ଚାର୍ବାକ୍‌ କଏନ୍‌

0

ମନୁଷ୍ୟକୁ ପାର୍ଥିବ ମୋହମାୟାରୁ ମୁକ୍ତ ରଖିବା ପାଇଁ ପ୍ରଦାନ କରାଯାଉଥିବା ଏକ ଗତାନୁଗତିକ ପ୍ରବଚନ ହେଉଛି ଏହା ଯେ ମୃତ୍ୟୁ ପରେ କେହି ଧନ ସମ୍ପଦ ସାଙ୍ଗରେ ନେଇ ସେପାରିକୁ ଯାଏ ନାହିଁ। ଗତ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ଜୟପୁରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ପ୍ରାଣତ୍ୟାଗ କରିଥିବା ୩୦ ବର୍ଷୀୟ ଯୁବକ କାନାଡ଼ା ନାଗରିକ ଜେରାଲ୍‌ଡ କଟେନ୍‌ କିନ୍ତୁ ଏହି ଚିରନ୍ତନ ସତ୍ୟକୁ ମିଥ୍ୟା ପ୍ରମାଣିତ କରି ସାଙ୍ଗରେ ପ୍ରାୟ ୨୫୦ ନିୟୁତ ଡଲାର‌୍‌ ଅର୍ଥ ନେଇ ପରଲୋକକୁ ଗମନ କରିଛନ୍ତି ବୋଲି ପୃଥିବୀ ସାରା ବିତ୍ତୀୟ ମହଲରେ ଏବେ ଏକ ଚାଞ୍ଚଲ୍ୟକର ଖବର ବ୍ୟାପିବାରେ ଲାଗିଛି। ଘଟଣାଟି ଏହିପରି। ଜେରାଲ୍‌ଡ କଟେନ୍‌ ଥିଲେ କ୍ବାଡ୍ରିଗା ସିଏକ୍‌ସ ନାମକ ଏକ କ୍ରିପ୍ଟୋକରେନ୍‌ସି ଏକ୍‌ସଚେଞ୍ଜ୍‌ର ପ୍ରତିଷ୍ଠାତା। ପ୍ରାୟ ୧୧୫,୦୦୦ ଗ୍ରାହକ ଉପରୋକ୍ତ ପରିମାଣର ଅର୍ଥ ଏହି ଏକ୍‌ସଚେଞ୍ଜ୍‌ରେ ଜମା କରିଥିଲେ। ଏଥିରେ ବିଟ୍‌ କଏନ୍‌, ଲାଇଟ୍‌ କଏନ୍‌, ଇଥରିଅମ୍‌ ଓ ଅନ୍ୟାନ୍ୟ କ୍ରିପ୍ଟୋକରେନ୍‌ସି ମାନ ଅନ୍ତର୍ଭୁକ୍ତ। କଟେନ୍‌ଙ୍କ ମୃତ୍ୟୁର ମାସାଧିକ କାଳ ପରେ ତାଙ୍କର ବିଧବା ପତ୍ନୀ ଜେନିଫର‌୍‌ ରବର୍ଟସନ୍‌ ଜାନୁଆରି ୧୪ ତାରିଖରେ ଯାଇ ଏ ଖବର ସେ ଏକ୍‌ସଚେଞ୍ଜ୍‌ର େଵବ୍‌ସାଇଟ୍‌ରେ ପୋଷ୍ଟ କଲେ। ଜାନୁଆରି ୩୧ ତାରିଖରେ କ୍ବାଡ୍ରିଗା ଘୋଷଣା କଲା ଯେ ସେମାନେ ନୋଭାସ୍କୋଟିଆ ସୁପ୍ରିମ୍‌ କୋର୍ଟରେ ଜମାକାରୀଙ୍କ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। ଏକ ସତ୍ୟପାଠ ମାଧୢମରେ ରବର୍ଟସନ୍‌ ପ୍ରକାଶ କଲେ ଯେ ତାଙ୍କ ସ୍ବାମୀ ଏହି ଅର୍ଥକୁ ‘କୋଲ୍‌ଡ ଵାଲେଟ୍‌’ ବା ଶୀତଳ ଭଣ୍ତାରରେ ରଖି ଦେଇଥିଲେ। କ୍ରିପ୍ଟୋକରେନ୍‌ସି ଭାଷାରେ ଏହି ମୁଦ୍ରା ସକ୍ରିୟ ଭାବରେ କାରବାର ହେଉଥିବା ବେଳେ ‘ହଟ୍‌ ଵାଲେଟ୍‌’ ବା ଉଷୁମ ମୁଣାରେ ଥାଏ, ଯଦି ସକ୍ରିୟ ନଥାଏ ତାହା ‘କୋଲ୍‌ଡ ଵାଲେଟ୍‌’ରେ ଥାଏ।

ଫେବ୍ରୁଆରି ୫ ତାରିଖରେ ଅଦାଲତ ‘କ୍ବାଡ୍ରିଗା’କୁ ଜମାକାରୀମାନଙ୍କ ଠାରୁ ସୁରକ୍ଷା ପ୍ରଦାନ କରିଛି। ଅର୍ଥାତ୍‌ ଜମାକାରୀମାନେ ‘କ୍ବାଡ୍ରିଗା’ଠାରୁ ସେମାନଙ୍କର ଅର୍ଥ ଫେରି ପାଇବେ ନାହିଁ। କ୍ବାଡ୍ରିଗା କହିବା ଅନୁସାରେ ସେମାନେ ଜମାକାରୀମାନଙ୍କର ଅର୍ଥ ବୁଡ଼ାଇ ଦେଇ ନାହାନ୍ତି, ସେମାନେ କେବଳ ସେ ଅର୍ଥ ପାଖରେ ପହଞ୍ଚି ପାରୁ ନାହାନ୍ତି। ସେମାନେ କହନ୍ତି ଯେ ଏକମାତ୍ର କଟେନ୍‌ ହିଁ ସମସ୍ତ ଜମା ଗ୍ରହଣ ଓ ଅର୍ଥ ପ୍ରଦାନ କାର୍ଯ୍ୟ କରୁଥିଲେ, ଅନ୍ୟ କେହି ଏଥିରେ କୌଣସି ପ୍ରକାର ଭାଗ ନେଉ ନଥିଲେ। କଟେନ୍‌ ଏ ସମସ୍ତ କାର୍ଯ୍ୟ ନିଜର ଲ୍ୟାପଟପ୍‌ ଦ୍ବାରା ହିଁ କରୁଥିଲେ, ଯାହା ‘ଏନ୍‌କ୍ରିପ୍‌ଟେଡ୍‌’ ଥିଲା, ଅର୍ଥାତ୍‌ ଏହାକୁ ଖୋଲି କାର୍ଯ୍ୟକ୍ଷମ କରିବା ପାଇଁ ଏକ ପାସ୍‌ଵାର୍ଡ ବ୍ୟବହୃତ ହେଉଥିଲା। ସମସ୍ୟା ହେଲା, ଏହି ପାସ୍‌ଵାର୍ଡଟି ଜଣାଥିଲା କେବଳ ଜଣଙ୍କୁ- ଜେରାଲ୍‌ଡ କଟେନ୍‌ଙ୍କୁ। ପତ୍ନୀ ଜେନିଫର‌୍‌ କହୁଛନ୍ତି ଯେ ସେ ସମସ୍ତ ସମ୍ଭାବ୍ୟ ସ୍ଥାନ ଟିକିନିଖି କରି ସାତ ପରସ୍ତ ଖୋଜି ସାରିଥିଲେ ମଧୢ ତାଙ୍କ ସ୍ବାମୀ କେଉଁଠି ହେଲେ ଉକ୍ତ ପାସ୍‌ଵାର୍ଡ ଲେଖି ରଖିଥିବା ଦେଖୁ ନାହାନ୍ତି। ଏହାର ଅର୍ଥ ପାସ୍‌ଵାର୍ଡଟିକୁ କଟେନ୍‌ କେବଳ ନିଜର ମସ୍ତିଷ୍କରେ ସାଇତି ରଖିଥିଲେ, ଯେମିତି ଆମେମାନେ ସ୍ଥଳ ବିଶେଷରେ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ଆଦିର ପାସ୍‌ଵାର୍ଡକୁ କେଉଁଠି ଲେଖି ନରଖି କେବଳ ଆମର ସ୍ମୃତିରେ ସାଇତି ରଖିଥାଉ। କହିବା ବାହୁଲ୍ୟ ପାସ୍‌ଵାର୍ଡ ଅଭାବରେ ଜମାକାରୀମାନଙ୍କର ଅର୍ଥର ପୁନରାଗମନର ସମ୍ଭାବନା ହେଉଛି ଜେରାଲ୍‌ଡ କଟେନ୍‌ ଚାର୍ବାକ୍‌ଙ୍କୁ ମିଥ୍ୟା ପ୍ରମାଣିତ କରି (‘‘ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନମ୍‌ କୁତଃ।’’) ପୁନରାଗମନ କରିବାର ସମ୍ଭାବନା ଭଳି।

ପୃଥିବୀରେ ବିଟ୍‌ କଏନ୍‌ର ପ୍ରଥମ ଆବିର୍ଭାବ ଘଟିଲା ୨୦୦୮ ଅଗଷ୍ଟରେ ସର୍ବବ୍ୟାପୀ ବିତ୍ତୀୟ ସ˚କଟ ଘଟିବାର ଠିକ୍‌ ପରେ ପରେ। ଏହି ଅଶରିରୀ ଟେକ୍ନୋମୁଦ୍ରାର ଭକ୍ତମାନେ ଏଥିପ୍ରତି ଆକର୍ଷିତ ହେବାର ଏକ ମୁଖ୍ୟ କାରଣ ଥିଲା ଏହା ବହନ କରୁଥିବା ବ୍ୟାଙ୍କ୍‌ ମାନଙ୍କ ଠାରୁ ମୁକ୍ତିର ସମ୍ଭାବନା। ବିତ୍ତୀୟ ସ˚କଟ ବ୍ୟାଙ୍କ୍‌ ମାନଙ୍କର ବିଶ୍ବସନୀୟତା ଓ ଭାବମୂର୍ତ୍ତି ପ୍ରତି ପହଞ୍ଚାଇଥିବା ଆଘାତର ଏହା ଏକ ପରିଣାମ ବୋଲି ବିଚାର କରାଯାଇପାରେ। କିନ୍ତୁ କ୍ବାଡ୍ରିଗା ଦ୍ବାରା ସୃଷ୍ଟି ହୋଇଥିବା ଉପର ବର୍ଣ୍ଣିତ ସ˚କଟ ଦେଖିଲେ କିଏ ବିଶ୍ବାସ କରିବ ଯେ କ୍ରିପ୍ଟୋକରେନ୍‌ସି ହେଉଛି ବ୍ୟାଙ୍କ୍‌ ତୁଳନାରେ ଏକ ଅଧିକ ନିରାପଦ, ବିଶ୍ବାସଭାଜନ ବିକଳ୍ପ? ଏମିତି କୌଣସି ବ୍ୟାଙ୍କ୍‌ ନାହିଁ ଯିଏ ମାତ୍ର ଜଣେ ପରିଚାଳକଙ୍କ ମୃତ୍ୟୁ ଯୋଗୁଁ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିବ, ଯେମିତି କ୍ବାଡ୍ରିଗା କ୍ଷେତ୍ରରେ ଘଟିଛି। ତେବେ କ୍ବାଡ୍ରିଗା ପାଇଁ ଏଭଳି ସମସ୍ୟା ପ୍ରଥମ ମଧୢ ନୁହେଁ। ୨୦୧୮ ଜାନୁଆରିରେ କାନାଡିଆନ୍‌ ଇମ୍ପିରିଆଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସ କ୍ବାଡ୍ରିଗାର ପେମେଣ୍ଟ୍‌ ପ୍ରସେସିଙ୍ଗ୍‌ କରୁଥିବା ସ˚ସ୍ଥା ‘କଷ୍ଟୋଡିଆନ୍‌’ ପାଖରେ ଥିବା ୨୮ ନିୟୁତ ଡଲାର‌୍‌କୁ ଅଚଳ କରିଦେଇଥିଲା। ସେତେବେଳେ ଉକ୍ତ ବ୍ୟାଙ୍କ୍‌ କଟେନ୍‌ଙ୍କୁ ସମ୍ପର୍କ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ବି ସଫଳ ହୋଇପାରି ନଥିଲେ। ଏହା ଯଦି ଯଥେଷ୍ଟ ରହସ୍ୟମୟ ନଥିଲା, ତେବେ ରାଜସ୍ଥାନ ସରକାର ପ୍ରଦାନ କରିଥିବା ଜେରାଲ୍‌ଡ କଟେନ୍‌ଙ୍କର ମୃତ୍ୟୁ ପ୍ରମାଣପତ୍ରରେ ତାଙ୍କ ନାମର ଭୁଲ ବନାନ ସେ ରହସ୍ୟକୁ ଆହୁରି ଘନୀଭୂତ କରିବାରେ ସାହାଯ୍ୟ କରିଛି। ଏଣେ କ୍ରିପ୍ଟୋକରେନ୍‌ସି କାରବାର ସମ୍ପର୍କିତ ବ୍ଲକ୍‌ଚେନ୍‌ ଉପରେ ତୀକ୍ଷ୍‌ଣ ନଜର ରଖିଥିବା କମ୍ପ୍ୟୁଟର‌୍‌ ବିଶ୍ଳେଷଣକାରୀମାନେ କହୁଛନ୍ତି ଯେ ସେମାନେ ଉପରେ ବର୍ଣ୍ଣିତ କୋଲ୍‌ଡ ଵାଲେଟ୍‌ କ୍ରିୟାକଳାପର କୌଣସି ଚିହ୍ନବର୍ଣ୍ଣ ଦେଖିପାରୁ ନାହାନ୍ତି। ଏଣୁ କ୍ବାଡ୍ରିଗା ବ୍ୟାପାରକୁ ସେମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି।
ଏକ ବୃହତ୍‌ ପରିମାଣର କ୍ରିପ୍ଟୋକରେନ୍‌ସି ହଜିଯିବାର ଏହା ମଧୢ ପ୍ରଥମ ଘଟଣା ନୁହେଁ। ୨୦୦୯ରେ ଜେମ୍‌ସ ହାେଵଲ୍‌ସ ନାମକ ଜଣେ ବ୍ରିଟିସ୍‌ କ୍ରିପ୍ଟୋକରେନ୍‌ସି ବ୍ୟବହାରକାରୀ ୭,୫୦୦ ବିଟ୍‌ କଏନ୍‌ ସଞ୍ଚୟ କରିଥିଲେ। ସେତେବେଳେ କିନ୍ତୁ ଏହାର ମୂଲ୍ୟ ଅତ୍ୟନ୍ତ ନଗଣ୍ୟ ଥିବାରୁ ସେ ନିଜ କମ୍ପ୍ୟୁଟର‌୍‌ର ହାର୍ଡ ଡ୍ରାଇଭ୍‌ଟିକୁ ଫିଙ୍ଗି ଦେଇଥିଲେ; ଯେଉଁଥିରେ ସେ ବିଟ୍‌ କଏନ୍‌ ସାଇତା ହୋଇ ରହିଥିଲା। ୨୦୧୩ ବେଳକୁ କିନ୍ତୁ ସେତିକ ବିଟ୍‌ କଏନ୍‌ର ମୂଲ୍ୟ ବୃଦ୍ଧି ପାଇ ନିୟୁତ ନିୟୁତ ଡଲାର‌୍‌ ହୋଇଗଲା। ସେତେବେଳକୁ ହାେଵଲ୍‌ସଙ୍କ ହାର୍ଡ ଡ୍ରାଇଭ୍‌କୁ ଅଳିଆ ସ˚ଗ୍ରହକାରୀମାନେ ନେଇ ଏକ ବିଶାଳ ଖାଲ ଭର୍ତ୍ତି କାର୍ଯ୍ୟରେ ଲଗାଇ ଦେଇଥିଲେ। ହାେଵଲ୍‌ସ ସେତେବେଳେ ଯାଇ ପାଗଳ ଭଳି ଅଳିଆ ଗଦାକୁ ଓଲଟ ପାଲଟ କରି ଖୋଜିଲେ ମଧୢ ଆଉ ସେହି ମଲ୍‌ଟିମିଲିଅନେଆର‌୍‌ ହାର୍ଡ ଡ୍ରାଇଭ୍‌ଟିକୁ ପାଇ ନଥିଲେ। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ୨.୭୮-୩.୭୯ ନିୟୁତ ଡଲାର‌୍‌ ମୂଲ୍ୟ ବହନ କରୁଥିବା ଏହି ଭଳି ବିଟ୍‌ କଏନ୍‌ ରହିଛି, ଯାହା ପାଖରେ ତାହାର ମାଲିକମାନେ ପହଞ୍ଚିପାରୁ ନାହାନ୍ତି। ସେ ସବୁ ଭସ୍ମୀଭୂତ ଶରୀର ଭଳି। ବ୍ୟାଙ୍କ୍‌ ବୋଧହୁଏ ଏହାଠାରୁ ଅଧିକ ନିରାପଦ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.