ମହିଳାଙ୍କୁ ସମାନତ‌ା ଓ ସମ୍ମାନ

0 182

ଅନେକ ପାଶ୍ଚାତ୍ୟ ଗଣତନ୍ତ୍ରରେ ପୁରୁଷଙ୍କଠାରୁ ବହୁ ବିଳମ୍ବରେ ଯାଇ ମହିଳାଙ୍କୁ ମତଦାନ ଅଧିକାର ମିଳିଥିଲା। କିନ୍ତୁ ଭାରତରେ ଗଣତନ୍ତ୍ର ଜନ୍ମର ପ୍ରଥମ ଦିବସରୁ ହିଁ ସାର୍ବଜନୀନ ମତଦାନ ଅଧିକାର ବ୍ୟବସ୍ଥାରେ ମହିଳାଙ୍କୁ ଭୋଟଦାନର ଅଧିକାର ମିଳିଛି। ଦେଶର ସମ୍ବିଧାନ ମଧ୍ୟ ପୁରୁଷଙ୍କ ସହ ମହିଳାଙ୍କୁ ଭାରତୀୟ ନାଗରିକ ଭାବେ ସମାନ ଅଧିକାର ଓ ସୁଯୋଗ ଦେଇଛି। ଲିଙ୍ଗ ଆଧାରରେ ମହିଳା ଯେମିତି ବୈଷମ୍ୟ କିମ୍ବା ଅସମାନତାର ଶିକାର ନ ହୁଅନ୍ତି, ତାହା କେବଳ ସମ୍ବିଧାନ ନିଶ୍ଚିତ କରିନାହିଁ, କଲ୍ୟାଣମୂଳକ ବ୍ୟବସ୍ଥାରେ ‘‘ଦୁର୍ବଳ ବର୍ଗ’’ ବିଚାର କରାଯାଇ ମହିଳାଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଲାଗି ରାଷ୍ଟ୍ରକୁ ଦାୟିତ୍ୱ ଦେଇଛି। ତେବେ, ଏହା ଏକ ନିଷ୍ଠୁର ବାସ୍ତବତା ‌ଯେ, ସ୍ୱାଧୀନତାର ସାଢ଼େ ସାତ ଦଶକ ପରେ ବି ସମ୍ବିଧାନ ନିଶ୍ଚିତ କରିଥିବା ଅଧିକାର ଓ ସମାନତା ପୂରା ମାତ୍ରାରେ ମହିଳାଙ୍କୁ ମିଳିପାରିନାହିଁ। ସାମାଜିକ-ଧାର୍ମିକ ପ୍ରଥା ଓ ପରମ୍ପରା ନାମରେ ଲିଙ୍ଗଗତ ଅସମାନତାକୁ ପ୍ରଶ୍ରୟ ଦେଇ ମହିଳାଙ୍କୁ ସେମାନଙ୍କ ନ୍ୟା‌ଯ୍ୟରୁ ବଞ୍ଚିତ କରାଯାଇ ଆସୁଛି।

ଅବଶ୍ୟ, ଏହା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ, ଆମ ଦେଶ ସ୍ୱାଧୀନ ହେବା ବେଳେ ଭାରତୀୟ ସମାଜରେ ମହିଳାଙ୍କ ସ୍ଥିତି ଯାହା ଥିଲା, ଆଜି ସେ ତୁଳନାରେ ସେମାନଙ୍କ ଅବସ୍ଥା ସହସ୍ରଗୁଣ ଅଧିକ ଭଲ। ଅନେକ ଅଧିକାର, ଯାହା ଦିନେ ଭାରତୀୟ ମହିଳାଙ୍କ ପାଇଁ କେବଳ ସ୍ୱପ୍ନ ଥିଲା, ଆଜି ବାସ୍ତବତା। ଭାରତୀୟ ସମାଜରେ ମହିଳାଙ୍କ ଅବସ୍ଥାରେ ଏ ସକାରାତ୍ମକ ପରିବର୍ତ୍ତନ ପାଇଁ ସାମ୍ବିଧାନିକ ବ୍ୟବସ୍ଥା, ପ୍ରଗତିଶୀଳ ଆଇନ ଓ ନୀତି କାର୍ଯ୍ୟକ୍ରମ ଆଦିର ଯେତିକି ‌ଶ୍ରେୟ, ଦେଶର ସ୍ୱାଧୀନ, ନିରପେକ୍ଷ ନ୍ୟାୟପାଳିକା ତା’ଠାରୁ ଅଧିକ ଶ୍ରେୟର ହକ୍‌ଦାର। ପ୍ରଚଳିତ ସାମାଜିକ- ଧାର୍ମିକ ପ୍ରଥା ଓ ପରମ୍ପରା ମଧ୍ୟରେ ଅଣନିଃଶ୍ୱାସୀ ମହିଳାଙ୍କୁ ସମାନତା ଓ ସମ୍ମାନ ପ୍ରଦାନ କରୁଥିବା ଆଇନ ‌କେବଳ ‘ମୃତ ଅକ୍ଷର’ରେ ପରିଣତ ହୋଇଥାନ୍ତା, ଯଦି ସାମ୍ବିଧାନିକ ବ୍ୟବସ୍ଥାର ଆଲୋକରେ ଓ ଗଣତନ୍ତ୍ରର ଭାବନା ନେଇ ଆଇନର ତର୍ଜମା କରି ନ୍ୟାୟପାଳିକା ମହିଳାଙ୍କ ଅଧିକାର ଓ ସମାନତାର ନୂଆ ସଂଜ୍ଞା ନିରୂପଣ କରିନଥାନ୍ତେ। ପୁଅଙ୍କ ସହ ଝିଅଙ୍କୁ ମଧ୍ୟ ପରିବାରର ସମ୍ପତ୍ତିରେ ଭାଗ, ଯୌନ ଶୋଷଣ ବିରୋଧରେ ‘ବିଶାଖା’ ରାୟ, ବାଧ୍ୟତାମୂଳକ ବିବାହ ପଞ୍ଜୀକରଣ, ବିଚ୍ଛେଦ ପରେ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ, ତିନି ତଲାକ ଉଚ୍ଛେଦ ଆଦି ଅନେକ ରାୟ ମହିଳାଙ୍କୁୁ ଅଧିକାର, ସମାନତା ଓ ସମ୍ମାନର ସ୍ୱୀକୃତି ଉପରେ ଗୋଟିଏ ଗୋଟିଏ ନ୍ୟାୟିକ ମୋହର। ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନନ କହିଥିଲେ ଗୋଟିଏ ଦେଶର ବିକାଶ ପାଇଁ ମହିଳାଙ୍କ ସଶକ୍ତୀକରଣ ଅପେକ୍ଷା ଅନ୍ୟ କିଛି ଅଧିକ ପ୍ରଭାବଶାଳୀ ସାଧନ ହୋଇ ନ ପାରେ। ସ୍ୱାଧୀନତା ପରେ ମାନ୍ୟବର ସୁପ୍ରିମ୍‌କୋର୍ଟ ମହିଳାଙ୍କ ଅଧକାର, ସମାନତା ଓ ସମ୍ମାନ ସପକ୍ଷରେ ଦେଇଥିବା ପ୍ରତ୍ୟେକଟି ରାୟ ଭାରତୀୟ ମହିଳାଙ୍କ ସଶକ୍ତୀକରଣ ଦିଗରେ ଗୋଟିଏ ଗୋଟିଏ ମାଇଲଖୁଣ୍ଟ।

‌ସେହି ଉଜ୍ଜ୍ୱଳ ନ୍ୟାୟିକ ପରମ୍ପରାରେ ସବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଆଉ ଏକ ଅଧ୍ୟାୟ। ସର୍ବୋଚ୍ଚ ଅଦାଲତଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ୪.୧ ସଂଖ୍ୟାଗରିଷ୍ଠ ରାୟରେ ଆ‌ଠଶହ ବର୍ଷ ପୁରୁଣା ପରମ୍ପରାର ଶୃଙ୍ଖଳ ଛିଣ୍ଡାଇ ମହିଳାଙ୍କୁ ସମ୍ମାନ ଓ ସମାନତା ପ୍ରଦାନ କରିଛନ୍ତିି। କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିର‌େର ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ ରହିଥିବା ନି‌େଷଧାଜ୍ଞାକୁ ଅବୈଧ ଘୋଷଣା କରା‌ଯାଇଛି। ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ଯେତିକି ଦୁଃଖଦାୟକ, କଟକଣା ପଛରେ ଦର୍ଶାଯାଇଥିବା କାରଣ ତା’ଠାରୁ ଅଧିକ ଦୁଃଖଦାୟକ ଓ ବିସ୍ମୟକର। ୧୦ରୁ ୫୦ ବର୍ଷ ବୟସ ଗୋଷ୍ଠୀର ବାଳିକା, ଯୁବତୀ ଓ ମହିଳାଙ୍କୁ ସବରିମାଲା ମନ୍ଦିର ପ୍ରବେଶ ମନ‌ା ଏଥିପାଇଁ ଯେ, ଏହି ବୟସରେ ଋତୁସ୍ରାବ ବ‌ା ମ‌ାସିକ ଧର୍ମ କୁଆଡ଼େ ସେମା‌ନଙ୍କ ଶରୀରକୁ ‘ଅପବିତ୍ର’ କରିଦିଏ। ଅପବିତ୍ର ଶରୀର ପ୍ରବେଶ ଫଳରେ କୁଆଡ଼େ ମନ୍ଦିର ‘ମାରା’ ହୋଇଯାଉଥିଲା। ଅଦ୍ଭୁତ ଯୁକ୍ତି ଥିଲା ଯେ, ଏହି ବୟସ ଗୋଷ୍ଠୀର ମହିଳା‌ ମନ୍ଦିରର ଆରାଧ୍ୟ ଦେବତା ଆଜନ୍ମ ବ୍ରହ୍ମଚାରୀ ଆୟାପ୍ପାଙ୍କ ‘ବ୍ରହ୍ମଚର୍ଯ୍ୟ’ରେ ବିଘ୍ନ ଘଟାଇବେ। ଏକଚାଳିଶ ଦିନର ବ୍ରହ୍ମଚର୍ଯ୍ୟ ପରେ ଠାକୁରଙ୍କ ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁଙ୍କ ଶୁଦ୍ଧତା ମଧ୍ୟ କୁଆଡ଼େ ନଷ୍ଟ ହୁଏ। ମହିଳାଙ୍କ ପ୍ରତି ଏ ପ୍ରକାର ବୈଷମ୍ୟ ସପକ୍ଷରେ ଯାହାବି ଧାର୍ମିକ ତତ୍ତ୍ବ ଥାଉ ନା କାହିଁକି, ଏ ପ୍ରଥା କିନ୍ତୁ ପ୍ରତ୍ୟେକ ନାଗରିକଙ୍କ, ଲିଙ୍ଗ ନିର୍ବିଶେଷରେ, ସମାନ ଅଧିକାର, ବ୍ୟକ୍ତିର ସମ୍ମାନକୁ ମର୍ଯ୍ୟାଦା ଦେଇଥିବା ସମ୍ବିଧାନର ବିରୋଧାଚରଣ। ପାଞ୍ଚଜଣିଆ ଖଣ୍ଡପୀଠର ଚାରିଜଣ ବିଚାରପତି ଦୁଇଟି ପୃଥକ୍‌ ପୃଥକ୍‌, ଅଥଚ ପରସ୍ପର ପରିପୂରକ, ରାୟରେ ସବରିମାଲାକୁ ମହିଳାଙ୍କ ପ୍ରବେଶ ଉପରେ ନିଷେଧାଜ୍ଞାକୁ ‘ଅସାମ୍ବିଧାନିକ’ କହି ଉଚ୍ଛେଦ କରି ଦେଇଛନ୍ତି। ଅନ୍ୟପକ୍ଷରେ ଖଣ୍ଡପୀଠର ଏକ ମାତ୍ର ମହିଳା ବିଚାରପତି ନ୍ୟାୟମୂର୍ତ୍ତି ଇନ୍ଦୁ ମାଲହୋତ୍ରା ଭିନ୍ନ ରାୟ ଦେଇ ମହିଳାଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ସପକ୍ଷରେ ମତ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ଅନ୍ୟ ଦୁଇ ବିଚାରପତି ନ୍ୟାୟମୂର୍ତ୍ତି ଏ.ଏମ୍‌. ଖାନ୍‌ୱିଲକର, ଆର୍‌.ଏଫ୍‌. ନରିମାନଙ୍କ ମିଳିତ ରାୟ‌ର ମୂଳାଧାର ହେଲା, ପୁରୁଷଙ୍କ ସହ ମହିଳାଙ୍କ ସମାନ ଅଧିକାର, ସମାନ ସୁଯୋଗ ରହିଛି। ମହିଳା ଇତର ପ୍ରାଣୀ ନୁହଁନ୍ତି, ମଣିଷ ଭଳି ସମ୍ମାନର ସହ ବଞ୍ଚିବାର ସେମାନଙ୍କ ମୌଳିକ ଅଧିକାରକୁ ଅସ୍ୱୀକାର କରାଯାଇ ନପାରେ। ଈଶ୍ୱର ସୃଷ୍ଟିରେ ସବୁ ମଣିଷ ସମାନ, ରଙ୍ଗ କିମ୍ବା ଲିଙ୍ଗ ଆଧାରରେ କୌଣସି ପ୍ରକାର ବାଛବିଚାର ଆଦୌ ଗ୍ରହଣୀୟ ନୁହେଁ। ନ୍ୟାୟମୂର୍ତ୍ତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ପୃଥକ ର‌ାୟରେ ମହିଳାଙ୍କ ଅଧିକାର ଓ ସମ୍ମାନ ସପକ୍ଷରେ ସ୍ୱର ଅଧିକ ଶାଣିତ। ‘ଋତୁସ୍ରାବ’ ପାଇଁ ଗୋଟିଏ ବୟସ ଗୋଷ୍ଠୀର ମହିଳାଙ୍କ ପ୍ରତି ଏ ବୈଷମ୍ୟକୁ ‘ଅସ୍ପୃଶ୍ୟତା’ର ଆଉ ଏକ କୁତ୍ସିତ ରୂପ ବୋଲି ସେ ମତ ଦେଇଛନ୍ତି। ଏକ ସ୍ୱାଭାବିକ ଶାରୀରିକ ପ୍ରକ୍ରିୟା ପାଇଁ ମହିଳାଙ୍କୁ ‘ଅପବିତ୍ର’ ବିଚାର କରାଯିବା ମଧ୍ୟ ନାରୀ ଜାତି ପ୍ରତି ଅପମାନ, ସମ୍ମାନର ସହ ବଞ୍ଚିବା ପାଇଁ ଜଣେ ବ୍ୟକ୍ତିର ଅଧିକାରର ବିରୋଧାଚରଣ। ଭିନ୍ନ ରାୟ ଦେଇଥିବା ଏକମାତ୍ର ମହିଳା ନ୍ୟାୟମୂର୍ତ୍ତିଙ୍କ ଯୁକ୍ତି ହେଲା, ଧାର୍ମିକ ପ୍ରଥା ଓ ପରମ୍ପରା ସହ ଯୋଡ଼ି ହୋଇଥିବା ପ୍ରସଙ୍ଗର ନ୍ୟାୟିକ ସମୀକ୍ଷା ଅନାବଶ୍ୟକ। ଏହାଦ୍ୱାରା ସେହି ଧର୍ମ‌େର ବିଶ୍ୱାସ କରୁଥିବା ବ୍ୟକ୍ତି ସମୂହଙ୍କ ମୌଳିକ ଧାର୍ମିକ ଅଧିକାରର ଉଲ୍ଲଂଘନ ହେବ।

ଏହି ମନ୍ତବ୍ୟ ପରିପ୍ରେକ୍ଷୀ‌େର ପ୍ରଶ୍ନ ଉଠୁଛି, ସମୟ ଓ ଅବସ୍ଥାରେ ପରିବର୍ତ୍ତନ ସହ ମା‌ନ୍‌ଧାତିଆ ଧାର୍ମିକ ଦୃଷ୍ଟିକୋଣରେ ପରିବର୍ତ୍ତନ ଓ ପ୍ରଥା, ପରମ୍ପରାର ସମୟୋପଯୋଗୀ ସଂସ୍କାର କ’ଣ ଆବଶ୍ୟକ ନୁହେଁ? ମଧ୍ୟଯୁଗୀୟ ସାମାଜିକ- ଧାର୍ମିକ ପରମ୍ପରା ଓ ପ୍ରଥା କ’ଣ ଏକବିଂଶ ଶତାବ୍ଦୀର ଆଧୁନିକ ଯୁଗରେ ଗ୍ରହଣୀୟ? ସାମାଜିକ- ଧାର୍ମିକ ପରମ୍ପରା ଏବଂ ବ୍ୟକ୍ତିର ସ୍ୱାଧୀନତା, ଅଧିକାର, ସମ୍ମାନ ମଧ୍ୟରେ ସମନ୍ୱୟ ରକ୍ଷା ଏକାନ୍ତ ଆବଶ୍ୟକ। କିନ୍ତୁ ଗୋଟିଏ ପଟେ ସାମାଜିକ-ଧାର୍ମିକ ପ୍ରଥା ଓ ପରମ୍ପରା ଏବଂ ଅନ୍ୟପଟେ ସମ୍ବିଧାନ ନିଶ୍ଚିତ କରିଥିବା ବ୍ୟକ୍ତି ଅଧିକାର, ସମାନତା ଓ ସମ୍ମାନ ଯଦି ପରସ୍ପରର ବିରୋଧାତ୍ମକ ହୁଏ, ତେବେ ପନ୍ଥା କ’ଣ? ନୀତି ଦୃଷ୍ଟିରୁ ଗୋଯିଏ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଧାର୍ମିକ ବ୍ୟାପାରରେ ନ୍ୟାୟପାଳିକାର ହସ୍ତକ୍ଷେପ ଆଦୌ ଅପେକ୍ଷିତ ନୁହେଁ। କିନ୍ତୁ ଯେତେବେଳେ ପରଂପରା ଓ ପ୍ରଥା ନାମରେ ବ୍ୟକ୍ତିର ସ୍ୱାଧୀନତା, ଅଧିକାର ବିପନ୍ନ ହୁଏ, ସେତେବେଳେ ନ୍ୟାୟପାଳିକାର ହସ୍ତକ୍ଷେପ ଅନିବାର୍ଯ୍ୟ ହୋଇପଡ଼େ। ଗତ ସପ୍ତାହରେ ସୁପ୍ରିମ କୋର୍ଟର ବିଭିନ୍ନ ରାୟରେ ଏହା ପ୍ରତିଫଳିତ ହୋଇଛି। ଦଫା ୩୭୭ ଓ ଦଫା ୪୯୭ ଆଦି ମାମଲାର ରାୟରେ ପରମ୍ପରା ଓ ପୁରୁଣା ଦୃଷ୍ଟିକୋଣ ଅପେକ୍ଷା ବ୍ୟକ୍ତିର ସ୍ୱାଧୀନତା, ଅଧିକାର, ସମ‌ାନତା ଓ ସମ୍ମାନକୁ ଅଧିକ ପ୍ରାଥମିକତା ଦିଆଯାଇଛି। ସବରିମାଲା ମନ୍ଦିରରେ ମହିଳା ପ୍ରବେଶ ସପକ୍ଷ‌େର ରାୟ‌େର ମଧ୍ୟ ସେହି ପ୍ରଗତିଶୀଳ ଦର୍ଶନ ପ୍ରତିଫଳିତ ହୋଇଛି। ସମୟ ଓ ପରିବେଶ ବଦଳିବା ସହ ପରମ୍ପରା ଓ ପ୍ରଥାରେ ମଧ୍ୟ ସମୟୋପଯୋଗୀ ପରିବର୍ତ୍ତନ ଆବଶ୍ୟକ। ପୂର୍ବରୁ ଅନେକ ଉପାସନା ପୀଠରେ ମହିଳାଙ୍କ ପ୍ରବେଶ ଉପରେ କଟକଣା ଉଠିଛି। ଏବେ ସବରିମାଲାରେ ଉଠିଲା। ତଥାପି ଆହୁରି ଅନେକ ଉପ‌ାସନା ପୀଠରେ ମହିଳାଙ୍କ ପ୍ରବେଶ ଉପରେ ନିଷେଧାଜ୍ଞା ରହିଛି। ସେ ନିଷେଧାଜ୍ଞାର କ’ଣ ହେବ? ମହିଳା ପୂଜକଙ୍କୁ ଠାକୁର ପୂଜାର ଅଧିକାର ମିଳିବ କି ନାହିଁ? ଏମିତି ଆହୁରି ଅନେକ ବିବାଦୀୟ ପ୍ରସଙ୍ଗ ରହିଛି, ଯାହା ଉପରେ ନ୍ୟାୟିକ ହସ୍ତକ୍ଷେପ ପୂର୍ବରୁ ସମ୍ପୃକ୍ତ ଧର୍ମର ଗୁରୁ ଓ ନେତୃମଣ୍ଡଳୀ ସମ‌େୟାପଯୋଗୀ ସଂସ୍କାର ଆଣିବା ବିଷୟ ଚିନ୍ତା କରିବା ଏକାନ୍ତ ଆବଶ୍ୟକ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.