ପ୍ରଥମେ ଅରିନ୍ଦମ୍‌,ପରେ ଅନୁଭବ ,ଏବେ ବାବୁସାନଙ୍କ ସାଥ୍‌ ପାଇଛନ୍ତି ଏହି ନାୟିକା

ଭୁବନେଶ୍ୱର: ଛୋଟ ପରଦାର ଏକ ଚର୍ଚ୍ଚିତ ଚେହେରା ହେଲେ ଅନିଶା ଦାଶ । ମାତ୍ର ବଡ଼ ପରଦା ପାଇଁ ସେ ଅଳ୍ପ ଚର୍ଚ୍ଚିତା । ଅନିଶାଙ୍କୁ ଦର୍ଶକ ମେଗା ଧାରାବାହିକ ‘ସ୍ୱାଭିମାନ’ ରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ । ଏହା ତାଙ୍କୁ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । ଏହି ମେଗା ଧାରାବାହିକରେ ତାଙ୍କ ବିପକ୍ଷରେ ନାୟକ ସାଜିଥିବା ଅଭିନେତା ଶୁଭାଶିଷ ଶର୍ମା ଓରଫ ମଣ୍ଟୁଙ୍କୁ ଅନିଶା ଜୀବନ ସାଥୀ ରୂପେ ବରଣ କରିଥିଲେ ।

ବିବାହ ପୂର୍ବରୁ ଅନିଶା କେବଳ ଗୋଟିଏ ଓଡ଼ିଆ ସିନେମାରେ ଫିମେଲ୍‌ ଲିଡ୍‌ରେ ନଜର ଆସିଥଲେ । ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାହା ହେଲା ୨୦୧୫ରେ ରିଲିଜ୍‌ ହୋଇଥିବା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଲଭ ୟୁ ହମେଶା’ । ଏଥିରେ ଅରିନ୍ଦମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ଅନିଶା । ଏହା ଅବଶ୍ୟ ଭିନ୍ନ କଥା ଯେ ‘ ଲଭ ୟୁ ହମେଶା’ ରେ ଝିଲିକ୍‌ ଥିଲେ ଅନ୍ୟତମ ନାୟିକା । ପ୍ରଥମ ସିନେମାରେ ଅରିନ୍ଦମ୍‌ଙ୍କ ପରି ଟପ୍‌ ହିରୋଙ୍କ ନାୟିକା ହେବା କିଛି କମ୍‌ ବଡ଼ କଥା ନୁହେଁ । ଏଥିରେ ଅନିଶା ଜଣେ ଡାକ୍ତର ଭୂମିକା ନିଭାଇ ଥିଲେ ।
ପ୍ରାୟ ଦୁଇ ବର୍ଷ ପରେ ଅନିଶା ବଡ଼ ପରଦାକୁ ଫେରିଥିଲେ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘କାବୁଲା ବାରବୁଲା’ ରେ । ଏହି ସିନେମାରେ ତାଙ୍କୁ ପ୍ରଥମ ଥର ପାଇଁ ଆଉ ଜଣେ ଟପ ଷ୍ଟାର୍‌ ଅନୁଭବଙ୍କ ସାଥ୍‌ ମିଳିଥିଲା ।

ସଂପ୍ରତି ଅନିଶା ଆଉ ଏକ ଓଡ଼ିଆ ସିନେମାରେ କାମ କରୁଛନ୍ତି । ଏହା ହେଲା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ ଓନ୍‌ଲି ପ୍ୟାର୍‌’ । ଏହି ସିନେମାରେ ଅନିଶା ଓଲିଉଡ଼ର ଅନ୍ୟତମ ଲୋକପ୍ରିୟ ନାୟକ ବାବୁସାନ୍‌ଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ।
ପ୍ରଥମ ଫିଲ୍ମରେ ଅରିନ୍ଦମ୍‌ , ଦ୍ୱିତୀୟ ଫିଲ୍ମରେ ଅନୁଭବ ଓ ତୃତୀୟ ସିନେମାରେ ବାବୁସାନଙ୍କ ସହ କାମ କରିଥିବାରୁ ଖୁବ୍‌ ଖୁସି ଜାହିର୍‌ କରିଛନ୍ତି ନାୟିକା ଅନିଶା ।

ସମ୍ବନ୍ଧିତ ଖବର