‘ଦବା ଭି, ଦୁଆ ଭି, ଔର ସେ ଫାସଲା ଭି…….’ କିଛି ଏଭଳି କବିତା ଲେଖି ଲୋକଙ୍କୁ ସତର୍କ କରାଇଲେ ଦିଲୀପ କୁମାର

ନୂଆଦିଲ୍ଲୀ: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରୁଛି, ଏହାର ମୁକାବିଲା ପାଇଁ ଭାରତରେ ୨୧ଦିନ ତାଲା ବନ୍ଦ ଡାକରା ଦିଆଯାଇଛି | ଦେଶରେ ଏହି ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୫୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୯୬୫ଜଣ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୧୨ଘଣ୍ଟା ମଧ୍ୟରେ ୧୩୧ଟି ନୂଆ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ମାମଲା ରିପୋର୍ଟ ହୋଇଛି | ସମଗ୍ର ଦେଶ କରୋନା ସଙ୍କଟ ସହ ଲଢୁଥିବାବେଳେ ନିଜ ପତ୍ନୀ ସାୟରା ବାନୋଙ୍କ ସହ ଘରେ ସଙ୍ଗରୋଧରେ ରହିଛନ୍ତି ବଲିଉଡର ଦିଗ୍ଗଜ ଅଭିନେତା ଦିଲୀପ କୁମାର | ତେବେ ନିଜେ ସତର୍କ ରହିବା ସହ ସେ ନିଜ କବିତା ମାଧ୍ୟମରେ ସାରା ଦେଶବାସୀଙ୍କୁ ସତର୍କ କରାଇଛନ୍ତି | ସତର୍କ କରିବାର ତାଙ୍କ ମାଧ୍ୟମକୁ ଲୋକ ପସନ୍ଦ କରିବା ସହ ତାଙ୍କ କବିତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

ଦିଲୀପ କୁମାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ନିଜର କବିତା ପୋଷ୍ଟ କରିବା ସହ ଲେଖିଛନ୍ତି – ‘ମୁଁ କୋଭିଡ- ୧୯ ମହାମାରୀ ସମୟରେ ଘରେ ରହିବାକୁ ସମସ୍ତଙ୍କୁ ନିବେଦନ କରୁଛି। ଏହା ପରେ ସେ ଲେଖିଛନ୍ତି, ‘ଦବା ଭି, ଦୁଆ ଭି, ଔର ସେ ଫାସଲା ଭି, ଗରିବ କି ଖୀଦମତ୍ତ, କମଜୋର କି ସେବା ଭି’ | ତାଙ୍କର ଏଭଳି ଟ୍ୱିଟ ସାମ୍ନାକୁ ଆସିବା ପରେ ଏବେ ତାହା ଭାଇରଲ ହେବାରେ ଲାଗିଛି | ନିଜ କବିତା ମାଧ୍ୟମରେ ସେ କହିଛନ୍ତି କି, ଔଷଧ ନେଇ ନିଜକୁ ସୁସ୍ଥ ରଖିବା ସହ ଭଗବାନଙ୍କୁ ପ୍ରାର୍ଥନା କରିବା ଏବଂ ଅନ୍ୟମାନଙ୍କ ଠାରୁ ନିଜକୁ ଦୂରେଇ ରଖିବା | ଏହା ସହ ଗରିବଙ୍କୁ ସାହାଯ୍ୟ କରିବା ନେଇ ସେ ଲୋକଙ୍କୁ ଉପଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର