ଅଧା ‘ଆଧାର’

0 364

ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ୪-୧ ସ˚ଖ୍ୟାଗରିଷ୍ଠ ରାୟରେ ‘ଆଧାର’ର ସାମ୍ବିଧାନିକ ବୈଧତାକୁ କାଏମ୍‌ ରଖିଛନ୍ତି। ତା’ସହ ‘ଆଧାର’ର ସର୍ବବ୍ୟାପୀ ଚରିତ୍ର ଏହାର ଅପବ୍ୟବହାର ବିରୋଧରେ ଯଥେଷ୍ଟ ‘ରକ୍ଷାକବଚ’ର ବ୍ୟବସ୍ଥା କରୁଛନ୍ତି; ଯାହା ବାର ସ˚ଖ୍ୟା ବିଶିଷ୍ଟ ଏହି ନାଗରିକ ପରିଚୟ ପତ୍ରର ଗୁରୁତ୍ୱ ତଥା ଅପରିହାର୍ଯ୍ୟତାକୁ ପ୍ରାୟ ଅଧା କମାଇ ଦେଇଛି। ଗୋଟିଏ ପକ୍ଷରେ ନାଗରିକର ବ୍ୟକ୍ତିଗତ ଗୋପନୀୟତା, ଅନ୍ୟପକ୍ଷରେ ଅନ୍ୟର ଅଧିକାର ଓ ଶାସନର ଆବଶ୍ୟକତା ମଧ୍ୟରେ ଭାରସାମ୍ୟ ରକ୍ଷା କରି ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ବ୍ୟକ୍ତିଗତ ଗୋପନୀୟତା ନେଇ ମୌଳିକ ଅଧିକାର ଉଲ୍ଲଂଘନର ଆଶଙ୍କାକୁ ଅନେକମାତ୍ରାରେ ଦୂର କରିଛି।

‘ଆଧାର’ ବିରୋଧରେ ଆଗତ ୩୧ଟି ଆବେଦନ ଉପରେ ଦୀର୍ଘ ୩୮ ଦିନ ଧରି ଶୁଣାଣି କରି ସୁପ୍ରିମ୍‌କୋର୍ଟ ରାୟ ସ˚ରକ୍ଷିତ କରିଥିଲେ। ବୁଧବାର ପୂର୍ବାହ୍ନରେ ପାଞ୍ଚଜଣିଆ ଖଣ୍ତପୀଠ ତିନିଟି ପୃଥକ୍‌ ପୃଥକ୍‌ ରାୟରେ ୨୦୧୬ରେ ଆଇନଗତ ମାନ୍ୟତା ପାଇଥିବା ‘ଆଧାର’ ପରିଚୟପତ୍ରର ଭାଗ୍ୟ ଓ ଭବିଷ୍ୟତ ନିର୍ଧାରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୟୁଆଇଡିଏଆଇ ୧୨୨ କୋଟି ଭାରତୀୟ ନାଗରିକଙ୍କୁ ଆଧାର ପରିଚୟ ପତ୍ର ଦେଇ ସାରିଛନ୍ତି। ଖଣ୍ତପୀଠର ଅଧୢକ୍ଷ ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ଅନ୍ୟ ଦୁଇ ବିଚାରପତି ନ୍ୟାୟମୂର୍ତ୍ତି ଏ.କେ. ସିକ୍ରି, ନ୍ୟାୟମୂର୍ତ୍ତି ଏ.ଏମ୍‌.ଖାନ୍‌ଵିଲକର ମିଳିତ ଭାବେ ଗୋଟିଏ ରାୟ ଶୁଣାଇଥିବା ବେଳେ, ଅନ୍ୟ ଦୁଇ ବିଚାରପତି ନ୍ୟାୟମୂର୍ତ୍ତି ଅଶୋକ ଭୂଷଣ ଏବ˚ ନ୍ୟାୟମୂର୍ତ୍ତି ଡି.ଵାଇ. ଚନ୍ଦ୍ରଚୂଡ଼ ଦୁଇଟି ପୃଥକ୍‌ ପୃଥକ୍‌ ରାୟ ପ୍ରକାଶ କରିଚନ୍ତି। ପ୍ରଥମ ଦୁଇଟି ରାୟ ପରସ୍ପରଠାରୁ ପୃଥକ୍‌ ହେଲେ ସୁଦ୍ଧା ‘ଆଧାର’ର ସାମ୍ବିଧାନିକ ବୈଧତା ସପକ୍ଷରେ ଯାଇଛି। ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ ସମ୍ପୂର୍ଣ୍ଣ ଭିନ୍ନମତ ପୋଷଣ କରି ‘ଆଧାର’କୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି।

ପ୍ରଥମ ପରସ୍ପର ପରିପୂରକ ଦୁଇଟି ରାୟରେ ଚାରିଜଣ ବିଚାରପତି ‘ଆଧାର’କୁ ଅନ୍ୟ ନାଗରିକ ପରିଚୟ ପତ୍ରଠାରୁ ପୃଥକ୍‌ ଓ ସ୍ୱତନ୍ତ୍ର ବିଚାର କରି ଏହାର ସପକ୍ଷରେ ରାୟ ଦେଇଛନ୍ତି। ତେବେ, ସବୁ କ୍ଷେତ୍ରରେ ଏହାର ବାଧ୍ୟତାମୂଳକ ଅପରିହାର୍ଯ୍ୟତାକୁ ଅଗ୍ରାହ୍ୟ କରି ଦେଇଛନ୍ତି। କେବଳ ଆୟକର ‘ପାନ୍‌ କାର୍ଡ’, ସରକାରୀ ରିହାତି ମିଳୁଥିବା କଲ୍ୟାଣମୂଳକ ଯୋଜନା ପାଇଁ ଏହା ବାଧ୍ୟତାମୂଳକ କରାଯାଉଛି। ବ୍ୟାଙ୍କ, ଟେଲିଫୋନ୍‌ ସେବା, ସ୍କୁଲରେ ନାମ ଲେଖା ପାଇଁ ଏହା ବାଧ୍ୟତାମୂଳକ ନୁହେଁ। ‘ନିଟ୍‌’, ସିବିଏସ୍‌ଇ କିମ୍ବା ୟୁଜିସିିର ପରୀକ୍ଷା ପାଇଁ ମଧ୍ୟ ଆଧାରର ଆବଶ୍ୟକତା ନାହିଁ। ଆଧାର ପରିଚୟ ପତ୍ରର ପ୍ରାମାଣିକତାରେ ସମସ୍ୟା କୌଣସି ସରକାରୀ ଯୋଜନା ଓ ସେବା ପାଇବାରୁ କାହାକୁ ବଞ୍ଚିତ କରିବାର କାରଣ ହେବନାହିଁ। ବିଶେଷ କରି ଶିଶୁମାନେ ଆଧାର ନ ଥିବା ଯୋଗୁ କୌଣସି ସେବାରୁ ବଞ୍ଚିତ ହେବେନାହିଁ। ଘରୋଇ କମ୍ପାନି ଓ ସ˚ସ୍ଥାମାନେ କୌଣସି ସେବା କିମ୍ବା କାମ ପାଇଁ ଆଧାର ଦାବି କରିପାରିବେ ନାହିଁ। ବ୍ୟାଙ୍କ୍‌ରେ ଜମା ଖାତା ଖୋଲିବା କିମ୍ବା ମୋବାଇଲ ସ˚ଯୋଗ ପାଇଁ ‘ଆଧାର’ ଆଉ ବାଧ୍ୟତାମୂଳକ ନୁହେଁ। ଗୁରୁତ୍ୱପୂର୍ଣ୍ଣ ହେଲା ଆଧାର ଆଇନରେ ୫୭ ଧାରାକୁ ଉଚ୍ଛେଦ କରି ଦିଆଯାଇଛି। ଏହି ଧାରାର ବ୍ୟବସ୍ଥା ଅନୁଯାୟୀ ଜାତୀୟ ନିରାପତ୍ତା କାରଣରୁ ଆଧାରରେ ଥିବା ତଥ୍ୟ ଅନ୍ୟ ସ˚ସ୍ଥାକୁ ହସ୍ତାନ୍ତର କରିବା କ୍ଷମତା ସରକାର ଓ ୟୁଆଇଡିଏଆଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା କିନ୍ତୁ ଆଧାର ତଥ୍ୟ ଅନ୍ୟ କୌଣସି ସ˚ସ୍ଥାକୁ ହସ୍ତାନ୍ତର ହୋଇ ପାରିବ ନାହିଁ। କେବଳ ସେତିକି ନୁହେଁ, ଆଧାର ଆଇନରେ କୌଣସି ନାଗରିକଙ୍କ ଅଧିକାର କ୍ଷୁଣ୍ଣ ହେଲେ, ସେ ଅଦାଲତର ଆଶ୍ରୟ ନେଇ ପାରିବେ। ପୂର୍ବରୁ ଆଧାର ଆଇନରେ ନାଗରିକଙ୍କୁ ଏହି ସୁଯୋଗ ଦିଆଯାଇ ନଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ତଥ୍ୟ ଚୋରି ନେଇ ଆବେଦନକାରୀଙ୍କ ଆଶଙ୍କାକୁ ଗୁରୁତ୍ୱ ଦେଇ ‘ଆଧାର’ରେ ରହୁଥିବା ନାଗରିକଙ୍କ ସମସ୍ତ ତଥ୍ୟର ସୁରକ୍ଷା ପାଇଁ ସ˚ସଦରେ ଆବଶ୍ୟକ ଆଇନ ପ୍ରଣୟନ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ‘ଆଧାର’ର ଅପବ୍ୟବହାର ରୋକିବା ଏବ˚ ତଥ୍ୟର ସୁରକ୍ଷା ସକାଶେ ସ˚ଖ୍ୟାଗରିଷ୍ଠ ରାୟରେ ରହିଥିବା ନିର୍ଦ୍ଦେଶାବଳୀ ସହ ବିରୋଧାତ୍ମକ ମତ ସହ ନ୍ୟାୟମୂର୍ତ୍ତି ଡିଵାଇ ଚନ୍ଦ୍ରଚୂଡ଼ଙ୍କ ସ˚ଖ୍ୟାଲଘୁ ରାୟ ମଧ୍ୟ ଏ ପ୍ରସଙ୍ଗରେ ସମାନ ଗୁରୁତ୍ୱର ଅପେକ୍ଷା ରଖୁଛି। ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ ଆଧାରକୁ ଅସାମ୍ବିଧାନିକ ଘୋଷଣା କରି ରାୟ ସପକ୍ଷରେ ଅନେକ ବଳିଷ୍ଠ ଯୁକ୍ତି ଦେଇଛନ୍ତି। ସ˚ଖ୍ୟାଗରିଷ୍ଠ ରାୟରେ ମତ ହେଲା, ଅନ୍ୟ ପରିଚୟ ପତ୍ର ଓ ଆଧାର ଭିତରେ ମୌଳିକ ପାର୍ଥକ୍ୟ ରହିଛି। ଆଧାରରେ ରହୁଥିବା ସୀମିତ ତଥ୍ୟ ସାଧାରଣ ନାଗରିକଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ରାଷ୍ଟ୍ର ବା ସରକାର ହାତରେ ଏକ ଆୟୁଧ ହୋଇପାରିବ ନାହିଁ। କିନ୍ତୁ ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ ଏହି ମତ ସହ ଏକମତ ନୁହଁନ୍ତି। ସେ ସ୍ପଷ୍ଟ ଓ ଦୃଢ଼ ମତ ଦେଇଛନ୍ତି ଯେ, ‘ଆଧାର’ରରେ ନାଗରିକଙ୍କ ସମ୍ପର୍କରେ ଏତେ ପର୍ଯ୍ୟାପ୍ତ ତଥ୍ୟ ରହୁଛି ଯେ, ତା ମାର୍ଫତରେ ନାଗରିକର ବ୍ୟକ୍ତିଗତ ବ୍ୟାପାରରେ ରାଷ୍ଟ୍ରର ଅନୁପ୍ରବେଶ ସମ୍ଭବ ଯାହା ବ୍ୟକ୍ତିଗତ ଗୋପନୀୟତା ନେଇ ମୌଳିକ ଅଧିକାରର ପରିପନ୍ଥୀ। ବିଗତ ଦିନରେ ଆଧାର ତଥ୍ୟର ପ୍ରଘଟ ହେବାର ଅନେକ ଘଟଣା, ଏପରିକି ସଦ୍ୟ ଆରମ୍ଭ ହୋଇଥିବା ଆୟୁଷ୍ମାନ ଯୋଜନାର ବହୁସ˚ଖ୍ୟକ ହିତାଧିକାରୀଙ୍କ ରୋଗବ୍ୟାଧି ସ˚କ୍ରାନ୍ତ ସମସ୍ତ ସୂଚନା ସର୍ବସାଧାରଣରେ ପ୍ରକାଶ ହେବା ସ˚ଖ୍ୟାଲଘୁ ରାୟର ଯୁକ୍ତିକୁ ଯଥାର୍ଥ ସାବ୍ୟସ୍ତ କରୁଛି। ଏହା ବ୍ୟକ୍ତିଗତ ଗୋପନୀୟତା ବିପନ୍ନ ହେବା ଆଶଙ୍କା ଘନୀଭୂତ କରୁଛି। ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ ଉଠାଇଥିବା ଆପତ୍ତିକୁ ଅଣଦେଖା କରିବା ସହଜ, କିନ୍ତୁ ରାୟରେ ଅନ୍ତର୍ନିହିତ ବ୍ୟକ୍ତି ସ୍ୱାଧୀନତା ଓ ନାଗରିକ ଅଧିକାର ସପକ୍ଷରେ ଭାବନାକୁ ଅସ୍ୱୀକାର କରିବା ସହଜ ନୁହେଁ। ବ୍ୟକ୍ତିଗତ ସ୍ୱାଧୀନତାକୁ ପରିବ୍ୟାପ୍ତ କରି ନାଗରିକ ସୁରକ୍ଷା ପ୍ରସଙ୍ଗରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଏକ ଉଜ୍ଜ୍ୱଳ ପରମ୍ପରା ପ୍ରତିଷ୍ଠା କରିଛନ୍ତି। ସ˚ଖ୍ୟା ଗରିଷ୍ଠ ରାୟ ‘ଆଧାର’ର ପ୍ରାମାଣିକତାରେ ତ୍ରୁଟିବିଚ୍ୟୁତି ନାଗରିକଙ୍କୁ ସରକାରୀ ସେବାରୁ ବଞ୍ଚିତ ହେବାର କାରଣ ହେବ ନାହିଁ ବୋଲି ଆଶ୍ବସ୍ତ କରାଯାଇଛି। କିନ୍ତୁ ନ୍ୟାୟ ମୂର୍ତ୍ତି ଚନ୍ଦ୍ରଚୂଡ଼ଙ୍କ ଆଶଙ୍କା ହେଲା ଭାରତ ଭଳି ଏକ ବିଶାଳ ଦେଶରେ ‘ଆଧାର’ ହିଁ ଅନେକ କ୍ଷେତ୍ରରେ ପାତରଅନ୍ତରର କାରଣ ହୋଇପାରେ। ସରକାର ଓ ପ୍ରଶାସନିକ କଳ ଏଥିପ୍ରତି ସଚେତନ ହେବା ଆବଶ୍ୟକ। ଘରୋଇ କଂପାନିମାନେ ପୂର୍ବରୁ ନେଇଥିବା ଆଧାର ତଥ୍ୟକୁ ନଷ୍ଟ କରିଦେବା ଲାଗି ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ଙ୍କ ମନ୍ତବ୍ୟକୁ ସରକାର ଗୁରୁତ୍ୱର ସହ ନେବା ଉଚିତ।

ଆଉ ଗୋଟିଏ ପ୍ରସଙ୍ଗରେ ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ଙ୍କ ଭିନ୍ନମତ ଦେଶର ସ˚ଘୀୟ ସମ୍ବିଧାନ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ˚ଖ୍ୟାଗରିଷ୍ଠ ରାୟରେ ଆଧାର ବିଧେୟକକୁ ଅର୍ଥ ବିଲ୍‌ ରୂପରେ ସ˚ସଦରେ ଆଗତ କରାଯିବା ଉପରେ କୌଣସି ଆପତ୍ତି ଉଠାଯାଇ ନାହିଁ। ଆଧାର ବିଧେୟକ ଅର୍ଥବିଲ୍‌ ହୋଇଥିବାରୁ ଏହା ରାଜ୍ୟସଭାକୁ ବାଦ୍‌ଦେଇ କେବଳ ଲୋକସଭାରେ ଗୃହୀତ କରାଇ ନେବାରେ ସ˚ଖ୍ୟାଗରିଷ୍ଠ ବିଚାରପତିଗଣ କୌଣସି ଅସ˚ଗତି ଦେଖି ନାହାନ୍ତି। କିନ୍ତୁ ନ୍ୟାୟମୂର୍ତ୍ତି ଅତି କଟୁ ମନ୍ତବ୍ୟ ସହ ଏହାର ଭର୍ତ୍ସନା କରିଛନ୍ତି। ଆଧାର ବିଧେୟକକୁ ‘ଅର୍ଥ ବିଲ୍‌’ ଭାବେ ଆଗତ କରାଯାଇ ଗୃହୀତ କରାଇନେବା ସମ୍ବିଧାନ ନାମରେ ଏକ ଜାଲିଆତି ବୋଲି ସେ ଟିପ୍ପଣୀ ଦେଇଛନ୍ତି। ଆଇନ ପ୍ରଣୟନ ପ୍ରକ୍ରିୟାରେ ରାଜ୍ୟସଭାକୁ ଏଡ଼ାଇ ଦିଆଯିବା ସ˚ଘୀୟ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉଥିବା ସମ୍ବିଧାନର ବିରୋଧାଚରଣ ବୋଲି ସେମ ତ ଦେଇଛନ୍ତି। ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭାକୁ ଅଣଦେଖା କରାଯିବା ଅର୍ଥ ଆଧାର ଭଳି ଏକ ସୁଦୂରପ୍ରସାରୀ ପ୍ରଭାବ ରଖୁଥିବା ଆଇନ ପ୍ରଣୟନରେ ରାଜ୍ୟମାନଙ୍କ ମତକୁ ଉପେକ୍ଷା। ଅବଶ୍ୟ, ଚଳିତ ଏନ୍‌ଡିଏ ଶାସନରେ ଏହା ନୂଆ ନୁହେଁ। ଉପର ସଦନରେ ଆବଶ୍ୟକ ସ˚ଖ୍ୟା ନଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧେୟକକୁ ‘ଅର୍ଥବିଲ୍‌’ର ଛଦ୍ମ ରୂପରେ ଖାସ୍‌ ରାଜ୍ୟସଭାକୁ ଏଡ଼ାଇବା ଲାଗି ଲୋକସଭାରେ ଆଗତ କରିବାର ଅନେକ ନଜିର ରହିଛି। ନ୍ୟାୟମୂର୍ତ୍ତିି ଚନ୍ଦ୍ରଚୂଡ଼ଙ୍କ ଏହି ରାୟ ପରିପ୍ରେକ୍ଷୀରେ ‘ଅର୍ଥବିଲ୍‌’ ଓ ସ˚ଘୀୟ ବ୍ୟବସ୍ଥାର ଅବମାନନା ପ୍ରସଙ୍ଗରେ ଭବିଷ୍ୟତରେ ପୁଣି ନ୍ୟାୟିକ ଲଢେ଼ଇର ସମ୍ଭାବନା ରହିଛି।

ମୋଟାମୋଟି ସ˚ଖ୍ୟାଗରିଷ୍ଠ ରାୟ ବଳରେ ‘ଆଧାର’ର ସାମ୍ବିଧାନିକ ବୈଧତା ବଜାୟ ରହିଥିଲେ ସୁଦ୍ଧା ବାର ସ˚ଖ୍ୟା ବିଶିଷ୍ଟ ନାଗରିକ ପରିଚୟ ପତ୍ରର ପୂର୍ବ ଗୁରୁତ୍ବ ଯଥେଷ୍ଟ ହ୍ରାସ ପାଇଛି। ‘ଆଧାର’ ନହେଲେ ଜଣେ ଭାରତୀୟ ନାଗରିକ ଯେ ତା’ର ନ୍ୟାଯ୍ୟ ଅଧିକାର ଓ ସୁଯୋଗରୁ ବଞ୍ଚିତ ହେବ, ଏ ଆଶଙ୍କା ଏବେ ଅନେକା˚ଶରେ ନିରାଧାର।

ସମ୍ବନ୍ଧିତ ଖବର

Leave A Reply

Your email address will not be published.