‘ସୁପର ୩୦’ରେ ରିତ୍ୱିକ୍‌ଙ୍କ ବିପକ୍ଷରେ ନଜର ଆସିବେ ଏହି ନାୟିକା

ନୂଆଦିଲ୍ଲୀ : ବଲିଉଡର ସୁପର ହିରୋ ରିତ୍ୱିକ୍‌ ରୋଶନଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ‘ସୁପର ୩୦’ । ଏହି ଚଳଚ୍ଚିତ୍ରରେ ସେ ମୁଖ୍ୟ ଅଭିନେତା ଭାବେ ନଜର ଆସୁଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଜିଟିଭି ଧାରାବାହିକ କୁମ୍‌କୁମ୍‌ ଭାଗ୍ୟର ଅଭିନେତ୍ରୀ ମୃଣାଲ୍‌ ଠାକୁର । ଏହି ଚଳଚ୍ଚିତ୍ର ମାଧ୍ୟମରେ ମୃଣାଲ୍‌ ବଲିଉଡରେ ଡ଼େବ୍ୟୁ କରିବା ପାଇଁ ଯାଉଛନ୍ତି। ଏଥିରେ ରିତ୍ୱିକ ଜଣେ ଶିକ୍ଷକ ଭୂମିକାରେ ନଜର ଆସିବେ, ଯିଏ ଆଇଆଇଟି ପାଇଁ ମାଗଣା ଶିକ୍ଷା ଦାନ କରୁଛନ୍ତି ।

ମିଡିଆ ରିପୋର୍ଟରୁ ଜଣାପଡ଼ିଛି ଚଳଚ୍ଚିତ୍ରରେ ରିତ୍ୱିକଙ୍କ ବିପକ୍ଷରେ ନାୟିକା ସାଜିବା ଲାଗି ବହୁ ଅଭିନେତ୍ରୀ ଅଡିସନ୍‌ ଦେଇଥିଲେ କିନ୍ତୁ ସମସ୍ତଙ୍କ ମଧ୍ୟରୁ ଟିଭି ଅଭିନେତ୍ରୀ ମୃଣାଲଙ୍କୁ ଚୟନ କରାଯାଇଥିଲା । ‘ସୁପର ୩୦’ରେ ମୃଣାଲ୍‌ ରିତ୍ୱିକ୍‌ଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ମୃଣାଲଙ୍କୁ ସଲମାନ ଖାନଙ୍କ ବିପକ୍ଷରେ ସୁଲତାନ ଚଳଚ୍ଚିତ୍ର ପାଇଁ ଚୟନ କରାଯାଇ ଥିଲା। କିନ୍ତୁ କୌଣସି କାରଣରୁ ଶେଷରେ ତାଙ୍କ ସ୍ଥାନରେ ଅନୁଷ୍କାଙ୍କୁ ନିଆଯାଇଥିଲା ।

‘ସୁପର ୩୦’ ଚଳଚ୍ଚିତ୍ରରେ ରିତ୍ୱିକ ଆନନ୍ଦ କୁମାର ନାମକ ଜଣେ ଶିକ୍ଷକଙ୍କର ଭୂମିକାରେ ଅଛନ୍ତି । ଅନନ୍ଦ ଜଣେ ଗଣିତ ଶିକ୍ଷକ, ସେ ମାଗଣାରେ ଆଇଆଇଟି ପାଇଁ ଶିକ୍ଷା ପ୍ରଦାନ କରିଥାନ୍ତି । ତାଙ୍କର ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ମୃଣାଲ। ତେବେ ଆନନ୍ଦଙ୍କ ଉପରେ ପ୍ରସ୍ତୁତ ହେଉଥିବା ଏହି ବାୟୋପିକ ୨୩ ନଭେମ୍ବର ୨୦୧୮ରେ ରିଲିଜ ହେବାର ଅଛି। ସୁପର ୩୦ର ପ୍ରଯୋଜନା କରିଛନ୍ତି ରିଲାଏନ୍ସ ଏଣ୍ଟରଟେଣ୍ଟମେଣ୍ଟ ଏବଂ ଫାଣ୍ଟମ ଫିଲ୍ମ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ବିକାଶ ବହଲ।

ସମ୍ବନ୍ଧିତ ଖବର