ବଜେଟ ନା ‘ଲେଖାନୁଦାନ’?

ଏନ୍‌ଡିଏ-୨ ସରକାରଙ୍କ ପାଞ୍ଚଟି ବଜେଟ୍‌ ଉପସ୍ଥାପନ କରି ସାରିଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବେ ଚିକିତ୍ସା ପାଇଁ ବିଦେଶରେ। ଏପଟେ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି ଯେ, ଚଳିତ ଜାନୁଆରି ମାସ ୩୧ ତାରିଖରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଆଗାମୀ ଦଶଦିନ ପରେ ବଜେଟ୍‌ ଅଧିବେଶନ ଆରମ୍ଭ ବେଳକୁ ଅର୍ଥମନ୍ତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବେ ନା ନାହିଁ? ଏ ପ୍ରଶ୍ନ ନେଇ ବିଶେଷ ଉତ୍କଣ୍ଠା ନାହିଁ। ତେବେ ସାଧାରଣ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇ ଯାଇଥିବା ପରିପ୍ରେକ୍ଷୀରେ ବଜେଟ୍‌ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ନେଇ ଦେଶର ରାଜନୈତିକ-ଅର୍ଥନୈତିକ ଓ ବ୍ୟାବସାୟିକ ମହଲରେ ବେଶ୍‌ ଉତ୍କଣ୍ଠା ରହିଛି। ପ୍ରଶ୍ନଟି ହେଲା- ଫେବ୍ରୁଆରି ପହିଲା ଦିନ ମୋଦୀ ସରକାର ତାଙ୍କର ଷଷ୍ଠ ପୂର୍ଣ୍ଣାଙ୍ଗ ବଜେଟ୍‌ ସଂସଦରେ ଆଗତ କରିବେ ନା ଏପ୍ରିଲ-ମେ’ରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଅନ୍ତରୀଣ ବ୍ୟବସ୍ଥା ସ୍ୱରୂପ କେବଳ ମାତ୍ର ଏକ ‘ଲେଖାନୁଦାନ’ (ଭୋଟ-ଅନ୍‌-ଆକାଉଣ୍ଟ)ରେ କସରତକୁ ସୀମିତ ରଖିବେ? ଏହି ପ୍ରଶ୍ନ ଉପରେ ବିତର୍କର ମଧ୍ୟ ସୂତ୍ରପାତ ହୋଇଛି; ଯାହା କିଛି ମାତ୍ରାରେ ସରକାରୀ ସ୍ତରରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।

ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ବିଚାର କଲେ ଏନ୍‌ଡିଏ ସରକାର ପୂର୍ବ ପାଞ୍ଚଥର ଭଳି ଏଥର ମଧ୍ୟ ଏକ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାରେ କୌଣସି ଅସୁବିଧା ନାହିଁ। ଅଳ୍ପଦିନ ପରେ ନିର୍ବାଚନ ହେବାକୁ ଥିଲେ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରି ପାରିବେ ନାହିଁ ବୋଲି କିଛି ଲେଖା ନାହିଁ। କିନ୍ତୁ ଗଣତନ୍ତ୍ରରେ ଲିଖିତ ବ୍ୟବସ୍ଥା ଅପେକ୍ଷା ଅଲିଖିତ ପରମ୍ପରାର ଗୁରୁତ୍ୱ ଅଧିକ। ଗଣତାନ୍ତ୍ରିକ ପରମ୍ପରା ଦୃଷ୍ଟିରୁ ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ସରକାର ଏପ୍ରିଲ-ପହିଲାରେ ଆରମ୍ଭ ହେଉଥିବା ଆର୍ଥିକ ବର୍ଷର ପ୍ରଥମ ତିନି ମାସର ସରକାରୀ ଖର୍ଚ୍ଚ ତୁଲାଇବା ପାଇଁ ଗୋଟିଏ ‘ଭୋଟ୍‌-ଅନ୍‌- ଆକାଉଣ୍ଟ୍‌’ (କାମଚଳା ବଜେଟ୍‌) ସଂସଦର ଅନୁମୋଦନ ଲାଗି ଆଗତ କରିବା ଉଚିତ। ଭାରତର ସଂସଦୀୟ ଗଣତନ୍ତ୍ରରେ ଏହା ଏକ ପରମ୍ପରା। ଏହାକୁ ଦଳ ନିର୍ବିଶେଷରେ ଅତୀତର ପ୍ରାୟ ସବୁ ସରକାର ମାନି ଆସିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ‘ଭୋଟ୍‌-ଅନ୍‌- ଆକାଉଣ୍ଟ୍‌’ର ପରମ୍ପରା ଏଥିପାଇଁ ଯେ, ସାନି ଜନାଦେଶ ସହ ଯେଉଁ ନୂଆ ସରକାର ଆସିବ, ସେହି ସରକାର ସ୍ୱକୀୟ ଆଦର୍ଶ, ନୀତି ଓ ପ୍ରାଥମିକତା ଅନୁଯାୟୀ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବ। ଜନାଦେଶରେ ପ୍ରତିଫଳିତ ଆଶା ଓ ଆକାଂକ୍ଷା ପୂରଣ ପାଇଁ ଏହା ଆବଶ୍ୟକ ମଧ୍ୟ। ବଜେଟ୍‌ କେବଳ ମାତ୍ର ଏକ ଆୟ-ବ୍ୟୟର ହିସାବ ଫର୍ଦ ନୁହେଁ। ଏଥିରେ କ୍ଷମତାସୀନ ସରକାରଙ୍କ ଆଭିମୁଖ୍ୟ, ନୀତି ଓ ପ୍ରାଥମିକତା ପ୍ରତିଫଳିତ ହୋଇଥାଏ। ନିର୍ବାଚନ ବର୍ଷରେ ପ୍ରଥମେ ସ୍ୱଳ୍ପ ଅବଧି ପାଇଁ ଅନ୍ତରୀଣ ବ୍ୟବସ୍ଥା ସ୍ୱରୂପ ‘ଲେଖାନୁଦାନ’, ପରେ ନୂତନ ନିର୍ବାଚିତ ସରକାରଙ୍କ ଦ୍ୱାରା ପୂର୍ଣ୍ଣାଙ୍ଗ ବଜେଟର ଉପସ୍ଥାପନ ଏକ ପରମ୍ପରା ଭାବେ ଅନୁସୃତ ହୋଇ ଆସୁଛି।

ତେବେ ମୋଦୀ ସରକାରଙ୍କ ବେଳକୁ ଏ ପରମ୍ପରାରେ ବ୍ୟତିକ୍ରମ ଘଟିବ ବୋଲି କାହିଁକି ଆଶଙ୍କା ପ୍ରକାଶ ପାଉଛି? ଏ ଆଶଙ୍କା ପଛରେ ଏକାଧିକ କାରଣ। ବିଗତ ପାଞ୍ଚବର୍ଷରେ ମୋଦୀ ସରକାରଙ୍କ ଅମଳରେ ବଜେଟ ପ୍ରସଙ୍ଗରେ ଅନେକ ପରମ୍ପରା ଭଙ୍ଗ ହୋଇଛି। ସାଧାରଣତଃ କେନ୍ଦ୍ର ବଜେଟ ଫେବ୍ରୁଆରି ୨୮ ତାରିଖରେ ସଂସଦରେ ଆଗତ ହେବାର ପ୍ରଥା ଥିଲା। କିନ୍ତୁ ଚଳିତ ସରକାର ଅମଳରେ ଏ ପ୍ରଥାକୁ ବଦଳାଇ ୨୮ ତାରିଖ ପରିବର୍ତ୍ତେ ଫେବ୍ରୁଆରି ପହିଲାକୁ ବଜେଟ ଉପସ୍ଥାପନର ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ଏହାର ଉଦ୍ଦେଶ୍ୟ, ବଜେଟ ଉପସ୍ଥାପନ ଓ ଅନୁମୋଦନର ପ୍ରକ୍ରିୟା ଯେମିତି ଏପ୍ରିଲ ପହିଲାରେ ନୂତନ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ମାର୍ଚ୍ଚ ୩୧ ସୁଦ୍ଧା ସମାପ୍ତ ହୁଏ। ପୂର୍ବରୁ ବଜେଟ ଅନୁମୋଦନ ପ୍ରକ୍ରିୟା ଶେଷ ହେଲା ବେଳକୁ ଆର୍ଥିକ ବର୍ଷ ଆରମ୍ଭ ହୋଇ ଯାଉଥିଲା। ଫଳରେ ବଜେଟର ବ୍ୟୟବରାଦ ଖର୍ଚ୍ଚ ବିଳମ୍ବିତ ହେଉଥିଲା। ଅର୍ଥମନ୍ତ୍ରୀ ଜେଟଲୀଙ୍କ ସମୟରେ ପୃଥକ୍‌ ଭାବେ ରେଳ ବଜେଟ୍‌ ଉପସ୍ଥାପନର ଗତାନୁଗତିକୁ ଧାରାରେ ମଧ୍ୟ ପରିବର୍ତ୍ତନ ହୋଇଛି। ସ୍ୱତନ୍ତ୍ର ଭାବେ ପୃଥକ୍‌ କରି ରେଳ ବଜେଟ୍‌ ଆଗତ କରା ନଯାଇ, ସାଧାରଣ ବଜେଟ୍‌ ସହ ରେଳବାଇ ଆୟ-ବ୍ୟୟର ଅଟକଳ ଉପସ୍ଥାପନ କରାଯାଉଛି। ଏହାବ୍ୟତୀତ ଗତ ସାଢ଼େ ଚାରିବର୍ଷରେ ମୋଦୀ ସରକାରଙ୍କ କାର୍ଯ୍ୟଧାରା ଗଣତାନ୍ତ୍ରିକ ଅନୁଷ୍ଠାନ ତଥା ପରମ୍ପରାର ଅନେକ ସମୟରେ ଅନୁକୂଳ ହୋଇନଥିବା ଅନେକ ଦୁଃଖଦ ନଜିର ରହିଛି।

ଗତାନୁଗତିକ ଧାରାରେ ବ୍ୟତିକ୍ରମ ଘଟାଇ ଫେବ୍ରୁଆରି ପହିଲା ଦିନ ‘ଭୋଟ୍‌-ଅନ୍‌-ଆକାଉଣ୍ଟ୍‌’ ବଦଳରେ ଏକ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତର ସମ୍ଭାବନା ନେଇ ଯାହା ଅଧିକ ସଂକେତ ଦେଉଛି, ତା’ ହେଲା ଅର୍ଥ ମନ୍ତ୍ରଣାଳୟର ରୁଟିନ୍‌ ପ୍ରାକ୍‌-ବଜେଟ୍‌ କସରତ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗକୁ ବଜେଟ ପ୍ରସ୍ତାବ ଦେବା ପାଇଁ ପ୍ରଥମେ ଅକ୍ଟୋବର ୧୮ରେ ପତ୍ର ଲେଖା ଯାଇଥିଲା। ପରେ ପୁଣି ୨୦୧୮-୧୯ ଆର୍ଥିକ ବର୍ଷର ଖର୍ଚ୍ଚର ହିସାବ ସହ ୨୦୧୯-୨୦ ବର୍ଷ ପାଇଁ ଖର୍ଚ୍ଚ ଦାବି ପଠାଇବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭାଗମାନଙ୍କୁ ସାନି ପତ୍ର ଲେଖାଯାଇଛି। ଗଣମାଧ୍ୟମରେ ପ୍ରଚାର କରାଯାଇନଥିଲେ ସୁଦ୍ଧା, ବିଭିନ୍ନ ବର୍ଗଙ୍କ ସହ ପ୍ରାକ୍‌ ବଜେଟ ଆଲୋଚନାର ଔପଚାରିକତା ମଧ୍ୟ ସରିଥିବା କୁହାଯାଉଛି। ସାଧାରଣ ବଜେଟ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଥିବା କେନ୍ଦ୍ରୀୟ ସଚିବାଳୟର ‘ନର୍ଥ ବ୍ଲକ୍‌’ରେ ଗୋପନୀୟତା ରକ୍ଷା ପାଇଁ ଯେଉଁ ପ୍ରକାର ବ୍ୟବସ୍ଥା ହୁଏ, ଡିସେମ୍ବର ୩ରୁ ସେ ପ୍ରକାର ବ୍ୟବସ୍ଥା ଲାଗୁ କରାଯାଇଛି। ପ୍ରତିବର୍ଷ ଭଳି ବଜେଟ୍‌ ପୂର୍ବରୁ ‘ଇକନୋମିକ ସର୍ଭେ’ ଉପସ୍ଥାପନ ସକାଶେ ମଧ୍ୟ ଯଥାରୀତି କସରତ ଚାଲିଥିବା ପ୍ରକାଶ। ନୂତନ ଅର୍ଥନୈତିକ ପରାମର୍ଶଦାତା ନିଯୁକ୍ତି ନେଇ ପୂର୍ବତନ ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର ବିମଲ ଜଲାନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବଜେଟ ଅଧିବେଶନ ପୂର୍ବରୁ ଚୟନ ପ୍ରକ୍ରିୟା ଶେଷ କରିବେ ବୋଲି ଆଶା କରାଯାଉଛି। ଏସବୁ ସରକାର ପୁରୁଣା ଧାରା ଭାଙ୍ଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିପାରନ୍ତି ବୋଲି ଧାରଣା ସୃଷ୍ଟି କରୁଛି।

ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ମୋଦୀ ସରକାର କାହିଁକି ପରମ୍ପରାରେ ବ୍ୟତିକ୍ରମ କରି ‘ଲେଖାନୁଦାନ’ ବଦଳରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ପାଇଁ ଆଗ୍ରହୀ? ଏହା ପଛରେ ଉଦ୍ଦେଶ୍ୟ କଣ? ଉଦ୍ଦେଶ୍ୟ ଉଭୟ ଅର୍ଥନୈତିକ ଓ ରାଜନୈତିକ। ଅବଶ୍ୟ, ଅର୍ଥନୈତିକ ଅପେକ୍ଷା ରାଜନୈତିକ ଉଦ୍ଦେଶ୍ୟ ଅଧିକ ଥିବା ମନେ ହେଉଛି। ମୋଦୀ ସରକାର ଏବଂ ସମର୍ଥକମାନଙ୍କ ଯୁକ୍ତି ହେଲା, ଭାରତୀୟ ଅର୍ଥନୀତିରେ ନିରନ୍ତରତା ବଜାୟ ରଖିବା ଲାଗି ପ୍ରଚଳିତ ନୀତି ସମୂହ ମଧ୍ୟ ନିରବଚ୍ଛିନ୍ନ ଭାବେ ଜାରି ରହିବା ଉଚିତ। ପୂର୍ଣ୍ଣାଙ୍ଗ ବଜେଟ୍‌ ମାଧ୍ୟମରେ ଅର୍ଥନୀତି ଓ ଆର୍ଥିକ ନୀତିର ନିରନ୍ତରତା ନେଇ ସକାରାତ୍ମକ ସଂକେତ ଦିଆଯାଇ ପାରିବ। ନିର୍ବାଚନ ଆଳରେ ଆର୍ଥିକ ନୀତିଗୁଡ଼ିକର ନିରନ୍ତରତା ନେଇ କୌଣସି ପ୍ରକାର ବିଭ୍ରାନ୍ତିକର କିମ୍ବା ନକାରାତ୍ମକ ସଂକେତ ଅର୍ଥନୀତି ପାଇଁ ଅନୁକୂଳ ନୁହେଁ। ଏହା ଦ୍ୱାରା ନିବେଶକଙ୍କ ଭରସା ପ୍ରଭାବିତ ହେବା ଆଶଙ୍କା ରହିଛି। ଏ ଯୁକ୍ତି ଅବଶ୍ୟ ବଳିଷ୍ଠ ଓ ଦେଶର ଅର୍ଥନୀତି ଓ ବୃହତ୍ତର ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ମଧ୍ୟ ମନ୍ଦ ନୁହେଁ। ତେବେ, ଏ ଯୁକ୍ତି ସେ ପର୍ଯ୍ୟନ୍ତ ଯଥାର୍ଥ, ଯେ ପର୍ଯ୍ୟନ୍ତ କୌଣସି ବଡ଼ ଧରଣର ନୂଆ ନୀତିଗତ ନିଷ୍ପତ୍ତି ବଜେଟରେ ସ୍ଥାନ ପାଇବ ନାହିଁ। ପୂର୍ଣ୍ଣାଙ୍ଗ ବଜେଟରେ ସରକାର ଯେ, କେବଳ ପୁରୁଣା ନୀତିର ପୁନରାବୃତ୍ତିରେ ନିଜକୁ ସୀମିତ ରଖିବେ, ନିର୍ବାଚନର ଦ୍ୱାରଦେଶରେ ଥିବା ଗୋଟିଏ ସରକାରଠାରୁ ଏହା ଆଶା କରାଯାଏ ନାହିଁ। ନିର୍ବାଚନକୁ ଆଖି ଆଗରେ ରଖି, କିଛି ନୂଆ ନୀତି ଓ ବିଭିନ୍ନ ବର୍ଗର ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ଆକର୍ଷଣୀୟ ପ୍ରୋତ୍ସାହନ ଘୋଷଣାର ଲୋଭକୁ ସମ୍ବରଣ କରିବା ସରକାରଙ୍କ ପକ୍ଷରେ ସହଜ ହୋଇ ନପାରେ। ଏହା ଅଛପା ନୁହେଁ ଯେ, କୌଣସି କ୍ଷମତାସୀନ ସରକାରଙ୍କ ସକଳ ବ୍ୟଗ୍ରତା ଭୋଟ ପାଇଁ। ପୂର୍ଣ୍ଣାଙ୍ଗ ବଜେଟ ପଛରେ ଏହା ହିଁ ମୁଖ୍ୟ ରାଜନୈତିକ ଉ। ମୋଦୀ ସରକାର ପୂର୍ଣ୍ଣାଙ୍ଗ ବଜେଟ ଜରିିଆରେ କେବଳ ଅର୍ଥନୈତିକ ନୀତିର ନିରନ୍ତରତା ନୁହେଁ, ଚଳିତ ସରକାରଙ୍କ ନିରନ୍ତରତାର ମଧ୍ୟ ସଂକେତ ଦେବାକୁ ଚାହାନ୍ତି। ଦ୍ୱିତୀୟ ଇନିଂସ୍‌ ପାଇଁ ପ୍ରତ୍ୟାବର୍ତ୍ତନ ନେଇ ନିଜର ଆତ୍ମବିଶ୍ୱାସର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବଜେଟକୁ ଏକ ଆୟୁଧ କରିପାରନ୍ତି। ତେବେ ଉଦ୍ଦେଶ୍ୟ ଅର୍ଥନୈତିକ ହେଉ ଅବା ରାଜନୈତିକ, ଗଣତନ୍ତ୍ରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସଂକୀର୍ଣ୍ଣତାର ଉପରକୁ ଉଠି ମୋଦୀ ସରକାର ପରମ୍ପରାକୁ ସମ୍ମାନ ଦେବେ ବୋଲି ଆଶା। ମେ’ରେ ଯଦି ପୁଣି ଜନାଦେଶ ପାଇ ସରକାର ଫେରନ୍ତି, ତେବେ ଦୁଇମାସ ପରେ ନିଜ ନୀତି ଓ ପ୍ରାଥମିକତା ଅନୁଯାୟୀ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ଅନ୍ୟଥା, ଯଦି ଜନାଦେଶ ବଦଳେ, ତେବେ ନୂଆ ସରକାରଙ୍କ ପକ୍ଷରେ ତାଜା ଆରମ୍ଭ ଲାଗି ସୁଯୋଗ ରହିବ ନାହିଁ। ଏହା, ଗଣତାନ୍ତ୍ରିକ ପରମ୍ପରା ଓ ଭାବନାର ପରିପନ୍ଥୀ ହେବ।

ସମ୍ବନ୍ଧିତ ଖବର