କିପରି ନାୟିକା ଶୀତଲଙ୍କୁ ମିଳିଥିଲା ଓଲିଉଡ ଟିକେଟ୍‌

ଓଲିଉଡର ଜଣେ ଲୋକପ୍ରିୟ ନାୟିକା ହେଲେ ଶୀତଲ । ସେ ‘ଯିଏ ଯାହା କହୁ ମୋ’ର ଢ଼ୋ’ ଜରିଆରେ ଓଲିଉଡ଼୍‍ରେ ପ୍ରଥମେ ନାୟିକା ଭାବରେ କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏହାପରେ ‘ଭଲପାଏ ତତେ ୧୦୦ରୁ ୧୦୦’,‘ତୁ ଯେ ସେଇ’,‘ପ୍ରେମରେ ପ୍ରେମରେ’,ତୋ’ର ଦିନେକୁ ମୋର ଦିନେ’ଏବଂ ‘ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା’ ଆଦି ଛବିରେ ଅଭିନୟ କରିସାରିଲେଣ ସେ।ଶୀତଲ୍‌ କିନ୍ତୁ ସିଧାସଳଖ ଫିଲ୍ମରେ ନାୟିକା ହେବାର ସୌଭାଗ୍ୟପ୍ରାପ୍ତ କରିନାହାନ୍ତି।

ସେ ଟେଲି ଦୁନିଆଁରେ ପରିଚିତ ହାସଲ କରିବାପରେ ହିଁ ସିନେମାରେ ପଦାର୍ପଣ କରିଥିଲେ। ଶୀତଲ୍‌ ଷ୍ଟାଣ୍ଡାର୍ଡ଼ ଟୁରେ ପଢ଼ୁଥିବାବେଳେ ସର୍ବପ୍ରଥମେ ଓଟିଭିରେ ପ୍ରସାରିତ ହେଉଥିବା ‘କୁନି ରାଇଜ’ କାର୍ଯ୍ୟକ୍ରମରେ ଆଙ୍କରିଂ କରି ଟେଲି ଦୁନିଆ ସହିତ ସଂଶ୍ଳିଷ୍ଟ ହୋଇଥିଲେ।ଏହାପରେ ତାଙ୍କୁ ଆକସ୍ମିକ ଭାବେ ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ଏକ ମେଗାସିରିଏଲ୍‌‘ଶ୍ରୀଜଗନ୍ନାଥ’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏଥିରେ ଶୀତଲ୍‌ କେତକୀ ଚରିତ୍ରରେ ବେଶ୍‌ ପ୍ରଭାବଶାଳୀ ଅଭିନୟ କରିଥିଲେ। ଏହାପରେ ଦଶମ ଶ୍ରେଣୀର ଛାତ୍ରୀ ଥିବାବେଳେ ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ଧାରାବାହିକ ‘ହରର୍‌ ଜୋନ୍‌’ର ‘ମାୟା’ ନାମକ ଏକ ଏପିସୋଡ଼୍‍ରେ ଟାଇଟଲ୍‌ ରୋଲ୍‌ କରିଥିଲେ।

ସେହି ସମୟରେ ଜଣେ ନୂଆ ପ୍ରଯୋଜକ ସନ୍ଦୀପ ରାଉତରାୟ ‘ଯିଏ ଯାହା କହୁ ମୋ’ର ଢ଼ୋ’ଟାଇଟଲରେ ଏକ ଓଡ଼ିଆ ସିନେମାର ନିର୍ମାଣ କରୁଥାନ୍ତି ଏବଂ ସେ ଜଣେ ନବାଗତା ନାୟିକାଙ୍କ ସନ୍ଧାନରେ ଥାଆନ୍ତି। ଆଉ ସେହି ଧାରାବାହିକର କ୍ଲିପିଂଙ୍ଗ୍‌ ଦେଖିବା ପରେ ଅଭିନେତା ମୀନକେତନ ଶୀତଲଙ୍କୁ ‘ଯିଏ ଯାହା କହୁ ମୋ’ର ଢ଼ୋ’ ଫିଲ୍ମରେ ନାୟିକା ଭୂମିକାରେ ନେବା ଲାଗି ପ୍ରଯୋଜକ ସନ୍ଦୀପ ରାଉତରାୟ ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କୁ ପରାମର୍ଶ ଦେଇଥିଲେ। ମୀନକେତନଙ୍କ କଥାରେ ଶୀତଲଙ୍କୁ ମିଳିଥିଲା‘ଯିଏ ଯାହା କହୁ ମୋ’ର ଢ଼ୋ’ରେ ନାୟିକାର ଭୂମିକା । ତାଙ୍କୁ ଅଡିସନ୍‌ ବି ଦେବାକୁ ପଡ଼ି ନଥିଲା । ଅବଶ୍ୟ ଏହା ଭିନ୍ନ କଥା ଯେ ପ୍ରଥମ ସିନେମାରେ ଶୀତଲଙ୍କୁ ମିଳିଥିଲା ବାବୁସାନଙ୍କ ସାଥ୍‌। ଏହି ସିନେମାରେ ଯେଉଁଥିରେ କି ଶୀତଲ୍‌ଙ୍କ ଅଭିନୟକୁ ଢ଼େର୍‌ ପ୍ରଶଂସା କରିଥିଲେ ଦର୍ଶକ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

 

ସମ୍ବନ୍ଧିତ ଖବର