କାଠଗଡ଼ାରେ ନ୍ୟାୟପାଳିକା

0 186

ଭାରତୀୟ ନ୍ୟାୟପାଳିକାର ଇତିହାସରେ ଶୁକ୍ରବାର (ଜାନୁଆରି ୧୨, ୨୦୧୮) ଗୋଟିଏ ଦୁର୍ଭାଗ୍ୟଜନକ, ଲଜ୍ଜାକର ଦିବସ ଭାବେ ଏକ ଅଲୋଡ଼ା ସ୍ଥାନ ନିଶ୍ଚିତ କରି ନେଇଛି। ଏକ ଅଭୂତପୂର୍ବ, ଅସ୍ୱାଭାବିକ ଘଟଣାକ୍ରମରେ ସର୍ବୋଚ୍ଚ ଅଦାଲତର ଚାରିଜଣ ସମ୍ମାନନୀୟ ବରିଷ୍ଠତମ ନ୍ୟାୟମୂର୍ତ୍ତି ସୁପ୍ରିମ୍‌କୋର୍ଟର ମାନ୍ୟବର ପ୍ରଧାନ ନ୍ୟାୟାଧୀଶଙ୍କ ସାଧୁତା ଓ କାର୍ଯ୍ୟଶୈଳୀକୁ କାଠଗଡ଼ାରେ ଠିଆ କରିଛନ୍ତି। ତେବେ ଏ ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ପ୍ରଧାନ ବିଚାରପତି ଗୌଣ, ମୁଖ୍ୟ ହେଲା ଅନୁଷ୍ଠାନ ଭାବେ ନ୍ୟାୟପାଳିକା ଓ ଏହାର ବିଶ୍ୱସନୀୟତା, ସମ୍ମାନ। ଫଳରେ ସ୍ୱାଭାବିକ ଭାବେ କେବଳ ଉଚ୍ଚତମ ନ୍ୟାୟାଳୟର ନୁହେଁ, ସାମଗ୍ରିକ ଭାବେ ଶାସନ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ଅଙ୍ଗ ନ୍ୟାୟପାଳିକାର ସାଧୁତା, ନିରପେକ୍ଷତା, ସ୍ୱାଧୀନତା ଓ ସର୍ବୋପରି ଏହି ଅନୁଷ୍ଠାନର ମର୍ଯ୍ୟାଦା ତଥା ପବିତ୍ରତା ଉପରେ ବିଶାଳ ପ୍ରଶ୍ନଚିହ୍ନ ଲାଗିଯାଇଛି।

ପ୍ରଥମ ଥର ପାଇଁ ସୁପ୍ରିମ୍‌କୋର୍ଟର ଚାରିଜଣ ବରିଷ୍ଠତମ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଗଣମାଧ୍ୟମ ଜରିଆରେ ଦେଶବାସୀଙ୍କ ଆଗରେ ନ୍ୟାୟପାଳିକାରେ ଚାଲିଥିବା ଅସ୍ୱସ୍ତିକର, ଅନିୟମିତ ବ୍ୟାପାର ସମ୍ପର୍କରେ ଯେଉଁ ସୂଚନା ରଖିଛନ୍ତି, ତାହା ନିଃସନ୍ଦେହ। ନ୍ୟାୟ ବ୍ୟବସ୍ଥାରେ ଏକ ଗୁରୁତର ସଙ୍କଟର ଚିତ୍ର ଉପସ୍ଥାପନ କରୁଛି। ଯାହା ନ୍ୟାୟପାଳିକା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଦୋହଲାଇ ଦେଉଛି। ଆଗାମୀ ଦିନରେ ଏ ସଙ୍କଟ କେଉଁ ମୋଡ଼ ନେବ, ସେ ନେଇ ବର୍ତ୍ତମାନ ସମୟରେ କିଛି ନିଶ୍ଚିତ କରି କୁହାଯାଇ ପାରିବ ନାହିଁ, କିନ୍ତୁ ଗୋଟିଏ ବିଷୟ ଶତପ୍ରତିଶତ ନିଶ୍ଚିତ ଯେ, ସଙ୍କଟର ସମାଧାନ ହେଲେ ସୁଦ୍ଧା ତାହା ନ୍ୟାୟପାଳିକାର ଭାବମୂର୍ତ୍ତିରେ ଲାଗିଥିବା ମଇଳାକୁ ଧୋଇ ପୂର୍ବ ଉଜ୍ଜ୍ୱଳତାକୁ ପୂର୍ଣ୍ଣ ମାତ୍ରାରେ ଫେରାଇ ଆଣିବା ଲାଗି ପର୍ଯ୍ୟାପ୍ତ ହେବ ନାହିଁ। ଶୁକ୍ରବାର ଘଟଣାକ୍ରମ ପରିପ୍ରେକ୍ଷୀରେ ନ୍ୟାୟପାଳିକାର ଗରିମା ଓ ବିଶ୍ୱସନୀୟତା ଉପରେ ଲାଗିଥିବା ଆଘାତ ଜନିତ କ୍ଷତର ଭରଣା ହୋଇପାରିବ ଓ ବିଶେଷକରି ନ୍ୟାୟପାଳିକାର ସର୍ବୋଚ୍ଚ ଅନୁଷ୍ଠାନ ସୁପ୍ରିମ୍‌ କୋର୍ଟଙ୍କ ପୂର୍ବ ସମ୍ମାନ ଓ ବିଶ୍ୱସନୀୟତାର ପୁନଃ ପ୍ରତିଷ୍ଠା ଯେ ହେବ ସେ ଆଶା କ୍ଷୀଣ।

ସାଧାରଣ, ପରିସ୍ଥିତିର ମୁକାବିଲା ପାଇଁ ସାଧାରଣ ପଦକ୍ଷେପ ଯଥେଷ୍ଟ ହୋଇଥାଏ। କିନ୍ତୁ ପରିସ୍ଥିତି ଅସାଧାରଣ ହେଲେ, ଏହାର ମୁକାବିଲା ପାଇଁ କିଛି ଅସାଧାରଣ ପଦକ୍ଷେପ ଅପରିହାର୍ଯ୍ୟ ହୋଇ ପଡ଼େ। ଏହି ନ୍ୟାୟରେ ଶୁକ୍ରବାର ଦିନ ସୁପ୍ରିମ୍‌କୋର୍ଟର ଚାରିଜଣ ବରିଷ୍ଠତମ ବିଚାରପତିଙ୍କୁ ନ୍ୟାୟପାଳିକାରେ ଚାଲିଥିବା ଅସ୍ୱସ୍ତିକର ବ୍ୟାପାର ସମ୍ପର୍କରେ ସୂଚନା ଦେବା ପାଇଁ ସାମ୍ବାଦିକ ସମ୍ମିଳନୀ ଡାକିବା ଭଳି ଅସ୍ୱାଭାବିକ, ଅସାଧାରଣ ପଦକ୍ଷେପ ନେବାକୁ ପଡ଼ିଛି। ଏହାଛଡ଼ା ଅନ୍ୟ ବିକଳ୍ପ ମଧ୍ୟ ନଥିଲା। ବିଚାରପତି ଗଣ ଅସଂଗତି ପ୍ରତି ଏକାଧିକ ଥର ପ୍ରଧାନ ନ୍ୟାୟାଧୀଶଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାକୁ ବିଚାରକୁ ନେଇ ସଂଶୋଧନ ମୂଳକ ପଦକ୍ଷେପ ନିଆଯାଇଥିଲେ ହୁଏତ ବିଚାରପତି ମାନଙ୍କୁ ନ୍ୟାୟିକ ଆଚରଣ ବିଧିର ସୀମା ଡେଇଁବାକୁ ପଡ଼ି ନଥାନ୍ତା। ବାସ୍ତବିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଓ ସାଂଘାତିକ। ପ୍ରଧାନ ବିଚାରପତିଙ୍କୁ ଚାରିଜଣ ବରିଷ୍ଠତମ ବିଚାରପତି ଲେଖିଥିବା ସାତପୃଷ୍ଠାର ଚିଠି ଏହାର ପ୍ରାମାଣିକ ଦଲିଲ। ପତ୍ରରେ ଯେଉଁ ଅନିୟମିତତା ଓ ପରମ୍ପରା ବହିର୍ଭୂତ ଅସଂଗତି ସବୁ ଉଲ୍ଲେଖ କରିଯାଇଛି, ତାହାକୁ ଅନ୍ୟଥା ଅଭିଯୋଗ ବିଚାର କରାଯାଇଥାନ୍ତା। କିନ୍ତୁ ଯେହେତୁ ଚାରିଜଣଯାକ ବିଚାରପତି ସୁପ୍ରିମ୍‌ କୋର୍ଟର ସର୍ବୋଚ୍ଚ ଆଭ୍ୟନ୍ତରୀଣ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କଲେଜିୟମର ସଦସ୍ୟ, ପତ୍ରସ୍ଥ ବିବରଣୀର ବିଶ୍ୱସନୀୟତା ଓ ପ୍ରାମାଣିକତା ନେଇ ସନ୍ଦେହର କ୍ୱଚିତ୍‌ ଅବକାଶ ରହୁଛି।

ପତ୍ରରେ ସ୍ତବ୍‌ଧ କରିଦେବା ଭଳି ଏମିତି କିଛି ତଥ୍ୟ ଉଲ୍ଲେଖ କରାଯାଇଛି ଯାହା ସ୍ୱତଃ ନ୍ୟାୟପାଳିକାରେ ସ୍ୱଚ୍ଛତା, ନିରପେକ୍ଷତା ନେଇ ପ୍ରଶ୍ନ ଉତ୍‌ଥାପନ କରୁଛି। ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ମଧ୍ୟରେ ମାମଲା ବଣ୍ଟନ ଓ ଖଣ୍ଡପୀଠ ଗଠନରେ ମନମୁଖି ଓ ପରମ୍ପରାର ଉଲ୍ଲଂଘନ ପ୍ରତି ଉଦାହରଣ ସହ ଇଙ୍ଗିତ କରାଯାଇଛି। ନ୍ୟାୟପାଳିକାର ପରମ୍ପରା ଅନୁଯାୟୀ ‘ମାଷ୍ଟର ଅଫ୍‌ ରୋଷ୍ଟର’ ଭାବେ ପ୍ରଧାନ ବିଚାରପତିଙ୍କ ଭୂମିକା ସ୍ୱୀକୃତ। ବିଚାରପତିଙ୍କ ମଧ୍ୟରେ ମାମଲା ଆବଣ୍ଟନ ଓ ଖଣ୍ଡପୀଠ ଗଠନ ନିଶ୍ଚିତ ଭାବେ ପ୍ରଧାନ ନ୍ୟାୟାଧୀଶଙ୍କ ଇଚ୍ଛାଧୀନ କ୍ଷମତା। ତେବେ କ୍ଷମତା ଇଚ୍ଛାଧୀନ ହେଲେ ସୁଦ୍ଧା ଏହାର ମନମୁଖି ପ୍ରୟୋଗ ଆଦୌ ଅପେକ୍ଷିତ ନୁହେଁ। ପରମ୍ପରା ଓ ନୀତି, ନିୟମ, ନୈତିକତାର ସରହଦ ଭିତରେ ସେ କ୍ଷମତା ପ୍ରୟୋଗର ଅପେକ୍ଷା ରଖାଯାଏ। କିନ୍ତୁ ଗତ କିଛି ମାସ ଭିତରେ ଏମିତି ଅନେକ ନଜିର ରହିଛି ଯେଉଁଠି ପରମ୍ପରା ଓ ଅନୁସୃତ ନୀତିକୁ ଉପେକ୍ଷା କରାଯାଇ ବ୍ୟକ୍ତିଗତ ପସନ୍ଦ ଓ ଅପସନ୍ଦକୁ ଗୁରୁତ୍ୱ ଦିଆଯାଇଛି।

ନିର୍ଦ୍ଦିଷ୍ଟ ଜଣେ ବିଚାରପତିଙ୍କୁ ଯଦି ନିର୍ଦ୍ଦିଷ୍ଟ ମାମଲାର ବିଚାର ଦାୟିତ୍ୱ ଦିଆଯାଏ, ତେବେ ସେ କ୍ଷେତ୍ରରେ ନ୍ୟାୟ ହେବା ନେଇ ପ୍ରଶ୍ନ ଉଠିବା ଅସ୍ୱାଭାବିକ ନୁହେଁ। ଏ ପ୍ରସଙ୍ଗରେ ଦୁଇଟି ବିଷୟ ଉଲ୍ଲେଖର ଅପେକ୍ଷା ରଖୁଛି। ପ୍ରଥମ ପ୍ରଧାନ ବିଚାରପତି କୋର୍ଟର ଅନ୍ୟ ବିଚାରପତିଙ୍କ ଉପରେ ନୁହନ୍ତି। ସେ ‘ଫାଷ୍ଟ ଏମଙ୍ଗ ଦି ଇକ୍ୟୁଆଲ୍‌ସ’। ତେଣୁ ଅନ୍ୟ ବିଚାରପତିଙ୍କ ଉପରେ ତାଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ଦ୍ୱିତୀୟ ବରିଷ୍ଠତାକୁ ସମ୍ମାନ ଭାରତୀୟ ନ୍ୟାୟପାଳିକାର ଏକ ପ୍ରତିଷ୍ଠିତ ପରମ୍ପରା। ଏହି କଷଟିରେ ପରଖିଲେ ବିଗତ ଦିନରେ ପ୍ରଧାନ ନ୍ୟାୟାଧୀଶଙ୍କ ଏକାଧିକ ନିଷ୍ପତ୍ତି ଉତ୍ତୀର୍ଣ୍ଣ ହୋଇ ପାରୁନାହିଁ। ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ମଧ୍ୟ ‘ମେମୋରେଣ୍ଡ ଅଫ୍‌ ପ୍ରସିଡିଅର’ (ଏମ୍‌ଓପି) ଚୂଡ଼ାନ୍ତ କରିବା ନେଇ ଅନୁସୃତ ନିୟମ, ଏପରିକି ସୁପ୍ରିମ୍‌କୋର୍ଟର ପୂର୍ବ ଦୃଷ୍ଟାନ୍ତ ମୂଳକ ରାୟର ବିରୋଧାଚରଣ ଅଣଦେଖା ହୋଇଥିବା ଉଲ୍ଲେଖ କରାଯାଇଛି।

ଅବଶ୍ୟ, କେତେକ ମହଲରେ ଚାରିଜଣ ବରିଷ୍ଠତମ ବିଚାରପତିଙ୍କ ମିଳିତ ପ୍ରତିବାଦକୁ ‘ଟ୍ରେଡ୍‌ ୟୁନିଅନ୍‌ କାରବାର’, ପ୍ରଧାନ ବିଚାରପତିଙ୍କ ବିରୋଧରେ ‘ଗ୍ୟାଙ୍ଗ୍‌ ଅଫ୍‌ ଫୋର୍‌ଙ୍କ ମେଳି’ ବୋଲି କହି ସମାଲୋଚନା କରାଯାଉଛି। କିନ୍ତୁ ଚାରିଜଣ ବିଚାରପତିଙ୍କ ଏହି ପ୍ରତିବାଦକୁ ନ୍ୟାୟପାଳିକାର ‘ବିବେକର ସ୍ୱର’ ବୋଲି କୁହାଯିବ ନାହିଁ କାହିଁକି? ଯଦି ନ୍ୟାୟପାଳିକାରେ ‘ଯାହା ହେବା କଥା ତାହା ହେଉ ନାହିଁ’, ତେବେ କେହି ତ ବିଲେଇ ବେକରେ ଘଣ୍ଟି ବାନ୍ଧିବ। ସେହି କାର୍ଯ୍ୟଟି ଚାରିଜଣ ବିଚାରପତି କରିଛନ୍ତି। ଚାରିଜଣ ବିଚାରପତିଙ୍କ ଉଦ୍ଦେଶ୍ୟ ନେଇ ମଧ୍ୟ ପ୍ରଶ୍ନ ଉଠାଯାଉଛି। ଅନ୍ୟ ୨୩ ଜଣ ବିଚାରପତି ନିରବ ଥିବା ବେଳେ ମାତ୍ର ଚାରିଜଣ ବିଚାରପତି ପାଟି କରିବା ପଛରେ ଉଦ୍ଦେଶ୍ୟ କ’ଣ? ନ୍ୟାୟପାଳିକାର ଆଭ୍ୟନ୍ତରୀଣ ମତଭେଦ ତଥା ପ୍ରାଧାନ୍ୟ ପାଇଁ କନ୍ଦଳର ଏହା ଆଉ ଏକ ସ୍ୱରୂପ ନୁହେଁ ତ? ତେବେ ବିଚାରପତି ମାନଙ୍କ ଉଦ୍ଦେଶ୍ୟ ନେଇ ପ୍ରଶ୍ନର ଏ ଭିଡ଼ ଭିତରେ ସେମାନେ ଉଠାଇଥିବା ପ୍ରସଙ୍ଗ ହଜିଯିବ ନାହିଁ। କାରଣ ଏହା ସହ ନ୍ୟାୟପାଳିକାର ଗରିମା ଓ ମର୍ଯ୍ୟାଦା ଯୋଡ଼ି ହୋଇଛି। ଯଦି ଖୋଦ୍‌ ନ୍ୟାୟପାଳିକାର ବିଚାରପତିମାନେ ନ୍ୟାୟପାଳିକାର ସାଧୁତା ଉପରେ ପ୍ରଶ୍ନ ଉଠାନ୍ତି, ତେବେ ସାଧାରଣ ଜନତା କିଭଳି ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ଓ ବିଶ୍ୱାସ ରଖି ପାରିବେ?

ଏହା ନିଶ୍ଚିତ ଭାବେ ଏକ ବିଡ଼ମ୍ବନା ଯେ ଭାରତର ନ୍ୟାୟପାଳିକାର ସ୍ୱାଧୀନତା, ପ୍ରତିଷ୍ଠା ପ୍ରତି ବିଶେଷ କୌଣସି ବାହ୍ୟ ବିପଦ ନାହିଁ। ସମ୍ବିଧାନ ଏହା ନିଶ୍ଚିତ କରିଛି। ଆଭ୍ୟନ୍ତରୀଣ କାରଣରୁ ଏହା ଦୁର୍ବଳ ହେଉଛି। ନ୍ୟାୟପାଳିକା ଦୁର୍ବଳ ହେବାର ପ୍ରତିକୂଳ ପ୍ରଭାବ ସମଗ୍ର ଶାସନ ବ୍ୟବସ୍ଥା ଉପରେ ପଡ଼ିବା ଆଶଙ୍କାକୁ ଏଡ଼ାଯାଇ ନପାରେ। ଶାସନର ବିଭିନ୍ନ ଅଙ୍ଗ ମଧ୍ୟରେ ସମ୍ବିଧାନ ନିର୍ଦ୍ଧାରିତ ଭାରସାମ୍ୟ ଏହାଦ୍ୱାରା ବ୍ୟାହତ ହେବ। ନ୍ୟାୟପାଳିକାର ଦୁର୍ବଳତା, ଅଯଥାରେ କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭାକୁ ଅଧିକ କ୍ଷମତାଶାଳୀ ହେବା ଲାଗି ସୁଯୋଗ ଦେବ। ଏହା କଦାପି ଏକ ସୁଖଦ ସ୍ଥିତି ହୋଇ ନପାରେ। ଯେହେତୁ ଆଜି ନ୍ୟାୟପାଳିକାରେ ଯେଉଁ ଦୁଃସ୍ଥିତି, ଅରାଜକତା ଆସିଛି ସେଥିପାଇଁ ଖୋଦ୍‌ ନ୍ୟାୟପାଳିକା ଦାୟୀ, ଏ ସ୍ଥିତିରେ ପରିବର୍ତ୍ତନ ମଧ୍ୟ ଖୋଦ୍‌ ନ୍ୟାୟପାଳିକାର ଦାୟିତ୍ୱ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.