ପ୍ରଶ୍ନରେ ବିଚାରପତି ଚୟନ

ଭାରତୀୟ ନ୍ୟାୟପାଳିକାର ଇତିହାସରେ ବର୍ଷକ ତଳେ ୨୦୧୮, ଜାନୁଆରି ବାର ତାରିଖ ଦିନ ଏକ ଅଭୂତପୂର୍ବ ଅଥଚ ଅତ୍ୟନ୍ତ ଅପ୍ରୀତିକର, ଅସ୍ବସ୍ତିକର ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଚ୍ଚତମ ନ୍ୟାୟାଳୟର କାର୍ଯ୍ୟରତ ଚାରିଜଣ ବରିଷ୍ଠତମ ବିଚାରପତି କୋର୍ଟର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇ ତତ୍କାଳୀନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କୁ କାଠଗଡ଼ାରେ ଠିଆ କରାଇଥିଲେ। ପ୍ରଧାନ ବଚାରପତିଙ୍କ ସହ ଦେଶର ନ୍ୟାୟିକ ବ୍ୟାପାରର ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ତଥା ନିଯୁକ୍ତି ଚୟନକାରୀ ସ˚ସ୍ଥା ‘ସୁପ୍ରିମ୍‌ କୋର୍ଟ କଲେଜିୟମ୍‌’ର ସଦସ୍ୟ ଥିବା ଚାରିଜଣ ବିଚାରପତିଙ୍କ ମୁଖ୍ୟତଃ ଦୁଇଟି ଅଭିଯୋଗ ଥିଲା। ପ୍ରଥମ, କଲେଜିୟମ୍‌ ତଥା ଶୀର୍ଷ କୋର୍ଟର କାର୍ଯ୍ୟରେ ସ୍ବଚ୍ଛତା ରହୁନାହିଁ। ଦ୍ବିିତୀୟ, ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନ ବିଚାରପତି ଅନ୍ୟ ସହଯୋଗୀ ବିଚାରପତିଙ୍କ ସହ ବିଚାରବିମର୍ଶ କରୁନାହାନ୍ତି। ଫଳରେ ନ୍ୟାୟିକ କାର୍ଯ୍ୟର ପରିଚାଳନାରେ ‘ସାମୂହିକ ନେତୃତ୍ବ’ର ଅଭାବ ସର୍ବୋଚ୍ଚ ନ୍ୟାୟପାଳିକାର ନିରପେକ୍ଷତାକୁ ସନ୍ଦିଗ୍ଧ କରି ଦେଉଛି।

ଇତିମଧୢରେ ବର୍ଷେରୁ ଅଧିକ କାଳ ବିତିଯାଇଛି। ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ ସ୍ଥାନରେ ର˚ଜନ ଗଗୋଇ ଏବେ ପ୍ରଧାନ ବିଚାରପତି ଆସନରେ ଅବସ୍ଥାପିତ। ନ୍ୟାୟମୂର୍ତ୍ତି ଗଗୋଇ ସେହି ଚାରିଜଣ କାର୍ଯ୍ୟରତ ବରିଷ୍ଠତମ ବିଚାରପତିଙ୍କ ମଧୢରେ ଜଣେ ଥିଲେ, ଯେଉଁମାନେ କୋର୍ଟ ଓ କଲେଜିୟମ୍‌ର କାର୍ଯ୍ୟଧାରାରେ ସ୍ବଚ୍ଛତା ଓ ନିରପେକ୍ଷତାର ଅଭାବ ନେଇ ପ୍ରଶ୍ନ ଉଠାଇଥିଲେ। କୁହାଯାଏ, ପରିବର୍ତ୍ତନ ଯେତେ ଅଧିକ ହୁଏ, ସ୍ଥିତି ନ ବଦଳି ସେତେ ଅଧିକ ସମାନ ରହେ। ସୁପ୍ରିମ୍‌ କୋର୍ଟ ଓ ଦେଶର ନ୍ୟାୟିକ ବ୍ୟବସ୍ଥା କ୍ଷେତ୍ରରେ ମଧ୍ୟ ତାହା ଘଟିଛି। ପ୍ରଧାନ ବିଚାରପତି ବଦଳିଛନ୍ତି। ଅଥଚ, ବ୍ୟବସ୍ଥାର କାର୍ଯ୍ୟଧାରାରେ କୌଣସି ପରିବର୍ତ୍ତନ ଆସିନାହିଁ। ପୁଣି ଥରେ କଲେଜିୟମ୍‌ର ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ବିଚାରପତି ନିଯୁକ୍ତି ନେଇ କଲେଜିୟମ୍‌ର ନିଷ୍ପତ୍ତିକୁ କେନ୍ଦ୍ର କରି ବିବାଦର ଝଡ଼ ଉଠିଛି। ବିଡ଼ମ୍ବନା ହେଲା, ବର୍ଷକ ତଳେ ତତ୍କାଳୀନ ପ୍ରଧାନ ବିଚାରପତିଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଥିବା ବର୍ତ୍ତମାନର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଗଗୋଇଙ୍କ ବିବାଦୀୟ ନିଷ୍ପତ୍ତି ଏଥର ବିବାଦର କେନ୍ଦ୍ରରେ ରହିଛି। ଅବଶ୍ୟ, ଆଉ ଏକ ବିଡ଼ମ୍ବନା ମଧୢ ଉଲ୍ଲେଖର ଅପେକ୍ଷା ରଖୁଛି। ଆଜି ଯଦି କଲେଜିୟମ୍‌ର ସ୍ବଚ୍ଛତା ପ୍ରସଙ୍ଗରେ ଖୋଲା ବିତର୍କ ଲାଗି ସାନି ଅବକାଶ ସୃଷ୍ଟି ହୋଇଛି, ତେବେ ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଏହାର ଶ୍ରେୟ ଯିବ। କାରଣ, କଲେଜିୟମ୍‌ର କାର୍ଯ୍ୟରେ ସ୍ବଚ୍ଛତା ଆଣିିବା ଦିଗରେ ଏକ କ୍ଷୁଦ୍ର ପଦ‌େକ୍ଷପ ସ୍ବରୂପ କଲେଜିୟମ୍‌ର ସମସ୍ତ ନିଷ୍ପତ୍ତି ସର୍ବସାଧାରଣଙ୍କ ଅବଗତି ନିମନ୍ତେ େଵବ୍‌ସାଇଟ୍‌ରେ ପ୍ରସାରଣ ପାଇଁ ନ୍ୟାୟମୂର୍ତ୍ତି ମିଶ୍ରଙ୍କ ସମୟରେ ନିଷ୍ପତ୍ତି ହୋଇଥିଲା। େଵବ୍‌ସାଇଟ୍‌ର ତଥ୍ୟରୁ ଜଣାପଡ଼ିଛି ଯେ, ଗତ ଡିସେମ୍ବର ୧୨ରେ କଲେଜିୟମ୍‌ ଗୋଟିଏ ନିଷ୍ପତ୍ତି ନେଇଥିଲେ; ଯାହାକୁ ଜାନୁଆରି ୧୨ରେ ପରିବର୍ତ୍ତନ କରି କଲେଜିୟମ୍‌ ଆଉ ଏକ ନିଷ୍ପତ୍ତି ନେଇଛନ୍ତି। ମାସକ ମଧୢରେ କଲେଜିୟମ୍‌ ନିଷ୍ପତ୍ତିରେ ଓଲଟପାଲଟ ହିଁ ତାଜା ବିବାଦର ମଞ୍ଜି।

ଡିସେମ୍ବର ୧୨ରେ, ୨୦୧୮ରେ କଲେଜିୟମ୍‌ କ’ଣ ନିଷ୍ପତ୍ତି ନେଇଥିଲେ; ଯାହା ମାସକ ପରେ ଜାନୁଆରି ୧୦, ୨୦୧୯ରେ ପରିବର୍ତ୍ତନ କଲେ? ମାସକ ତଳେ, ଡିସେମ୍ବର ୧୨ରେ ଦିଲ୍ଲୀ ଓ ରାଜସ୍ଥାନ ହାଇକୋର୍ଟର ଦୁଇ ମଖ୍ୟ ବିଚାରପତିଙ୍କୁ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି କଲେଜିୟମ୍‌ ପ୍ରସ୍ତାବ ଗ୍ରହଣ କରିଥିଲେ। କିନ୍ତୁ ଜାନୁଆରି ୧୨, ୨୦୧୯ରେ ଏହି ନିଷ୍ପତ୍ତିକୁ ବାତିଲ କରି ଦିଆଗଲା। ରାଜସ୍ଥାନ ଓ ଦିଲ୍ଲୀର ଦୁଇ ମୁଖ୍ୟ ବିଚାରପତିଙ୍କ ସ୍ଥାନରେ ଅନ୍ୟ ଦୁଇଜଣ ବିଚାରପତିଙ୍କୁ ସୁପ୍ରିମ୍‌ କୋର୍ଟରୁ ପଦୋନ୍ନତି ଦେବାକୁ କଲେଜିୟମ୍‌ ସ୍ଥିର କଲେ। କଲେଜିୟମ୍‌ଙ୍କ ନିଷ୍ପତ୍ତି ବଦଳିଲା କାହିଁକି? ଏ ସମ୍ପର୍କରେ ଯେଉଁ ଯୁକ୍ତି ଦର୍ଶାଯାଉଛି, ତାହା ନ୍ୟାୟସ˚ଗତ ମନେ ହେଉନାହିଁ। ଅନ୍ୟମାନଙ୍କ ମଧୢରେ ଖୋଦ୍‌ ଜଣେ ସୁପ୍ରିମ୍‌ କୋର୍ଟର କାର୍ଯ୍ୟରତ ବିଚାରପତି ଓ ଜଣେ ପୂର୍ବତନ ପ୍ରଧାନ ବିଚାରପତି କଲେଜିୟମ୍‌ର ନିଷ୍ପତ୍ତି ପରିବର୍ତ୍ତନକୁ ବିରୋଧ କରିବା ସ୍ବତଃ ପରିବର୍ତ୍ତନ ପଛର ଯୁକ୍ତିକୁ ଦୁର୍ବଳ କରି ଦେଉଛି। ଯୁକ୍ତି ଦର୍ଶାଉଛନ୍ତି ଯେ ଜଣେ ବିଚାରପତିଙ୍କ ଅବସର ଗ୍ରହଣ ଯୋଗୁ କଲେଜିୟମ୍‌ର ଜଣେ ସଦସ୍ୟ ବଦଳିବା ଫଳରେ ନିଷ୍ପତ୍ତି ବଦଳିଲା। ଏହା ଗ୍ରହଣୀୟ ହୋଇ ପାରୁନାହିଁ। ଏଥିପାଇଁ ଯେ, କଲେଜିୟମ୍‌ ଏକ ଅନୁଷ୍ଠାନ ଓ ଏହାର କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା। ସଦସ୍ୟ ବଦଳିଲେ ନିଷ୍ପତ୍ତି ବଦଳେ ନାହିଁ। ଦ୍ବିତୀୟ ଯୁକ୍ତି ଦର୍ଶାଯାଉଛି ଯେ, ସ˚ପୃକ୍ତ ମନୋନୀତ ବିଚାରପତିମାନଙ୍କ ସହ କାର୍ଯ୍ୟ କରିଥିବା ଅନ୍ୟ କାର୍ଯ୍ୟରତ ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ମତାମତ ଲୋଡ଼ାଯାଇଥିବା ବେଳେ ବିଚାରପତି ଦ୍ବୟଙ୍କ ନାମ ଗଣମାଧୢମରେ ପ୍ରଘଟ ହେବା କାରଣରୁ ନିଷ୍ପତ୍ତି ବଦଳିଲା। ନ୍ୟାୟ କିମ୍ବା ଯୁକ୍ତିର କଷଟିରେ ଏହା ଉତ୍ତୁରୁ ନାହିଁ। ଗଣମାଧୢମରେ ପ୍ରଘଟ ପାଇଁ ମନୋନୀତ ଦୁଇ ବିଚାରପତିଙ୍କୁ ଦାୟୀ କରି କାହିଁକି ନ୍ୟାୟରୁ ବଞ୍ଚିତ କରାଯିବ?

ତେବେ ଉପରୋକ୍ତ ଦୁଇଟି ଅଯଥାର୍ଥ କାରଣ ବ୍ୟତୀତ, ଆଉ କେତୋଟି ବିନ୍ଦୁରେ ଉଠିଥିବା ଆପତ୍ତି କଲେଜିୟମ୍‌ର ନିଷ୍ପତ୍ତି ପରିବର୍ତ୍ତନକୁ ଅଧିକ ସନ୍ଦିଗ୍ଧ କରି ଦେଉଛି। ନ୍ୟାୟପାଳିକାରେ ନିଯୁକ୍ତି କ୍ଷେତ୍ରରେ ବରିଷ୍ଠତାକୁ ଅଗ୍ରାଧିକାର ଏକ ନୀତି ଭାବେ ଅନୁସୃତ। ଅଥଚ, ପୂର୍ବ ନିଷ୍ପତ୍ତିକୁ ବଦଳାଇ ନୂତନ ଭାବେ ଯେଉଁ ଦୁଇଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି, ସେମାନଙ୍କ ମଧୢରୁ ଜଣଙ୍କର ସ୍ଥାନ ବରିଷ୍ଠତା ତାଲିକାରେ ୩୩ତମ। ଅବଶ୍ୟ, ପୂର୍ବରୁ ମଧୢ ଏ ପ୍ରକାର ବ୍ୟତିିକ୍ରମ ହୋଇଛି। ବରିଷ୍ଠଙ୍କୁ ଅଣଦେଖା କରି କନିଷ୍ଠଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, କେଉଁ ଯୋଗ୍ୟତାର ମାପକାଠିରେ ୩୨ ଜଣ ବରିଷ୍ଠ ବିଚାରପତିଙ୍କୁ ଉପେକ୍ଷା କରି ୩୩ତମ ସ୍ଥାନରେ ଥିବା ବିଚାରପତିଙ୍କୁ ମନୋନୀତ କରାଗଲା? ଯୋଗ୍ୟତାର ମାପକାଠି କ’ଣ? ଯାହାର ଆଧାରରେ ପୂର୍ବରୁ ପୂର୍ବ ମନୋନୀତ ଦୁଇ ବିଚାରପତିଙ୍କ ନିଯୁକ୍ତିକୁ ରଦ୍ଦ କରାଗଲା। ଏହା ସ୍ପଷ୍ଟ କରାଯାଉ ନଥିବାରୁ ମନେହେଉଛି କୌଣସି ମାପକାଠି ନୁହେଁ, ବର˚ ବ୍ୟକ୍ତିଗତ ପସନ୍ଦ ନାପସନ୍ଦ ଉପରେ ବିଚାରପତିଙ୍କ ନିଯୁକ୍ତି ନିର୍ଭର କରୁଛି। ବ୍ୟକ୍ତିଗତ ପସନ୍ଦ ନାପସନ୍ଦ କଥା ଉଠୁଛି ଏଥିପାଇଁ ଯେ, ପରିବର୍ତ୍ତନ ନିଷ୍ପତ୍ତି ଅନୁଯାୟୀ ମନୋନୀତ ଆଉ ଜଣେ ବିଚାରପତିଙ୍କ ସ୍ଥାନରେ ସୁପ୍ରିମ୍‌କୋର୍ଟର ପୂର୍ବତନ ଦ୍ବିତୀୟ ବରିଷ୍ଠତମ ବିଚାରପତି ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଏହାସତ୍ତ୍ବେ ତାଙ୍କୁ ମନୋନୀତ କରାଯିବା କ’ଣ ବାର୍ତ୍ତା ଦେଉଛି? ଆହୁରି ମଧୢ ପ୍ରଶ୍ନ ଉଠୁଛି, ସୁପ୍ରିମ୍‌ କୋର୍ଟର ପାଞ୍ଚଟି ବିଚାରପତି ପଦ ଖାଲି ଥିବା ବେଳେ, ମାତ୍ର ଦୁଇ ଜଣଙ୍କୁ କାହିଁକି ଚୟନ କରାଗଲା?

ଏଭଳି ଆହୁରି କେତେକ ପ୍ରଶ୍ନ କେବଳ କଲେଜିୟମ୍‌ର ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ନୁହେଁ, ସାମଗ୍ରିକ ଭାବେ ନ୍ୟାୟପାଳିକାର ନିରପେକ୍ଷତା ଓ ନ୍ୟାୟିକ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ସଦ୍ୟତମ ବିବାଦ ପରିପ୍ରେକ୍ଷୀରେ ବିଚାରପତି ନିଯୁକ୍ତିରେ ସ୍ବଚ୍ଛତା ଓ ନିରପେକ୍ଷତା ପାଇଁ କଲେଜିୟମ୍‌ ବ୍ୟବସ୍ଥାର ସ˚ସ୍କାର ଏକାନ୍ତ ଅପରିହାର୍ଯ୍ୟ। ଏ ପ୍ରସଙ୍ଗରେ ଅଧିକ ଟାଳଟୁଳ ନ୍ୟାୟପାଳିକା ଗରିମାକୁ କ୍ଷୁଣ୍ଣ କରି ଏହାକୁ ଦୁର୍ବଳ କରିବ; ଯାହା କାର୍ଯ୍ୟନିର୍ବାହୀକୁ ସୁହାଇବ ଓ ଅଯଥା ହସ୍ତକ୍ଷେପ ଲାଗି ସୁଯୋଗ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର