ଜେଲରେ ସଲମାନ୍‌ : ଦୁଷ୍କର୍ମ ଅଭିଯୁକ୍ତ ଆଶାରାମ ବାପୁଙ୍କ ପାଖ ବାରାକରେ ରହିବେ,ଚଟାଣରେ ଶୋଇବେ

ଜାମିନ ଆବେଦନ ଉପରେ ଶୁଣାଣି ଆସନ୍ତାକାଲି!

ନୂଆଦିଲ୍ଲୀ: ବଲିଉଡ଼୍‍ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କୁ ବିରଳ ବନ୍ୟପ୍ରାଣୀ ତାଲିକାଭୁକ୍ତ କୃଷ୍ଣସାର ମୃଗ ଶିକାର କରିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୯୯୮ ମସିହାରେ ହିନ୍ଦୀ ଫିଲ୍ମ ‘ହମ୍‌ ସାଥ୍‌ ସାଥ୍‌ ହୈ’ର ସୁଟିଂ ସମୟରେ ସଲମାନ୍‌ ଓ ଅନ୍ୟ ବଲିଉଡ଼୍‍ କଳାକାର ରାଜସ୍ଥାନର ଯୋଧପୁରରେ କ୍ୟାମ୍ପ କରିଥିବା ବେଳେ,ଏହି ଅପରାଧ ଘଟାଇଥିଲେ। ଦୀର୍ଘ ୧୯ ବର୍ଷ ମାମଲା ଚାଲିବା ପରେ ଯୋଧପୁରର ସିଜିଏମ୍‌ ଟ୍ରାଏଲ୍‌ କୋର୍ଟ ସଲମାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୧୦,୦୦୦ ଟଙ୍କାର ଜରିମାନା କରିଛନ୍ତି। ତେବେ ଏହି ମାମଲାରେ ଛନ୍ଦି ହୋଇଥିବା ସଲମାନ୍‌ଙ୍କ ସହ କଳାକାର ସୈଫ୍‌ ଅଲ୍ଲୀ ଖାନ୍‌,ସୋନାଲୀ ବେନ୍ଦ୍ରେ,ନୀଲମ୍‌ ଓ ତବୁଙ୍କୁ କିନ୍ତୁ ଅଦାଲତ ଦୋଷମୁକ୍ତ କରିଛନ୍ତି। ଯୋଧପୁରେ ଟ୍ରାଏଲ୍‌ କୋର୍ଟଙ୍କର ଏହି ରାୟ ଏହା ସ୍ପଷ୍ଟ କରିଛି ଯେ, ପ୍ରଭାବଶାଳୀ ବ୍ୟକ୍ତି ଅପରାଧରେ ସଂଶ୍ଳିଷ୍ଟ ହେଲେ ମଧ୍ୟ ଆଇନର ପଞ୍ଝାରୁଖସି ପାରିବେ ନାହିଁ। ସଲମାନ୍‌ଙ୍କୁ ବର୍ତ୍ତମାନ ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ କୁ ନିଆଯାଇଛି। ସେଠାରେ ତାଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ବାବା ଆଶାରାମ ବାପୁଙ୍କ ପାର୍ଶ୍ୱବର୍ତ୍ତୀ ବାରାକରେ ରହିବେ। ସଲମାନ ଚଟାଣରେ ଶୋଇବେ ଏବଂ ଗରମରୁ ରକ୍ଷା ପାଇବା ଲାଗି ତାଙ୍କୁ ମିଳିବ ଏକ ସିଲିଂ ଫ୍ୟାନ୍‌।ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ର ସୁପରିଟେଣ୍ଡେଣ୍ଟ୍‌ ବିକ୍ରମ ସିଂ ଏହା ପ୍ରକାଶ କରିଛନ୍ତି। ଏବେ ଯୋଧପୁରରେ ତାପମାତ୍ରା ୪୦ ଡିଗ୍ରି ରହିଛି।

ଗତ କାଲିଠାରୁ ଏହି ହାଇପ୍ରୋଫାଇଲ୍‌ ମାମଲାର ଶୁଣାଣି ନେଇ ସମଗ୍ର ଦେଶରେ ଉତ୍ସୁକକତା ଜାରି ରହିଥିଲା। ଶୁଣାଣି ଲାଗି ସଲମାନ୍‌ ଓ ତାଙ୍କର ଦୁଇ ଭଉଣୀ ଯୋଧପୁରରେ ବୁଧବାର ଠାରୁ ଅବସ୍ଥାନ କରିଥିଲେ। ଗୁରୁବାର ପୂର୍ବାହ୍ଣରେ ଯୋଧପୁର ଜିଲ୍ଲା ପ୍ରିଜାଇଡ଼ିଂ ଅଫିସର ଦେବକୁମାର କ୍ଷେତ୍ରୀ ସଲମାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଶୁଣାଣି ହୋଇଥିଲା। ଏହାପରେ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ।

ମାମଲା ଅନୁସାରେ ୧୯୯୮ ମସିହା ଅକ୍ଟୋବର ୧ ଓ ୨ ତାରିଖ ରାତିରେ ଯୋଧପୁର ନିକଟବର୍ତ୍ତୀ କଂକାନୀ ଗ୍ରାମରେ ଦୁଇଟି କୃଷ୍ଣସାର ମୃଗକୁ ସଲମାନ୍‌ ଶିକାର କରିଥିଲେ। ତାଙ୍କ ସହ ସୈଫ୍‌ ଅଲ୍ଲୀ ଖାନ୍‌ ,ସୋନାଲି ବେନ୍ଦ୍ରେ,ନୀଲମ୍‌ ଓ ତବୁ ମଧ୍ୟ ଘଟଣାସ୍ଥଳରେ ଥିଲେ। ୧୯ ବର୍ଷ ଧରି ଚାଲିଥିବା ଏହି ମାମଲାରେ ସଲମାନ୍‌ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ କୃଷ୍ଣସାର ଦୁଇଟିର ସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ଏଥିରେ ଛନ୍ଦି ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ।
ବନ୍ୟପ୍ରାଣୀ ସୁରକ୍ଷା ଆଇନର ଧାରା ୫୧ ଅଧିନରେ ସଲମାନ୍‌ଙ୍କୁ ଦୋଷୀ ସାବସ୍ତ୍ୟ କରାଯାଇଛି। ଅନ୍ୟପକ୍ଷରେ ମୃଗ ଶିକାର ସମୟରେ ସଲମାନ୍‌ଙ୍କ ସାଥିରେ ଥିବା ଅନ୍ୟ ବଲିଉଡ଼୍‍ କଳାକାରଙ୍କ ବିରୋଧରେ ଧାରା ୫୧ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୪୯ ଅନୁସାରେ ମାମଲା ରୁଜୁ ହୋଇଥିଲା। ବନ୍ୟପ୍ରାଣୀ ସୁରକ୍ଷା ଆଇନର ଧାରା ୫୧ ଅଧିନରେ ସର୍ବାଧିକ ୬ ବର୍ଷର ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ଥିଲେ ହେଁ ସଲମାନ୍‌ଙ୍କୁ ୫ ବର୍ଷ ଦଣ୍ଡ ଦିଆଯାଇଛି।

ଅନ୍ୟପକ୍ଷରେ ସଲମାନ୍‌ଙ୍କ ଓକିଲ ରାଜସ୍ଥାନ୍‌ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ହାଇକୋର୍ଟ ତାଙ୍କ ଆବେଦନକୁ ବିଚାର ଲାଗି ଗ୍ରହଣ କରିବା ସହ ଶୁକ୍ରବାର ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର