ବିଶ୍ବସନୀୟତାର ସଙ୍କଟ

ଗୋଟିଏ ଗଣତନ୍ତ୍ର କେତେ ସୁସ୍ଥ ଓ ଉନ୍ନତ? ଏହାର ଆକଳନ ପାଇଁ ପ୍ରଧାନ ମାପକାଠି ହେଲା ସେହି ଗଣତନ୍ତ୍ର ସହ ଯୋଡ଼ି ହୋଇଥିବା ଅନୁଷ୍ଠାନ ଗୁଡ଼ିକର ବିଶ୍ବସନୀୟତା ଓ କାର୍ଯ୍ୟଧାରା। ବିଶେଷକରି, ନିର୍ବାଚିତ ପ୍ରତିନିଧି ସଭା ବ୍ୟତୀତ ଗଣତନ୍ତ୍ରରେ ‘ଜଗୁଆଳି’ ଭୂମିକା ନିର୍ବାହ କରୁଥିବା ଅନ୍ୟାନ୍ୟ ଅଣନିର୍ବାଚିତ ଅନୁଷ୍ଠାନଗୁଡ଼ିକ ଯେତିକି ଅଧିକ ବିଶ୍ବସନୀୟ, ସେମାନଙ୍କ କାର୍ଯ୍ୟଧାରା ଯେତେ ଅଧିକ ସ୍ବଚ୍ଛ୍ବ ଓ ନିରପେକ୍ଷ, ସେହି ଗଣତନ୍ତ୍ର ସେତେ ଅଧିକ ସୁସ୍ଥ ଓ ଉନ୍ନତ। ବିଡ଼ମ୍ବନା ହେଲା, ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ରରେ ସ˚ପ୍ରତି ଦୁଇଟି ପ୍ରମୁଖ ଜଗୁଆଳି ଅନୁଷ୍ଠାନକୁ ଉପରୋକ୍ତ ମାପକାଠିର କଷଟିରେ ପରଖିଲେ ବୋଧହୁଏ ନିରାଶ ହେବାକୁ ପଡ଼ିପାରେ। ଦେଶର ନ୍ୟାୟପାଳିକା ଏବ˚ ଅବାଧ, ମୁକ୍ତ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ନିର୍ବାଚନ ଆୟୋଗଙ୍କ ବିଶ୍ବସନୀୟତା ତଥା କାର୍ଯ୍ୟଧାରାର ସ୍ବଚ୍ଛତା, ନିରପେକ୍ଷତା ଉପରେ ଅସୁମାରି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରଥମେ, ଭାରତର ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ତିନି ପ୍ରମୁଖ ଅ˚ଗ ମଧୢରେ ଗଣା ନ୍ୟାୟପାଳିକାରେ ଦେଖା ଦେଇଥିବା ସ˚କଟ ଉପରେ ଆଲୋଚନା କରାଯାଉ। ନ୍ୟାୟପାଳିକାର ଶୀର୍ଷ ଅନୁଷ୍ଠାନ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ବ୍ୟଭିଚାର ଅଭିଯୋଗ ଆସିଛି। ଏହା ଯେତିକି ଉଦ୍‌ବେଗଜନକ, ଅଭିଯୋଗ ଉପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଭିମୁଖ୍ୟ ଓ କାର୍ଯ୍ୟଧାରା ତା’ଠାରୁ ଅଧିକ ଉଦ୍‌ବେଗଜନକ। ଧାରଣା ସୃଷ୍ଟି ହୋଇଛି ଯେ, ଅଭିଯୋଗ ଆଣିଥିବା ପୀଡ଼ିତା ସୁପ୍ରିମ୍‌ କୋର୍ଟର ପୂର୍ବତନ ମହିଳା କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ନ୍ୟାୟିକ ପ୍ରକ୍ରିୟା ଓ ବ୍ୟବସ୍ଥା ସମ୍ବେଦନଶୀଳ କି ତତ୍ପର ନୁହେଁ। ବର˚ ଅଭିଯୁକ୍ତଙ୍କ ପ୍ରତି ବ୍ୟବସ୍ଥା ବହୁଗୁଣ ଅଧିକ ମାତ୍ରାରେ ସମ୍ବେଦନଶୀଳ ତାଙ୍କ ସୁରକ୍ଷା ପାଇଁ ଅଧିକ ତତ୍ପର। ପରିଣତି, ନ୍ୟାୟପାଳିକାର ବିଶ୍ବସନୀୟତା, ନ୍ୟାୟିକ ପ୍ରକ୍ରିୟାର ସ୍ବଚ୍ଛତା ଓ ନିରପେକ୍ଷତା ଆଜି କାଠଗଡ଼ାରେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ବାଭାବିକ ନ୍ୟାୟ ପ୍ରକ୍ରିୟାର ସର୍ବନିମ୍ନ ପ୍ରାକ୍‌-ଆବଶ୍ୟକତା ପ୍ରତି ଅଣଦେଖା କରାଗଲା। କୌଣସି ଅଭିଯୁକ୍ତ ନିଜ ବିରୋଧରେ ଅଭିଯୋଗର ବିଚାର ଲାଗି ଖୋଦ୍‌ ବିଚାରପତି ଆସନରେ ବସିବା ନ୍ୟାୟ ପ୍ରକ୍ରିୟା ପ୍ରତି ଉପହାସ। ଅଥଚ, ପ୍ରଧାନ ବିଚାରପତି ନିଜେ ଅଭିଯୁକ୍ତ ହୋଇଥିଲେ ସୁଦ୍ଧା ତାଙ୍କ ଅଧୢକ୍ଷତାରେ ଏକ ତିନିଜଣିଆ ଖଣ୍ତପୀଠ ଅଭିଯୋଗର ବିଚାର କଲେ। ନ୍ୟାୟାଧୀଶ ଆସନରେ ବସିଥିବା ଅଭିଯୁକ୍ତ କେବଳ ଅଭିଯୋଗକୁ ଖଣ୍ତନ କଲେ ନାହିଁ, ପୀଡ଼ିତା ଅଭିଯୋଗକାରିଣୀଙ୍କ ଆପରାଧିକ ପୃଷ୍ଠଭୂମି ଉପରେ କଟୁ ଟିପ୍ପଣୀ ମଧୢ ଦେଲେ। ଅଭିଯୋଗ ଉପରେ ଶୁଣାଣି ଏକତରଫା ଥିଲା। ଅଭିଯୋଗକାରିଣୀ ପୀଡ଼ିତାଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ମଧୢ ଦିଆଗଲା ନାହିଁ; ଯାହା ସ୍ବାଭାବିକ ନ୍ୟାୟ ପାଇଁ ଆଉ ଏକ ମୌଳିକ ସର୍ତ୍ତ। ଏହା କି ପ୍ରକାର ନ୍ୟାୟ? ଏବେ ସୁପ୍ରିମ୍‌କୋର୍ଟଙ୍କ ୧୯୯୭ର ବିଶାଖା ମାମଲାର ରାୟ ଅନୁଯାୟୀ ପୀଡ଼ିତାଙ୍କ ଯୌନ ଶୋଷଣ ଅଭିଯୋଗର ତଦନ୍ତ ଲାଗି ତିନିଜଣ ନ୍ୟାୟମୂର୍ତ୍ତିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ବିସ୍ମୟର କଥା ହେଲା, ଏହି କମିଟି ଗଠନରେ ମଧୢ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶାବଳୀର ଅନୁପାଳନ ହୋଇ ନାହିଁ। କୌଣସି ମହିଳାଙ୍କ ପ୍ରତି ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଗଠିତ ଆଭ୍ୟନ୍ତରୀଣ କମିଟିରେ ସ˚ଖ୍ୟାଗରିଷ୍ଠ ସଦସ୍ୟ ମହିଳା ହେବା ଆବଶ୍ୟକ। ଅଥଚ, ତିନିଜଣିଆ କମିଟିରେ ଦୁଇଜଣ ପୁରୁଷ ବିଚାରପତି ସଦସ୍ୟ ଥିବା ବେଳେ ଜଣେ ମାତ୍ର ମହିଳା ବିଚାରପତି ସଦସ୍ୟା ଅଛନ୍ତି। ଏହାହିଁ ତଦନ୍ତର ଚରିତ୍ର ଓ ଉଦ୍ଦେଶ୍ୟକୁ ସନ୍ଦିଗ୍ଧ କରି ଦେଉଛି। ସଦ୍ୟ ଆଉ ଏକ ନିର୍ଦ୍ଦେଶରେ ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ତେବେ ନ୍ୟାୟମୂର୍ତ୍ତି ପଟ୍ଟନାୟକ କେବଳ ଅଭିଯୋଗ ପଛରେ ‘ଷଡ଼୍ଯନ୍ତ୍ର’ ଦିଗର ତଦନ୍ତ କରିବେ। ପୀଡ଼ିତାଙ୍କ ମୂଳ ଅଭିଯୋଗ ନ୍ୟାୟମୂର୍ତ୍ତି ପଟ୍ଟନାୟକଙ୍କ ତଦନ୍ତର ପରିସରଭୁକ୍ତ ନୁହେଁ। ଏହାର ଅର୍ଥ କ’ଣ? ସୁପ୍ରିମ୍‌କୋର୍ଟ ଧରି ନେଇଛନ୍ତି ଯେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଏକ ଷଡ଼୍ଯନ୍ତ୍ର। ଆଶଙ୍କା ହେଉଛି ପଦର କ୍ଷମତା ଓ ପ୍ରଭାବକୁ ଆୟୁଧ କରି ପ୍ରଥମେ ଗୋଟିଏ ଅପରାଧ କରାଗଲା ଓ ଏବେ ସେହି ପଦର କ୍ଷମତା ଓ ପ୍ରଭାବକୁ ଢାଲ କରି ଆତ୍ମରକ୍ଷା ଲାଗି ଉଦ୍ୟମ ଚାଲିଛି। ଏସବୁ ବୋଧହୁଏ ଏଥିପାଇଁ ଯେ, ଅଭିଯୋଗକାରୀ ପୀଡ଼ିତା ଜଣେ ସାଧାରଣ ମହିଳା ଓ ଯାହାଙ୍କ ବିରୋଧରେ ଅଭିଯୋଗ ସେ ଜଣେ ପ୍ରଭାବଶାଳୀ ପଦର ଅଧିକାରୀ। ସ୍ବାଭାବିକ ଭାବେ ପ୍ରଶ୍ନଉଠୁଛି ଏ ଦେଶରେ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ କ’ଣ କେବଳ ଏକ ମରିଚୀକା? ପ୍ରଭାବଶାଳୀ, ବିତ୍ତଶାଳୀଙ୍କ ସ୍ବାର୍ଥ ପାଖରେ ନ୍ୟାୟବ୍ୟବସ୍ଥା କ’ଣ ବନ୍ଧା ପଡ଼ିଛି? ଗଣତନ୍ତ୍ରର ମୂଳମନ୍ତ୍ର ହେଲା ‘ଆଇନର ଶାସନ’। ଆଇନ ଆଖିରେ ସମସ୍ତେ ସମାନ। ଯିଏ ଯେତେ ବଡ଼ ହେଉ ନା କାହିଁକି, ଆଇନଠାରୁ କେହି ବଡ଼ ନୁହେଁ। କିନ୍ତୁ ଏହି ମାମଲାରେ ସ୍ପଷ୍ଟ ମନେହେଉଛି, ଆଇନ ଆଖିରେ ପୀଡ଼ିତା ଅଭିଯୋଗକାରିଣୀ ସୁପ୍ରିମ୍‌ କୋର୍ଟର ପୂର୍ବତନ ମହିଳା କର୍ମଚାରୀ ଓ ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ନ୍ୟାୟାଧୀଶ ସମାନ ଦେଖାଯାଉ ନାହାନ୍ତି। ଏଥିରେ ମାମଲାର ପିରପେକ୍ଷ ବିଚାର କେମିତି ଆଶା କରାଯାଇ ପାରିବ?
ନ୍ୟାୟପାଳିକା ଭଳି ଭାରତୀୟ ଗଣତନ୍ତ୍ରର ଆଉ ଏକ ସ୍ବାଧୀନ ସାମ୍ବିଧାନିକ ଅନୁଷ୍ଠାନ ହେଲା ନିର୍ବାଚନ ଆୟୋଗ। ନିର୍ବାଚନର ଶୁଦ୍ଧତା ଓ ବିଶ୍ବସନୀୟତା ସହ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ପବିତ୍ରତା ଓ ବିଶ୍ବସନୀୟତା ମଧୢ ଓତପ୍ରୋତ ଭାବେ ଯୋଡ଼ି ହୋଇଛି। ନିର୍ବାଚନର ଶୁଦ୍ଧତା ଓ ବିଶ୍ବସନୀୟତା ଏହାର ଚରିତ୍ର ଅବାଧ ଓ ମୁକ୍ତ ଚରିତ୍ର ଉପରେ ନିର୍ଭରଶୀଳ। ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନାର ଦାୟିତ୍ବ ଆୟୋଗଙ୍କ ଉପରେ ସମ୍ବିଧାନ ନ୍ୟସ୍ତ କରିଛି। କିନ୍ତୁ ଆଦର୍ଶ ନିର୍ବାଚନ ଆଚରଣ ବିଧିର କାର୍ଯ୍ୟକାରିତା ପ୍ରସଙ୍ଗରେ କୋହଳ ଓ ପାତରଅନ୍ତର ମୂଳକ ନୀତି ଆୟୋଗଙ୍କ ବିଶ୍ବସନୀୟତା ଓ ନିରପେକ୍ଷତାକୁ ସନ୍ଦେହ ଘେରକୁ ଟାଣି ଆଣୁଛି। ଏହାର ଅନେକ ଦୁଃଖଦ ଉଦାହରଣ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆଚରଣ ବିଧ ଉଲ୍ଲ˚ଘନ ଅଭିଯୋଗ ପ୍ରସଙ୍ଗରେ ଆୟୋଗଙ୍କ ମନୋଭାବର ଉଲ୍ଲେଖ କରିବା ଏଠାରେ ଯଥେଷ୍ଟ ହେବ। ଆୟୋଗଙ୍କ କଡ଼ା ନିର୍ଦ୍ଦେଶ ଯେ ସେନାବାହିନୀଙ୍କ ନାମରେ ଭୋଟ ମଗାଯାଇ ପାରିବ ନାହିଁ। ସା˚ପ୍ରଦାୟିକ କିମ୍ବା ଜାତିଆଣ ବିଦ୍ବେଷ ସୃଷ୍ଟି କଲା ଭଳି ବୟାନ ନିଷେଧ। ଏହାର ଖିଲାପ କରି କେତେକ ନେତା ଭୋଟ ଆଶାରେ ସେନାର ନାମ ବ୍ୟବହାର କରିଥିବାରୁ ଆୟୋଗ ବିହିତ କାର୍ଯ୍ୟାନୁଷ୍ଠାନ ମଧୢ କରିଛନ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସମାନ ଅଭିଯୋଗ ବେଳକୁ ଆୟୋଗ ଅଦ୍ଭୁତ ଭାବେ ନିରବ। ପ୍ରଧାନମନ୍ତ୍ରୀ ମହୋଦୟ ଏକାଧିକ ନିର୍ବାଚନ ସଭାରେ ପାକିସ୍ତାନର ବାଲାକୋଟ ଉପରେ ବାୟୁସେନାର ‘ଏୟାର‌୍‌ ଷ୍ଟ୍ରାଇକ୍‌’ ଓ ପୁଲଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ସୁରକ୍ଷାକର୍ମୀଙ୍କ ନାମରେ ଭୋଟ ନିବେଦନ କରିଛନ୍ତି। ଅନ୍ତତଃ ଦୁଇଟି ସଭାରେ ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟି କଲା ଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଅଥଚ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏହା ଆୟୋଗଙ୍କ ଅସହାୟତା ନା ପକ୍ଷପାତିତା? ଅସହାୟତା ହେଉ ଅବା ପକ୍ଷପାତିତା, ଅବାଧ ଓ ମୁକ୍ତ ନିର୍ବାଚନର ଏହା ଅନୁକୂଳ ନୁହେଁ। ଉଚ୍ଚ ପଦରେ ଅବସ୍ଥାପିତ ବ୍ୟକ୍ତି ଯଦି ନିୟମର ଉଲ୍ଲ˚ଘନ କରନ୍ତି ଓ ଏହାର ଅନୁପାଳନ ନିଶ୍ଚିତ କରିବା ଦାୟିତ୍ବରେ ଥିବା ଅନୁଷ୍ଠାନର କର୍ତ୍ତୃପକ୍ଷ ସେଥିପ୍ରତି ଆଖିବୁଜି ଦିଅନ୍ତି, ତେବେ ଆପେ ନିୟମର ପବିତ୍ରତା ଓ ନିୟମ ଅନୁପାଳନ ଦାୟିତ୍ବରେ ଥିବା ଅନୁଷ୍ଠାନର ବିଶ୍ବସନୀୟତା ସ˚କଟଗ୍ରସ୍ତ ହୋଇଥାଏ।
ସା˚ପ୍ରତିକ ଘଟଣାକ୍ରମ ପରିପ୍ରେକ୍ଷୀରେ ଯଦି କୁହାଯାଏ ଯେ ଭାରତୀୟ ଗଣତନ୍ତ୍ରର ‘ଚୌକିଦାର’ ଦାୟିତ୍ବ ନେଇଥିବା ଦୁଇଟି ପ୍ରମୁଖ ଅନୁଷ୍ଠାନର ବିଶ୍ବସନୀୟତା ଏବେ ସ˚କଟରେ, ତେବେ ବୋଧହୁଏ ଅତିରଞ୍ଜନ ହେବ ନାହିଁ। ଵିନ୍‌ଷ୍ଟନ୍‌ ଚର୍ଚ୍ଚିଲ୍‌ କହିଥିଲେ ସଙ୍କଟର ଗୋଟିଏ ସକାରାତ୍ମକ ଦିଗ ହେଲା, ଏଥରେ ସୁଯୋଗ ମଧୢ ଥାଏ। ଆଶା, ଚଳିତ ସଙ୍କଟକୁ ସୁଯୋଗ ଭାବେ ଉପଯୋଗ କରି ଭାରତୀୟ ଗଣତନ୍ତ୍ରର ଏହି ଦୁଇ ଜଗୁଆଳି ସାମ୍ବିଧାନିକ ସ˚ସ୍ଥା ଆଗାମୀ ଦିନରେ ବିଶ୍ବସନୀୟତା, ସ୍ବଚ୍ଛତା ଓ ନିରପେକ୍ଷତାର କଷଟିରେ ଖାଣ୍ଟି ଉତ୍ତୁରିବା ଲାଗି ସାମୂହିକ ଭାବେ ନିଷ୍ଠାପର ପ୍ରୟାସ କରିବେ। ଏ ଦିଗରେ ଦେଶର ଜାଗ୍ରତ ଜନମତ ସହାୟକ ହେବ।

ସମ୍ବନ୍ଧିତ ଖବର