ଘର କାମ କରିବାକୁ ପସନ୍ଦ କରୁଥିବା ସମରେଶ ବାସନ ମାଜିବା ଓ ଝାଡୁ କରିବା ଭିତରୁ କେଉଁଟିକୁ ବାଛିବେ?
ସାକ୍ଷାତ୍କାର/ବନ୍ଦନା ମିଶ୍ର
ଭୁବନେଶ୍ୱର: ସମରେଶ ରାଉତରାୟ ଓଲିଉଡ୍ର ଜଣେ ଚିହ୍ନା ଚେହେରା। ୨୦୦୭ ମସିହାରେ ‘ମୋ ସୁନା ପୁଅ’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପ୍ରବେଶ ପରେ ନିଜର ଚମତ୍କାର ଅଭିନୟରେ ଦର୍ଶକଙ୍କୁ ବାନ୍ଧିପାରିଛନ୍ତି। ‘ଧଉଳି ଏକ୍ସପ୍ରେସ୍’, ‘ଲୁଚକାଳି’, ‘ଲୋଫ୍ର’, ‘ମୁଖ୍ୟମନ୍ତ୍ରୀ’, ‘ଲଭ୍ ମାଷ୍ଟର୍’, ‘ବାବୁ ଭାଇଜନ୍’ ପରି ଅନେକ ଚଳଚ୍ଚିତ୍ରରେ ଅବତୀର୍ଣ୍ଣ ହୋଇ ଓଡ଼ିଶାର ଘରେ ଘରେ ପ୍ରିୟ ଚେହେରା ପାଲଟିଛନ୍ତି ସମରେଶ। ପାଖାପାଖି ୧୫ ବର୍ଷ ଧରି ଓଲିଉଡ୍ରେ ନିଜ କଳା ପ୍ରତିଭାକୁ ପ୍ରମାଣିତ କରିଆସୁଥିବା ଏହି ସ୍ରଷ୍ଟା ପ୍ରାୟ ୫୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତେବେ ଟେଲି ଧାରାବାହିକ ‘ସଂସ୍କାର’ରେ ରାହୁଲ ଚୌଧୁରୀ ଚରିତ୍ର ନିଭାଇବା ପରେ ଦର୍ଶକଙ୍କର ଆହୁରି ନିକଟତର ହୋଇପାରିଥିଲେ ସମରେଶ। ଏ ସପ୍ତାହରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍କାର।
Sambad is now on WhatsApp
Join and get latest news updates delivered to you via WhatsApp
୧. ପ୍ରଶ୍ନ: ଆପଣ ‘ମୋ ସୁନା ପୁଅ’ ଚଳଚ୍ଚିତ୍ର ଜରିଆରେ ଇଣ୍ଡଷ୍ଟ୍ରିରେ ନାୟକ ଭାବେ ପ୍ରବେଶ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ମୁଖ୍ୟତଃ ଖଳନାୟକ କାହିଁକି ହେଲେ?
ଉତ୍ତର: ଜଣେ କଳାକାର ପାଇଁ ଯେକୌଣସି ଚରିତ୍ରକୁ ଚିତ୍ରଣ କରିବା ଉଚିତ। ମୁଁ ଯେହେତୁ ଜଣେ ପ୍ରଶିକ୍ଷିତ ଅଭିନେତା ତେଣୁ ମୋ ପାଇଁ ତାହା ଗୁରୁତ୍ୱ ରଖେନି ଯେ ମୁଁ କେଉଁ ପ୍ରକାର ଚରିତ୍ରରେ ଅଭିନୟ କରୁଛି। ତାହା ନାୟକ ହୋଇପାରେ, ଖଳନାୟକ ହୋଇପାରେ, ହାସ୍ୟନାୟକ ହୋଇପାରେ ଆଉ ଚରିତ୍ର ଅଭିନୟ ବି ହୋଇପାରେ, ସବୁ ଭୂମିକାକୁ ମୁଁ ଅଭିନୟ ହିଁ ବିବେଚନା କରିଥାଏ।
୨. ପ୍ରଶ୍ନ: ‘ଲୁଚକାଳି’ ଚଳଚ୍ଚିତ୍ରରେ ଅଭିନେତ୍ରୀ ମେଘା ଘୋଷଙ୍କ ସହ ଆପଣଙ୍କର ଏକ ଗୀତ ଦୃଶ୍ୟ ବେଶ୍ ଚର୍ଚ୍ଚିତ ହୋଇଥିଲା, ଯାହାକି ତତ୍କାଳୀନ ସମୟ ଲାଗି ଅତ୍ୟନ୍ତ ଉତ୍ତେଜକ ଥିଲା। କେମିତି ଥିଲା ଅନୁଭୂତି?
ଉତ୍ତର: ତାହା ଏକ ଗୀତ ଥିଲା। ସେ ଗୀତର ଅର୍ଥ ବହୁତ କିିଛି ଥିଲା। ସେଥିରେ ମୋର ଚରିତ୍ରଟା ସେପରି ଥିଲା। କାହାଣୀର ନାୟକ ଝିଅମାନଙ୍କୁ ପ୍ରଭାବିତ କରି ସେମାନଙ୍କୁ ହତ୍ୟା କରୁଥିଲା। ମୋର ଅଭିନୟ ଚରିତ୍ରମାଫିକ ଥିଲା।
୩. ପ୍ରଶ୍ନ: ଆପଣ ଫିଲ୍ମ ‘ସହିଦ୍’ ଜରିଆରେ ବଲିଉଡ୍ରେ ପାଦ ରଖିଥିଲେ। ମାତ୍ର ପରେ ବଲିଉଡ୍ରୁ ସଂପୂର୍ଣ୍ଣ ଭାବେ ଓଲିଉଡ୍କୁ ଚାଲି ଆସିଲେ କାହିଁକି?
ଉତ୍ତର: ମୁଁ ଯେତେବେଳେ ବଲିଉଡ୍ରେ ଥିଲି ସେତେବେଳେ ଖାଲି ଅଭିନୟ ନୁହେଁ, ମୁଁ ଏକ ପ୍ରଡକ୍ସନ ହାଉସ୍ରେ କାଷ୍ଟିଂ ଡାଇରେକ୍ଟର ଭାବେ ବି କାମ କରୁଥିଲି। ମୁଁ ଅନ୍ୟ ଏକ ସ୍ଥାନରେ ଆସିଷ୍ଟାଣ୍ଟ୍ ଡାଇରେକ୍ଟର ଭାବେ ବି କାମ କରୁଥିଲି। କିନ୍ତୁ ଓଡ଼ିଶାରେ ମୋତେ ଯେତେବେଳେ ଏକ ଭଲ ଫିଲ୍ମର ଅଫର ମିଳିଲା ମୁଁ ଓଡ଼ିଶା ଆସିଥିଲି।
୪. ପ୍ରଶ୍ନ: କିଛି ବର୍ଷ ପୂର୍ବେ ଆପଣଙ୍କ ବିବାହ ହୋଇଛି। ତେବେ, ପତ୍ନୀଙ୍କର କେଉଁ ଗୁଣ ନ ଥିଲେ ସମରେଶ ଟିକେ ବେଶି ଖୁସି ହୋଇଥାନ୍ତେ?
ଉତ୍ତର: ବହୁତ ଅଳ୍ପଦିନ ବି ନୁହେଁ, ମୋ ବାହାଘରକୁ ପାଞ୍ଚ ବର୍ଷରୁ ଊର୍ଧ୍ୱ ହୋଇଗଲାଣି। ମୋ ପୁଅକୁ ପାଖାପାଖି ୪ ବର୍ଷ ହୋଇଗଲାଣି। ଆଜି ପର୍ଯ୍ୟନ୍ତ ସେମିତି କିଛି ମୁଁ ମୋ ପତ୍ନୀଙ୍କ ଭିତରେ ଦେଖିନାହିଁ। ସେ ସଂପୂର୍ଣ୍ଣା।
୫.ପ୍ରଶ୍ନ: ଆପଣଙ୍କର ବହୁତ ବଡ଼ ପରିବାର। ତେବେ ବାହାରୁ ଘରକୁ ଫେରିଲେ ସମରେଶ ପ୍ରଥମେ କାହା ମୁହଁ ଦେଖିବାକୁ ଚାହାନ୍ତି? କିଏ ଆପଣଙ୍କର ବେଶି ପ୍ରିୟ?
ଉତ୍ତର: ମୁଁ ବାହାହେବା ପୂର୍ବରୁ ମୋ ବୋଉ ଓ ମୋର ଚାରି ଜଣ ଭାଉଜଙ୍କୁ ମୁଁ ଗୋଟିଏ ଦୃଷ୍ଟିରେ ଦେଖିଥାଏ । ସେମାନେ ମୋତେ ଦେଖି ଖୁସି ହୁଅନ୍ତି। ତାଙ୍କ ଘରର ପୁଅ ଟିଭିରେ ବାହାରୁଛି, ଫିଲ୍ମରେ ବାହାରୁଛି, ନାଁ କମାଉଛି, ଏହା ହିଁ ସେମାନଙ୍କର ଏକ ଖୁସି। ଏହି ଖୁସିଟା ସେମାନେ ମୋ ଭିତରେ ବି ଦେଖିବାକୁ ପାଆନ୍ତି।
୬. ପ୍ରଶ୍ନ: ଆମେ ଶୁଣିଛୁ ଆପଣ ଘର କାମ କରିବାକୁ ଖୁବ୍ ଭଲପାଆନ୍ତି। ତେବେ, ଯଦି ଆପଣଙ୍କୁ ଘର ଝାଡୁ କରିବାକୁ କିମ୍ବା ବାସନ ଧୋଇବାକୁ କୁହାଯାଏ ତେବେ ଆପଣ କେଉଁଟି କରିବେ?
ଉତ୍ତର: ମୁଁ ଦୁଇଟା ଯାକ କରିବାକୁ ପସନ୍ଦ କରିବି। କାରଣ ଦୁଇଟା ଯାକ ହିଁ ସଫାସୁତରାକୁ ନେଇ। ଆମ ପରିଷ୍କାର ପରିଚ୍ଛନ୍ନତା ଆମମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଏ। ମୁଁ ବାହାର କାମକୁ ଯେତିକି ପ୍ରାଧାନ୍ୟ ଦିଏ, ଘରେ ହେଉଥିବା କାମକୁ ବି ସେତିକି ପ୍ରାଧାନ୍ୟ ଦିଏ। କଥାରେ ଅଛି ଘରେ ଲକ୍ଷ୍ମୀ ବସନ୍ତି। ଘରକୁ ଆମେ ସଫାସୁତରା ରଖିବା ଉଚିତ।
୭.ପ୍ରଶ୍ନ: ଭବିଷ୍ୟତକୁ ନେଇ କ’ଣ ଯୋଜନା ରହିଛି ?
ଉତ୍ତର: ଭବିଷ୍ୟତ ତ କ’ଣ ହେବ ମୁଁ ଜାଣିନି। ତଥାପି ମୋର ଚେଷ୍ଟା ମୁଁ ଆଗକୁ ଅଭିନୟ କରିବି। ଚଳଚ୍ଚିତ୍ର ପ୍ରଯୋଜନା କରିବି। ଆବଶ୍ୟକ ପଡ଼ିଲେ କିଛି ଚଳଚ୍ଚିତ୍ରର ନିର୍ଦ୍ଦେଶନା ବି ଦେବି।
(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ଯୋଡ଼ି ହୋଇଥିବାରୁ ଆପଣଙ୍କୁ ସମ୍ବାଦ.ଇନ୍ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା)