ରିଲିଜ୍‌ ପୂର୍ବରୁ କାହିଁକି ଚର୍ଚ୍ଚାରେ ଥିଲା ଓଡିଆ ସିନେମା ‘ଡନ୍‌’ ?

ଭୁବନେଶ୍ୱର: ବ୍ରଜରାଜ ମୁଭିଜ୍‌ ଲଞ୍ଚ କରିଥିଲା ଆଜିକାର ଓଡିଆ ସିନେ ଜଗତର ଲୋକପ୍ରିୟ ନାୟକ ଅନୁଭବଙ୍କୁ । ସେ ଆଇ ଲଭ୍‌ ୟୁ ସିନେମାରୁ କାବୁଲା ବାରବୁଲା ଯାଏଁ ବେଶ କେତୋଟି ସିନେମାରେ କାମ କରିଛନ୍ତି। ଅନୁଭବଙ୍କର ଏକ ଚର୍ଚ୍ଚିତ ସିନେମା ହେଲା ‘ଡନ୍‌’ । ଏଥିରେ ଅନୁଭବଙ୍କ ବ୍ୟତୀତ ଲଭଲି, ସିଦ୍ଧାନ୍ତ, ଦେବୁ ବୋଷ, ଦେବଯାନୀ, ବ୍ରଜ ନାୟକ,ବବି ମିଶ୍ର ଏବଂ ଅନୀତା ଦାସ ପ୍ରମୁଖ ଅଭିନୟ କରିଥିଲେ । ଯଦିଓ ଏହା ଆଶାନୁରୂପ ବ୍ୟବସାୟ କରିବାରେ ସକ୍ଷମ ହୋଇ ନଥିଲା , ତଥାପି ଏହାର ବଜେଟ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଖାସ୍‌ ଚର୍ଚ୍ଚା ହୋଇଥିଲା ।

ବିନୟ ନାୟକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଡନ୍‌’ରେ ଟାଇଟଲ୍‌ ରୋଲ କରିଥିଲେ ଅନୁଭବ ମହାନ୍ତି । ଏହି ସିନେମାର ନିର୍ମାଣ କାଳରେ ଅନୁଭବଙ୍କ ସହ ପ୍ରଯୋଜକଙ୍କର କୌଣସି କାରଣରୁ ମତଭେଦ ହୋଇଥିଲା । ଫଳତଃ ଏହି ସିନେମାର ସୁଟିଂ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା । ଏହାପରେ ପ୍ରଯୋଜନା ସଂସ୍ଥା ଅନୁଭବଙ୍କ ଜାଗାରେ ବୁଦ୍ଧାଦିତ୍ୟଙ୍କୁ ନେଇ ଫିଲ୍ମର ପୁନନିର୍ମାଣ ଲାଗି ଅଣ୍ଟା ଭିଡିଥିଲେ । ହେଲେ ଏହାପୂର୍ବରୁ ଅନୁଭବଙ୍କ ସହ ମନୋମାଳିନ୍ୟ ତୁଟିଲା ଏବଂ ‘ଡନ୍‌’ର ଅବଶିଷ୍ଟ କାମ ସରିଥିଲା । ଯଦି ତାହା ହୋଇ ନଥାନ୍ତା ତେବେ ବୁଦ୍ଧାଦିତ୍ୟ ବନିଥାନ୍ତେ ‘ଡନ୍‌’ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନୁଭବ ଏବଂ ବୁଦ୍ଧାଦିତ୍ୟ ଏଯାବତ୍‌ କେବଳ ଗୋଟିଏ ସିନେମାରେ ଏକାଠି ନଜର ଆସିଛନ୍ତି। ଏହି ସିନେମା ହେଲା ୨୦୧୫ରେ ମୁକ୍ତପ୍ରାପ୍ତ ‘ଜଗା ହାତରେ ପଘା’ ।

ସମ୍ବନ୍ଧିତ ଖବର