Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ସୁନା ପଞ୍ଜୁରି

0 169

ସି ଜିନ୍‌ପିଙ୍ଗ୍‌ ଚୀନ୍‌ର ଏକାଙ୍ଗ ଚକ୍ରବର୍ତ୍ତୀ ରୂପେ ଅଭିଷିକ୍ତ ହେବା ପରେ ସେ ଚୀନ୍‌ ପାଇଁ ଦେଖିଥିବା ସ୍ୱପ୍ନକୁ ଏଥର ସାକାର କରିବା ପାଇଁ କୌଣସି ଉଦ୍ୟମ ବାକି ରଖିବେ ନାହିଁ ବୋଲି ଅନୁମାନ କରାଯାଇପାରେ। ‘ଚୀନାସ୍ୱପ୍ନ’ ରୂପେ ଅଭିହିତ ତାଙ୍କର ଏହି ସ୍ୱପ୍ନର ଅନେକ ଦିଗ ରହିଥିଲେ ମଧ୍ୟ ସେଥି ମଧ୍ୟରୁ ଦୁଇଟିକୁ ସର୍ବପ୍ରଧାନ ବୋଲି ବିଚାର କରାଯାଇପାରେ। ପ୍ରକୃତରେ ୨୦୧୨ରେ ସି ଯେତେବେଳେ ତାଙ୍କର ପ୍ରଥମ ପାଳି ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ, ତାହାର ମାସକ ଭିତରେ ହିଁ ସେ ଏ ଦୁଇ ଲକ୍ଷ୍ୟ ସମ୍ବନ୍ଧରେ ଘୋଷଣା କରିଥିଲେ। ଏ ଦୁଇ ଲକ୍ଷ୍ୟର ନାମକରଣ କରାଯାଇଥିଲା- ‘ଶତାବ୍ଦୀୟ ଲକ୍ଷ୍ୟ ଦ୍ୱୟ’। ପ୍ରଥମ ଲକ୍ଷ୍ୟ ହେଲା- ୨୦୨୧ରେ ଚୀନ୍‌ ଯେତେବେଳେ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକୀ ପାଳନ କରିବ ସେତେବେଳକୁ ଏହା ଏକ ‘ମଧ୍ୟମ ଧରଣର ସମୃଦ୍ଧ ସମାଜ’ ପ୍ରତିଷ୍ଠା କରିବାରେ ସଫଳ ହୋଇଥିବ, ଯାହାର ମୋଟ ବାର୍ଷିକ, ମୁଣ୍ଡ ପିଛା ଜାତୀୟ ଉତ୍ପାଦ (ଜିଡିପି) ୨୦୧୦ ସ୍ତରର ଦୁଇଗୁଣ ହୋଇ ୨୦୨୧ରେ ହୋଇଥିବ ୧୦,୦୦୦ ଆମେରିକୀୟ ଡଲାର୍‌। ଦ୍ୱିତୀୟ ଲକ୍ଷ୍ୟ ହେଲା- ୨୦୪୯ରେ ଚୀନ୍‌ରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠାର ଶତବାର୍ଷିକୀ ପାଳନ ବେଳକୁ ଚୀନ୍‌ ଏକ ‘ସମ୍ପୂର୍ଣ୍ଣ ବିକଶିତ, ଧନୀ ଏବଂ ଶକ୍ତିଶାଳୀ’ ରାଷ୍ଟ୍ରରେ ପରିଣତ ହୋଇଥିବ।
ଏଭଳି ଏକ ସୁନେଲି ଭବିଷ୍ୟତ ଦିଗରେ ଆଗେଇବା ପାଇଁ ଚୀନା ରାଷ୍ଟ୍ରକୁ ବିଭିନ୍ନ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ସୂଚନାମାନ ପ୍ରକାଶ ପାଇବାରେ ଲାଗିଛି। ଏଥିମଧ୍ୟରୁ ଗୋଟିଏ ଏଠାରେ ବିଶେଷ ଭାବରେ ପ୍ରଣିଧାନ ଯୋଗ୍ୟ। ପ୍ରତ୍ୟେକ ଚୀନା ନାଗରିକର ଅବଦାନ ବିନା ଏ ମହାନ୍‌ ଲକ୍ଷ୍ୟ ହାସଲ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି। ଯଦି ପ୍ରତ୍ୟେକ ନାଗରିକର ଆଚରଣ ଓ ଅବଦାନ ଆଦର୍ଶ ଶ୍ରେଣୀର ହୁଏ ତେବେ ତାହାର ସମ୍ମିଳିତ ପ୍ରଭାବରେ ଉପରୋକ୍ତ ଲକ୍ଷ୍ୟ ସାଧିତ ହୋଇ ପାରିବ। କିନ୍ତୁ ପୃଥିବୀର ସର୍ବାଧିକ ଜନବହୁଳ ଦେଶର ପ୍ରତ୍ୟେକ ନାଗରିକର ଆଚରଣ ଯେ ଆଦର୍ଶ ଶ୍ରେଣୀର ହେବ, ତାହା ନିଶ୍ଚିତ କରିବ କିଏ ଓ କିପରି? ଏହା ଆମକୁ ଯଦି ଏକ ଅସମ୍ଭବ ବା ଦୁରୂହ ବ୍ୟପାର ଭଳି ମନେ ହେଉଥାଏ, ତାହେଲେ ୨୦୧୪ରେ ‘ଷ୍ଟେଟ୍‌ କାଉନ୍‌ସିଲ୍‌ ଅଫ୍‌ ଚାଇନା’ ଦ୍ୱାରା ପ୍ରକାଶିତ ଏକ ମାର୍ଗଦର୍ଶିକା ଏ ସମ୍ବନ୍ଧରେ ଆମକୁ ଏକ ଅଧିକ ସ୍ପଷ୍ଟ ଧାରଣା ପ୍ରଦାନ କରିଥାଏ।
ଏହି ମାର୍ଗଦର୍ଶିକାର ନାମ ହେଉଛି ‘ଏକ ସାମାଜିକ ମୂଲ୍ୟାୟନ ବ୍ୟବସ୍ଥା ନିର୍ମାଣ ପାଇଁ ଯୋଜନାର ପ୍ରାଥମିକ ଚିଠା’ (‘ପ୍ଲାନିଂ ଆଉଟ୍‌ଲାଇନ୍‌ ଫର୍‌ ଦି କନ୍‌ଷ୍ଟ୍ରକ୍‌ସନ୍‌ ଅଫ୍‌ ଏ ସୋସିଆଲ୍‌ କ୍ରେଡିଟ୍‌ ସିଷ୍ଟମ୍‌)। ଭାରତରେ କେବଳ ଆଧାର କାର୍ଡ ବ୍ୟବସ୍ଥାର ପ୍ରବର୍ତ୍ତନ ଭାରତୀୟ ନାଗରିକର ସ୍ୱାଧୀକାର ଏବଂ ଗୋପନୀୟତା ଅଧିକାର କ୍ଷୁଣ୍ଣ କରୁଛି ବୋଲି ଯେଉଁମାନେ ବିବ୍ରତ (ଯେମିତି ମମତା ବାନାର୍ଜୀ), ସେମାନେ ଏହି ଚୀନା ବ୍ୟବସ୍ଥାର ମର୍ମ ବୁଝିବା ପାଇଁ କେବଳ କଳ୍ପନା କରନ୍ତୁ ଯେ ପ୍ରତ୍ୟେକ ନାଗରିକ କେତେଦୂର ନିର୍ଭରଯୋଗ୍ୟ ତାହାକୁ ଆଧାର କରି ଜାତୀୟ ସ୍ତରରେ ଏକ ମାନ୍ୟତା (ସ୍କୋର୍‌) ପ୍ରଦାନ କରାଯିବ। ଉଚ୍ଚ ସ୍କୋର ପାଇବା ନାଗରିକ ପାଇଁ ରାଷ୍ଟ୍ର ଯେଉଁଭଳି ସୁବିଧା ସୁଯୋଗ, ଅଧିକାର ଆଦି ଯୋଗାଇବ, ନୀଚା ସ୍କୋର ପାଇଥିବା ନାଗରିକ ପାଇଁ ତାହା ଉପଲବ୍ଧ ହେବ ନାହିଁ।
ଏଭଳି ସ୍କୋର୍‌ କେଉଁ ଆଧାରରେ ପ୍ରଦାନ କରାଯିବ ତାହା ବୁଝିବା କଷ୍ଟକର ହୋଇଥିଲେ ହେଁ ଏ ସମ୍ପର୍କରେ ଚୀନା ସରକାର ଯୋଜନା ହେଉଛି ମୋଟାମୋଟି ନିମ୍ନ ପ୍ରକାରର। ମନେକର ତୁମର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ରାଷ୍ଟ୍ର ଅବିରତ ନଜର ରଖିଛି ଏବଂ ତାହାର ମୂଲ୍ୟାୟନ କରୁଛି: ତୁମେ ଦୋକାନ ମାନଙ୍କରୁ କିଂବା ଅନ୍‌ଲାଇନ୍‌ରେ କ’ଣ କ’ଣ ଜିନିଷପତ୍ର ଏବଂ ସେବା କ୍ରୟ କରୁଛ; କୌଣସି ନିର୍ଦ୍ଦିଷ୍ଟ ସମୟରେ ତୁମେ କେଉଁ ସ୍ଥାନରେ ଅଛ; ତୁମର କେଉଁମାନେ ହେଉଛନ୍ତି ସାଙ୍ଗସୁଖ ଏବଂ ସେମାନଙ୍କ ସହିତ ତୁମେ କିପରି ପାରସ୍ପରିକ ଆଚରଣ ପ୍ରଦର୍ଶନ କରୁଛ; ତୁମେ କେତେ ଘଣ୍ଟା ଇଣ୍ଟର୍‌ନେଟ୍‌ରେ ବିଭିନ୍ନ ବିଷୟବସ୍ତୁ ଦେଖୁଛ କିଂବା ଭିଡିଓ ଗେମ୍‌ ଖେଳୁଛ; ତୁମେ କେତେ ଖର୍ଚ୍ଚ କରୁଛ କିଂବା ଟିକସ ଦେଉଛ କି ଦେଉନାହଁ, ଇତ୍ୟାଦି। ଅବଶ୍ୟ, ଯେଉଁମାନେ ଗୁଗ୍‌ଲ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ କିଂବା ଫିଟ୍‌ବିଟ୍‌ ଆଦି ସୋସିଆଲ୍‌ ମିଡିଆରେ ସକ୍ରିୟ ଅଛନ୍ତି ସେମାନଙ୍କ ଅଜାଣତରେ ସେମାନଙ୍କର ଉପରଲିଖିତ ସମସ୍ତ କାର୍ଯ୍ୟକଳାପ ସମ୍ବନ୍ଧରେ ସୂଚନା ମାନ ଅନବରତ ସଂଗୃହୀତ ହେବାରେ ଲାଗିଛି ଏବଂ ସେ ସବୁର ବ୍ୟାବସାୟିକ ଉପଯୋଗ ହେବାରେ ଲାଗିଛି।
ଚୀନା ବ୍ୟବସ୍ଥାର କିନ୍ତୁ ବିଶେଷତ୍ୱ ହେଲା ଏହା ଯେ ଏହି ସମସ୍ତ ସୂଚନାକୁ ଆଧାର କରି ରାଷ୍ଟ୍ର ତା’ର ନାଗରିକ ମାନଙ୍କୁ ସ୍କୋର୍‌ ବା ମାନ୍ୟତା ପ୍ରଦାନ କରିଥାଏ। କଳ୍ପନା କରାଯାଉ, ନାଗରିକର ଉପରବର୍ଣ୍ଣିତ କାର୍ଯ୍ୟକଳାପ ସବୁକୁ ରାଷ୍ଟ୍ରର ହିତ ଦୃଷ୍ଟିରୁ ହିତକର କିଂବା ଅହିତକର (ସକାରାତ୍ମକ କିଂବା ନକାରାତ୍ମକ) ରୂପେ ଶ୍ରେଣୀ ବିଭାଜନ କରାଯାଇଛି। ସେହି ଅନୁଯାୟୀ ନାଗରିକର ଏକ ନିର୍ଦ୍ଦିଷ୍ଟ ଆଚରଣକୁ ଏକ ଉଚ୍ଚା କିଂବା ନୀଚା ସ୍କୋର୍‌ ପ୍ରଦାନ କରାଯିବ। ଜଣେ ନାଗରିକର ସମସ୍ତ ଆଚରଣକୁ ଏହି ଉପାୟରେ ତଉଲ କରାଯାଇ ତାକୁ ଗୋଟିଏ ସଂଖ୍ୟାରେ ପରିଣତ କରାଯିବ, ଯାହା ହେବ ତା’ର ନାଗରିକ ସ୍କୋର୍‌ (ପିଲାଟିଏ ଶ୍ରେଣୀରେ ହାସଲ କରୁଥିବା ହାରାହାରି ମାର୍କ ଭଳି)। ଏହି ସ୍କୋର୍‌ ହିଁ ସମସ୍ତଙ୍କୁ ସୂଚାଇ ଦେବ ଯେ ସମ୍ପୃକ୍ତ ନାଗରିକ ଜଣକ ରାଷ୍ଟ୍ର ପାଇଁ ନିର୍ଭରଯୋଗ୍ୟ କି ନୁହେଁ। ସେତିକି ନୁହେଁ, ପରୀକ୍ଷା ଫଳ ତାଲିକାରେ ଉଚ୍ଚା ମାର୍କ ରଖିଥିବା ପିଲା ଉଚ୍ଚ ସ୍ଥାନରେ ଏବଂ ନୀଚା ମାର୍କ ରଖିଥିବା ପିଲା ନୀଚା ସ୍ଥାନରେ ଥିବା ଭଳି ଦେଶର ଜନସମୁଦାୟର ନାଗରିକ ମାନ୍ୟତା ତାଲିକାରେ ଜଣେ ନାଗରିକକୁ ସେଇଭଳି ସ୍ଥାନୀତ କରାଯିବ। ଆଉ ନାଗରିକ ଜଣକ ପାଇଁ ଏହା କେବଳ ଯେ ଏକ ମନସ୍ତାତ୍ତ୍ୱିକ ସମସ୍ୟା ସୃଷ୍ଟି କରିବ, ତାହା ନୁହେଁ। ଏହି ନାଗରିକ ସ୍କୋର୍‌କୁ ଭିତ୍ତି କରି ନିଷ୍ପତ୍ତି ନିଆଯିବ ନାଗରିକ ଜଣକ ଘରଟିଏ କିଣି ପାରିବ କି ନାହିଁ; ବ୍ୟାଙ୍କ୍‌ରୁ ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ କି ନାହିଁ, କୌଣସି ନିର୍ଦ୍ଦିଷ୍ଟ ସ୍କୁଲ୍‌ରେ ତା’ର ପିଲାକୁ ଆଡ୍‌ମିସନ୍‌ ମିଳିବ କି ନାହିଁ- ଏପରିକି ତାକୁ ପ୍ରେମିକଟିଏ କି ପ୍ରେମିକାଟିଏ ମିଳିବେକି ନାହିଁ।
ଏହା କାହାକୁ ହୁଏତ ବର୍ଜ ଅର୍‌େଓ୍ଵଲ୍‌ଙ୍କ ଉପନ୍ୟାସ ‘୧୯୮୪’ ର ବହୁଚର୍ଚ୍ଚିତ ‘ବିଗ୍‌ବ୍ରଦର’ ବେଲଗାମ୍‌ ହୋଇଯାଇଥିବା ଭଳି ଏକ କାଳ୍ପନିକ ସମ୍ଭାବନା ପରି ମନେ ହୋଇପାରେ, ଯାହା ହୁଏତ କେଉଁ ସୁଦୂର ଭବିଷ୍ୟତରେ ଯାଇ ସତ ହୋଇପାରେ। କିନ୍ତୁ ସତକଥା ହେଲା ଚୀନା ସରକାର ଏକ ‘ସାମାଜିକ ମାନ୍ୟତା ବ୍ୟବସ୍ଥା’ (ଏସ୍‌ସିଏସ୍‌) ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ଦେଲେଣି ଯାହା ୧୩୦ କୋଟି ଲୋକଙ୍କର ବିଶ୍ୱସନୀୟତା ମାପ କରିବା ଆରମ୍ଭ କରିବ। ଏଥିରେ ସନ୍ଦେହ ନାହିଁ ଯେ ଏହାକୁ ଭିତ୍ତି କରି ୨୦୪୯ ବେଳକୁ ଯେଉଁ ଧନୀ ଚୀନ୍‌ର ସୃଷ୍ଟି ହେବ, ତାହା ତା’ର ନାଗରିକ ମାନଙ୍କ ପାଇଁ ହେବ ଏକ ସୁନାପଞ୍ଜୁରି ମାତ୍ର!

ସମ୍ବନ୍ଧିତ ଖବର

Leave A Reply

Your email address will not be published.

10 + nine =