ବିଦାୟ ଅସାଧୁ ଅଧିକାରୀ!

୧୯୮୫ ମସିହାରେ ସେ ସମୟର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମରୁଡ଼ି ପ୍ରପୀଡ଼ିତ କଳାହାଣ୍ତି ଜିଲ୍ଲା ପରିଦର୍ଶନରେ ଆସି ଯାହା କହିଥିଲେ, ତାହା ହେଲା, ସରକାର ଦେଉଥିବା ଟଙ୍କାକରୁ ଲୋକଙ୍କ ପାଖରେ ପହଞ୍ଚୁଛି ମାତ୍ର ୧୫ ପଇସା, ଅର୍ଥାତ ସାତ ଭାଗରୁ ପ୍ରାୟ ଛଅ ଭାଗ ବା ତା ଠାରୁ ଅଧିକ ବାଟମାରଣା ହୋଇଯାଉଛି। ଏହାର ୧୩ ବର୍ଷ ପରେ ୧୯୯୮ ମସିହାରେ ରାଜ୍ୟର ଘୋର ଦାରିଦ୍ର୍ୟ ଜର୍ଜରିତ ତିନି ଜିଲ୍ଲା କୋରାପୁଟ, ବଲଙ୍ଗୀର ଓ କଳାହାଣ୍ତି (ସେତେବେଳେ ଅବିଭକ୍ତ ଥିଲା) ଲାଗି ସ୍ବତନ୍ତ୍ର ଭାବେ ‘କେବିକେ ଯୋଜନା’ କାର୍ଯ୍ୟକାରୀ କରାଯାଇଥିଲା, ଯାହା ୨୦୧୭ ପର୍ଯ୍ୟନ୍ତ ଚାଲିଥିଲା। ଏହି ଊଣେଇଶ ବର୍ଷ ଭିତରେ ଏହି ତିନି ଜିଲ୍ଲା ଲାଗି ସ୍ବତନ୍ତ୍ର ଭାବେ ମିଳିଥିବା ଅର୍ଥର ପରିମାଣ ହେଉଛି ୩୩୪୩.୯୫ କୋଟି ଟଙ୍କା। କିନ୍ତୁ ତା ସତ୍ତ୍ବେ ତିନି ଜିଲ୍ଲାର ସ୍ଥିତିରେ ବିଶେଷ ପରିବର୍ତ୍ତନ ହେଲା ନାହିଁ। ବୋଧହୁଏ, ରାଜୀବ ଗାନ୍ଧୀଙ୍କ ହିସାବ ଅଧିକ ଆଶାବାଦୀ ଥିଲା। କାରଣ ତାଙ୍କ ହିସାବ ଅନୁସାରେ ଅନ୍ତତଃ ୪୭୭ କୋଟିରୁ ଅଧିକ ଟଙ୍କା ଏହି ତିନି ଜିଲ୍ଲାର ଲୋକଙ୍କ ପାଖରେ ପହଞ୍ଚିଥାଆନ୍ତା ଓ ପରିବର୍ତ୍ତନର କିଛି ଆଭାସ ମିଳିଥାଆନ୍ତା!

ଏତେ ବର୍ଷ ତଳର ଏ ପୁରୁଣା ପ୍ରସଙ୍ଗ ଏଠାରେ ଉଠାଇବାର ପଛରେ ଥିବା ପୃଷ୍ଠଭୂମି ହେଉଛି, ରାଜ୍ୟରେ ବର୍ଷ ବର୍ଷ ଧରି ସରକାରୀ କର୍ମଚାରୀମାନଙ୍କ ଦ୍ବାରା ପରିପୁଷ୍ଟ ହୋଇଆସିଥିବା ଦୁର୍ନୀତିର ମହୀରୁହକୁ ଛେଦନ କରିବା ଲାଗି ବର୍ତ୍ତମାନର ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏକ ପ୍ରକୃତ ଉଦ୍ୟମ। ଅନେକ ଏହାକୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାନୁଷ୍ଠାନର ପଦାଙ୍କ ଅନୁସରଣ ବୋଲି କହୁଥିଲେ ହେଁ ଏହା ଯେ ଗଭୀର ଭାବେ ଆଶ୍ବସ୍ତ କଲା ଭଳି, ଏଥିରେ ସନ୍ଦେହ ନାହିଁ। ଏହି ପ୍ରୟାସର କ୍ରମରେ ଗଲା ଗୁରୁବାର ଦିନ ପୁଣି ତିନି ଜଣ ପଦସ୍ଥ ଅଧିକାରୀଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି। ଦୁୁର୍ନୀତି ବିରୋଧରେ ସରକାର ଗ୍ରହଣ କରିଥିବା ‘ଶୂନ୍ୟ ସହନଶୀଳତା’ର ଆଭିମୁଖ୍ୟ ପରେ ଏ ପର୍ଯ୍ୟନ୍ତ ୪୫ ଜଣ ପଦସ୍ଥ ଅଧିକାରୀଙ୍କୁ ପ୍ରସ୍ଥାନର ଦ୍ବାର ଦେଖାଇ ଦିଆ ଯାଇ ସାରିଲାଣି।

୨୦୧୭ ମସିହାରେ ‘ନେସନାଲ କାଉନସିଲ ଫର ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚ’ ବା ‘ନାସେର’ ଦ୍ବାରା ପ୍ରସ୍ତୁତ ଏକ ସର୍ବେକ୍ଷଣ ଭିତ୍ତିକ ରିପୋର୍ଟରୁ ଆମ ରାଜ୍ୟରେ ସରକାରୀ ‘ବାବୁ’ମାନଙ୍କ ଦୁର୍ନୀତିର ଏକ ସ୍ଥୂଳ ଚିତ୍ର ମିଳିଥିଲା। ସେଥିରେ ଦର୍ଶାଯାଇଥିଲା ଯେ ପ୍ରାୟ ୭୭% ସାଧାରଣ ଓଡ଼ିଆଙ୍କ ଧାରଣା ଯେ ଅଧିକା˚ଶ ସରକାରୀ ‘ବାବୁ’ ଦୁର୍ନୀତିଗ୍ରସ୍ତ। ସେହି ରିପୋର୍ଟରୁ ଆହୁରି ଜଣାପଡ଼ିଥିଲା ଯେ ଏଠାରେ ପୁ˚ଜି ନିବେଶ କରୁଥିବା ଉଦ୍ୟୋଗୀମାନଙ୍କ ଭିତରୁ ୪୧%ଙ୍କ ମତରେ ଆମ ସରକାରୀ ‘ବାବୁ’ମାନେ ଊଣାଅଧିକେ ଦୁର୍ନୀତିଗ୍ରସ୍ତ। ସେମାନଙ୍କ ଭିତରୁ ୧୭% ଏହା ବି କହିଥିଲେ ଯେ ଏହା ଚରମ ସ୍ତରରେ ପହଞ୍ଚିଛି। ଏଠାରେ ସ୍ମରଣ କରାଯାଇପାରେ କି କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀ ସ୍ବୟ˚ ‘ପିସି’ କାରବାରର ପ୍ରାବଲ୍ୟ ବିଷୟ ସ୍ବୀକାର କରି ଏହାର ମୂଳୋତ୍ପାଟନ ଲାଗି ଆହ୍ବାନ ଦେଇଥିଲେ। ଏ ପରିପ୍ରେକ୍ଷୀରେ ଦୁର୍ନୀତିର ଗଙ୍ଗାକୁ ନିର୍ମଳ କରିବାର କାର୍ଯ୍ୟଟି ଏବେ ଉପର ମୁଣ୍ତରୁ ଆରମ୍ଭ କରାଯାଇଛି। ଏହା ଜାରି ରହିଲେ ଯେ ଅଚିରେ ତାର ସୁଫଳ ମିଳିବ ତାହା କହିବା ବାହୁଲ୍ୟ। ଜଣାପଡ଼ିଛି ଯେ ଚଳିତ ବର୍ଷ ମାର୍ଚ୍ଚ ୨୦ ତାରିଖରୁ ନିଯୁକ୍ତ ଲୋକାୟୁକ୍ତଙ୍କ ପାଖରେ ଅଗଷ୍ଟ ମାସ ସୁଦ୍ଧା ପହଞ୍ଚିଥିବା ଅଭିଯୋଗର ସ˚ଖ୍ୟା ଥିଲା ୨୧୬। ସେସବୁ ମୁଖ୍ୟତଃ ରହିଛି ତଳିଆ କର୍ମଚାରୀଙ୍କ ବିରୋଧରେ। ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଏବେ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନପରେ ହୁଏତ ସାଧାରଣ ଲୋକେ ଉଚ୍ଚାଧିକାରୀମାନଙ୍କ ବିରୋଧରେ ଅଭିଯୋଗ ଆଣିବା ଲାଗି ସାହସ ଜୁଟାଇ ପାରନ୍ତି। ତେବେ, ଏ ସବୁ ଅଭିଯୋଗର ଦ୍ରୁତ ଫଇସଲା ହେବା ମଧୢ ଅତ୍ୟନ୍ତ ଜରୁରୀ।

୧୯୫୭ ମସିହାରେ ନୋବେଲ ପୁରସ୍କାର ବିଜେତା ଆମେରିକୀୟ ଉପନ୍ୟାସକାର ଜନ୍‌ ଷ୍ଟିନବେକ୍‌ ତାଙ୍କର ଏକ ରାଜନୈତିକ ସାଟାୟାରଧର୍ମୀ ଉପନ୍ୟାସ ‘A short reign of Pippin IV’ ବା ‘ଚତୁର୍ଥ ପିପିନଙ୍କ ସ୍ବଳ୍ପାୟୁ ରାଜତ୍ବ’ରେ ଲେଖିଥିଲେ ଯେ ‘କ୍ଷମତା ଦୁର୍ନୀତିଗ୍ରସ୍ତ କରାଏ ନାହିଁ। କ୍ଷମତା ହରାଇବାର ଭୟ ସେଭଳି କରାଏ।’ ବ୍ରିଟିସ ଶାସନ ସମୟରେ ବିଦେଶୀ ଶାସକମାନେ ଦ୍ବୈତ ବ୍ୟକ୍ତିତ୍ବର ପ୍ରଦର୍ଶନ କରି ସେମାନଙ୍କ ନିଜ ଦେଶ ବ୍ରିଟେନ୍‌ରେ ସାର୍ବଜନୀନ ଜୀବନରେ ସାଧୁତା ଅବଲମ୍ବନ କରୁଥିବା ବେଳେ ଅଧୀନସ୍ଥ ଉପନିବେଶଗୁଡ଼ିକରେ ଚୌର୍ଯ୍ୟ, ଶଠତା ଓ ଦୁର୍ନୀତିର ଜାଲ ବୁଣିଥିଲେ। ଏହାର କାରଣ ଥିଲା ଷ୍ଟିନ୍‌ବେକ୍‌ କହିଥିଲା ଭଳି ‘କ୍ଷମତା ହରାଇବାର ଭୟ।’ କିନ୍ତୁ ସେମାନେ ଦେଶରୁ ଚାଲିଗଲା ପରେ ଛାଡ଼ି ଦେଇ ଯାଇଥିବା ଦୁର୍ନୀତିର ଐତିହ୍ୟକୁ ଭାରତୀୟ ‘ବାବୁ’ମାନେ ଉତ୍ତରାଧିକାରୀ ସୂତ୍ରରେ ଅତି ସ୍ବାଭାବିକ ଭାବେ ଗ୍ରହଣ କରିନେଲେ। ସେହି କାରଣରୁ ବ୍ରିଟେନ୍‌ ଆଜି ପୃଥିବୀର ଅନ୍ୟତମ ଦୁର୍ନୀତିମୁକ୍ତ ରାଷ୍ଟ୍ର ହୋଇଥିବା ବେଳେ ବ୍ରିଟିସ ଶାସିତ ସମସ୍ତ ଉପନିବେଶ ଆଜି ଦୁର୍ନୀତିର ଜୁଆରରେ ଉବୁଟୁବୁ। ଏହାର ଦୃଷ୍ଟାନ୍ତ ବିଭିନ୍ନ ସମୟରେ ନିୟମିତ ମିଳିବାରେ ଲାଗିଛି। ଆମ ରାଜ୍ୟରେ ସଦ୍ୟ ବହିଷ୍କୃତ ହୋଇଥିବା ତିନିଜଣଙ୍କ ମଧୢରୁ ଜଣଙ୍କ ଠାରେ ୨୦୧୬ ମସିହାର ଚଢ଼ାଉରେ ମିଳିଥିଲା ନଗଦ ଏକ କୋଟି ଟଙ୍କା!

ସରକାରୀ ‘ବାବୁ’ମାନଙ୍କ କାର୍ଯ୍ୟକଳାପରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ଲାଗି ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ନୂଆ ନିୟମାନୁସାରେ କୌଣସି ସରକାରୀ କର୍ମଚାରୀଙ୍କ ବୟସ ପଚାଶରୁ ଅଧିକ ହୋଇଗଲେ ବା ତାଙ୍କ ଚାକିରି କାଳର ୩୦ ବର୍ଷ ପୂର୍ଣ୍ଣ ହୋଇଗଲେ(ଯେଉଁଟି ଶୀଘ୍ର ହେବ) ସେ ଆପଣାଛାଏଁ ଚାକିରିରୁ ଅବ୍ୟାହତି ନେବାର ପରିସର ଭିତରକୁ ଆସିଯିବେ। ତେଣିକି ତାଙ୍କର ସାଧୁତା ଓ ଦକ୍ଷତା ନିର୍ଣ୍ଣୟ କରିବ ଯେ ତାଙ୍କୁ ପୂର୍ଣ୍ଣ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଅବସର ଦେଇ ଦିଆଯିବ କି ନାହିଁ! ତେବେ, ଏ ପରିପ୍ରେକ୍ଷୀରେ ପ୍ରଶ୍ନ ହେଉଛି, ଜଣେ ଅସାଧୁ କର୍ମଚାରୀ ତାଙ୍କ ଚାକିରି ପ୍ରାରମ୍ଭରୁ ଦୁର୍ନୀତିଗ୍ରସ୍ତ ହେବାର ଜଣାପଡ଼ିଲେ ତାଙ୍କୁ ତିରିଶ ବର୍ଷ ଯାଏ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବା ଉଚିତ କି? ଏହା ସହିତ ସନ୍ଦେହାସ୍ପଦ ସରକାରୀ କର୍ମଚାରୀମାନଙ୍କ ଉପରେ ଅଖଣ୍ତ ନଜର ରଖାଯିବା ସହିତ ଚଢ଼ାଉର ପରିସରକୁ ଆହୁରି ବିସ୍ତାରିତ କରାଯିବା ମଧୢ ଜରୁରୀ। ତା ନ ହେଲେ, ‘ଧରା ନ ପଡ଼ିବା ପର୍ଯ୍ୟନ୍ତ ସଚ୍ଚୋଟ’ ନ୍ୟାୟରେ ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ସସମ୍ମାନେ ଅବସର ନେବା ପର୍ଯ୍ୟନ୍ତ ଚାକିରି କରି ଚାଲିଥିବେ।

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନ୍‌ ଥରେ କହିଥିଲେ ଯେ ଦୁର୍ନୀତି ପ୍ରକୃତରେ ହେଉଛି ଗୋଟିଏ ପ୍ରକାର ଏକଛତ୍ରବାଦ। କାରଣ ତାହା ଏଭଳି ଏକ ସମାନ୍ତରାଳ ନିୟମ ନିର୍ମାଣ କରେ ଯାହା ପ୍ରକୃତ ନିୟମକୁ ନିଷ୍ପ୍ରଭ ଏପରିକି ଅଚଳ କରିପକାଏ। ସାଧାରଣ ଲୋକେ ଏଭଳି ସ୍ଥଳେ ଦୁର୍ନୀତିକୁ ନୀତି ଭାବେ ଗ୍ରହଣ କରିନେବାକୁ ବାଧୢ ହୁଅନ୍ତି। ସବୁ ଏକଛତ୍ରବାଦ ଭଳି ଏହି ଏକଛତ୍ରବାଦର ଦମନ ଲାଗି ଜରୁରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ। ସରକାରଙ୍କ ତରଫରୁ ଏବେ ତାହା ଆରମ୍ଭ ହୋଇଯାଇଛି। ଏହାର କ˚ପନ ଅସାଧୁ ସରକାରୀ ‘ବାବୁ’ମାନେ ଅନୁଭବ କରୁଥିବେ ନିଶ୍ଚୟ। ତେବେ, ଏ ଦିଗରେ ଜନସାଧାରଣ ବି ଆପଣା ଦାୟିତ୍ବ ସ˚ପାଦନ କରିବା ଆବଶ୍ୟକ। ଏକ ଉଦାସୀନ ନାଗରିକ ସମାଜ ଦୁର୍ନୀତିକୁ ପ୍ରଶ୍ରୟ ଦେଇଥାଏ। ତେଣୁ ସବୁ ଏକଛତ୍ରବାଦ ଭଳି ଏହି ଏକଛତ୍ରବାଦକୁ ଦମନ କରିବା ଲାଗି ଯାହା ଆହୁରି ଅଧିକ ଲୋଡ଼ା, ତାହା ହେଉଛି ଜନ ଜାଗରଣ।

ସମ୍ବନ୍ଧିତ ଖବର

Comments are closed.