ବାଣିଜ୍ୟ ବେଦନା

ଆର୍ଜେଣ୍ଟିନାର ବୁଏନସ୍‌ ଆଏରିସ୍‌ଠାରେ ଚଳିତ ମାସ ୧୧ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ବିଶ୍ୱବାଣିଜ୍ୟ ସଂଗଠନ (ଡବ୍‌ଲ୍ୟୁଟିଓ)ର ଏକାଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀ (ଏମ୍‌ସି11) ବିଫଳତାରେ ସମାପ୍ତ ହୋଇ ପୂର୍ବର ବିଫଳତା ଧାରାକୁ ବଜାୟ ରଖିଛି ବୋଲି କୁହାଯାଇପାରେ। କିନ୍ତୁ ଏହି ଧାରାରେ ଏଥର ଯେଉଁ ବ୍ୟତିକ୍ରମଟିଏ ଦେଖାଯାଇଛି, ତାହା ହେଲା ଏଥରର ବିଫଳତା ପାଇଁ କେହି ଆଉ ଭାରତକୁ ଦାୟୀ କରିନାହିଁ। ପୂର୍ବର ସମ୍ମିଳନୀ ମାନଙ୍କରେ ଭାରତ ତାର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ ହେଉ କି କୃଷକମାନଙ୍କର ସ୍ୱାର୍ଥ ରକ୍ଷା କରିବାକୁ ହେଉ କି ବାଣିଜ୍ୟିକ ସ୍ୱାର୍ଥ ରକ୍ଷା କରିବା ପାଇଁ ହେଉ, ଧନୀ ଦେଶମାନେ ବଳବତ୍ତର କରିବାକୁ ଚାହୁଁଥିବା ବିଭିନ୍ନ ଉଦାରୀକରଣ ପ୍ରସ୍ତାବସବୁକୁ ବିରୋଧ କରିବାରୁ ସମ୍ମିଳନୀଗୁଡ଼ିକ ବିଫଳ ହୋଇଛି ବୋଲି ଭାରତକୁ ଦୋଷ ଦିଆ ହୋଇଆସିଛି। ସମ୍ମିଳନୀରେ ଯୋଗ ଦେଇ ଫେରିବା ପରେ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଯଦିବା ଏଥରର ସମ୍ମିଳନୀରେ କୌଣସି ଅଗ୍ରଗତି ଘଟି ପାରିନାହିଁ, ଏକ ବିରଳ ବ୍ୟତିକ୍ରମ ସ୍ୱରୂପ ଏଥର ଏଥିପାଇଁ ଭାରତକୁ କେହି ଦୋଷ ଦେଇ ନାହାନ୍ତି।

ଭାରତ ପାଇଁ ଏହା ଏକପ୍ରକାର ସନ୍ତୋଷ ସୃଷ୍ଟି କରୁଥିଲେ ହେଁ, ଏକ ବୃହତ୍ତର ଦୃଷ୍ଟିକୋଣରୁ ଦେଖିଲେ ବିଶ୍ୱ ବାଣିଜ୍ୟ ସଂଗଠନ ବର୍ତ୍ତମାନ ସମ୍ମୁଖୀନ ହୋଇଥିବା ସ୍ଥିତି ବିପନ୍ନକାରୀ ସଙ୍କଟ ସାରା ପୃଥିବୀ ପାଇଁ ଘୋର ହତାଶା ସୃଷ୍ଟି କରିଥାଏ। ନିକଟ ଅତୀତରେ ବିଶ୍ୱବାଣିଜ୍ୟ ସଂଗଠନ ନିୟମିତ ଭାବରେ ସମ୍ମୁଖୀନ ହୋଇ ଆସୁଥିବା ଅଚଳାବସ୍ଥା ଦେଖି ଅନେକଙ୍କ ମନରେ ଯଦି ଏକ ସନ୍ଦେହ ସୃଷ୍ଟି ହେଉଥାଏ ଯେ ଏହା ଏକ ଅଦରକାରୀ ବା ଅନାବଶ୍ୟକ ଆନ୍ତର୍ଜାତିକ ଅନୁଷ୍ଠାନରେ ପରିଣତ ହୋଇ ସାରିଲାଣି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏପରି ଧାରଣା କିନ୍ତୁ ନିଃସନ୍ଦେହରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ। ଏହାର କାରଣ ସରଳ ଓ ସ୍ପଷ୍ଟ। ପୃଥିବୀରେ ଯେଉଁଠି ବି ଅର୍ଥନୈତିକ ସମୃଦ୍ଧି ହାସଲ ହୋଇପାରିଛି, ତା’ ପଛରେ ଦୁଇଟି ମୁଖ୍ୟ ଶକ୍ତି କାର୍ଯ୍ୟ କରିଥିବା ଦେଖାଯାଇଛି: ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥା ଏବଂ ଅବାଧ ବା ଉଦାର ବାଣିଜ୍ୟ କାରବାର।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ପ୍ରଥମେ ‘ଗ୍ୟାଟ୍‌’ (ଜେନେରାଲ୍‌ ଆଗ୍ରିମେଣ୍ଟ୍‌ ଅନ୍‌ ଟାରିଫ୍‌ସ ଆଣ୍ଡ୍‌ ଟ୍ରେଡ୍‌) ଓ ପରେ ୧୯୯୫ରେ ଆବିର୍ଭୂତ ତା’ର ନୂତନ ଅବତାର ‘ଡବ୍‌ଲ୍ୟୁଟିଓ’କୁ ବ୍ୟବହାର କରି ସଦସ୍ୟ ଦେଶମାନେ ନିଜ ନିଜ ମଧ୍ୟରେ ବାଣିଜ୍ୟକୁ ଅଧିକରୁ ଅଧିକ ମୁକ୍ତ କରିବାକୁ ଉଦ୍ୟମ କରିବା ସହିତ ତାହାର ସୁଫଳ ସ୍ୱରୂପ ଅର୍ଥନୈତିକ ସମୃଦ୍ଧି ପଥରେ ଅଗ୍ରସର ହୋଇ ଆସିଛନ୍ତି। ଆରମ୍ଭରୁ ଆମେରିକା ବିଶ୍ୱ ସମୁଦାୟକୁ ଏହି ଉଦ୍ୟମରେ ନେତୃତ୍ୱ ଦେଇ ଆସିଥିଲା। ଅର୍ଥଶାସ୍ତ୍ରର ଆନ୍ତର୍ଜାତିକ ବାଣିଜ୍ୟ ଶାଖା ସହିତ ପରିଚିତ ସମସ୍ତେ ଜାଣନ୍ତି ଯେ ଯଦି କୌଣସି ଗୋଟିଏ ଦେଶ ଆମଦାନି ଶୁଳ୍‌କ ହ୍ରାସ କରି ଦେଇ ନିଜ ଦେଶ ମଧ୍ୟକୁ ବିଦେଶୀ ଦ୍ରବ୍ୟ ଆସିବା ପଥ ସୁଗମ କରିଦିଏ, ତେବେ ସେ ଦେଶ ଲାଭବାନ ହେବ। କିନ୍ତୁ ଏହା ମଧ୍ୟ ସମସ୍ତଙ୍କୁ ଜଣା ଯେ ଉତ୍ତମ ଅର୍ଥନୀତି ସର୍ବଦା ଉତ୍ତମ ରାଜନୀତି ହୋଇନଥାଏ, ବରଂ ଯାହା ଅର୍ଥନୈତିକ ଦୃଷ୍ଟିରୁ ହିତକର, ତାହା ରାଜନୈତିକ ଦୃଷ୍ଟିରୁ ଅହିତକର ହେବା ଅଧିକ ଦେଖାଯାଇଥାଏ।

ଦେଶ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ କ୍ଷେତ୍ରରେ ଏହା ସର୍ବାଧିକ ପ୍ରଯୁଜ୍ୟ। ଯଦି ଗୋଟିଏ ଦେଶ ଅନ୍ୟ ଦେଶ ପ୍ରତି ପ୍ରଦର୍ଶନ କରୁଥିବା ଆମଦାନି ଉଦାରତା ପାରସ୍ପରିକ ନହୁଏ, ତେବେ କୌଣସି ଦେଶ ଏକତରଫା ଉଦାରତା ପ୍ରଦର୍ଶନ କରିବା ରାଜନୈତିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଧରାଯାଉ, ଭାରତ ଚୀନ୍‌ରୁ ଆମଦାନି କରୁଥିବା ଦ୍ରବ୍ୟ ଉପରେ ଆମଦାନି ଶୁଳ୍‌କ ହ୍ରାସ କରି ଦେଲା, କିନ୍ତୁ ଚୀନ୍‌ ଭାରତରୁ ଆମଦାନି କରୁଥିବା ଦ୍ରବ୍ୟ ଉପରେ ଲାଗୁ କରୁଥିବା ଶୁଳ୍‌କ ହ୍ରାସ କଲା ନାହିଁ। ଏହା ଭାରତୀୟ ମାନଙ୍କ ପାଇଁ ଗ୍ରହଣୀୟ ହେବ ନାହିଁ ଏବଂ କ୍ଷମତାସୀନ ସରକାର ପାଇଁ ରାଜନୈତିକ ସମସ୍ୟା ସୃଷ୍ଟି କରିବ। ତେଣୁ ଯଦି ଉଭୟ ଭାରତ ଓ ଚୀନ୍‌ ପରସ୍ପରର ଆମଦାନି ଶୁଳ୍‌କ ଏକ ସମୟରେ ହ୍ରାସ କରିଦିଅନ୍ତି ତାହା ଉଭୟ ଦେଶ ପାଇଁ ଅର୍ଥନୈତିକ ଦୃଷ୍ଟିରୁ ହିତକର ହେବ ତଥା ଉଭୟ ଦେଶରେ ରାଜନୈତିକ ଦୃଷ୍ଟିରୁ ଗ୍ରହଣୀୟ ହେବ। ଯଦି ପୃଥିବୀର ସମସ୍ତ ଦେଶ ମଧ୍ୟରେ ଏଭଳି ବାଣିଜ୍ୟିକ ବୁଝାମଣା ହୋଇପାରେ, ତାହା ସମସ୍ତ ଦେଶମାନଙ୍କ ପାଇଁ ଲାଭଜନକ ହେବ। ଏହା ଦ୍ୱାରା ସାରା ପୃଥିବୀରେ ହେଉଥିବା ଆନ୍ତର୍ଜାତିକ ବାଣିଜ୍ୟ କାରବାରରେ ବୃଦ୍ଧି ଘଟିବ ଏବଂ ସେଥିଯୋଗୁଁ ମୋଟ ବିଶ୍ୱ ଉତ୍ପାଦନରେ ବୃଦ୍ଧି ଘଟିବ ଏବଂ ଆନ୍ତର୍ଜାତିକ ସମୃଦ୍ଧିରେ ବୃଦ୍ଧି ଘଟିବ।

‘ଗ୍ୟାଟ୍‌’ ବା ‘ଡବ୍ଲୁଟିଓ’ ଏହି ଆନ୍ତର୍ଜାତିକ ପାରସ୍ପରିକ ବାଣିଜ୍ୟିକ ରାଜିନାମାରେ ପହଞ୍ଚିବା ପାଇଁ ସଦସ୍ୟ ଦେଶମାନଙ୍କୁ ସାହାଯ୍ୟ କରିଥାଏ। ବର୍ତ୍ତମାନ କିନ୍ତୁ ଯାହା ଦେଖାଯିବାକୁ ଆରମ୍ଭ କଲାଣି ତାହା ହେଲା କେତେକ ଦେଶ ଏହି ଉଦାର ବାଣିଜ୍ୟ ବ୍ୟବସ୍ଥା ପ୍ରତି ସନ୍ଦେହ ପ୍ରକଟ କରି ପୁଣି ପୁରୁଣାକାଳିଆ ରକ୍ଷଣଶୀଳ ବ୍ୟବସ୍ଥାକୁ ଫେରିଯିବାକୁ ଉଦ୍ୟତ ହେଲେଣି, ଯେଉଁଥିରେ ବିଶ୍ୱାସ କରାଯାଏ ଯେ ନିଜ ଦେଶକୁ ଧନୀ କରିବାର ଉପାୟ ହେଉଛି ଅନ୍ୟ ଦେଶକୁ ଗରିବ କରିବା। ଏହି ମତବାଦ ଅନୁସାରେ ରତ୍ପାନି ହେଉଛି ଦେଶ ପାଇଁ ଲାଭଜନକ ଏବଂ ଆମଦାନି ହେଉଛି କ୍ଷତିକାରକ। ଅର୍ଥାତ୍‌ ଦେଶର ରପ୍ତାନି ସର୍ବଦା ଆମଦାନି ଠାରୁ ଯେତେ ଅଧିକ ହେବ, ସେତେ ଭଲ। ଅର୍ଥଶାସ୍ତ୍ର ସମ୍ବନ୍ଧରେ ଜ୍ଞାନ ନଥିବା ଯେ କେହି ଏହାକୁ ଯୁକ୍ତିଯୁକ୍ତ ମନେ କରିପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ। କିନ୍ତୁ ବିପଜ୍ଜନକ କଥା ହେଲା ଅବାଧ ଆନ୍ତର୍ଜାତିକ ବାଣିଜ୍ୟକୁ ଏ ପର୍ଯ୍ୟନ୍ତ ନେତୃତ୍ୱ ଦେଇ ଆସୁଥିବା ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଧ୍ୟ ଏହି ଭ୍ରମାତ୍ମକ ଯୁକ୍ତିରେ ବିଶ୍ୱାସ କରନ୍ତି। କେବଳ ବିଶ୍ୱାସ କରନ୍ତି ନାହିଁ, ସେ ଆମେରିକା ପୂର୍ବରୁ ସ୍ୱାକ୍ଷର କରିଥିବା କେତେକ ଅବାଧ ବାଣିଜ୍ୟ ଚୁକ୍ତିରୁ ମଧ୍ୟ ଓହରିଯିବାକୁ ବସିଲେଣି (ଯେମିତି ଉତ୍ତର ଆମେରିକୀୟ ଚୁକ୍ତି ‘ନାଫ୍‌ଟା’)। ବୁଏନସ୍‌ ଆଏରିସ୍‌ ଠାରେ ସେହି ଅନୁସାରେ ଆମେରିକାର ବାଣିଜ୍ୟ ପ୍ରତିନିଧି ରବର୍ଟ ଲାଇଟ୍‌ହାଇଜର୍‌ ଡବ୍ଲ୍ୟୁଟିଓ ପ୍ରତି ଆମେରିକାର ଅନାସ୍ଥା ଭାବ ପ୍ରକଟ କରି ଏହି ଅନୁଷ୍ଠାନର ଭବିଷ୍ୟତ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ।

ଏଭଳି ଏକ ପରିସ୍ଥିତିରେ ଦେଖାଗଲାଣି ଯେ ପୃଥିବୀର ବିଭିନ୍ନ ଅଞ୍ଚଳର ଦେଶମାନେ ନିଜ ନିଜ ମଧ୍ୟରେ ଆଞ୍ଚଳିକ ବାଣିଜ୍ୟିକ ରାଜିନାମା ମାନ ସ୍ୱାକ୍ଷର କରି ଆଞ୍ଚଳିକ ଅବାଧ ବାଣିଜ୍ୟ ଗୋଷ୍ଠୀମାନ ଗଠନ କରିବାକୁ ଆରମ୍ଭ କଲେଣି। ଏହି ପରିପ୍ରେକ୍ଷୀରେ ‘ଡବ୍ଲ୍ୟଟିଓ’ର ୧୬୪ଟି ସଦସ୍ୟ ଦେଶମାନଙ୍କ ମଧ୍ୟରୁ ପ୍ରାୟ ୪୦ଟି ଦେଶଙ୍କୁ ନେଇ ଆସନ୍ତା ଫେବ୍ରୁଆରି-ମାର୍ଚ୍ଚରେ ଏକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜନ କରିବା ପାଇଁ ଭାରତ କରୁଥିବା ଉଦ୍ୟମ ବେଶ୍‌ ପ୍ରଶଂସନୀୟ।

ସମ୍ବନ୍ଧିତ ଖବର