ପଚା ‘ପଟାଟୋ’

0

ମୋଟର‌୍‌ ବାଇକ୍‌ ଜଗତ୍‌ରେ ଆମେରିକାର ହାର୍ଲି ଡେଭିଡ୍‌ସନ୍‌ ମୋଟର ବାଇକ୍‌ମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପୃଥିବୀସାରା ଏହାର ଭକ୍ତମାନେ ଏହି ଓଜନଦାର ବାଇକ୍‌ର ମା˚ସପେଶୀବହୁଳ ଶରୀରକୁ ନେଇ ଯେତିକି ଗର୍ବ କରିଥାନ୍ତି, ଏହାର ଧୂଆଁ ନିର୍ଗମନ ନଳୀରୁ ବାହାରୁଥିବା ଇଞ୍ଜିନ୍‌ର ‘ପଟାଟୋ’ ‘ପଟାଟୋ’ ଶବ୍ଦ ଲହରୀକୁ ସେତିକି ଉପଭୋଗ କରିଥାନ୍ତି (ଅଣ-ଭକ୍ତମାନଙ୍କର ମୁଣ୍ତ ବିନ୍ଧେ) ସତେ ଯେମିତି ତାହା ଏକ ଉଚ୍ଚାଙ୍ଗ ସ˚ଗୀତ। ଏହି ହାର୍ଲି ଡେଭିଡ୍‌ସନ୍‌ର ଶବ୍ଦ ବର୍ତ୍ତମାନ ଏଠାରେ ଯଦି କାହା ପାଇଁ ସବୁଠାରୁ ଅଧିକ ମୁଣ୍ତବିନ୍ଧାର କରଣ ହୋଇ ଉଭା ହୋଇଛି, ସେ ହେଉଛନ୍ତି ଭାରତ ସରକାର।

ଆମେରିକାର ଚପଳମତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଭାରତକୁ ତାଙ୍କ ଦେଶର ‘ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍‌ସେସ୍‌’ (ଜିଏସ୍‌ପି)ରୁ ହଟାଇ ଦେବାକୁ ଯେଉଁ ଧମକ ଦେଇଛନ୍ତି, ତା’ ପଛରେ ଥିବା କାରଣମାନଙ୍କ ମଧୢରେ ଅନ୍ୟତମ ଏକ ପ୍ରମୁଖ କାରଣ ହେଉଛି ଏହି ହାର୍ଲି ଡେଭିଡ୍‌ସନ୍‌। ‘ଜିଏସ୍‌ପି’ ତାଲିକାରେ ଅନ୍ତର୍ଭୁକ୍ତ ଦେଶମାନଙ୍କର ରପ୍ତାନିକାରୀମାନେ ଆମେରିକା ବଜାରରେ ପ୍ରବେଶ କରିବା ପାଇଁ ବିଶେଷ ଶୁଳ୍‌କ ଓ ଅଣଶୁଳ୍‌କ ପ୍ରତିବନ୍ଧର ସମ୍ମୁଖୀନ ହୋଇ ନଥାନ୍ତି। ପ୍ରାୟ ୫ ବିଲିଅନ୍‌ ଡଲାର‌୍‌ ମୂଲ୍ୟର ଭାରତୀୟ ରପ୍ତାନି ଏହା ଦ୍ବାରା ଉପକୃତ ହୋଇଥାଏ। ଟ୍ରମ୍ପ୍‌ ଯଦି ତାଙ୍କର ଧମକକୁ କାର୍ଯ୍ୟରେ ପରିଣତ କରନ୍ତି, ଏହା ବାଧାପ୍ରାପ୍ତ ହେବ। ଟ୍ରମ୍ପ୍‌ଙ୍କର ଏହି ସଦ୍ୟତମ ଧମକ ତାଙ୍କର ପ୍ରଥମ ଧମକ ନୁହେଁ। ସେ ଏଥିପୂର୍ବରୁ ଅଭିଯୋଗ କରି ଆସିଛନ୍ତି ଯେ ଭାରତୀୟ ରପ୍ତାନି ଦ୍ରବ୍ୟ ଆମେରିକା ବଜାରରେ ଅବାଧ ପ୍ରବେଶ କରୁଥିବା ବେଳେ ଆମେରିକାର ରପ୍ତାନି ଦ୍ରବ୍ୟ ସବୁ ଉପରେ ଭାରତ ଉଚ୍ଚା ଆମଦାନି ଶୁଳ୍‌କ ଲଗାଉଛି। ଏଣୁ ସେ ଭାରତୀୟ ରପ୍ତାନି ଉପରେ ଅନୁରୂପ ଶୁଳ୍‌କ ଲଗାଇବେ।

ସେ ତାଙ୍କର ଏହି ଅଭିଯୋଗର ସତ୍ୟତା ପ୍ରମାଣ ସ୍ବରୂପ ଯେଉଁ ଉଦାହରଣ ପ୍ରଦାନ କରିଥିଲେ, ତାହା ଥିଲା ହାର୍ଲି ଡେଭିଡ୍‌ସନ୍‌। ଏହି ମୋଟର‌୍‌ ସାଇକେଲ୍‌ ନିର୍ମାତା ଭାରତୀୟ ବଜାରରେ ବାଇକ୍‌ ବିକ୍ରି କରିବାକୁ ୧୦୦% ଆମଦାନି ଶୁଳ୍‌କର ସମ୍ମୁଖୀନ ହେଉଥିବା ବେଳେ ଭାରତୀୟ ମୋଟର‌୍‌ ସାଇକେଲ୍‌ ନିର୍ମାତାମାନେ ବସ୍ତୁତଃ ଅବାଧରେ ଆମେରିକା ବଜାରରେ ପ୍ରବେଶ କରୁଛନ୍ତି ବୋଲି ଟ୍ରମ୍ପ୍‌ ଅଭିଯୋଗ କରିଆସୁଛନ୍ତି। ଗତ ବର୍ଷ ଭାରତ ସରକାର ଏ ଦିଗରେ ପଦକ୍ଷେପ ନେଇ ଦାମିକା ମୋଟର‌୍‌ ବାଇକ୍‌ ଉପରେ ଆମଦାନି ଶୁଳ୍‌କକୁ ୧୦୦%ରୁ ଅଧା କରି ଦେଇ ୫୦%କୁ ଖସାଇ ଆଣିଥିଲେ। ଟ୍ରମ୍ପ୍‌ ସେତେବେଳେ କୁଣ୍ଠିତ ଭାବରେ ଏହାକୁ ସ୍ବାଗତ କରିଥିଲେ ମଧୢ କହିଥିଲେ ଯେ ତଥାପି ୫୦% ବନାମ ୦% ହେଉଛି ଏକ ଅସମତୁଲ ଏକପାଖିଆ ଅବସ୍ଥା। ସେ ଚାହାନ୍ତି ଭାରତ ମଧୢ ହାର୍ଲି ଡେଭିଡ୍‌ସନ୍‌ ଉପରେ ୦% ଆମଦାନି ଶୁଳ୍‌କ ବସାଉ। ସେ ମଧୢ ଭାରତୀୟ ବଜାରରେ ପ୍ରବେଶ କରୁଥିବା ଆମେରିକୀୟ ମଦ ହ୍ବିସ୍କି ଉପରେ ଭାରତ ସରକାର ଲଗାଉଥିବା ଉଚ୍ଚା ଆମଦାନି ମାହାସୁଲର ତୀବ୍ର ବିରୋଧ କରି ଆସୁଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜକୁ ଆମେରିକାର ଶିଳ୍ପ ବ୍ୟବସାୟର ଲାଭ ପାଇଁ ବାହାର ଦୁନିଆ ସହିତ ଲଢେ଼ଇ କରୁଥିବା ଜଣେ ବିଚକ୍ଷଣ ମୂଲଚାଲକାରୀ ରୂପେ ଦେଖନ୍ତି। ଏହି ଆଭିମୁଖ୍ୟ ନେଇ ସେ ଚୀନ୍‌ରୁ ଆରମ୍ଭ କରି ଇଉରୋପିଆନ୍‌ ୟୁନିଅନ୍‌ ପର୍ଯ୍ୟନ୍ତ ସହିତ ଲମ୍ବା ସମୟ ଧରି ବାଣିଜ୍ୟ ଯୁଦ୍ଧରେ ବ୍ୟାପୃତ ଅଛନ୍ତି। ବର୍ତ୍ତମାନ ସେ ସେଇ ଲଢେ଼ଇର ଅ˚ଶ ସ୍ବରୂପ ଭାରତକୁ ଯେଉଁ ‘ଜିଏସ୍‌ପି’ରୁ ବାଦ୍‌ ଦେବାକୁ ଯାଉଛନ୍ତି, ତାହାର କିନ୍ତୁ ପରିକଳ୍ପନା କରାଯାଇଥିଲା ବିକାଶଶୀଳ ଦେଶମାନଙ୍କରୁ ନିଃଶୁଳ୍‌କ ଆମଦାନି ମାଧୢମରେ ସେ ସବୁ ଦେଶମାନଙ୍କରେ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହନ ଦେବା। ଟ୍ରମ୍ପ୍‌ ଏବେ ତୁର୍କୀ ଏକ ବିକାଶଶୀଳ ଦେଶ ନୁହେଁ କହି ତାକୁ ମଧୢ ‘ଜିଏସ୍‌ପି’ ତାଲିକାରୁ କାଟି ଦେଇଛନ୍ତି। କିନ୍ତୁ ଭାରତ ଯେ ତଥାପି ଏକ ବିକାଶଶୀଳ ଦେଶ ହୋଇ ରହିଛି, ଟ୍ରମ୍ପ୍‌ ତାହା ବିଚାରକୁ ନେଇ ନାହାନ୍ତି।

ତେବେ ବି ଟ୍ରମ୍ପ୍‌ ଭାରତ ସହିତ ତାଙ୍କର ଏହି ବାଣିଜ୍ୟ ଯୁଦ୍ଧରେ ଯେଉଁ ସମସ୍ତ ଦ୍ରବ୍ୟ ଉପରେ ତାଙ୍କର ଧୢାନ କେନ୍ଦ୍ରୀଭୂତ କରିଛନ୍ତି, ସେ ସବୁ ଦ୍ରବ୍ୟର ଆମଦାନି ଉପରେ ଭାରତ ଶୁଳ୍‌କ ହାରକୁ ଯେତେ ନୀଚା କଲେ ମଧୢ ଆମେରିକୀୟ ଉତ୍ପାଦନକାରୀ କମ୍ପାନିମାନଙ୍କର ବିଶେଷ କିଛି ଯେ ଲାଭ ହେବ ନାହିଁ, ଏ କଥା ଟ୍ରମ୍ପ୍‌ ବୁଝିନାହାନ୍ତି। ଯେମିତି ହାର୍ଲି ଡେଭିଡ୍‌ସନ୍‌ ବାଇକ୍‌। ଏହା ସତ ଯେ ଦୁଇଚକିଆ ଯାନ ପାଇଁ ଭାରତରେ ଏକ ବିଶାଳ ବଜାର ରହିଛି। ତାହା କିନ୍ତୁ ମୁଖ୍ୟତଃ ଅପେକ୍ଷାକୃତ କମ୍‌ ଦାମ୍‌ର ବାଇକ୍‌ ପାଇଁ ଯାହାର ହାରାହାରି ଦାମ୍‌ ପ୍ରାୟ ଦୁଇ ଲକ୍ଷ ଟଙ୍କା ମଧୢରେ ସୀମିତ। ଛ’ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମ୍‌ ବିଶିଷ୍ଟ ହାର୍ଲି ଡେଭିଡ୍‌ସନ୍‌ ବାଇକ୍‌ର ଗ୍ରାହକ ସ˚ଖ୍ୟା ଏଠାରେ ସୀମିତ ଏବ˚ ଯେଉଁ ଧନୀକମାନେ ନିଜର ଷ୍ଟାଟସ୍‌ର ଚିହ୍ନ ସ୍ବରୂପ ଏଭଳି ବ୍ରାଣ୍ତ୍‌ର ବାଇକ୍‌ କିଣନ୍ତି, ସେମାନେ ଆମଦାନି ଶୁଳ୍‌କ ଯୋଗୁଁ ଉଚ୍ଚା ଦାମ୍‌ ଦେବାକୁ କୁଣ୍ଠିତ ନୁହନ୍ତି। ଭାରତ ସରକାର ଏପରି ଦାମିକା ବିଳାସ ଦ୍ରବ୍ୟ ଉପରେ ଉଚ୍ଚା ଆମଦାନି ଶୁଳ୍‌କ ବସାଇବାର ମୁଖ୍ୟ ଉଦ୍ଦେଶ୍ୟ ଆମେରିକୀୟ ରପ୍ତାନି ପାଇଁ ପ୍ରତିବନ୍ଧ ସୃଷ୍ଟି କରିବା ନୁହେଁ; ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧନୀ ନାଗରିକମାନଙ୍କଠାରୁ ସମ୍ବଳ ସ˚ଗ୍ରହ। ଭରତ ସରକାର ଯଦି ହାର୍ଲି ଡେଭିଡ୍‌ସନ୍‌ ବାଇକ୍‌ କିମ୍ବା ବୋର୍ବୋନ୍‌ ହ୍ବିସ୍କି ଉପରୁ ଆମଦାନି ଶୁଳ୍‌କ ଛାଡ଼ କରିଦିଅନ୍ତି, ତେବେ ଭାରତୀୟ ବଜାରରେ ଏ ସବୁର ବିକ୍ରିରେ କୌଣସି ବିଶେଷ ବୃଦ୍ଧି ଘଟିବ ନାହିଁ, ତେଣୁ ଆମେରିକୀୟ ବ୍ୟବସାୟର କିଛି ଲାଭ ହେବ ନାହିଁ। ଅପରପକ୍ଷେ ଏଥିଯୋଗୁଁ ଭାରତର ସମ୍ବଳ ସ˚ଗ୍ରହ ବାଧାପ୍ରାପ୍ତ ହେବ ଯାହା ତାର ବିକାଶରେ ବାଧା ସୃଷ୍ଟି କରିବ।

ଟ୍ରମ୍ପ୍‌ଙ୍କର ସରଳ ଶିଶୁ ସୁଲଭ କଳାଧଳା ବୁଦ୍ଧିରେ ଏ ସବୁ ଗହୀର ତାତ୍ପର୍ଯ୍ୟର ସ୍ଥାନ ନାହିଁ। ସେ ବୁଝିଛନ୍ତି ଯେ ‘ଫେଆର‌୍‌ ଟ୍ରେଡ୍‌’ ବା ‘ଉଚିତ ବାଣିଜ୍ୟ’ ଅର୍ଥ ହେଲା ଉଭୟ ପକ୍ଷ ପରସ୍ପରର ଦ୍ରବ୍ୟ ଉପରେ ଯଦି ଶୁଳ୍‌କ ଲଗାଇବେ, ତାହା ବିଲ୍‌କୁଲ୍‌ ସମାନ ହେବା ଦରକାର। ତାଙ୍କର ଏଇ ଭଳି ଚିନ୍ତାଧାରା ଯୋଗୁଁ ଭାରତ ପାଇଁ ହାର୍ଲି ଡେଭିଡ୍‌ସନ୍‌ର ‘ପଟାଟୋ’ ବର୍ତ୍ତମାନ ପଚା ଆଳୁରେ ପରିଣତ ହୋଇଛି, ଯେଉଁଥି ପାଇଁ ଆମ ରପ୍ତାନିକାରୀମାନଙ୍କୁ ବର୍ଷକୁ ପ୍ରାୟ ୧୯୦ ନିୟୁତ ଡଲାର‌୍‌ର ‘ଜିଏସ୍‌ପି’ ଜନିତ ଲାଭ ହରାଇବାକୁ ପଡ଼ିବ। ତେବେ ଆଶ୍ବାସନାର କଥା, ଏହା ଏକ ବିଶାଳ କ୍ଷତି ନୁହେଁ ଏବ˚ ହୁଏତ ଟ୍ରମ୍ପ୍‌ଙ୍କ ଏହି ପଦକ୍ଷେପ ଭାରତୀୟ ଉତ୍ପାଦନକାରୀମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି କରି ଏହାର ଭରଣା କରିବାକୁ ଉତ୍ସାହିତ କରିପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.