ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ଠାରୁ ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଛନ୍ତି: ‘‘ସମ୍ପଦ ସୃଷ୍ଟି ହେଉଛି ଏକ ଜାତୀୟ ସେବା।’’ ଏ ସମ୍ପଦ ସୃଷ୍ଟିକର୍ତ୍ତା କିଏ? ଶିଳ୍ପ ବିପ୍ଳବ ପରବର୍ତ୍ତୀ ଦୁନିଆରେ ଗଣତାନ୍ତ୍ରିକ ପୁଞ୍ଜିବାଦ ଢ଼ାଞ୍ଚା ଅନୁସରଣ କରିଥିବା ଦେଶମାନଙ୍କରେ (ଭାରତ ସେଥିରେ ଅନ୍ତର୍ଭୁକ୍ତ) ସମାଜରେ ମୁଖ୍ୟ ସମ୍ପଦ ସୃଷ୍ଟିକର୍ତ୍ତା ହେଉଛନ୍ତି କମ୍ପାନିମାନେ, ଯାହାର ଅନ୍ୟ ନାମ ହେଉଛି ‘ବିଜ୍ନେସ୍ କର୍ପୋରେସନ୍।’ ସମ୍ପୃକ୍ତ ସମାଜ ପ୍ରତି ଏକ ବିଜ୍ନେସ୍ କର୍ପୋରେସନର ଦାୟିତ୍ବ କ’ଣ? ଏ ପ୍ରଶ୍ନର ବୋଧହୁଏ ସର୍ବାଧିକ ଚହଳ ସୃଷ୍ଟିକାରୀ ଉତ୍ତର ଦେଇଥିଲେ ପ୍ରସିଦ୍ଧ ନୋବେଲ୍ ପୁରସ୍କାର ପ୍ରାପ୍ତ ଅର୍ଥନୀତିଜ୍ଞ ମିଲ୍ଟନ୍ ଫ୍ରିଡ୍ମ୍ୟାନ୍ ଠିକ୍ ପ୍ରାୟ ଅର୍ଧ ଶତାବ୍ଦୀ ତଳେ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୦ରେ ଫ୍ରିଡ୍ମ୍ୟାନ୍ ଏ ସ˚କ୍ରାନ୍ତରେ ରଚନା କରିଥିବା ନିବନ୍ଧର ଶୀର୍ଷକ ହିଁ ସୂଚାଇଥାଏ ଏ ପ୍ରଶ୍ନର ଉତ୍ତର କ’ଣ: ‘‘ଦି ସୋସିଆଲ ରେସ୍ପନ୍ସିବିଲିଟି ଅଫ୍ ବିଜ୍ନେସ୍ ଇଜ୍ ଟୁ ଇନ୍କ୍ରିଜ୍ ଇଟ୍ସ ପ୍ରଫିଟ୍ସ।’’ ଅର୍ଥାତ, ଶିଳ୍ପ ବାଣିଜ୍ୟ କର୍ପୋରେସନ୍ମାନଙ୍କର ସାମାଜିକ ଦାୟିତ୍ବ ହେଉଛି ନିଜର ଲାଭ ଅର୍ଜନରେ ଉନ୍ନତି ଘଟାଇବା। ଫ୍ରିଡ୍ମ୍ୟାନ୍ ସେ ରଚନାରେ ଯୁକ୍ତି ବାଢ଼ିଥିଲେ ଯେ କର୍ପୋରେସନ୍ର ପରିଚାଳକମାନଙ୍କର ଏକ ମାତ୍ର ଦାୟିତ୍ବ ହେଉଛି ସେମାନଙ୍କର ମାଲିକମାନଙ୍କ ପ୍ରତି। ଏ ମାଲିକମାନେ କିଏ? ମାଲିକମାନେ ହେଉଛନ୍ତି କମ୍ପାନିର ଅ˚ଶ ପତ୍ରଧାରୀ ବା ସେଆର୍ ହୋଲ୍ଡ଼ର୍ମାନେ। ସେତିକି ନୁହେଁ, ମିଲଟନ୍ ଫ୍ରିଡ୍ମ୍ୟାନ୍ ଆହୁରି ଦୁଇପାଦ ଆଗକୁ ଯାଇ ଏକଥା ମଧୢ ଘୋଷଣା କରିଥିଲେ ଯେ କମ୍ପାନି ପରିଚାଳକମାନେ ଯଦି କମ୍ପାନିର ସମ୍ବଳକୁ ସେଆର୍ ହୋଲଡ଼ରଙ୍କ ଠାରୁ ଛଡାଇ ଆଣି କୌଣସି ସାମାଜିକ ଲକ୍ଷ୍ୟ ହାସଲରେ ବିନିଯୋଗ କରନ୍ତି, ତାହା ସେମାନଙ୍କ ପକ୍ଷରେ ବାସ୍ତବରେ ଅତ୍ୟନ୍ତ ଅନୈତିକ କାର୍ଯ୍ୟହେବ। ପରବର୍ତ୍ତୀ ସମୟରେ ଫ୍ରିଡ୍ମ୍ୟାନ୍ଙ୍କର ଏହି ଯୁକ୍ତି ବ୍ୟବସାୟ ପରିଚାଳନା ଅର୍ଥନୀତିରେ ଏକ ନୂତନ ଚିନ୍ତାଧାରର ମୂଳଦୁଆ ପକାଇଥିଲା: ‘ସେଆର୍ ହୋଲ୍ଡ଼ର୍ ଭାଲ୍ୟୁ।’ କମ୍ପାନିର ପ୍ରତ୍ୟେକ କାର୍ଯ୍ୟର ଅନ୍ତିମ ଲକ୍ଷ୍ୟ ହେବ କିପରି କମ୍ପାନି ଅଧିକ ଲାଭ ସୃଷ୍ଟି କରି ସେଆର୍ ହୋଲ୍ଡ଼ର୍ମାନଙ୍କୁ ଅଧିକ ଲାଭା˚ଶ ବା ଡିଭିଡେ଼ଣ୍ତ ପ୍ରଦାନ କରିବ ଏବ˚ କମ୍ପାନିର ସେଆର ମୂଲ୍ୟରେ ବୃଦ୍ଧି ଘଟି ସେଆର୍ ହୋଲ୍ଡ଼ର୍ମାନଙ୍କୁ ଲାଭବାନ୍ କରାଇବ।
ମିଲ୍ଟନ୍ ଫ୍ରିଡ୍ମ୍ୟାନ୍ଙ୍କର ଏହି ‘ସେଆର୍ ହୋଲଡ଼ର୍ ଭାଲ୍ୟୁ’ ତତ୍ତ୍ବ ବର୍ତ୍ତମାନର ଭାରତରେ କିପରି ବିମୁଦ୍ରୀକରଣ ମାଡ଼ ଖାଇଥିବା ପୁରୁଣା ନୋଟ୍ ଭଳି କେବଳ ଅଚଳ ହୋଇଯାଉଛି, ତାହା ନୁହେଁ, ତା’ର ବ୍ୟବହାର ମଧୢ ଘୋର ବିପଜ୍ଜନକ ହୋଇପଡ଼ିଛି, ତାହା ସାବ୍ୟସ୍ତ ହୋଇଥାଏ ନିକଟରେ ଭାରତର ପାର୍ଲିଆମେଣ୍ଟ ଦ୍ବାରା ପ୍ରଣୀତ ହୋଇଥିବା ଏକ ନୂତନ ଆଇନ ଦ୍ବାରା, ଯାହା ବଳରେ ଯେଉଁ କର୍ପୋରେଟ୍ ପରିଚାଳକମାନେ ମିଲ୍ଟନ୍ ଫ୍ରିଡ୍ମ୍ୟାନ୍ଙ୍କୁ ଅକ୍ଷରେ ଅକ୍ଷରେ ଅନୁସରଣ କରିବେ ସେମାନଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ତ ମିଳିବ। ରହସ୍ୟରେ କୁହାଯାଇପାରେ, ମିଲ୍ଟନ୍ ଫ୍ରିଡ୍ମ୍ୟାନ୍ ଏଠାରେ ଏବେ ‘ସାଟାନିକ୍ ଭର୍ସେସ୍’ର ରଚୟିତା ସଲମାନ୍ ରସ୍ଦିଙ୍କ ପରି ଜଣେ ନିଷିଦ୍ଧ ଚିନ୍ତାନାୟକରେ ପରିଣତ ହୋଇଛନ୍ତି। ଉପରୋକ୍ତ ଆଇନ ଅନୁସାରେ ଯେଉଁ ବଡ଼ ବଡ଼ କମ୍ପାନିମାନେ ସେମାନଙ୍କ ଲାଭର ଅନ୍ୟୂନ ୨ ଶତା˚ଶ ସରକାରଙ୍କ ଦ୍ବାରା ସ୍ଥିର କରାଯାଇଥିବା ସାମାଜିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିବାରେ ବିଫଳ ହେବେ, ସେମାନଙ୍କୁ ତିନି ବର୍ଷ ଜେଲ୍ ଦଣ୍ତ ଦ୍ବାରା ଦଣ୍ତିତ କରାଯିବ। ଏଭଳି ସାମାଜିକ କାର୍ଯ୍ୟକ୍ରମ ବର୍ତ୍ତମାନ ‘କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି’ ବା ସ˚କ୍ଷେପରେ ‘ସିଏସ୍ଆର୍’ ରୂପେ ଉଭୟ କର୍ପୋରେଟ୍ ଜଗତରେ ଏବ˚ ସରକାରୀ ଓ ଏନ୍ଜିଓ ମହଲରେ ବେଶ୍ ସୁପରିଚିତ। ସିଏସ୍ଆର୍ ଖର୍ଚ୍ଚ ବାଧୢତାମୂଳକ ହୋଇଯିବା ପରେ ଏଥିରୁ ଲାଭ ଉଠାଇବା ପାଇଁ ଅନେକ ସ˚ସ୍ଥା ସକ୍ରିୟ ହୋଇ ଉଠିଛନ୍ତି ଯେଉଁମାନଙ୍କ ମାଧୢମରେ କମ୍ପାନିମାନେ ସେମାନଙ୍କର ସିଏସ୍ଆର୍ ଦାୟିତ୍ବ ସମ୍ପାଦନ କରିବାକୁ ଚେଷ୍ଟା କରିଥାନ୍ତି। ଦାରିଦ୍ର୍ୟ ଦୂରୀକରଣ, ପରିବେଶ ସୁରକ୍ଷା, ଶିକ୍ଷା ପ୍ରସାର, ଲିଙ୍ଗଗତ ନ୍ୟାୟ ପ୍ରତିଷ୍ଠା ଆଦି କ୍ଷେତ୍ରରେ ଏମାନେ ଆସ୍ଥାନ ଜମାଇ ଥାନ୍ତି ଏବ˚ କମ୍ପାନିମାନଙ୍କୁ ସିଏସ୍ଆର୍ ଲକ୍ଷ୍ୟ ପୂରଣରେ ସହାୟତା କରିଥାନ୍ତି। ସୂଚାଇବା ଅନାବଶ୍ୟକ ଏଥିରୁ ଅନେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀମାନଙ୍କ ନିୟନ୍ତ୍ରଣରେ ଥାଏ। ସରକାରୀ ବାବୁମାନଙ୍କ ଠାରୁ ରାଜନେତାମାନଙ୍କର ସମ୍ପର୍କୀୟ କିମ୍ବା ଅନୁଗତମାନେ ସ୍ବାଭାବିକ ଭାବରେ ଏ କ୍ଷେତ୍ରରେ ସକ୍ରିୟ ଥାନ୍ତି।
ଏମିତିରେ ଉପରେ ଯେଉଁ କ୍ଷେତ୍ର ସବୁର ଉଲ୍ଲେଖ କରାଯାଇଛି, ଏକ ବ୍ୟାପକ ସରକାରୀ ଉଦ୍ୟମ ବିନା ସେଥିରୁ କୌଣସିଟିରେ ସର୍ବାଙ୍ଗୀନ ସୁଫଳ ହାସଲ ହେବାର ସମ୍ଭାବନା ନ ଥାଏ। ଏ ସମସ୍ତ କ୍ଷେତ୍ରରେ ସିଏସ୍ଆର୍ର ଅବଦାନ କେବଳ ପ୍ରସାଧନ ସୁଲଭ ହିଁ ହୋଇଥାଏ। ଅପରପକ୍ଷେ ଏପରି ଅନେକ କମ୍ପାନି ଅଛନ୍ତି ଯେଉଁମାନେ ସମାଜ ପ୍ରତି କ୍ଷତି ପହଞ୍ଚାଇ ବ୍ୟବସାୟ କରନ୍ତି କିନ୍ତୁ ଗଙ୍ଗାରେ ବୁଡ଼ ପକାଇ ପାପ ଛଡ଼ାଇବା ଭଳି ସିଏସ୍ଆର୍ ଖର୍ଚ୍ଚ କରି ନିଜ ଭାବମୂର୍ତ୍ତିର ସୁରକ୍ଷା କରନ୍ତି। କୌଣସି ମଦ କମ୍ପାନି ସ୍ବାସ୍ଥ୍ୟ କ୍ଷେତ୍ରରେ ସିଏସ୍ଆର୍ ଖର୍ଚ୍ଚ କରିବା ହେଉଛି ଏହିଭଳି। କୌଣସି ତୈଳ କମ୍ପାନି ପରିବେଶ ସୁରକ୍ଷା କ୍ଷେତ୍ରରେ ସିଏସ୍ଆର୍ ଖର୍ଚ୍ଚ କରିବା ହେଉଛି ଏହିଭଳି। ୨୦୧୮ରେ ଚହଳ ସୃଷ୍ଟି କରିଥିବା ପୁସ୍ତକ ‘ଵିନର୍ସ ଟେକ୍ ଅଲ୍: ଦି ଏଲିଟ୍ ସରାଡ଼୍ ଅଫ୍ ଚେଞ୍ଜଙ୍ଗ୍ ଦି ଵର୍ଲଡ଼’ ପୁସ୍ତକର ରଚୟିତା ଆନନ୍ଦ ଗିରିଧର ଦାସ କହିଥିବା ଭଳି, ‘‘ଏ ଅର୍ଥ ଦାନକାରୀଙ୍କ ବଦାନ୍ୟତା ଯେତେ ବିଶାଳ ହେଲେ ମଧୢ, ତାହା ସେ ଅର୍ଥ ଅର୍ଜନ ପଦ୍ଧତିର କୁଫଳର ଭରଣା କରିପାରିବ ନାହିଁ।’’ ସେ ପୁଣି କହିଛନ୍ତି ଯେ, ସିଏସ୍ଆର୍ ଯେତେ ବିଶାଳ ହେଲେ ବି ତାହା ଜଳବାୟୁ ପରିବର୍ତ୍ତନକୁ ଅଟକାଇ ଦେଇପାରିବ ନାହିଁ। ସ˚କ୍ଷେପରେ କହିଲେ, ଏ ସବୁ ହେଉଛି ସରକାରଙ୍କର ଦାୟିତ୍ବ, ଯାହା ସିଏସ୍ଆର୍ ବାହାନାରେ କର୍ପୋରେଟ୍ ମୁଣ୍ତକୁ ଖସାଇ ଦିଆଯାଇପାରିବ ନାହିଁ।
ଗ୍ରାହକମାନଙ୍କ ପ୍ରତି ସେଆର୍ ହୋଲଡ଼ର୍ମାନଙ୍କ ପ୍ରତି, କର୍ମଚାରୀମାନଙ୍କ ପ୍ରତି, ଯୋଗାଣକାରୀ ମାନଙ୍କ ପ୍ରତି ଉଚ୍ଚକୋଟୀର ସ୍ବଚ୍ଛ ଉତ୍ତରଦାୟିତ୍ବ ସହ ସମ୍ପଦ ସୃଷ୍ଟି କରିବା ହେଉଛି କମ୍ପାନିମାନଙ୍କ ପାଇଁ ପ୍ରକୃତ କର୍ପୋରେଟ୍ ସୋସିଆଲ ରେସପନ୍ସିବିଲିଟି। ସମ୍ପଦ ସୃଷ୍ଟି ହେଲେ ହିଁ ନିଯୁକ୍ତି ସୃଷ୍ଟି ହୋଇଥାଏ, ନିଯୁକ୍ତିରୁ ଆୟ ସୃଷ୍ଟି ହୋଇଥାଏ, ଆୟରୁ ଚାହିଦା, ଚାହିଦାରୁ ଉତ୍ପାଦନ, ଉତ୍ପାଦନରୁ ସମ୍ପଦ….। ଏହା ଏକ ପୁଣ୍ୟଚକ୍ର। ମୋଦୀ କହିଥିବା ଭଳି ସମ୍ପଦ ସୃଷ୍ଟି ହେଉଛି ଜାତୀୟ ସେବା। ତେଣୁ ଦେଶର ପ୍ରଧାନମନ୍ତ୍ରୀ ବିଶ୍ବାସ କରୁଛନ୍ତି ଯେ ସମଗ୍ର ସମ୍ପଦ ସୃଷ୍ଟି ହେଉଛି ସିଏସ୍ଆର୍। ଯେତେବେଳେ କମ୍ପାନି ଆୟରେ ୧୦୦ ପ୍ରତିଶତ ସିଏସ୍ଆର୍ ରୂପେ ବିବେଚିତ, ୨ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇନାହିଁ କହି ତାକୁ ଦଣ୍ତିତ କରାଯିବା ଅନ୍ୟାୟ, ବା ଫିଡ୍ମ୍ୟାନ୍ଙ୍କ ଭାଷାରେ ଅନୈତିକ ନୁହେଁ କି?