ମ୍ୟାଚ୍‌ ‘ଡ୍ର’-ଏଠି ନବୀନ, ସେଠି ମୋଦୀ

ଊଣେଇଶ ନିର୍ବାଚନରେ ଓଡ଼ିଶାରେ ୧୪୬ ବିଧାନସଭା ଆସନ ପାଇଁ ୧୧୨୩ ଏବ˚ ୨୧ ଲୋକସଭା ଆସନ ପାଇଁ ୧୭୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ମୋଟ ୧୨୯୭ଜଣ ଦଳୀୟ- ନିର୍ଦଳୀୟ ପ୍ରତିଦ୍ବନ୍ଦ୍ବୀ ପରସ୍ପର ସହ ଲଢେ଼ଇରେ ଅବତୀର୍ଣ୍ଣ ହୋଇଥିଲେ ସୁଦ୍ଧା ବାସ୍ତବରେ କେବଳ ମାତ୍ର ଦୁଇଜଣଙ୍କ ମଧୢରେ ଲଢେ଼ଇ ସୀମିତ ଥିଲା। ଗୋଟଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧୢରେ ସାଧାସଳଖ ଲଢେ଼ଇ ହେଉଥିଲା। ଓଡ଼ିଶା ମଇଦାନରେ ୨୦୧୯ର ଏହି ‘ବ୍ରାଣ୍ତ ନବୀନ’ ବନାମ ‘ବ୍ରାଣ୍ତ ମୋଦୀ’ ମର୍ଯ୍ୟାଦା ଜନକ ଲଢେ଼ଇ ବସ୍ତୁତଃ ‘ଡ୍ର’ ହୋଇଛି। ବିଧାନସଭା ଲଢେ଼ଇରେ ‘ବ୍ରାଣ୍ତ ନବୀନ’ ବାଜିମାତ୍‌ କରି ବିଜେଡିକୁ ଲଗାତାର ତୃତୀୟଥର ସ୍ପଷ୍ଟ ବହୁମତ ଦେଇଛି। ଫଳରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ କ୍ରମାଗତ ପଞ୍ଚମ ଇନି˚ସ୍‌ ପାଇଁ ସ୍ବାଗତ ତୋରଣ ପ୍ରସ୍ତୁତ। ଅନ୍ୟପକ୍ଷରେ, ଲୋକସଭାରେ ‘ବ୍ରାଣ୍ତ୍‌ ମୋଦୀ’ର ଚମକ ବଳରେ ରାଜ୍ୟର ୨୧ ଆସନରୁ ସର୍ବାଧିକ ବିଜେପି ଖାତାକୁ ଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ କୌଣସି ଗଣମାଧୢମ ସ˚ସ୍ଥା ଭାବେ ‘ସମ୍ବାଦ-କନକ ନ୍ୟୁଜ୍‌’ ପକ୍ଷରୁ ଅନୁଷ୍ଠିତ ରାଜ୍ୟବ୍ୟାପୀ ବୁଥ୍‌ ବାହୁଡ଼ା ମତ ବା ‘ଏକ୍‌ଜିଟ୍‌ ପୋଲ୍‌’ ଫଳାଫଳରୁ ଏହି ସ˚କେତ ମିଳିଛି। ନିର୍ବାଚନ ପ୍ରଚାର କାଳରେ ମତଦାତାଙ୍କ ମୁହଁରେ ‘ଏଠି ନବୀନ, ସେଠି ମୋଦୀ’ ବୋଲି ଯାହା ଶୁଣାଯାଉଥିଲା, ତାହାର ପ୍ରତିଫଳନ ଆଗାମୀ ୨୩ ତାରିଖ ଔପଚାରିକ ଭାବେ ଚୂଡ଼ାନ୍ତ ଭୋଟ ଫଳାଫଳରେ ଦେଖିବାକୁ ମିଳିପାରେ।

ଏପ୍ରିଲ ୧୧ରୁ ୨୯ ମଧୢରେ ଚାରିଟି ପର୍ଯ୍ୟାୟରେ ମତଦାନ ହୋଇଥିବା ସବୁ ଲୋକସଭା ଓ ସବୁ (ପାଟକୁରା ବ୍ୟତୀତ) ବିଧାନସଭା ନିର୍ବାଚନ ମଣ୍ତଳୀର ପାଖାପାଖି ଏକଲକ୍ଷ ମତଦାତା ଭାଗ ନେଇଥିବା ‘ସମ୍ବାଦ-କନକନ୍ୟୁଜ୍‌’ ବୁଥ୍‌ ବାହୁଡ଼ା ମତର ଫଳାଫଳ ଅନୁଯାୟୀ ବିଜେଡି ବିଧାନସଭାରେ ୮୫ରୁ ୯୫ ପର୍ଯ୍ୟନ୍ତ ଆସନ ପାଇପାରେ। ଏହା ୧୪୭ ଜଣିଆ ବିଧାନସଭାରେ ସ˚ଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୭୪ ସ˚ଖ୍ୟା ଅତିକ୍ରମ କରିବା ଲାଗି ଯଥେଷ୍ଟ। ବିଜେପି ୨୫ରୁ ୩୪ ଏବ˚ କ˚ଗ୍ରେସ ୧୨ରୁ ୧୫ ଆସନ ସହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ। ଅନ୍ୟାନ୍ୟ ନିର୍ଦଳୀୟଙ୍କ ଖାତାକୁ ୧ରୁ ୩ ଆସନ ଯିବା ସମ୍ଭାବନା ରହିଛି। ତେବେ ବିଧାନସଭାଠାରୁ ଲୋକସଭା ଫଳାଳଫଳର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ। ବିଧାନସଭା ଭଳି ଲୋକସଭାରେ ମଧୢ କ˚ଗ୍ରେସ ସବାଶେଷରେ ୩ ନମ୍ବର ସ୍ଥାନରେ ରହିବ। କିନ୍ତୁ ବିଜେଡି ଓ ବିଜେପି ମଧୢରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଦଳ ବଦଳ ହୋଇପାରେ। ରାଜ୍ୟର ୨୧ ଲୋକସଭା ଆସନ ମଧୢରୁ ୮ରୁ ୧୨ ଆସନ ସହ ମୋଦୀଙ୍କ ବିଜେପି ଏକ ନମ୍ବର ଓ ବିଜେଡି ୬ରୁ ୯ ଆସନ ସହ ଦୁଇ ନମ୍ବରରେ ରହିବ। କ˚ଗ୍ରେସ ଖାତାକୁ ୦ ରୁ ୧ ଆସନ ଯାଇପାରେ। ବିଧାନସଭାରେ ବିଜେଡିର ପ୍ରଦର୍ଶନ ସମାନୁପାତିକ ଭାବେ ଲୋକସଭାରେ ପ୍ରତିଫଳିତ ହେବ ନାହିଁ। ବିଧାନସଭା ଅନୁପାତରେ ଲୋକସଭାରେ ବିଜେଡି କମ୍‌ ଆସନ ପାଇବ। ଅନ୍ୟପକ୍ଷରେ ବିଜେପିର ପ୍ରଦର୍ଶନ ବିଧାନସଭା ଅନୁପାତରେ ଲୋକସଭାରେ ବହୁତ ଭଲ ରହିବ। ଚଉଦ ତୁଳନାରେ ହିନ୍ଦୁତ୍ବ ଦଳର ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆସିଥିବା ବେଳେ କ˚ଗ୍ରେସର ସ୍ଥିତି ଆହୁରି ତଳକୁ ଖସିଛି। ଅବଶ୍ୟ, ସର୍ବପୁରାତନ ଦଳର ପ୍ରଦର୍ଶନ ଯେତେ ଶୋଚନୀୟ ହେବ ବୋଲି ଆଶଙ୍କା କରାଯାଉଥିଲା ସେତିକି ଦୟନୀୟ ହୋଇନାହିଁ।

‘ବ୍ରାଣ୍ତ ନବୀନ’ ଓ ‘ବ୍ରାଣ୍ତ ମୋଦୀ’ ବଳରେ ଯଥାକ୍ରମେ ବିଜେଡି ଓ ବିଜେପିରେ ପ୍ରଦର୍ଶନ ସମ୍ପର୍କରେ ‘ଏକଜିଟ୍‌ ପୋଲ୍‌’ ବା ବୁଥ୍‌ ବାହୁଡ଼ା ମତରେ ଯେଉଁ ସ˚କେତ ମିଳିଛି, ତାହା ସମ୍ପୂର୍ଣ୍ଣ ଆପେକ୍ଷିତ ଥିଲା। କାରଣ ନିର୍ବାଚନ ପୂର୍ବରୁ ପ୍ରାୟ ପ୍ରତ୍ୟେକ ଜନମତ ସର୍ଭେରେ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ବିପୁଳ ଲୋକପ୍ରିୟତା ଏବ˚ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ଗ୍ରହଣୀୟତା ଯଥେଷ୍ଟ ଥିବାର ସୂଚନା ମିଳୁଥିଲା। ଦୁଇ ନେତାଙ୍କ ବିପୁଳ ଲୋକପ୍ରିୟତା ଓ ସେମାନଙ୍କ ନେତୃତ୍ବାଧୀନ ଯଥାକ୍ରମେ ରାଜ୍ୟ ଓ କେନ୍ଦ୍ର ସରକାରର ପ୍ରଦର୍ଶନ ନେଇ ମତଦାତାଙ୍କ ମଧୢରେ ସନ୍ତୋଷ ବିଜେଡି ଓ ବିଜେପି ସପକ୍ଷରେ ଭୋଟରେ ରୂପାନ୍ତରିତ ହୋଇଛି। ଏଥର ମୋଦିଙ୍କ ଆଡ଼କୁ ଅଧିକ ସ˚ଖ୍ୟାରେ ମତଦାତା ଢଳିବାର ଏକ ବିଶେଷ କାରଣ ପୁଲଵାମା ଓ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରବର୍ତ୍ତୀ ପରିସ୍ଥିତିରେ ନିର୍ବାଚନର ପ୍ରସଙ୍ଗ ଭାବେ ଜାତୀୟ ନିରାପତ୍ତାର ଗୁରୁତ୍ବ।

ସମ୍ବାଦ- କନକନ୍ୟୁଜ୍‌ ‘ଏକ୍‌ଜିଟ୍‌ ପୋଲ’ ବା ବୁଥ୍‌ ବାହୁଡ଼ା ମତ ଓଡ଼ିଶା ପାଇଁ ଊଣେଇଶ ଜନାଦେଶର ଚିତ୍ର ଓ ଚରିତ୍ର ସମ୍ପର୍କରେ କ’ଣ ସୂଚନା ଦେଉଛି? ସ˚ଖ୍ୟାଗରିଷ୍ଠ ଭୋଟର ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଏବ˚ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ଚାହାନ୍ତି। ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଓଡ଼ିଶା ଭୋଟରଙ୍କ ପସନ୍ଦ। ମତଦାତାଙ୍କ ମଧୢରେ ମାନସିକ ସ୍ତରରେ ନବୀନ-ମୋଦୀ ମେଣ୍ଟ -ଏଠି ଶଙ୍ଖ ସେଠି ପଦ୍ମକୁ ବିଭାଜିତ ଭୋଟରେ ପ୍ରତିଫଳିତ ହୋଇଛି। ବିଧାନସଭା ଓ ଲୋକସଭା ପାଇଁ ଭିନ୍ନ ଭିନ୍ନ ଦଳ ପ୍ରତି ଭୋଟରଙ୍କ ପସନ୍ଦ ଏଥର କିଛି ନୂଆ ନୁହେଁ। ଗତ ଚଉଦରେ ମଧୢ ବିଜେଡିକୁ ବିଧାନସଭା ପାଇଁ ଯେତିକି ଭୋଟ ମିଳିଥିଲା ଲୋକସଭାରେ ତା’ଠାରୁ କମ୍‌ ଭୋଟ୍‌ ମିଳିଥିଲା। କିନ୍ତୁ ବିଧାନସଭା ଓ ଲୋକସଭା ପାଇଁ ବିଜେଡିର ଭୋଟ ଶତା˚ଶରେ ପାର୍ଥକ୍ୟ ମାତ୍ର ୦.୩୬%ରେ ନଗଣ୍ୟ ଥିଲା। ଏଥର କିନ୍ତୁ ଦଳର ବିଧାନସଭା ତୁଳନାରେ ଲୋକସଭାର ଭୋଟ ଶତା˚ଶ ଉଲ୍ଲେଖନୀୟ ଭାବେ କମିଛି। ବିଧାନସଭାରେ ବିଜେଡିକୁ ୪୪% ଓ ଲୋକସଭାରେ ୩୯% ଭୋଟ ମିଳିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଚଉଦରେ ବିଜେପିର ଭୋଟ ଶତା˚ଶ ବିଧାନସଭା ଅପେକ୍ଷା ଲୋକସଭାରେ ୩.୫% ଅଧିକ ଥିଲା। ଏଥର ବିଧାନସଭା ତୁଳନାରେ ଲୋକସଭାରେ ବିଜେପିକୁ ୧୦% ଅଧିକ ଭୋଟ ମିଳିପାରେ। ବିଧାନସଭାରେ ବିଜେପିକୁ ୩୨% ଓ ଲୋକସଭାରେ ୪୨% ଭୋଟ ମିଳବାର ସମ୍ଭାବନା ରହିଛି। ଭୋଟ ଶତା˚ଶରେ ଏହି ପରିବର୍ତ୍ତନ ଲୋକସଭାରେ ବିଜେପିକୁ ଅଧିକ ଆସନ ଦେଇଛି। ବିଜେଡିକୁ ଗତଥରଠାରୁ କମ୍‌ ଆସନ ମିଳିଛିା ଅନେକ ଲୋକସଭା ଆସନ ଅନ୍ତର୍ଗତ ଅଧିକା˚ଶ ବିଧାନସଭା ଆସନରେ ବିଜେଡି ଜିତୁଥିବା ବେଳେ, ବିଜେପି ପ୍ରାର୍ଥୀ ଲୋକସଭା ଆସନରେ ବିଜୟୀ ହେବା ସମ୍ଭାବନା ଅଧିକ।

ନବୀନ ଓ ବିଜେଡି ବିରୋଧରେ ‘ପରିବର୍ତ୍ତନ’ର ଆହ୍ବାନକୁ ମତଦାତା ପ୍ରତ୍ୟାଖାନ କରି ଶାସନରେ ସ୍ଥିତାବସ୍ଥା ଜାରି ରଖିଛନ୍ତି। କିନ୍ତୁ ଶାସକ ବିଜେଡି ସପକ୍ଷରେ ରହି ଆସିଥିବା ରାଜନୈତିକ ସମୀକରଣକୁ ବଦଳାଇ ଦେଇଛନ୍ତି। ବିଜେପି ହାତରେ ପୁଣିଥରେ କ୍ଷମତା ଡୋରି ଦେଇଥିଲେ ମଧୢ ଏହାର ଏକଚାଟିଆ ପ୍ରାଧାନ୍ୟ ଉପରେ ଅଙ୍କୁଶ ଲଗାଇଛନ୍ତି। ଗତ ଦୁଇ ଦଶକ ଧରିି ବିଜେଡିର ଗଡ଼ କୁହାଯାଉଥିବା ଅନେକ ଆସନରେ ପଦ୍ମ ଫୁଟିଛି। ବିଶେଷକରି ବିଜେଡିର ଅଭେଦ୍ୟ ଦୁର୍ଗ ଉପକୂଳରେ ବିଜେପିର ଅନୁପ୍ରବେଶ ହୋଇଛି। ଗତ ଦୁଇଟି ବିଧାନସଭାରେ ବିଜେଡିର ଆସନ ସ˚ଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଁ ୨୦୦୯ରେ ୧୦୩ ଏବ˚ ୨୦୧୪ରେ ୧୧୭ରେ ପହଞ୍ଚିଥିଲା। ଏଥର ବିଜେଡିର ଆସନ ସ˚ଖ୍ୟା ୧୦୦ରୁ ତଳକୁ ଖସିଯାଇପାରେ। ବିଜେଡିର ଭୋଟ ଶତା˚ଶ ଗତଥର ସହ ପ୍ରାୟ ସମାନ ଥିଲେ ସୁଦ୍ଧା ଆସନ ସ˚ଖ୍ୟା କମୁଛି। ଅନ୍ୟପକ୍ଷରେ କିନ୍ତୁ ବିଧାନସଭାରେ ବିଜେପିର ଭୋଟ ଶତା˚ଶ ୧୮%ରୁ ୩୨%କୁ ବୃଦ୍ଧି ପାଇଛି। କ˚ଗ୍ରେସର ଭୋଟ ୨୫%ରୁ ୨୦%କୁ ଖସି ଆସିଛି। ତେବେ ବିଜେଡିର ଭୋଟ ଶତା˚ଶ ୪୪%ରେ ଅପରିବର୍ତ୍ତିତ ରହିଥିବା ବେଳେ ମିଳିତ ଭାବେ ବିଜେପି ଓ କ˚ଗ୍ରେସର ଭୋଟ ଶତା˚ଶ ୪୩%ରୁ ୫୨%କୁ ବୃଦ୍ଧି ପାଇଛି। ସେଥିପାଇଁ ବିଜେଡ଼ିର ଆସନ ସ˚ଖ୍ୟା କମିଛି। ବିଧାନସଭାରେ ସରକାରୀ ଦଳର ସ˚ଖ୍ୟା ହ୍ରାସ ଏବ˚ ବିରୋଧୀ ପକ୍ଷରେ ଶକ୍ତି ବୃଦ୍ଧି ଶାସକ ଦଳକୁ ଅଧିକ ଉତ୍ତରଦାୟୀ କରି ଶାସନରେ ଭାରସାମ୍ୟ ଆଣିବ। ଏହା ସ˚ସଦୀୟ ଗଣତନ୍ତ୍ର ପାଇଁ ଏକ ସୁସ୍ଥ ସ˚କେତ। ଅବଶ୍ୟ ଓଡ଼ିଶାର ସ୍ବାର୍ଥ୍ୟ ଦୃଷ୍ଟିରୁ ଏହାର ନକାରାତ୍ମକ ଦିଗ ପ୍ରତି ଅଣଦେଖା କରାଯାଇ ନପାରେ। ଏକ ସ˚ଘୀୟ ବ୍ୟବସ୍ଥାର କେନ୍ଦ୍ର ସହ ମୂଲଚାଲ ପାଇଁ ଏହା ଓଡ଼ିଶା ସରକାରଙ୍କ ସାମର୍ଥ୍ୟକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ପୁଣି ରାଜନୈତିକ ଦୃଷ୍ଟିରୁ ଜାତୀୟ ସ୍ତରରେ ଗୋଟିଏ ପ୍ରଭାବଶାଳୀ ଆଞ୍ଚଳିକ ଖେଳାଳି ଭାବେ ବିଜେଡିର ଭୂମିକା ମଧୢ ସ˚କୁଚିତ ହୋଇପାରେ। ସମୀକରଣର ଅଦଳ ବଦଳରେ ବିଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ରହି ଆସିଥିବା କ˚ଗ୍ରେସ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଓ ୩ ନମ୍ବର ସ୍ଥାନରୁ ଉଠି ଦୁଇ ନମ୍ବରରେ ନିଜର ସ୍ଥାନ ପକ୍କା କରି ନେଇଥିବା ବିଜେପି ସର୍ବାଧିକ ଲାଭବାନ ହେବାକୁ ଯାଉଛି। ୧୦ ବର୍ଷ ତଳେ ଶାସକ ମେଣ୍ଟରୁ ବିତାଡିତ ବିଜେପିର ଆସନ ବିଧାନସଭାରେ ତିନିଗୁଣ ଓ ଲୋକସଭା ଆସନ ସ˚ଖ୍ୟା ୧୦ ଗୁଣ ବୃଦ୍ଧି ପାଇବା ଏକ ବିରାଟ ଉପଲବ୍‌ଧି। ଊଣେଇଶ ଫଳାଫଳ ଷୋଡ଼ଶ ବିଧାନସଭାର ଚିତ୍ର ବଦଳାଇ ଦେବ। ପ୍ରଥମ ଥର ପାଇଁ କ˚ଗ୍ରେସ ସ୍ଥାନରେ ଭାରତୀୟ ଜନତା ପାର୍ଟି ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ଲାଭ କରିବ। ୨୦୧୭ ଫେବ୍ରୁଆରି ପଞ୍ଚାୟତ ନିର୍ବାଚନ ଫଳାଫଳରୁ ରାଜ୍ୟରେ ଯେଉଁ ନୂଆ ସମୀକରଣର ସ˚କେତ ମିଳିଥିଲା, ଊଣେଇଶ ସାଧାରଣ ନିର୍ବାଚନ ଫଳାଫଳରେ ମଧୢ ସେହି ସମୀକରଣ ବଳବତ୍ତର ରହିଥିବା ସୂଚନା ମିଳିଛି।

ବୁଥ୍‌ ବାହୁଡ଼ା ମତ ବା ଏକଜିଟ୍‌ ପୋଲ୍‌ର ଫଳାଫଳ ଓ ଏହାକୁ ଆଧାର କରି ସମ୍ଭାବ୍ୟ ଜନାଦେଶର ଚିତ୍ର ଓ ଚରିତ୍ର ଉପରେ ଆଲୋଚନା ବେଳେ ଆମେ ଅବଗତ ଯେ, ‘ଏକ୍‌ଜିଟ୍‌ ପୋଲ’ କଦାପି ‘ଏକ୍‌ଜାକ୍ଟ୍‌ ପୋଲ’ ନୁହେଁ। ୨୩ ତାରିଖ ପ୍ରକାଶ ପାଇବାକୁ ଥିବା ଆନୁଷ୍ଠାନିକ ଚୂଡ଼ାନ୍ତ ଫଳାଫଳ ସହ ସମ୍ବାଦ- କନକ ଟିଭିର‘ବୁଥ୍‌ ବାହୁଡା ମତ’ର ଫଳାଫଳ ସମ୍ପୂର୍ଣ୍ଣ ମେଳ ଖାଇ ନପାରେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବହୁ ଖ୍ୟାତନାମା ଗଣମାଧୢମ ଓ ଗବେଷଣା ସ˚ସ୍ଥାଙ୍କ ଜନମତ ସର୍ଭେ ଏବ˚ ବୁଥ୍‌ ବାହୁଡ଼ା ମତ କ୍ଷେତ୍ରରେ ମଧୢ ଏହା ଘଟିଛି। ଅନେକ ‘ଏକ୍‌ଜିଟ୍‌ ପୋଲ’ ଭୁଲ ପ୍ରମାଣିତ ହୋଇଛି। ତଥାପି, ୧୯୮୪ରୁ ‘ସମ୍ବାଦ’ ପ୍ରକାଶନ ଆରମ୍ଭ ଦିନଠାରୁ ପ୍ରାୟ ପ୍ରତ୍ୟେକ ନିର୍ବାଚନରେ ପ୍ରାୟତଃ ସଠିକ୍‌ ପୂର୍ବାନୁମାନର ଅଭିଜ୍ଞତା ଆଧାରରେ ଆମେ ଏତିକି ବିଶ୍ବାସର ସହ କହିପାରୁ ଯେ, ଆମର ବୁଥ୍‌ ବାହୁଡ଼ା ମତ ବା ‘ଏକ୍‌ଜିଟ୍‌ ପୋଲ’ ଫଳାଫଳ ଓ ୨୩ ତାରିଖ ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ମଧୢରେ ସ˚ଖ୍ୟା ଦୃଷ୍ଟିରୁ ୫%ରୁ ୧୦% ପର୍ଯ୍ୟନ୍ତ ଏପଟସେପଟ ହୋଇପାରେ କିନ୍ତୁ ମୋଟାମୋଟି ଫଳାଫଳ ଓ ଜନାଦେଶର ଚିତ୍ର ଓ ଚରିତ୍ରରେ ‘ସମ୍ବାଦ’ ଆକଳନର ଛାୟା ରହିବ। ଶେଷରେ ବିଶିଷ୍ଟ ଆମେରିକୀୟ ରାଜନୀତିଜ୍ଞ ଗ୍ୟାରୀ ଜନ୍‌ସନ୍‌ଙ୍କ ଏକ ଉକ୍ତିକୁ ଉଦ୍ଧାର କରି ରାଜ୍ୟର ରାଜନୈତିକ ବର୍ଗଙ୍କୁ ପଦେ- ହାର ଜିତ୍‌ ନିର୍ବିଶେଷରେ ପ୍ରତ୍ୟେକ ନିର୍ବାଚନ ନୂଆ ଆଶା, ନୂଆ ଆଭିମୁଖ୍ୟ ଓ ନୂଆ ଆରମ୍ଭ ପାଇଁ ଏକ ସୁଯୋଗ।

ସମ୍ବନ୍ଧିତ ଖବର