକିଲ୍ଲା ଏବଂ ତ୍ରିରଙ୍ଗାକୁ ଦୃଶ୍ୟପଟରୁ ହଟାଇ କେବଳ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଆଖି ବନ୍ଦ କରି ଶୁଣାଯାଏ, ତେବେ ତାହା ଗୋଟିଏ ନିର୍ବାଚନ ସଭାର ଭାଷଣ ଭଳି କାନକୁ ଶୁଭିବ। ଅବଶ୍ୟ ଏଥିରେ ଅସ୍ୱାଭାବିକତା ମଧ୍ୟ କିଛି ନାହିଁ। ଆଉ ମାତ୍ର କିଛି ମାସ ପରେ ପୁଣି ଦେଶବାସୀଙ୍କ ଜନାଦେଶ ଲୋଡ଼ିବାକୁ ଯାଉଥିବା ଦେଶର ସର୍ବୋଚ୍ଚ ଶାସନକର୍ତ୍ତାଙ୍କ ପକ୍ଷରେ ବିଗତ ଚାରିବର୍ଷରେ ହାସଲ ହୋଇଥିବା ଉପଲବ୍ଧି ଓ ପରିବର୍ତ୍ତନର ବିବରଣୀ ରଖିବା ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ଅପେକ୍ଷିତ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ମହୋଦୟ ତାଙ୍କ ଭାଷଣରେ ଗ୍ରାମାଞ୍ଚଳ ଗରିବ ପରିବାରଙ୍କୁ ବିଦ୍ୟୁତ୍ ସଂଯୋଗଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଗୃହିଣୀଙ୍କୁ ରନ୍ଧନ ଗ୍ୟାସ୍ ସଂଯୋଗ ପରିମଳ, ମହିଳା କଲ୍ୟାଣ, ସାମାଜିକ ନ୍ୟାୟ, କୃଷି, ଅର୍ଥନୀତି ପର୍ଯ୍ୟନ୍ତ ବିବିଧ କ୍ଷେତ୍ରରେ ପ୍ରାକ୍ ୨୦୧୪ ମେ’ର ସ୍ଥିତି ଓ ଚାରିବର୍ଷ ପରେ ଆଜି ଦିନର ସ୍ଥିତି ମଧ୍ୟରେ ତୁଳନା କରି ଏକ ସକାରାତ୍ମକ ପରିବର୍ତ୍ତନର ଚିତ୍ର ଆଙ୍କି ଥିଲେ। ଏହା ପଛରେ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥିଲା ଆଗାମୀ ଉଣେଇଶ ପାଇଁ ନିଜକୁ ଜଣେ ତରତରରେ ଥିବା ପରିବର୍ତ୍ତନର ଦୂତ ଭାବେ ଉପସ୍ଥାପନ କରିବା। ପରିବର୍ତ୍ତନର ଚିତ୍ରକୁ ଅଧିକ ବିଶ୍ୱସନୀୟ କରିବା ପାଇଁ ସେ ଉଭୟ ସରକାରୀ ପରିସଂଖ୍ୟାନ ଓ ଆନ୍ତର୍ଜାତିକ ସଂସ୍ଥାଙ୍କ ଅନୁଧ୍ୟାନକୁ ଉଦ୍ଧାର କରିଥିଲେ। ତେବେ, ପ୍ରଧାନମନ୍ତ୍ରୀ ଯେତିକି ମାତ୍ରାରେ ପରିବର୍ତ୍ତନ ଦାବି କରୁଛନ୍ତି ପ୍ରକୃତରେ କ’ଣ ସେତିକି ମାତ୍ରାରେ ପରିବର୍ତ୍ତନ ଆସିଛି? ଏହି ପ୍ରଶ୍ନ ପରିପ୍ରେକ୍ଷୀରେ ଅନ୍ୟାନ୍ୟ ବିଷୟ ମଧ୍ୟରେ ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି କେବଳ ଅର୍ଥନୀତିରେ ଆସିଥିବା ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କ ଦାବି ଓ ଭବିଷ୍ୟତ ନେଇ ଆଶାବାଦୀ ଆକଳନ ବିଷୟରେ ଆଲୋଚନା କରାଯାଇପାରେ।
ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ଏକ ତାଜା ରିପୋର୍ଟକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶୋଇଥିବା ହାତୀ ଜାଗି ଉଠିଲା ଭଳି ବିଶାଳ ଭାରତୀୟ ଅର୍ଥନୀତି ଏବେ ଆଗେଇ ଚାଲିଛି। ବିଶ୍ୱର ଷଷ୍ଠ ବୃହତ୍ତମ ଅର୍ଥନୀତିର ସ୍ଥାନ ପାଇ ସାରିଥିବା ଭାରତୀୟ ଅର୍ଥନୀତି ଆଗାମୀ ତିନିଦଶକ ପର୍ଯ୍ୟନ୍ତ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ବାହାନ ହେବ। ତେବେ, ଅର୍ଥନୀତିର ଏ ଗୋଲାପି, ଆଶାବାଦୀ ଚିତ୍ର ଉପସ୍ଥାପନ ବେଳେ ଚିତ୍ରକୁ ବିବର୍ଣ୍ଣ କରିବା ଆଶଙ୍କା ସୃଷ୍ଟି କରିଥିବା ଟଙ୍କାର ସଦ୍ୟ ରେକର୍ଡ ଅବମୂଲ୍ୟାୟନ ନେଇ ସେ ଚୁୁପ୍ ରହିଲେ। ସ୍ୱାଧୀନତା ଦିବସ ଉଦ୍ବୋଧନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀରକୁ ଉଠିବା ପୂର୍ବଦିନ ଡଲାର ବିପକ୍ଷରେ ଟଙ୍କାର ମୂଲ୍ୟ ରେକର୍ଡ ୭୦ ଟଙ୍କାକୁ ଖସି ଆସି ସାରିଥିଲା। ମଙ୍ଗଳବାର କାରବାର ଆରମ୍ଭରେ ଡଲାର୍ ବିପକ୍ଷରେ ୭୦ ଟଙ୍କାକୁ ଖସି ଆସିଥିବା ଭାରତୀୟ ମୁଦ୍ରାର ମୂଲ୍ୟ କାରବାର ବନ୍ଦ ହେଲା ବେଳକୁ ୬୯.୮୯ ଟଙ୍କା ରହିଥିଲା। ଦୁଇ ଦିନ ତଳର ଝଟ୍କାରୁ ଗୁରୁବାର ଦିନ ସୁଦ୍ଧା ବି ଟଙ୍କା ସଳଖି ପାରି ନାହିଁ। ଗତ ସପ୍ତାହର କାରବାର ଶେଷ ବେଳକୁ ଡଲାର ବିପକ୍ଷରେ ଟଙ୍କାର ମୂଲ୍ୟ ଆହୁରି ୪୩ ପଇସା ହ୍ରାସ ପାଇ ୭୦ ଟଙ୍କା ୩୨ ପଇସାକୁ ଖସି ଯାଇଥିଲା। ଗତ ୨୦୧୩ରେ ଡଲାରର ମୂଲ୍ୟ ୬୦ ଟଙ୍କାକୁ ଖସିବା ଫଳରେ ସେତେବେଳେ ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ମୋଦୀ ତତ୍କାଳୀନ ୟୁପିଏ ସରକାରର କଟୁ ସମାଲୋଚନା କରିଥିଲେ। ସେତେବେଳେ ମୋଦୀଙ୍କ ବକ୍ତବ୍ୟ ଥିଲା ଟଙ୍କା ଅବମୂଲ୍ୟାୟନର ମୁଖ୍ୟ କାରଣ ଥିଲା ଅର୍ଥନୀତିର ପରିଚାଳନାରେ ଅପାରଗତା ଓ ଦୁର୍ନୀତି। ପାଞ୍ଚବର୍ଷରେ ଡଲାର ବିପକ୍ଷରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୦ ଟଙ୍କା ଅଧିକ ହ୍ରାସ ପାଇ ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିବା ସମ୍ପର୍କରେ ଏବେ ପ୍ରଧାନମନ୍ତ୍ରୀ କ’ଣ କୈଫିୟତ ଦେବେ? ଏହା କେଉଁ ପ୍ରକାର ପରିବର୍ତ୍ତନର ସଂକେତ ଦେଉଛି? ପ୍ରକୃତ କଥା ହେଲା, ଆମେରିକା-ତୁର୍କୀ ବାଣିଜ୍ୟ ଯୁଦ୍ଧ ଟଙ୍କାର ମୂଲ୍ୟକୁ ପ୍ରଭାବିତ କରିଛି। ଆନ୍ତର୍ଜାତିକ କ୍ଷେତ୍ରରେ ଅସ୍ଥିରତା ଯୋଗୁ ଭାରତୀୟ ଟଙ୍କା ଅବମୂଲ୍ୟାୟନର ଶିକାର ହୋଇଛି। ୨୦୧୩ରେ ମଧ୍ୟ ଅନୁରୂପ ଆନ୍ତର୍ଜାତିକ ଘଟଣାକ୍ରମର ପ୍ରଭାବରେ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଘଟିଥିଲା। ଟଙ୍କାର ଅବମୂଲ୍ୟାୟନ ନେଇ କ୍ଷମତାରେ ନଥିଲା ବେଳେ ଯେଉଁ କାରଣ ଦେଖାଯାଉ ନଥିଲା, ଏବେ ଶାସନ ଦାୟିତ୍ୱରେ ଥିଲା ବେଳେ ସେ କାରଣ ଦେଖାଯାଉଛି। ଏହା ହେଉଛି ଭାରତରେ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଚରିତ୍ର।
ଟଙ୍କାର ଅବମୂଲ୍ୟାୟନ ନେଇ ଏବେ ପ୍ରଧାନମନ୍ତ୍ରୀ ଯାହାବି ସ୍ପଷ୍ଟୀକରଣ ଦିଅନ୍ତୁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ମହଙ୍ଗା ଡଲାର ବିପକ୍ଷରେ ଶସ୍ତା ଟଙ୍କାର ନକାରାତ୍ମକ ପ୍ରଭାବ ଭାରତୀୟ ଅର୍ଥନୀତିକୁ ଭୋଗିବାକୁ ପଡ଼ିବ। ଅଶୋଧିତ ତୈଳ ସମେତ ବିଦେଶରୁ ଆମଦାନି ମହଙ୍ଗା ହେବ। ଫଳରେ ବାଣିଜ୍ୟ ନିଅଣ୍ଟ ପରିମାଣ ବୃଦ୍ଧି ପାଇବ। ଜୁଲାଇ ସୁଦ୍ଧା ୧୮,୨୦୦ କୋଟି ଡଲାରରେ ପହଞ୍ଚି ସାରିଥିବା ବାଣିଜ୍ୟ ନିଅଣ୍ଟ ଆହୁରି ବଢ଼ିବ। ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ଚାପଗ୍ରସ୍ତ ହେବ। ଚଳନ୍ତି ଖାତାରେ ନିଅଣ୍ଟ (କରେଣ୍ଟ ଆକାଉଣ୍ଟ ଡେଫିସିଟ) ମଧ୍ୟ ବଢ଼ିବ। ଅର୍ଥନୀତିର ଏ ପ୍ରକାର କଠିନ ସ୍ଥିତି ପୁଞ୍ଜି ନିବେଶ ପାଇଁ ଆଦୌ ଅନୁକୂଳ ନୁହେଁ।
ପୁଣି, ଅର୍ଥନୀତିରେ ଯଦି ସକାରାତ୍ମକ ପରିବର୍ତ୍ତନ ଆସିଛି, ତେବେ ବେକାରି ହାର କମୁନାହିଁ କାହିଁକି? ପ୍ରଧାନମନ୍ତ୍ରୀ ମହୋଦୟ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍’ ମାନ୍ୟତା ତାଲିକାରେ ଭାରତର ସ୍ଥାନରେ ଉନ୍ନତି ବିଷୟ ଉଲ୍ଲେଖ କଲେ। ଅଥଚ ନିଯୁକ୍ତି ସୁଯୋଗ ପ୍ରସଙ୍ଗରେ ବିଶ୍ୱ ମାନ୍ୟତା ତାଲିକାରେ ଭାରତ ୬୦ତମ ସ୍ଥାନକୁ ଖସିବା ବିଷୟ ଉଲ୍ଲେଖ କଲେ ନାହିଁ। ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ)ର ଏହି ପରିସଂଖ୍ୟାନକୁ ମଧ୍ୟ ଉଲ୍ଲେଖ କଲେ ନାହିଁ ଯେ, ଦେଶରେ ବେକାରି ହାର ପୂର୍ବ ବର୍ଷ ଗୁଡ଼ିକ ଭଳି ୩.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ଓ ୭୭ ପ୍ରତିଶତଙ୍କ ନିଯୁକ୍ତି ପ୍ରତି ବିପଦ ଅଛିି। ଯଦି ଏବେ ଭାରତ ଆନ୍ତର୍ଜାତିକ ପୁଞ୍ଜିନିବେଶର ନୂଆ ଠିକଣା, ତେବେ ନିଯୁକ୍ତି ସୁଯୋଗ ଉଭେଇ ଯାଉଛି କୁଆଡ଼େ? ରେଳବାଇରେ ୯୨ ହଜାର ଚାକିରି ପାଇଁ ଆବେଦନକାରୀଙ୍କ ସଂଖ୍ୟା ଅଢ଼େଇ କୋଟି। ଏହି ସଂଖ୍ୟା ହିଁ ସୂଚାଇ ଦେଉଛି ବେକାରି ସମସ୍ୟା ଦେଶରେ କେତେ ଉତ୍କଟ। ପ୍ରତିବର୍ଷ ନିଯୁକ୍ତି ଆଶାରେ ଘୂରି ବୁଲୁଥିବା କୋଟିଏରୁ ଅଧିକ ଯୁବକ, ଯୁବତୀ ଓ ସେମାନଙ୍କ ପରିବାର ବର୍ଗ ଅର୍ଥନୀତିର ଏ ତଥାକଥିତ ପରିବର୍ତ୍ତନ ଉପରେ ଭରସା କରିବେ କେମିତି, ଯଦି ପରିବର୍ତ୍ତନରେ ସେମାନେ ନିଯୁକ୍ତିର କୌଣସି ଆଶା ଦେଖି ନ ପାରନ୍ତି। ଯେଉଁ ସବୁ ପରିସଂଖ୍ୟାନ ଓ ଆନ୍ତର୍ଜାତିକ ସଂସ୍ଥାର ରିପୋର୍ଟ ସୁହାଇଲା, ସେ ସବୁ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସ୍ଥାନ ପାଇଲା। ଯେଉଁ ସବୁ ତଥ୍ୟ ଅସୁବିଧାଜନକ ସେ ତାକୁ ଏଡ଼ାଇଗଲେ। ପ୍ରାକ୍ ୨୦୧୪ ସ୍ଥିତି ସହ ବର୍ତ୍ତମାନର ଅବସ୍ଥାର ତୁଳନା ଅବସରରେ ଏହା ଉଲ୍ଲେଖ କଲେ ନାହିଁ ଯେ, ୨୦୧୪ ପୂର୍ବବର୍ତ୍ତୀ ଗୋଟିଏ ଦଶକରେ ହାରାହାରି ଅଭିବୃଦ୍ଧି ହାର ଯେତିକି, ଗତ ଚାରିବର୍ଷର ହାରାହାରି ଅଭିବୃଦ୍ଧି ହାର ତା’ଠାରୁ କମ୍। ବିଗତ ସରକାରଙ୍କ ଅମଳରେ ଅନ୍ତତଃ ଦୁଇଥର ଅର୍ଥନୈତିକ ଅଭିବୃଦ୍ଧି ହାର ଦୁଇ ସଂଖ୍ୟା ବିଶିଷ୍ଟ ଥିଲା। ଏଥିରେ ପରିବର୍ତ୍ତନର ଦାବି ବିଶ୍ୱସନୀୟ ମନେ ହେବ କେମିତି? ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତନର ଅର୍ଥ ଯଦି ‘ଅଚ୍ଛେ ଦିନ’, ତେବେ ସେ ପଦ୍ମ ତ ଘୁଞ୍ଚି ଘୁଞ୍ଚି ବହୁ ଦୂରରେ! ସେଥିରୁ ଧ୍ୟାନ ହଟାଇବାକୁ ପରିବର୍ତ୍ତନର ଭ୍ରମ ସୃଷ୍ଟି ଏକ ନୂଆ କୌଶଳ ନୁହେଁ ତ?
ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ନିଜକୁ ପରିବର୍ତ୍ତନର ଦୂତ ବୋଲି ଦାବି କରିପାରନ୍ତି। କିନ୍ତୁ ବାସ୍ତବତା ହେଲା, ଅର୍ଥନୀତିରେ ସାଧାରଣ ଲୋକ ଯେମିତି ପରିବର୍ତ୍ତନ ଅନୁଭବ କରିପାରୁ ନାହାନ୍ତି, ସେମିତି ମହିଳା ସଶକ୍ତୀକରଣ ହେଉ କି ସାମାଜିକ ନ୍ୟାୟ ଅବା ଆଇନର ଶାସନ ପ୍ରସଙ୍ଗରେ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କ ଦାବି ସହ କ୍ୱଚିତ କେହି ଏକମତ ହେବେ। ସାମାଜିକ ନ୍ୟାୟ ପ୍ରସଙ୍ଗରେ ଯଦି ପରିବର୍ତ୍ତନ ଆସିଛି, ତେବେ ଦଳିତଙ୍କ ଉପରେ ଆକ୍ରମଣ ଘଟଣା ବଢ଼ି ଚାଲୁଛି କାହିଁକି? ଯଦି ଆଇନର ଶାସନ ଚାଲିଛି, ତେବେ ଗୋ-ସୁରକ୍ଷା ଆଳରେ ସଂଖ୍ୟାଲଘୁଙ୍କ ଧାରାବାହିକ ହତ୍ୟା ହେଉଛି କାହିଁକି? କାହିଁକି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କୁ ହିଂସା ବୃଦ୍ଧି ନେଇ ଉଦ୍ବେଗ ପ୍ରକାଶ କରିବାକୁ ପଡୁଛି? ଦୁଷ୍କର୍ମକାରୀଙ୍କ ବିରୋଧରେ ମୃତ୍ୟୁଦଣ୍ଡ ସମେତ କଠୋର ଆଇନର ଶ୍ରେୟ ନେଲେ, ଅଥଚ ନାରୀ ବିରୋଧୀ ହିଂସା, ଦୁଷ୍କର୍ମ ପୀଡ଼ିତାଙ୍କ ସଂଖ୍ୟା କମୁନାହିଁ କାହିଁକି? ପରିବର୍ତ୍ତନର ଭ୍ରମ ସୃଷ୍ଟି ପାଇଁ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ମହାଶୟ ଉପରୋକ୍ତ ପ୍ରଶ୍ନଗୁଡ଼ିକୁ ଏଡ଼ାଇ ଯାଇଥାଇ ପାରନ୍ତି। କିନ୍ତୁ, ଉଣେଇଶରେ ପୁନର୍ବାର ଜନାଦେଶ ଲୋଡ଼ିବା ପାଇଁ ଜନତା ଦରବାରରେ ହାଜର ହେବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଉପରୋକ୍ତ ପ୍ରଶ୍ନଗୁଡ଼ିକର ଅବଶ୍ୟ ସାମନା କରିବାକୁ ପଡ଼ିବ।