ବାପାଙ୍କୁ ଭୁଲ୍‌ ପ୍ରମାଣିତ କରି ସଞ୍ଜୁ କହିଲେ ମୁଁ ବଢ଼ିଆ, ସଞ୍ଜୁ ଚଳଚ୍ଚିତ୍ରର ପ୍ରଥମ ଗୀତ ହେଲା ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ଖଳନାୟକ ସଞ୍ଜୟ ଦତ୍ତଙ୍କର ବାୟୋପିକ୍‌ ସଞ୍ଜୁର ପ୍ରଥମ ଗୀତ ‘ମୈ ବଢ଼ିଆ’ ଆଜି ରିଲିଜ୍‌ ହୋଇଛି । ଏହାକୁ ଟି-ସିରିଜ୍‌ ତାହାର ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ବେଳେ ଏଥିରେ କଣ୍ଠ ଦାନ କରିଛନ୍ତି ସୋନୁ ନିଗମ ଏବଂ ସୁନୀଧି ଚୌହାନ୍‌ । ଗୀତରେ ଏକା ସାଙ୍ଗରେ ସୋନମ କପୁର ଏବଂ ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି।
ଗୀତଟିର ଆରମ୍ଭ ରଣବୀରଙ୍କ ଏକ ଡ଼ାଏଲଗ୍‌ରୁ ହେଉଛି ଯେଉଁଥିରେ ସେ କହୁଛନ୍ତି, ‘ବାପାଙ୍କୁ ଲାଗୁଛି ମୁଁ ଗୀତ ସହ ଓଠ ମିଶାଇ ପାରିବିନି, କିନ୍ତୁ ସେ ଭୁଲ୍‌। ଦେଖ ମତେ ଏବେ’ କହୁଛନ୍ତି। ଗୀତରେ ସଞ୍ଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରୁଥିବା ରଣବୀର ଉଭୟ ପୁଅ ଏବଂ ଝିଅ ସ୍ୱରରେ ଗାଉଥିବାର ଦେଖିବାକୁ ମିଳିଛି। ତେବେ ଏହି ଗୀତର କ୍ୟାପସନ୍‌ରେ ଲେଖାଯାଇଛି , ‘ଯେବେ ପ୍ରଥମେ ସଞ୍ଜୟ ଦତ୍ତ ବଲିଉଡ୍‌ରେ ପାଦ ରଖିଥିଲେ ତାଙ୍କ ବାପା ସୁନୀଲ୍‌ ଦତ୍ତଙ୍କୁ ଲାଗିଥିଲା କି ସେ ଗୀତ ସହ ଓଠ ମିଶାଇ ପାରିବେ ନାହିଁ ‘।

ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ସଞ୍ଜୁ ୨୯ ଜୁନ୍‌ରେ ରିଲିଜ୍‌ ହେବାକୁ ଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ରାଜକୁମାର ହୀରାନି । ରଣବୀରଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ମନୀଷା କୋଇରାଲା, ଦିଆ ମିର୍ଜା, ପରେଶ ରାଓ୍ଵଲ୍‌, ଅନୁଷ୍ମା ଶର୍ମାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ସମ୍ବନ୍ଧିତ ଖବର