କାଷ୍ଟିଂ କାଉଚ୍‌କୁ ନେଇ ଆଲିଆ ଭଟ୍ଟ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ରେ କାଷ୍ଟିଂ କାଉଚକୁ ନେଇ ଜଣାଶୁଣା କୋରିୟୋଗ୍ରାଫର ସରୋଜ ଖାନ୍‌ଙ୍କ ବୟାନ୍‌ ପରେ ପୁଣି ଥରେ ଏହାକୁ ନେଇ ଆଲୋଚନ ଜୋର୍‌ ଧରିଛି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ସିନେମା ‘ରାଜି’ର ଏକ ପ୍ରମୋସନାଲ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇଥିଲେ। ସେଠାରେ କାଷ୍ଟିଂ କାଉଚ ବିଷୟରେ ଆଲୋଚନା ସମୟରେ ଆଲିଆ କହିଥିଲେ, କାଷ୍ଟିଂ କାଉଚ ତଥା ନାରୀମାନଙ୍କ ଉପରେ ହେଉଥିବା ଅନ୍ୟ ଶୋଷଣର ଅନ୍ତ ହେବ ନାହିଁ। ପରିବର୍ତ୍ତନ ସେତେବେଳେ ଯାଇ ଆସିବ ଯେତେବେଳେ ପ୍ରତ୍ୟେକ ପୀଡିତା ଏନେଇ ଖୋଲାଖୋଲି ଆଲୋଚନା କରିବେ, ଅପରାଧୀ ବିରୋଧରେ ପଦକ୍ଷେପ ନେବେ। ସେବେ ଯାଇ ଏହି ମାମଲା କିଛି ପରିମାଣରେ ହ୍ରାସ ପାଇବ ବୋଲି ଆଲିଆ କହନ୍ତି।

ଅନ୍ୟପକ୍ଷରେ ଆଲିଆ କହନ୍ତି, ବାରମ୍ବାର ଏଭଳି କାଷ୍ଟିଂ କାଉଚ ବିଷୟ ଉଠିବା ଫଳରେ ସିନେମା ଇଣ୍ଡଷ୍ଟ୍ରି ଉପରେ ଏହାର ଏକ ନକରାତ୍ମକ ପ୍ରଭାବ ପଡ଼ୁଛି। ଲୋକମାନଙ୍କରେ ମନରେ ସିନେମା ଇଣ୍ଡଷ୍ଟ୍ରି ପ୍ରତି ବହୁତ ଖରାପ ଧାରଣା ଆସିଥାଏ। ମୁଁ ଜାଣୁଛି ଓ ବୁଝୁଛି ମଧ୍ୟ। ସିନେମା ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ପ୍ରତିଦିନ ଅନେକ ଯୁବତୀ ଆସି ଥାଆନ୍ତି। ଏମାନଙ୍କ ମଧ୍ୟରୁ କେତେକଙ୍କୁ ଖରାପ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥାଏ। ତେବେ ମୁଁ ଯୁବପିଢ଼ିଙ୍କୁ କହି ରଖୁଛି, ସେମାନେ ସବୁବେଳେ ନିଜ ଉପରେ ଭରଷା ରଖନ୍ତୁ। ଯଦି କେବେ ବି ତାଙ୍କୁ ଏମିତି କିଛି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି, ତେବେ ଚୁପ୍‌ ନ ରହି ଏସମ୍ପର୍କରେ ଖୋଲାଖୋଲି ଆଲୋଚନା କରନ୍ତୁ। ନିଜ ପରିବାର ଲୋକଙ୍କୁ ଏହି ଘଟଣା ସମ୍ପର୍କରେ ଜଣାନ୍ତୁ। ନହେଲେ ପୁଲିସର ସାହାଯ୍ୟ ନିଅନ୍ତୁ। ଆପଣ ଯଦି ଏଭଳି ଅଭିଯୋଗ କରିବେ ତେବେ ଭବିଷ୍ୟତରେ ଅନ୍ୟ ଯୁବତୀମାନଙ୍କ ସହିତ ଏଭଳି ଘଟଣା ଘଟିବାର ସଂଖ୍ୟା ହ୍ରାସ ପାଇବ।

ସମ୍ବନ୍ଧିତ ଖବର