ଝଡ଼ ଅମଳ

0

ଇ˚ରେଜୀରେ ଗୋଟିଏ ସୁପରିଚିତ ଢ଼ଗ ହେଉଛି: ‘ଯିଏ ପବନ ମଞ୍ଜି ବୁଣି ଥିବ, ସିଏ ଘୂର୍ଣ୍ଣିବାତ୍ୟା ଫସଲ ଅମଳ କରିବ।’ ୨୦୧୮ ଜାନୁଆରି ୧୨ ତାରିଖ ଦିନ ବର୍ତ୍ତମାନ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଥିବା ଏବ˚ ସେ ସମୟରେ ସୁପ୍ରିମ୍‌ କୋର୍ଟର ଅନ୍ୟତମ ଜଣେ ବରିଷ୍ଠ ବିଚାରପତି ଥିବା ରଞ୍ଜନ ଗୋଗୋଇ ଯେତେବେଳେ ନ୍ୟାୟମୂର୍ତ୍ତି ଜଷ୍ଟିସ୍‌ ଚେଲମେଶ୍ବରଙ୍କ ନେତୃତ୍ବରେ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଅନ୍ୟ ତିନିଜଣ ବରିଷ୍ଠତମ ବିଚାରପତିମାନଙ୍କ ସହିତ ମିଶି ଏକ ଅଶ୍ରୁତପୂର୍ବ ସାମ୍ବାଦିକ ସମ୍ମିଳନୀରେ ବସି ପଡ଼ିଥିଲେ, ସେତେବେଳେ ସେ କେବେହେଲେ ଭାବି ନ ଥିବେ ଯେ ସେଦିନ ସେଠାରେ ସେ ଏହି ପବନ ବିହନ ହିଁ ବପନ କରୁଥିଲେ। ସାମ୍ବାଦିକ ସମ୍ମିଳନୀ ପରେ ଚେଲମେଶ୍ବରଙ୍କୁ ଯେତେବେଳେ ପ୍ରଶ୍ନ ପଚରା ଗଲା ଯେ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ଅଣାଯିବା ଉଚିତ୍‌ ହେବ କି? ସେ ଉତ୍ତର ଦେଇଥିଲେ ଯେ, ଦେଶବାସୀ ସେ ନିଷ୍ପତ୍ତି ନେବେ। ପରେ ଏହି ବିଦ୍ରୋହ ଦ୍ବାରା ଉତ୍ସାହିତ ହୋଇ କ˚ଗ୍ରେସ ନେତୃତ୍ବରେ ବିରୋଧୀ ଦଳମାନେ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ କରିଥିବା ଉଦ୍ୟମ ତ ବ୍ୟର୍ଥ ହେଲା, ଏବେ କିନ୍ତୁ ଦେଶବାସୀ ଦେଖୁଛନ୍ତି ବର୍ତ୍ତମାନ ପ୍ରଧାନ ବିଚାରପତି ଆସନରେ ବସିଥିବା ରଞ୍ଜନ ଗୋଗୋଇ କିପରି ଘୂର୍ଣ୍ଣିବାତ୍ୟା ଅମଳ କରି କରି ହାଲିଆ ହୋଇପଡ଼ିଲେଣି।

ସେଦିନର ସାମ୍ବାଦିକ ସମ୍ମିଳନୀ ସୁପ୍ରିମ୍‌ କୋର୍ଟର ଗରିମାକୁ ଯେଉଁଭଳି ଆକ୍ଷରିକ ଭାବରେ ଦାଣ୍ତରେ ଗଡ଼ାଇ ଦେଇଥିଲା, ତାହାହିଁ ଏବେ ସୁପ୍ରିମ୍‌ କୋର୍ଟର ଜଣେ ସାଧାରଣ ମହିଳା କର୍ମଚାରୀଙ୍କୁ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବାର ସାହସ ପ୍ରଦାନ କରିଛି, ଯାହାକୁ ସୁପ୍ରିମ୍‌ କୋର୍ଟର ତିନିଜଣ ବିଚାରପତିଙ୍କୁ ନେଇ ଗଠିତ (ସେମାନଙ୍କ ମଧୢରୁ ଦୁଇଜଣ ହେଉଛି ମହିଳା ବିଚାରପତି) ଅନୁସନ୍ଧାନ କମିଟି ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସାବ୍ୟସ୍ତ କରିଛି। ତେବେ ଅନୁସନ୍ଧାନ କମିଟିର ସିଦ୍ଧାନ୍ତ ପରେ ଯେ ଘୁର୍ଣ୍ଣିବାତ୍ୟା ଥମି ଯାଇଛି, ଏପରି ନୁହେଁ। ଏହି କମିଟିର ଗଠନ, କାର୍ଯ୍ୟ ଓ ସିଦ୍ଧାନ୍ତ ଉଭୟ ମୁଖ୍ୟସ୍ରୋତ ଗଣମାଧୢମ ତଥା ସୋସିଆଲ ମିଡ଼ିଆରେ ଏକ ନୂତନ ଗୁରୁତର ବିବାଦକୁ ଜନ୍ମ ଦେଇଛି, ଯାହାର ପ୍ରତିଫଳନ ସ୍ବରୂପ ମଙ୍ଗଳବାର ଦିନ ଦିଲ୍ଲୀ ଓ ବାଙ୍ଗାଲୋର‌୍‌ରେ ଜନ ପ୍ରତିବାଦମାନ ଆୟୋଜିତ ହେବା ଦେଖାଯାଇଥିଲା ଏବ˚ ଆଗାମୀ ଦିନ ମାନଙ୍କରେ ଏହା ଦେଶର ଅନ୍ୟାନ୍ୟ ସହରମାନଙ୍କୁ ବ୍ୟାପିବାର ସମସ୍ତ ସମ୍ଭାବନା ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମଇ ୬ ତାରିଖ ଦିନ ସୁପ୍ରିମ୍‌କୋର୍ଟ ଜଣାଶୁଣା ପିଆଇଏଲ୍‌ ଆବେଦନକାରୀ ଓକିଲ ଏମ୍‌ଏଲ୍‌ ଶର୍ମାଙ୍କର ଏକ ଆବେଦନର ଶୁଣାଣି କରିବା ପାଇଁ ଗ୍ରହଣ କରିଛନ୍ତି। ଏମ୍‌ଏଲ୍‌ ଶର୍ମା ଅଭିଯୋଗ କରିଛନ୍ତି ଯେ କେତେଜଣ ଜଣାଶୁଣା ଓକିଲ ମିଶି ଉପରୋକ୍ତ ମହିଳା କର୍ମଚାରୀ ଜଣଙ୍କୁ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଏକ ମିଥ୍ୟା ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିବା ପାଇଁ ପ୍ରବର୍ତ୍ତାଇଛନ୍ତି ଏବ˚ ସେମାନେ ହିଁ ସେ କର୍ମଚାରୀ ଆଣିଥିବା ଅଭିଯୋଗ ଲେଖାଲେଖି କରିଛନ୍ତ। ଏମ୍‌ଏଲ୍‌ ଶର୍ମାଙ୍କ ଆବେଦନ ଅନୁସାରେ ଏହି ଚକ୍ରାନ୍ତକାରୀ ଓକିଲମାନେ ହେଉଛନ୍ତି- ପ୍ରଶାନ୍ତ ଭୂଷଣ, କାମିନୀ ଜୟସ୍ବାଲ୍‌, ଇନ୍ଦିରା ଜୟସ୍ବାଲ୍‌, ବୃନ୍ଦା ଗ୍ରୋଭର‌୍‌, ଶାନ୍ତି ଭୂଷଣ, ଦୁଷ୍ୟନ୍ତ ଡାଭେ ଏବ˚ ନିନା ଗୁପ୍ତା ଭାସିନ୍‌ ଆଦି। କହିବା ବାହୁଲ୍ୟ ଏମାନେ ସମସ୍ତେ ବିଭିନ୍ନ ପ୍ରସଙ୍ଗରେ ସକ୍ରିୟ ଭୂମିକା ନିର୍ବାହ କରୁଥିବା ଆନ୍ଦୋଳନାତ୍ମକ ଓକିଲ ରୂପେ ବେଶ୍‌ ସୁପରିଚତ।

ପ୍ରଧାନ ବିଚାରପତି ଗୋଗୋଇଙ୍କୁ ଏବେ ଯାହା ଏକ ବିଡ଼ମ୍ବନା ପରି ମନେ ହେଉଥିବ, ତାହା ହେଲା ଏହି ଓକିଲମାନେ ସେତେବେଳେ ବିଦ୍ରୋହୀ ବିଚାରପତିମାନଙ୍କର ସାମ୍ବାଦିକ ସମ୍ମିଳନୀକୁ ଅକୁଣ୍ଠ ସମର୍ଥନ ପ୍ରଦାନ କରିଥିଲେ। ଉଦାହରଣ ସ୍ବରୂପ ପ୍ରଶାନ୍ତ ଭୂଷଣ ସେତେବେଳେ ଏକ ସମ୍ବାଦ ପତ୍ରିକାକୁ ସାକ୍ଷାତକାର ଦେଇ କହିଥିଲେ ଯେ ଉପରୋକ୍ତ ଚାରିଜଣ ବିଚାରପତି ‘ହ୍ବିସ୍‌ଲ ବ୍ଲୋଅର‌୍‌’ ଭଳି ପ୍ରଶ˚ସନୀୟ କାର୍ଯ୍ୟ କରିଛନ୍ତି ଏବ˚ ସେମାନେ ସମସ୍ତେ ହେଉଛନ୍ତି ଅତ୍ୟନ୍ତ ନମ୍ର ଏବ˚ ସମ୍ମାନାସ୍ପଦ ବିଚାରପତି। ଏବେ ମନେ ହେଉଛି ଦୀପକ ମିଶ୍ରଙ୍କ ସହିତ ପ୍ରଶାନ୍ତ ଭୂଷଣଙ୍କର ବ୍ୟକ୍ତିଗତ ତିକ୍ତ ସମ୍ପର୍କ ବୋଧହୁଏ ତାଙ୍କୁ ବିଦ୍ରୋହୀମାନଙ୍କୁ ସମର୍ଥନ ଦେବାକୁ ପ୍ରଭାବିତ କରିଥିଲା। ୨୦୧୭ ନଭେମ୍ବରରେ ମେଡ଼ିକାଲ କଲେଜ ଲାଞ୍ଚ ମାମଲାର ‘ଏସ୍‌ଆଇଟି’ ଅନୁସନ୍ଧାନ ଦାବି କରି ପ୍ରଶାନ୍ତ ଭୂଷଣ କରିଥିବା ପିଆଇଏଲ୍‌ର ଶୁଣାଣି ବେଳେ ପ୍ରଶାନ୍ତ ଭୂଷଣଙ୍କର ‘ଏଫଆଇଆର‌୍‌’ ସମ୍ବନ୍ଧିତ ଏକ ମିଥ୍ୟା ବକ୍ତବ୍ୟ ଧରାପଡିବା ପରେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ତାଙ୍କୁ କହିଥିଲେ: ‘‘ମିଷ୍ଟର‌୍‌ ଭୂଷଣ, ମୁଁ ପ୍ରକୃତରେ ଦୁଃଖିତ, କିନ୍ତୁ ବର୍ତ୍ତମାନ ତୁମେ ଅଦାଲତ ଅବମାନନା ପାଇଁ ଦାୟୀ। କିନ୍ତୁ ତୁମେ ଅବମାନନା (କଣ୍ଟେମ୍ପ୍ଟ) ପାଇଁ ମଧୢ ଯୋଗ୍ୟ ନୁହଁ’’।

ସେତେବେଳେ ଭୂଷଣଙ୍କ ସମର୍ଥନ ଗୋଗୋଇଙ୍କୁ ବେଶ୍‌ ହୃଷ୍ଟ କରିଥିବ। ସେତେବେଳେ ସେ ଭୁଲି ଯାଇଥିବେ ଯେ ଭୂଷଣ ହେଉଛନ୍ତି ଏକ ହୁଗୁଳା କମାଣ, ଯାହାର ସେ ବି ଦିନେ ନିଶାଣ ହୋଇପାରନ୍ତି- ଯାହା ଏବେ ଘଟିଛି। ଦୀପକ ମିଶ୍ରଙ୍କ ବିରୋଧରେ ଯେଉଁ ଅଭିଯୋଗ କରି ସେଦିନ ଗୋଗୋଇ ଓ ତାଙ୍କ ସାଥୀ ନ୍ୟାୟମୂର୍ତ୍ତିମାନେ ଦାଣ୍ତକୁ ବାହାରି ପଡିଥିଲେ, ବର୍ତ୍ତମାନ ଯୌନ ଉତ୍ପୀଡ଼ନ ମାମଲାର ବିଚାରରେ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ମଧୢ ସେଇଭଳି ଅଭିଯୋଗ ହେବାରେ ଲାଗିଛି। ଦୀପକ ମିଶ୍ରଙ୍କ ବିରୋଧରେ ଏକ ମୁଖ୍ୟ ଅଭିଯୋଗ ଥିଲା ଯେ ସେ କୁଆଡେ ନିଜ ପସନ୍ଦ ଅନୁସାରେ କୌଣସି ବେଞ୍ଚ୍‌ରେ ମାମଲା ପକାଉଥିଲେ। ବର୍ତ୍ତମାନର ଯୌନ ଉତ୍ପୀଡ଼ନ ଅଭିଯୋଗର ଆଭ୍ୟନ୍ତରୀଣ ଅନୁସନ୍ଧାନ ନିମିତ୍ତ ପ୍ରଧାନ ବିଚାରପତି ପ୍ରଥମେ ଯେଉଁ ବେଞ୍ଚ୍‌ ଗଠନ କରିଥିଲେ, ଅଭିଯୋଗକାରିଣୀ (ଅର୍ଥାତ୍‌ ତାଙ୍କ ଉପଦେଷ୍ଟାମାନ)ଙ୍କର ବିରୋଧ ଯୋଗୁଁ ସେଥିରୁ ଗୋଗୋଇଙ୍କ କନିଷ୍ଠ ନ୍ୟାୟମୂର୍ତ୍ତି ଏନ୍‌.ଭି. ରମନା ଅପସରି ଯିବାକୁ ବାଧୢ ହୋଇଥିଲେ।

ସୁପ୍ରିମ୍‌ କୋର୍ଟର ଆଭ୍ୟନ୍ତରୀଣ କମିଟି ରଞ୍ଜନ ଗୋଗୋଇଙ୍କୁ ଏକ କ୍ଲିନ୍‌ ଚିଟ୍‌ ଦେଇଥିଲେ ମଧୢ ଏହି ଅଭିଯୋଗ ଓ ତାହାର ବିଚାର ସମ୍ପର୍କିତ ଯେଉଁ ଅନେକ ଅସମାହିତ ପ୍ରଶ୍ନମାନ ବର୍ତ୍ତମାନ ସାଧାରଣରେ ଆଲୋଚିତ ହେବାରେ ଲାଗିଛି ସେଗୁଡିକର ସନ୍ତୋଷଜନକ ଉତ୍ତର ନ ମିଳିବା ପର୍ଯ୍ୟନ୍ତ ଉଭୟ ପ୍ରଧାନ ବିଚାରପତି ଓ ସୁପ୍ରିମ୍‌ କୋର୍ଟର ଭାବମୂର୍ତ୍ତି ଉପରେ ଲାଗିଥିବା ଦାଗ ପୋଛି ହୋଇଯିବାର ସମ୍ଭାବନା ନାହିଁ। ଏଥିମଧୢରୁ କେତୋଟି ମାତ୍ର ପ୍ରଶ୍ନ ଏଠାରେ ଉଲ୍ଲେଖ କରାଯାଇପାରେ। କୋର୍ଟ କାହିଁକି ଅଭିଯୁକ୍ତ ଓ ଅଭିଯୋଗକାରିଣୀଙ୍କ ମଧୢରେ ଥିବା କ୍ଷମତାର ଅସମତୁଲ ଅବସ୍ଥା ଦୂର କରିବା ପାଇଁ ଏକ ସ୍ବଚ୍ଛ ପ୍ରକ୍ରିୟା ବ୍ୟବହାର କଲେ ନାହିଁ, କିମ୍ବା ତାଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଓକିଲଙ୍କୁ ଅନୁମତି ଦେଲେ ନାହିଁ? ମାତ୍ର ଚାରିଥର ବସିବା ପରେ କମିଟି କାହିଁକି ତରବରିଆ ଭାବରେ ଏକ ସିଦ୍ଧାନ୍ତରେ ପହଞ୍ଚି ଗଲେ? ଅଭିଯୋଗକାରିଣୀ ଅନୁସନ୍ଧାନରୁ ଓହରି ଯିବାପରେ ତାଙ୍କ ସହିତ କାହିଁକି ଆଲୋଚନା କରାଗଲା ନାହିଁ ଏବ˚ ଏକ ତରଫା ଭାବରେ ଅନୁସନ୍ଧାନ ଜାରି ରଖାଗଲା? କମିଟିର ରିପୋର୍ଟକୁ କାହିଁକି ଗୋପନୀୟ ରଖାଯାଇଛି? ଅଭି‌େଯାଗକାରିଣୀଙ୍କୁ ଏହାର ଏକ ନକଲ କାହିଁକି ଦିଆଯାଉନାହିଁ? କମିଟିକୁ ଯଦି ‘ଅଣଆନୁଷ୍ଠାନିକ’ ବୋଲି ଅଭିହିତ କରାଯାଉଛି, ତାହାର ରିପୋର୍ଟକୁ କାହିଁକି ସେଇଭଳି ହାଲୁକା ଭାବରେ ‘ଅଣଆନୁଷ୍ଠାନିକ’ ବୋଲି ବିଚାର କରାନଯିବ? ଏଭଳି ଆହୁରି ଅନେକ ପ୍ରଶ୍ନମାନ ଘୂରି ବୁଲୁଛନ୍ତି, ଏବ˚ ସେଥିମଧୢରୁ ଅନେକ ଭିତ୍ତିହୀନ ହୋଇପାରେ। କିନ୍ତୁ ଏଥିପାଇଁ ୨୦୧୨ର ସେଇ ସାମ୍ବାଦିକ ସମ୍ମିଳନୀର ହିଁ ମଞ୍ଜି ପୋତା ଯାଇ ନ ଥିଲା କି?

ସମ୍ବନ୍ଧିତ ଖବର

Leave A Reply

Your email address will not be published.