ପ୍ରଶ୍ନରେ କର୍ତ୍ତୃତ୍ବ, ନିରପେକ୍ଷତା

ଭାରତୀୟ ଜନତା ପାର୍ଟିର ଅନ୍ୟତମ ତାରକା ପ୍ରଚାରକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୋଟିଏ ନିର୍ବାଚନ ସଭାରେ ଭାରତୀୟ ସେନା ବାହିନୀକୁ ‘ମୋଦୀଜି କି ସେନା’ ବୋଲି ଅଭିହିତ କଲେ। ଗାଜିଆବାଦରେ ଏକ ସଭାରେ ଯୋଗୀ କହିଥିଲେ, ‘କ˚ଗ୍ରେସ୍‌ କେ ଲୋଗ୍‌ ଆତଙ୍କବାଦୀଓଁ କୋ ବିରିୟାନୀ ଖିଲାତେ ଥେ, ଔର‌୍‌ ମୋଦୀଜି କୀ ସେନା ଗୋଲି ଓ ଗୋଲା ଦେତି ହୈ’। ପାକିସ୍ତାନର ବାଲାକୋଟ ସ୍ଥିତ ଜୈଶ-ଏ-ମହମ୍ମଦ ଆଡ୍‌ଡା ଉପରେ ଭାରତୀୟ ବାୟୁସେନାର ‘ଏୟାର ଷ୍ଟ୍ରାଇକ୍‌’ରୁ ନିର୍ବାଚନୀ ଫାଇଦା ଉଠାଇବା ଉଦ୍ଦେଶ୍ୟରେ ଯୋଗୀଙ୍କ ଏହି ବୟାନ ଉପରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଲା। ଏହାକୁ ଦେଶର ସାମରିକ ବାହିନୀର ଅଯଥା ରାଜନୀତୀକରଣ ଓ ନିରପେକ୍ଷ, ଅବାଧ ନିର୍ବାଚନ ନିଶ୍ଚିତ କରିବା ଲାଗି ଜାରି ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲ˚ଘନ ବୋଲି ଅଭିଯୋଗ ହେଲା। ନିର୍ବାଚନ କମିସନ୍‌ ମଧୢ ୟୁ.ପି ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ। ଆଶା କରାଯାଉଥିଲା, କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେବ। ନିର୍ବାଚନ କମିସନ୍‌ ଯୋଗୀଙ୍କୁ ଆଚରଣ ବିଧି ଉଲ୍ଲ˚ଘନ ଅଭିଯୋଗରେ ଦୋଷୀ ପାଇଲେ। ଅଥଚ, କେବଳ ମାତ୍ର ଆଗକୁ ସତର୍କ ରହିବା ଲାଗି ତାଗିଦ କରି ଛାଡ଼ିଦେଲେ। ସେହିପରି କ˚ଗ୍ରେସର ନ୍ୟୂନତମ ଆୟ ଯୋଜନା (‘ନ୍ୟାୟ’) ଉପରେ ଟିପ୍ପଣୀ ଦେଇ ନୀତି ଆୟୋଗ ଅଧୢକ୍ଷ ରାଜୀବ କୁମାରଙ୍କୁ ମଧୢ ଆୟୋଗ ଆଦର୍ଶ ଆଚରଣ ବିଧି ଉଲ୍ଲ˚ଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। କମିସନଙ୍କ ବିଚାରରେ ଜଣେ ସରକାରୀ ଅଧିକାରୀ ଭାବେ ନିର୍ବାଚନ ବେଳେ କ˚ଗ୍ରେସର ଘୋଷଣା ଉପରେ ମନ୍ତବ୍ୟ ଦେଇ କୁମାର ନିଜ ସରକାରୀ ପଦର ଅମର୍ଯ୍ୟାଦା, କ୍ଷମତାର ଦୁରୁପଯୋଗ କରିଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ କ’ଣ? ଯୋଗୀଙ୍କ ଭଳିି ନୀତି ଆୟୋଗ ଉପାଧୢକ୍ଷଙ୍କୁ ମଧୢ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ସହ ଛାଡ଼ି ଦିଆଯାଇଛି।

ଉକ୍ତ ଦୁଇଟି ଘଟଣା ପୁଣିଥରେ ଆଦର୍ଶ ଆଚରଣ ବିଧିର ଗୁରୁତ୍ବ ଏବ˚ ଏହାକୁ ଲାଗୁ କରିବା ଲାଗି ନିର୍ବାଚନ ଆୟୋଗଙ୍କ କର୍ତ୍ତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଜାରି କରାଯାଉଛି। ଅଥଚ ଏହାକୁ ଲାଗୁ କରିବା ଲାଗି କମିସନଙ୍କ ପର୍ଯ୍ୟାପ୍ତ ନୈତିକ କିମ୍ବା ଆଇନଗତ କର୍ତ୍ତୃତ୍ବ ନାହିଁ। ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସି˚ହଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲ˚ଘନ ଅଭିଯୋଗରେ ନିର୍ବାଚନ ଆୟୋଗ ଦୋଷୀ ପାଇଛନ୍ତି ଓ କାର୍ଯ୍ୟାନୁଷ୍ଠାନ ଲାଗି ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି। ଏହା ଉପରେ ରାଷ୍ଟ୍ରପତି ତାଙ୍କର ମତାମତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତିି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ସମୟ ଗଡ଼ାଇ ଚାଲିଛନ୍ତି।

କେବଳ ଏଥର ନୁହେଁ, ବିଗତ ଦିନରେ ମଧୢ ଆଚରଣ ବିଧି ଊଲ୍ଲ˚ଘନ ଅଭିଯୋଗରେ କ୍ବଚିତ୍‌ କୌଣସି ରାଜନେତାଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ୨୦୧୪ ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗଗୋଇ ଓ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ତତ୍‌କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା। ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବାରୁ ଗଗୋଇଙ୍କ ବିରୋଧରେ ଏବ˚ ମତଦାନ ସମୟରେ ଗୋଟିଏ ଭୋଟ ଗ୍ରହଣ କେନ୍ଦ୍ରରେ ବିଜେପିର ଦଳୀୟ ଚିହ୍ନ ଦେଖାଇଥିବାରୁ ମୋଦୀଙ୍କ ବିରୋଧରେ ଜନପ୍ରତିନିଧି ଆଇନର ୧୨୬ ଧାରାରେ ପୁଲିସ୍‌ରେ ଏତଲା ହୋଇଥିଲା। ଏତଲା ହେବା ସମସ୍ତେ ଜାଣିଲେ, କିନ୍ତୁ ଏତଲା ଉପରେ ଅନୁସନ୍ଧାନରୁ କ’ଣ ବାହାରିଲା? କ’ଣ କାର୍ଯ୍ୟାନୁଷ୍ଠାନ ହେଲା? ତାହା ଏବେ ବି ଅନ୍ଧାରରେ। ଏହାହିଁ ଆଦର୍ଶ ନିର୍ବାଚନ ଆଚରଣ ବିଧିର କାର୍ଯ୍ୟକାରିତା। ଦେଖାଯାଉଛି। ଆଚରଣ ବିଧି ଉଲ୍ଲ˚ଘନ ଅଭିଯୋଗରେ ଦୋଷୀ ନେତା ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବଳ ଚେତାବନୀରେ ସୀମିତ ରହୁଛି। ଅତି ବେଶୀରେ, ଦୁଃଖ ପ୍ରକାଶ କିମ୍ବା କ୍ଷମା ଭିକ୍ଷା କରି ନେତାମାନେ ମୁକୁଳି ଯାଉଛନ୍ତି। ନେତାଙ୍କ ଦ୍ବାରା ଆଚରଣ ବିଧି ଊଲ୍ଲ˚ଘନ ଅଭିଯୋଗ ନେଇ ସାମୟିକ ଭାବେ ବେଶ୍‌ ପାଟିଗୋଳ ହୁଏ। କିନ୍ତୁ ଦୋଷୀ ସାବ୍ୟସ୍ତ ହେଲେ ସୁଦ୍ଧା ଏହାର ନା କୌଣସି ନୈତିକ ପ୍ରଭାବ ପଡେ଼ ନା ଆଇନ ଦୃଷ୍ଟିରୁ କୌଣସି କାର୍ଯ୍ୟାନୁଷ୍ଠାନର ଆଶଙ୍କା ଥାଏ। ପରିଣତି, ଊଲ୍ଲ˚ଘନରେ ହିଁ ଆଚରଣ ବିଧିର ପାଳିତ ହେଉଛି।

ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଆଇନଗତ ମାନ୍ୟତା ଦେବା ଲାଗି ୨୦୧୩ରେ ସ˚ସଦର ଆଇନ, ନ୍ୟାୟ ଓ ସାଧାରଣ ଅଭିଯୋଗ ବିଷୟକ ଷ୍ଟାଣ୍ତି˚ କମିଟି ସୁପାରିସ କରିଥିଲେ। ଏହି ପ୍ରସଙ୍ଗରେ ବ୍ୟାପକ ବିଚାରବିମର୍ଶ ଚାଲିଥିଲେ ସୁଦ୍ଧା କୌଣସି ନିର୍ଯାସ ବାହାରି ପାରି ନାହିଁ। ତେବେ ସ˚ଖ୍ୟାଗରିଷ୍ଠ ମତ ହେଲା, ଆଦର୍ଶ ଆଚରଣ ବିଧିକୁ ଆଇନଗତ ମାନ୍ୟତା ପ୍ରଦାନ କରାଗଲେ ବିଶେଷ ସୁଫଳ ମିଳିବ ନାହିଁ। ଏହାଦ୍ବାରା କେବଳ ମାମଲା ସ˚ଖ୍ୟା ବଢ଼ିବା ସାର ହେବ। ଠିକ୍‌ ଉଦ୍ଦେଶ୍ୟ ଅପେକ୍ଷା ମନ୍ଦ ଉଦ୍ଦେଶ୍ୟରେ ଏହାର ଅପବ୍ୟବହାର ଆଶଙ୍କା ଅଧିକ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଆଦର୍ଶ ଆଚରଣ ବିଧିର ଉଲ୍ଲ˚ଘନ ନେଇ ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଦଫାରେ ମାମଲା ରୁଜୁ ହେଉଛି। କିନ୍ତୁ ଅଧିକା˚ଶ ମାମଲା ତଦନ୍ତ ସ୍ତରରେ କିମ୍ବା ଅଦାଲତରେ ବିଚାରାଧୀନ ଅବସ୍ଥାରେ ପଡ଼ିରହିଛି। କ୍ବଚିତ କୌଣସି ମାମଲାରେ କେହି ନେତା ଦୋଷୀ ସାବ୍ୟସ୍ତ ହୋଇ ଦଣ୍ତ ପାଉଛନ୍ତି। ଯଦି ବି କାଁ ଭାଁ କେହି ଦୋଷୀ ସାବ୍ୟସ୍ତ ହେଉଛନ୍ତି, ସେମାନେ ମୁଖ୍ୟତଃ ଡ୍ରାଇଭର, ପିଅନଙ୍କ ଭଳି ତଳିଆ ଲୋକ।

ତେବେ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ଉଦ୍ଦେଶ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରିବା ସକାଶେ ନିର୍ବାଚନ କମିସନଙ୍କୁ ଅଧିକ ଆଇନଗତ କ୍ଷମତା ପ୍ରଦାନ ଯେତିକି ଆବଶ୍ୟକ ନୁହେଁ, ତା’ଠାରୁ ଅଧିକ ଆବଶ୍ୟକ ଆୟୋଗଙ୍କ ନିରପେକ୍ଷତା। ସମ୍ବିଧାନର ୩୨୪ ଧାରା ଓ ଜନପ୍ରତିନିଧି ଆଇନ ୧୯୫୧ରେ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ଲାଗି କମିସନଙ୍କ ପର୍ଯ୍ୟାପ୍ତ କ୍ଷମତା ଓ କର୍ତ୍ତୃତ୍ବ ରହିଛି। ପୂର୍ବତନ ନିର୍ବାଚନ କମିସନ ଟି.ଏନ୍‌.ଶେଷାନ ତାଙ୍କ କାର୍ଯ୍ୟକାଳ ସମୟରେ ଏହା ପ୍ରମାଣିତ କରିଥିଲେ। କିନ୍ତୁ ନିରପେକ୍ଷତା ଯୋଗୁ ଶେଷାନ ଯେଉଁଭଳି କ୍ଷମତା ଓ କର୍ତ୍ତୃତ୍ବ ପ୍ରୟୋଗ କରିପାରୁଥିଲେ, ତାହା ଏବେ ବିରଳ। ଚଳିତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲ˚ଘନ ପ୍ରସଙ୍ଗରେ କେତେକ ନିଷ୍ପତ୍ତି କମିସନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପକ୍ଷରେ ଉଲ୍ଲ˚ଘନ ନେଇ ଶାସକ ପକ୍ଷଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯାଉଛି। ଅନ୍ୟପକ୍ଷରେ ବିରୋଧୀଙ୍କ ବେଳକୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ୟୁପି ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗ ଉପାଧୢକ୍ଷ ରାଜୀବ କୁମାରଙ୍କୁ କେବଳ ତାଗିଦ୍‌ କରି ଛାଡ଼ି ଦିଆଯାଇଛି। ଅଥଚ, ତେଲୁଗୁଦେଶମ୍‌ ଶାସିତ ଆନ୍ଧ୍ରରେ ମୁଖ୍ୟ ଶାସନ ସଚିବ ଓ ଏକାଧିକ ଉଚ୍ଚ ପୁଲିସ୍‌ ଅଧିକାରୀଙ୍କୁ ଅବାଧ ଓ ମୁକ୍ତ ନିର୍ବାଚନରେ ବାଧା ସୃଷ୍ଟି ଅଭିଯୋଗରେ ବଦଳି କରାଯାଇଛି। କ˚ଗ୍ରେସର ଛଅଟି ଭିଡିଓର ପ୍ରସାରଣ ନିଷିଦ୍ଧ କରାଯାଇଛି। କିନ୍ତୁ ଦୂରଦର୍ଶନରେ ମୋଦୀଙ୍କ ‘ମୈ ଭି ଚୌକିଦାର’ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଓ ‘ନାମୋ’ ଟିଭି ଆଦି ପ୍ରସଙ୍ଗରେ କମିସନଙ୍କ କାର୍ଯ୍ୟାନୁଷ୍ଠାନ କେବଳ ନୋଟିସ୍‌ ଜାରିରେ ଅଟକି ଯାଇଛି। ଦୂରଦର୍ଶନ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି ଯେ ନିର୍ବାଚନ ତାରିିଖ ଘୋଷଣା ପରେ ବିଜେପିକୁ ସର୍ବାଧିକ ପ୍ରସାରଣ ସମୟ ଦିଆଯାଇଛି। ଅଥଚ, କାର୍ଯ୍ୟାନୁଷ୍ଠାନରେ କମିସନ୍‌ ଟାଳଟୁଳ ନୀତି ଧରିଛନ୍ତି। ଏ ପ୍ରକାର ପକ୍ଷପାତପୂର୍ଣ୍ଣ ଆଭିମୁଖ୍ୟ, ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନାରେ ଆୟୋଗଙ୍କ ସାମ୍ବିଧାନିକ ଭୂମିକାର ବିପରୀତ। ତେଣୁ ଅବାଧ ଓ ମୁକ୍ତ ନିର୍ବାଚନ ନିଶ୍ଚିତ କରିବା ଲାଗି ଆୟୋଗଙ୍କ ନିରପେକ୍ଷତା ସର୍ବାଦୌ ବାଞ୍ଛନୀୟ।

ସମ୍ବନ୍ଧିତ ଖବର