‘ଭାତ ହାଣ୍ତି’ରେ କର୍କଟ

‘ଯେଉଁ କୀଟନାଶକ ଫଳକୁ ରକ୍ଷା କରେ, ତାହା ମଣିଷକୁ ରକ୍ଷା କରେ କି?’ ଏଭଳି ପ୍ରଶ୍ନଟିଏ ପଚାରିଥିଲେ ଏସ୍‌.ଏ. ସ୍ନାଇପ୍‌, ତାଙ୍କର ଏକ ଗବେଷଣାସମୃଦ୍ଧ ପ୍ରବନ୍ଧରେ। ଏଭଳି ପ୍ରଶ୍ନଟିଏ ସେ ପଚାରିଥିବାର କାରଣ ହେଲା, ଗଲା ଶତାବ୍ଦୀର ମଧୢ ଭାଗରେ ଯେଉଁ ‘ସବୁଜ ବିପ୍ଳବ’କୁ ମାନବ ଜାତିି ଲାଗି ଏକ ଆଶୀର୍ବାଦ ରୂପେ ବିବେଚନା କରାଯାଉଥିଲା, ତାହା ପ୍ରକୃତରେ ଏକ ଅଭିଶାପ ବୋଲି ଧୀରେଧୀରେ ହୃଦ୍‌ବୋଧ ହେବାରେ ଲାଗିଛି। ଯେଉଁ କୀଟନାଶକ ଓ ରାସାୟନିକ ସାର ‘ସବୁଜ ବିପ୍ଳବ’କୁ ସଫଳ କରିଥିଲେ, ସେଗୁଡ଼ିକ ଏବେ ମଣିଷ ମୃତ୍ୟୁର କାରଣ ହେଲେଣି। ୧୯୬୦ ଓ ୭୦ ଦଶକରେ ନର୍ମାନ୍‌ ବର୍ଲଗଙ୍କ ନେତୃତ୍ବରେ ଆଧୁନିକ ପ୍ରଯୁକ୍ତି ଓ ପଦ୍ଧତିର ପ୍ରୟୋଗ ସହିତ ଅଧିକ ଅମଳକ୍ଷମ ବିହନର ବ୍ୟବହାର ଦ୍ବାରା ଶସ୍ୟ ଉତ୍ପାଦନକୁ ବହୁଗୁଣିତ କରିବାର ମନ୍ତ୍ରରେ ବିକାଶଶୀଳ ଦେଶଗୁଡ଼ିକୁ ଦୀକ୍ଷିତ କରାଯାଇଥିଲା। ମେକ୍‌ସିକୋ ଏବ˚ ଭାରତରେ ଏହାର ଚମତ୍କାରିତା ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ଲାଗି ଦୃଷ୍ଟାନ୍ତ ପାଲଟି ଯାଇଥିଲା। ଚାଷୀମାନେ ଏବେ ଅଧିକ ଅମଳକ୍ଷମ ବିହନ (ବିଶେଷ କରି ଧାନ ଓ ଗହମ), ରାସାୟନିକ ସାର ଏବ˚ କୀଟ-ବାଳୁଙ୍ଗାନାଶକର ବହୁଳ ବ୍ୟବହାର କରି ସେମାନଙ୍କ ଖାଲି ପଡୁଥିବା ଅମାର ଭର୍ତ୍ତି କରିବାକୁ ଲାଗିଲେ। ଏହା ଫଳରେ ପୃଥବୀର କୋଟି କୋଟି ଭୋକିଲା ଲୋକ କ୍ଷୁଧା ମୁକ୍ତ ହେଲେ। ମାନବ ଜାତିକୁ କ୍ଷୁଧା ମୁକ୍ତ କରିଥିବା ହେତୁ ନର୍ମାନ ବର୍ଲଗଙ୍କୁ ନୋବେଲ ଶାନ୍ତିି ପୁରସ୍କାର ପ୍ରଦାନ କରାଗଲା। କିନ୍ତୁ ପରେ ସ୍ପଷ୍ଟ ହେବାକୁ ଲାଗିଲା ଯେ ଫସଲକୁ କ୍ଷତି ପହଞ୍ଚାଉଥିବା କୀଟଙ୍କ ଲାଗି ବ୍ୟବହୃତ ବିଷାକ୍ତ କୀଟନାଶକ କ୍ରମେ ‘ଭାତହାଣ୍ତି’ ରୂପେ ପରିଚିତ ଅଞ୍ଚଳଗୁଡ଼ିକରେ କ୍ୟାନସର ରୋଗର ଜାଲ ବୁଣିବାରେ ଲାଗିଛନ୍ତି। ଭାରତର ‘ଭାତହାଣ୍ତି’ ରୂପେ ଅଭିହିତ ପଞ୍ଜାବରେ କର୍କଟ ରୋଗଗ୍ରସ୍ତଙ୍କ ସ˚ଖ୍ୟା ଏତେ ବଢ଼ିଛି ଯେ ପଞ୍ଜାବରୁ ମୁମ୍ବାଇ ଯାଉଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଆଜି ‘କ୍ୟାନସର ଏକ୍‌ସପ୍ରେସ’ ନାମରେ ପରିଚିତ। (କାରଣ କ୍ୟାନସର ଚିକିତ୍ସା ଲାଗି ଆମ ଦେଶରେ ସବୁଠାରୁ ବଡ଼ ଗନ୍ତବ୍ୟ ସ୍ଥଳ ହେଉଛି ମୁମ୍ବାଇର ‘ଟାଟା ମେମୋରିଆଲ୍‌ ଡାକ୍ତରଖାନା’)। ସେଇଭଳି ଆମ ରାଜ୍ୟର ‘ଭାତହାଣ୍ତି’ ରୂପେ ପରିଚିତ ବରଗଡ଼ ଜିଲ୍ଲାରେ କ୍ୟାନସର ଆକ୍ରାନ୍ତଙ୍କ ସ˚ଖ୍ୟା ଅତି ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ନିକଟରେ ‘ଡାଉନ ଟୁ ଆର୍ଥ’ ପତ୍ରିକା ତରଫରୁ ଏ ସ˚କ୍ରାନ୍ତ ଯେଉଁ ଲେଖାଟି ପ୍ରକାଶିତ ହୋଇଛି, ତାହା ଉଦ୍‌ବେଗଜନକ। ସେଥିରେ ପ୍ରକାଶିତ ହୋଇଛି ଯେ ଅଶୋକ କୁମାର ପାଣିଗ୍ରାହୀ ନାମକ ଜଣେ ଡାକ୍ତର ନିଜ ଗବେଷଣା ଲାଗି ରାଜ୍ୟର ୨୩ଟି ଜିଲ୍ଲାରୁ କ୍ୟାନସର ରୋଗଗ୍ରସ୍ତଙ୍କ ସ˚ପର୍କରେ ତଥ୍ୟ ସ˚ଗ୍ରହ କରି ତାର ଯେଉଁ ତୁଳନାତ୍ମକ ନିଷ୍କର୍ଷ ବାହାର କରିଛନ୍ତି ସେ ଅନୁସାରେ ରାଜ୍ୟରେ କ୍ୟାନସର ରୋଗାକ୍ରାନ୍ତଙ୍କ ଭିତରେ ୨୬.୪ ପ୍ରତିଶତ ଅର୍ଥାତ୍‌ ଏକ ଚତୁର୍ଥା˚ଶ ହେଉଛନ୍ତି ବରଗଡ଼ ଜିଲ୍ଲାର। ‘ଆଇଓଏସଆର ଜର୍ନାଲ ଅଫ୍‌ ଡେଣ୍ଟାଲ ଏଣ୍ତ ମେଡିକାଲ ସାଇନ୍‌ସେସ୍‌’ରେ ପ୍ରକାଶିତ ତାଙ୍କର ନିବନ୍ଧରେ କୁହାଯାଇଛି ଯେ ୨୦୧୪-୧୫ରେ ବରଗଡ଼ ଜିଲ୍ଲାରେ କ୍ୟାନସର ରୋଗାକ୍ରାନ୍ତଙ୍କ ସ˚ଖ୍ୟା ଥିଲା ୧୦୧୪। ପ୍ରତି ବର୍ଷ ତହିଁରେ ବୃଦ୍ଧିର ଧାରା ଜାରି ରହି ୨୦୧୬-୧୭ରେ ତାହା ୧୦୯୮ରେ ପହଞ୍ଚିଥିଲା। ଉଲ୍ଲେଖନୀୟ ଯେ ଏହି ଜିଲ୍ଲାର ଭୋଇପାଲି ନାମକ ଯେଉଁ ଛୋଟ ଗାଁକୁ ‘ଡାଉନ୍‌ ଟୁ ଆର୍ଥ’ର ପ୍ରତିନିଧି ଯାଇଥିଲେ, ସେଠାରେ ବସବାସ କରୁଥିବା ୨୦୦ ପରିବାର ଭିତରୁ ୧୫ଟି ପରିବାର କ୍ୟାନସର ଦ୍ବାରା ଆକ୍ରାନ୍ତ ଥିଲେ।

କିଛି ଦିନ ତଳେ ବୁର୍ଲା ମେଡିକାଲ କଲେଜର କିଛି ଡାକ୍ତର ଅନଶନରେ ବସିଥିଲେ। ଅନ୍ୟତ୍ର ନିଷେଧ ହୋଇଥିବା କିଛି ବିଷାକ୍ତ ବାଳୁଙ୍ଗାନାଶକକୁ ଏଠାରେ ମଧୢ ନିଷେଧ କରାଯାଉ ବୋଲି ସେମାନେ ଦାବି କରିଥିଲେ। ଜଣାପଡ଼ିଛି ଯେ ବରଗଡ଼ ଜିଲ୍ଲାର ଚାଷୀମାନଙ୍କ ପ୍ରିୟ କୀଟନାଶକଗୁଡ଼ିକ ଭିତରେ ଅଛନ୍ତି ପାଇରୋଥ୍ରଡ୍‌, ଅର୍ଗାନୋଫସଫେଟ୍‌, ଥିଓକାର୍ବୋନେଟ୍‌ ଏବ˚ ନିଓନିକୋଟେନାଇଡ୍‌ ଭଳି ମାରାତ୍ମକ ବିଷାକ୍ତ କୀଟ-ବାଳୁଙ୍ଗା ନାଶକ। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ବା ‘ହୁ’ ପକ୍ଷରୁ ଏଗୁଡ଼ିକୁ ମଣିଷ ସ୍ବାସ୍ଥ୍ୟ ଲାଗି ଅତି ବିପଜ୍ଜନକ ବର୍ଗରେ ସାମିଲ କରାଯାଇଛି। ଅଥଚ, ଆମ ରାଜ୍ୟର ଚାଷୀମାନେ ସଚେତନତାର ଅଭାବରୁ ଏଭଳି ଔଷଧ ଛିଞ୍ଚିଲା ବେଳେ କୌଣସି ସୁରକ୍ଷାତ୍ମକ ପଦକ୍ଷେପ ନେଉ ନ ଥିବାରୁ ସିଧାସଳଖ ସେ ସବୁର ସ˚ସ୍ପର୍ଶରେ ଆସୁଛନ୍ତି ଓ କ୍ୟାନସରକୁ ବରଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ‘ସବୁଜ ବିପ୍ଳବ’ ଧାରାର ସଘନ ଚାଷ ପଦ୍ଧତି ପରିବର୍ତ୍ତେ ଜୈବ ଚାଷ ପଦ୍ଧତିକୁ ଆପଣାଇବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସ˚ଗଠନ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଥିବା ସତ୍ତ୍ବେ ଅଧିକ ଫସଲ ଅମଳ କରିବାର ଉଚ୍ଚାଟ କାରଣରୁ ‘ଜୈବ ଚାଷ ପଦ୍ଧତି’ ସେମାନଙ୍କ ପ୍ରଥମ ପସନ୍ଦ ହୋଇପାରିନାହିଁ। ତଥାପି ସୁଖର କଥା ହେଲା, ସଚେତନତାର ପ୍ରସାର ହେତୁ କୀଟନାଶକ ଔଷଧ ବ୍ୟବହାରରେ କିଛିଟା ସ˚ଯମ ଅବଲମ୍ବନ କରାଯାଇପାରିଛି। ଏକ ତଥ୍ୟାନୁସାରେ ୨୦୧୬-୧୭ରେ ବରଗଡ଼ର ଚାଷୀମାନେ ମୋଟ ୭୧୩.୮ ଟନ୍‌ କୀଟନାଶକ ପ୍ରୟୋଗ କରିଥିଲେ। ଅଥଚ ତା ପର ବର୍ଷ ଏହାର ପରିମାଣ ପ୍ରାୟ ଅଧା ଅର୍ଥାତ ୩୪୯.୯ ଟନ୍‌ରେ ପହଞ୍ଚିଥିଲା। କୀଟନାଶକ ସହିତ କ୍ୟାନସରର ସ˚ପର୍କ ବିଷୟରେ ଅଧିକରୁ ଅଧିକ ଚାଷୀ ଅବଗତ ହେବା ପରେ ଏଭଳି ଧାରା ଦେଖା ଦେଇଛି। ତଥାପି ଏବେ ବି ଯେତିକି ପରିମାଣରେ କୀଟନାଶକ ବ୍ୟବହାର କରାଯାଉଛି ତାହା ବିପଜ୍ଜନକ ସ୍ତରରେ ରହିଛି। ଏବେ ଏହି ଜିଲ୍ଲାରେ ବି‌େଜପୁର ଉପନିର୍ବାଚନ ଲାଗି ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏହି ସ˚ଦର୍ଭରେ ରାଜନୈତିକ ଦଳଗୁଡ଼ିକ ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାବେ ନେଇ ଏ ସମସ୍ୟାର ମୁକାବିଲା ଲାଗି ମାନଚିତ୍ର ପ୍ରସ୍ତୁତ କରିବା ଦରକାର।

ଚାଷରେ ବ୍ୟବହୃତ ବିଷାକ୍ତ କୀଟନାଶକଗୁଡ଼ିକ ଖେତରେ କୀଟମାନଙ୍କୁ ମାରିବା ସହିତ ଉପକାରୀ ପକ୍ଷୀ, ଜିଆ, ପ୍ରକୃତି ବନ୍ଧୁ ଅଣୁଜୀବମାନଙ୍କ ବିନାଶ ସାଧନ କରିବା ପରେ ଏବେ ତାକୁ ବ୍ୟବହାର କରୁଥିବା ମଣିଷମାନଙ୍କ ଆଡ଼କୁ ପାଦ ବଢ଼ାଇଛି। ଏଥିରେ ଅସଙ୍ଗତିଟି ହେଉଛି, ଯେଉଁ କୀଟଙ୍କୁ ନାଶ କରିବା ଲାଗି ସେଗୁଡ଼ିକର ବ୍ୟବହାର କରାଯାଉଛି, ସେହି କୀଟଗୁଡ଼ିକ ଏବେ ‘ବିଷ ନିରୋଧକ’ ପ୍ରଜାତି ସୃଷ୍ଟି କରି ଅଧିକରୁ ଅଧିକ ତୀବ୍ରତାର ସହିତ ଚାଷକୁ ଆକ୍ରମଣ କରୁଥିବା ବେଳେ, ମଣିଷ ଅସହାୟ ଭାବେ କର୍କଟ ରୋଗର ଶିକାର ହୋଇ ମୃତ୍ୟୁ ସହିତ ପ୍ରତ୍ୟହ ସାକ୍ଷାତ କରିବାରେ ଲାଗିଛି। ତେଣୁ ବୋଧହୁଏ ପରିବେଶବିତ୍‌ ଓ ଲେଖକ ଜମିଲ ଜଲାଲୁଦ୍ଦିନ କହିଛନ୍ତି ଯେ ‘ଆମେ ଏମିତି ଏକ ସମୟରେ ଉପନୀତ ଯେ ରୋଷେଇ ଘରେ ପୋକ ଲଗା ପରିବା ଦେଖିଲେ ଏବେ ଲାଗୁଛି ଯେ ଜୀବନ ଜିତିବ।’

ସମ୍ବନ୍ଧିତ ଖବର

Comments are closed.