Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ପୁଲିସ୍‌ ସଂସ୍କାର ଜରୁରୀ

0 238

ରାଜ୍ୟଗୁଡ଼ିକ ସହ ମିଳିତ ଭାବେ ପୁଲିସ୍‌ ଆଧୁନିକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍‌ ୨୫୦୦ କୋଟି ଟଙ୍କାର ବ୍ୟୟ ଅଟକଲକୁ ମଞ୍ଜୁରୀ ଦେଇଛନ୍ତି। ତିନି ବର୍ଷରେ ୨୦୧୯-୨୦ ସୁଦ୍ଧା ଖର୍ଚ୍ଚ ହେବାକୁ ଥିବା ଏହି ଅର୍ଥରେ ଆଧୁନିକ ଅସ୍ତ୍ରଶସ୍ତ୍ର, ଅନ୍ୟ ସାଜସରଞ୍ଜାମ, ବୈଜ୍ଞାନିକ ପଦ୍ଧତିରେ ଅପରାଧ ଅନୁସନ୍ଧାନ ପାଇଁ ଅତ୍ୟାଧୁନିକ ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରପାତି ସମେତ ବିଭିନ୍ନ ଉପକରଣ କିଣାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଈପ୍‌ସିତ ‘ସ୍ମାର୍ଟ’ (ସେନ୍‌ସିଟିଭ, ମୋବାଇଲ, ଆଲର୍ଟ, ରିଲାଏବଲ୍‌ ଓ ଟେକ୍‌ନୋସାଭି) ପୁଲିସ୍‌ ଲକ୍ଷ୍ୟ ହାସଲ ପାଇଁ ଯୋଜନାର ଏହା ଏକ ଅଂଶ। ଦେଶରେ ଅପରାଧ ହାର ବୃଦ୍ଧି ପାଇଛି, ଅପରାଧର ଚିତ୍ର ଓ ଚରିତ୍ରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏଥିସହ ତାଳ ଦେଇ ପୁଲିସ୍‌ ବାହିନୀର ଆଧୁନିକୀକରଣ ଏକାନ୍ତ ଜରୁରୀ। ତେବେ ପ୍ରଶ୍ନ ଉଠୁଛି, କେବଳ ଆଧୁନିକ ଅସ୍ତ୍ରଶସ୍ତ୍ର, ସାଜସରଞ୍ଜାମ ଓ ଅନ୍ୟାନ୍ୟ ବୈଜ୍ଞାନିକ ଉପକରଣ ମିଳିଗଲେ କ’ଣ ପୁଲିସ୍‌ ‘ସ୍ମାର୍ଟ’ ହୋଇଯିବ? ‘ସ୍ମାର୍ଟ ପୁଲିସ୍‌’ର ଲକ୍ଷ୍ୟ ତ ଦୂରେ ଥାଉ, ଆଇନର ରକ୍ଷକ ଭାବେ ଖାକି ବାହିନୀ ତା’ର ମୌଳିକ କର୍ତ୍ତବ୍ୟ ସୁଦ୍ଧା ପାଳନ ଲାଗି ସକ୍ଷମ ହେବ ନାହିଁ ଯଦି ଦୁଇଟି ସମସ୍ୟାର ପ୍ରାଥମିକତା ଭିତ୍ତିରେ ସମାଧାନ କରାନଯାଏ। ପୁଲିସ୍‌ ବାହିନୀରେ ଲୋକଶକ୍ତି ଅଭାବର ପୂରଣ ଓ ପୁଲିସ୍‌ ସଂଗଠନର ସଂସ୍କାର ଦୁଇଟି ବଡ଼ ଆହ୍ଵାନ।

ବାହିନୀରେ ଲୋକବଳର ଅଭାବ ପୁଲିସ ପାଇଁ ଏକ ବଡ଼ ସମସ୍ୟା। ପୁଲିସରେ ଏକ ଚତୁର୍ଥାଂଶ ପଦ ଖାଲି ପଡ଼ିଛି। ଗତ ଜୁନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୦୫ରୁ ୨୦୧୫ ଦଶ ବର୍ଷରେ ଦେଶରେ ପ୍ରତି ଏକ ଲକ୍ଷ ଲୋକସଂଖ୍ୟାରେ ଅପରାଧ ହାର ୨୮ ପ୍ରତିଶତ ବୃଦ୍ଧି ପାଇଛି। ଅଥଚ ଦେଶରେ ପ୍ରତି ଲକ୍ଷେ ଲୋକଙ୍କ ଧନ ଜୀବନର ସୁରକ୍ଷା ଲାଗି ୧୮୧ ଜଣ ପୁଲିସ୍‌ ମୁତୟନ ଲାଗି ପଦ ମଞ୍ଜୁର ହୋଇଥିବା ବେଳେ ଅଛନ୍ତି ମାତ୍ର ୧୩୭। ଅର୍ଥାତ୍‌ ପ୍ରତି ଏକ ଲକ୍ଷ ଲୋକସଂଖ୍ୟା ପାଇଁ ମଞ୍ଜୁରୀପ୍ରାପ୍ତ ପୁଲିସ୍‌ ପଦରୁ ୪୪ଟି ଖାଲି ପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଜାତିସଂଘ ସୁପାରିସ ଅନୁଯାୟୀ ଏକ ଲକ୍ଷ ଲୋକଙ୍କ ପାଇଁ ୨୨୨ ଜଣ ପୁଲିସ୍‌ ଆବଶ୍ୟକ। ଜାତିସଂଘର ଏହି ମାପକାଠିରେ ଆମ ଦେଶର ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ଆବଶ୍ୟକତା ତୁଳନାରେ ୮୫ ଜଣ ପୁଲିସ୍‌ କମ୍‌ ଅଛନ୍ତି। ରାଜ୍ୟ ପୁଲିସ୍‌ ବାହିନୀଗୁଡ଼ିକର ୨୪ ପ୍ରତିଶତ (ପ୍ରାୟ ୫.୫ ଲକ୍ଷ) ଲୋକବଳ ନାହାନ୍ତି। କେନ୍ଦ୍ରୀୟ ବାହିନୀରେ ମଧ୍ୟ ପ୍ରାୟ ୬୦ ହଜାର ଲୋକବଳର ଅଭାବ। ଏହାଦ୍ୱାରା ସ୍ୱାଭାବିକ ଭାବେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଓ ଅପରାଧ ଅନୁସନ୍ଧାନ କାର୍ଯ୍ୟ ପ୍ରଭାବିତ ହେଉଛି। ଏ ପ୍ରସଙ୍ଗରେ ଏକ ବିଡ଼ମ୍ବିତ ତଥ୍ୟ ହେଲା ଆମ ଦେଶର ଜଣେ ଭିଆଇପିଙ୍କ ସୁରକ୍ଷା ପାଇଁ ତିନିଜଣ ପୁଲିସ୍‌ ମୁତୟନ ହୋଇଥିବା ବେଳେ ୬୩୩ ଜଣ ସାଧାରଣ ଜନତାଙ୍କ ସୁରକ୍ଷା ଦାୟିତ୍ୱରେ ମାତ୍ର ଜଣେ ପୁଲିସ୍‌ ନିୟୋଜିତ। ଗୋଟିଏ ପକ୍ଷରେ ଅପରାଧ ହାର ବୃଦ୍ଧି ପାଇ ଚାଲିଛି, ଅଥଚ ଅନ୍ୟପକ୍ଷରେ ଦୋଷୀ ସାବ୍ୟସ୍ତ ହାର ହ୍ରାସ ପାଉଛି। ଦୁର୍ବଳ ଅନୁସନ୍ଧାନ ଯୋଗୁ ଅଧାରୁ ଅଧିକ (୫୩ ପ୍ରତିଶତ) ଅଭିଯୁକ୍ତ ଆଇନର ପଞ୍ଝାରୁ ଖସି ଯାଉଛନ୍ତି। ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ପୁଲିସ୍‌ ବାହିନୀରେ ଲୋକଶକ୍ତିର ଅଭାବ ଏ ଅଦକ୍ଷତାର ଏକ ପ୍ରମୁଖ କାରଣ। ତେଣୁ ପୁଲିସ୍‌ ବାହିନୀକୁ ହାତହତିଆର, ସାଜସରଞ୍ଜାମ ଯୋଗାଣ ସହ ଖାଲି ପଡ଼ିଥିବା ଲୋକବଳ ପୂରଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

ହାତ-ହତିଆର, ସାଜସରଞ୍ଜାମର ଆବଶ୍ୟକତା ଓ ଲୋକଶକ୍ତିର ଅଭାବ ପୂରଣ ହେଲେ ବି ଆଧୁନିକୀକରଣ ପୂର୍ଣ୍ଣାଙ୍ଗ ହେବ ନାହିଁ ଓ ‘ସ୍ମାର୍ଟ ପୁଲିସ୍‌’ର ଲକ୍ଷ୍ୟ ସୁଦୂର ପରାହତ ହେବ, ଯଦି ପୁଲିସ୍‌ରେ ସଂସ୍କାର ପ୍ରତି ଅଣଦେଖା ଜାରି ରହେ। ଆଧୁନିକୀକରଣ ଅପେକ୍ଷା ପୁଲିସ୍‌ର ସଂସ୍କାର ଅଧିକ ଗୁରୁତ୍ୱପୂର୍ଣ୍ଣ। ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ ପ୍ରଭାବରୁ ଯଥାସମ୍ଭବ ମୁକ୍ତ ରଖି ପୁଲିସ୍‌କୁ ଅଧିକ ସ୍ୱୟଂଶାସନ କ୍ଷମତା ସହ ଅଧିକ ଉତ୍ତରଦାୟୀ କରିବା ଲାଗି ଏକାଧିକ କମିଟି ଓ କମିସନ୍‌ ବହୁ ସୁପାରିସ କରିଛନ୍ତି। କିନ୍ତୁ ଅଳ୍ପ କେତେକ ପ୍ରସାଧନଧର୍ମୀ ତଥିକଥିତ ସଂସ୍କାରମୂଳକ ପଦକ୍ଷେପ ବ୍ୟତୀତ କମିଟି ଓ କମିସନ୍‌ଗୁଡ଼ିକର ଅଧିକାଂଶ ସୁପାରିସ ସରକାରୀ ଶୀତଳ ଭଣ୍ଡାରରେ ପଡ଼ି ରହିଛି। ଏପରିକି ୨୦୦୬ରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ପୁଲିସ୍‌ ସଂଗଠନରେ ଢାଞ୍ଚାଗତ ପରିବର୍ତ୍ତନ ସହ ସଂସ୍କାର ଉଦ୍ଦେଶ୍ୟରେ ଜାରି କରିଥିବା ନିର୍ଦ୍ଦେଶାବଳୀ ମଧ୍ୟ ଗତ ଏଗାର ବର୍ଷ ହେଲା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇ ପାରିନାହିଁ। ମାନ୍‌ଧାତିଆ ୧୮୫୭ର ଭାରତୀୟ ପୁଲିସ୍‌ ଆଇନ ଅନୁଯାୟୀ ପୁଲିସ୍‌ର ଯେଉଁ ସ୍ଥିତି ଓ ଆଭିମୁଖ୍ୟ ଥିଲା ଆଜି ମଧ୍ୟ ତାହା ଅପରିବର୍ତ୍ତିତ ରହିଛି। ଉପନିବେଶବାଦୀ ବ୍ରିଟିସ୍‌ ଶାସନ ଅମଳରେ ପୁଲିସ୍‌ ବାହିନୀ ଯେମିତି ଶାସକର ସେବାରେ ଥିଲା, ସ୍ୱାଧୀନତାର ସାତ ଦଶକ ପରେ ମଧ୍ୟ ଗଣଙ୍କ ସେବାରେ ନିୟୋଜିତ ହେବା ବଦଳରେ ସେମିତି ଶାସକଙ୍କ ସେବାରେ ନିୟୋଜିତ ହୋଇ ରହିଛି।

ପୁଲିସ୍‌ର ଏହି ଉପନିବେଶବାଦୀ ଚରିତ୍ରରେ ପରିବର୍ତ୍ତନ ଆଣିବା ସକାଶେ ଉଦ୍ଦିଷ୍ଟ ଥିଲା ପ୍ରକାଶ ସିଂହ ବନାମ ଭାରତ ସରକାର ମାମଲାର ସର୍ବୋଚ୍ଚ ନ୍ୟାୟାଳୟ ଜାରି କରିଥିବା ସପ୍ତସୂତ୍ରୀ ମାର୍ଗ ନିର୍ଦେଶାବଳୀ। ନିର୍ଦେଶାବଳୀର ପ୍ରମୁଖ ବିନ୍ଦୁଗୁଡ଼ିକ ଥିଲା- ରାଜ୍ୟସ୍ତରରେ ସୁରକ୍ଷା କମିସନ୍‌ ଗଠନ। ପୁଲିସ୍‌ ଉପରେ ରାଜ୍ୟ ସରକାରଙ୍କ ପ୍ରଭାବକୁ କମାଇବା ପାଇଁ ପୁଲିସ୍‌ ବାହିନୀର ନୀତି ନିର୍ଦ୍ଧାରଣ, ପ୍ରଦର୍ଶନର ସମୀକ୍ଷା ଦାୟିତ୍ୱ କମିସନଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଦ୍ୱିତୀୟ, ରାଜ୍ୟ ପୁଲିସ୍‌ ମୁଖ୍ୟଙ୍କଠାରୁ ଆରମ୍ଭ କରି ଏସ୍‌ପି ଓ ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଗୋଟିଏ ସ୍ଥାନରେ ସର୍ବନିମ୍ନ ଦୁଇବର୍ଷ କାର୍ଯ୍ୟକାଳ ଧାର୍ଯ୍ୟ କରାଯାଇଥିଲା। ତୃତୀୟରେ ପୁଲିସ୍‌ ଅଧିକାରୀଙ୍କ ବଦଳି ବିଷୟ ବିଚାର ପାଇଁ ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡର ଗଠନ ଏବଂ ଆଇନ-ଶୃଙ୍ଖଳା ରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ଓ ଅନୁସନ୍ଧାନ ପରସ୍ପରଠାରୁ ପୃଥକ୍‌କରଣ, ଏଥି ପାଇଁ ଦୁଇଟି ପୃଥକ୍‌ ଶାଖା ଗଠନ। ସୁପ୍ରିମ୍‌ କୋର୍ଟଙ୍କ ଏଇ ସଂସ୍କାରଧର୍ମୀ ନିର୍ଦ୍ଦେଶାବଳୀ ଭାରତୀୟ ପୁଲିସ୍‌ର ଚିତ୍ର-ଚରିତ୍ର ତଥା ଭାବମୂର୍ତ୍ତିର ପରିବର୍ତ୍ତନ ସକାଶେ ଏକ ବିରାଟ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ସେ ସୁଯୋଗ ହାତଛଡ଼ା ହୋଇଛି।

ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶାବଳୀ ଉପରେ ୧୭ଟି ରାଜ୍ୟ ଆଇନ ପ୍ରଣୟନ କରିଛନ୍ତି ଓ ଅନ୍ୟ ୧୨ଟି ରାଜ୍ୟ କାର୍ଯ୍ୟ ନିର୍ବାହୀ ନିର୍ଦେଶ ମାଧ୍ୟମରେ ଏହାର କାର୍ଯ୍ୟକାରିତା ଘୋଷଣା କରିଛନ୍ତି। କିନ୍ତୁ ଏ ସବୁ ଧର୍ମକୁ ଆଖି ଠାର ଭଳି ନାମକୁ ମାତ୍ର। ହେଲା ଯେଉଁ ସବୁ ଆଇନ ପ୍ରଣୟନ ହୋଇଛି କିମ୍ବା ନିର୍ବାହୀ ନିର୍ଦେଶ ଜାରି କରାଯାଇଛି, ସେ ସବୁର ଉଦ୍ଦେଶ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସୁପାରିସର ଠିକଣା କାର୍ଯ୍ୟକାରିତା ନୁହେଁ, ବରଂ ଏହାକୁ ଏଡ଼ାଇ ଯିବା ଲାଗି ଅଭିସନ୍ଧି। ଏ ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ନ୍ୟାୟମୂର୍ତ୍ତି କେ.ଟି. ଥୋମାସ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ତଦାରଖ କମିଟିର ରିପୋର୍ଟ ଉଲ୍ଲେଖ କରାଯାଇପାରେ। କମିଟିର ମତ ହେଲା କୌଣସି ଗୋଟିଏ ହେଲେ ରାଜ୍ୟ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶକୁ ଅକ୍ଷର ଓ ଭାବନାନୁଯାୟୀ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିନାହାନ୍ତି।

ଏଥିରୁ ସ୍ପଷ୍ଟ ଯେ, ଉପନିବେଶବାଦୀ ଶାସକଙ୍କ ବଦଳରେ ସ୍ୱାଧୀନ ଗଣତାନ୍ତ୍ରିକ ଭାରତର ଯେଉଁମାନେ ଶାସନ ଡୋରି ଧରିଛନ୍ତି, ସେମାନେ ପୁଲିସ୍‌ ଉପରୁ ନିଜର ନିୟନ୍ତ୍ରଣ ହରାଇବାକୁ ଚାହାନ୍ତି ନାହିଁ। ସେମାନେ ଏଥିପାଇଁ ଆଦୌ ଆଗ୍ରହୀ ନୁହଁନ୍ତି ଯେ, କ୍ଷମତାଧାରୀ ଶାସକ ବଦଳରେ ପୁଲିସ୍‌ ଜନତାର ସେବାରେ ନିୟୋଜିତ ହେଉ। ସରଳ ଭାଷାରେ କହିବାକୁ ଗଲେ ପୁଲିସ୍‌ ସଂସ୍କାର ପାଇଁ ରାଜନୈତିକ ସ୍ତରରେ ଯେଉଁ ପ୍ରକାର ଇଚ୍ଛାଶକ୍ତିର ଆବଶ୍ୟକ, ତା’ର ଘୋର ଅଭାବ ରହିଛି। ଯେତେଦିନ ପର୍ଯ୍ୟନ୍ତ ଶାସନ କରୁଥିବା କିମ୍ବା କ୍ଷମତାର ଅଭିଳାଷ ରଖୁଥିବା ରାଜନୈତିକ ବର୍ଗ ନିଜର ସଂକୀର୍ଣ୍ଣ ନ୍ୟସ୍ତ ସ୍ୱାର୍ଥରୁ ଉପରକୁ ଉଠି ନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ପୁଲିସ୍‌ ସଂସ୍କାର ବାସ୍ତବ ରୂପ ନେଇ ପାରିବ ନାହିଁ। ମୋଟ କଥା ହେଲା, ସଂସ୍କାର ବିନା ଯେତେ ଆଧୁନିକୀକରଣ ହେଲେ ସୁଦ୍ଧା ପୁଲିସ୍‌ର ଚିତ୍ର-ଚରିତ୍ର ବଦଳିବ ନାହିଁ କି ଏହା ଗଣତନ୍ତ୍ର ଅନୁକୂଳ ସମ୍ବେଦନଶୀଳ ଓ ଉତ୍ତରଦାୟୀ ହେବ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seven + 17 =