ଆଡ଼ଭାନୀଙ୍କ ପରେ ଚିଠି ଲେଖିଲେ ସୁମିତ୍ରା ଲଢ଼ିବେନି ନିର୍ବାଚନ

ଭୋପାଳ: ଗତକାଲି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ଏକ ବ୍ଲଗ ଲେଖି ଚର୍ଚ୍ଚାକୁ ଆସିଥିବା ବେଳେ ଆଜି ଆଉ ଜଣେ ବରିଷ୍ଠ ବିଜେପି ନେତ୍ରୀ ତଥା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଚିଠି ଲେଖି ଏହି ଚର୍ଚ୍ଚାକୁ ଆଉ ପାଦେ ଆଗକୁ ନେଇଛନ୍ତି। ସୁମିତ୍ରା ତାଙ୍କ ପାରମ୍ପରିକ ଆସନ ଇନ୍ଦୋରରୁ ଟିକେଟ ପାଇବା ନେଇ ଆଶାୟୀ ଥିଲେ। କିନ୍ତୁ ଟିକେଟ ଘୋଷଣାରେ ଅତ୍ୟଧିକ ବିଳମ୍ବ ହେବା କାରଣରୁ ସେ ନିର୍ବାଚନୀ ରାଜନୀତି ଦୌଡ଼ରୁ ଓହରିଯାଇଛନ୍ତି। ଦଳ ଏବେ କୌଣସି ଦ୍ବନ୍ଦ୍ବରେ ନରହି ନିଜର ପ୍ରାର୍ଥୀ ଦେଇପାରିବ ବୋଲି ସେ କହିଛନ୍ତି। ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସୁମିତ୍ରା ଆସନ୍ତା ୧୨ ତାରିଖରେ ୭୬ ବର୍ଷରେ ପଦାର୍ପଣ କରିବେ। ଅର୍ଥାତ୍ ବିଜେପି ପକ୍ଷରୁ ୭୫ ବର୍ଷରୁ ଊର୍ଧ୍ବ ବୟସର ବ୍ୟକ୍ତିଙ୍କୁ ଟିକଟ ଦିଆଯିବ ନାହିଁ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ଏହି ମାନଦଣ୍ଡ ଅନୁସାରେ ଲାଲକୃଷ୍ଣ ଆଡ଼ଭାନୀ (୯୧ ବର୍ଷ)ଙ୍କଠାରୁ ଆରମ୍ଭ କରି ମୁରଲୀ ମନୋହର ଯୋଶୀ (୮୫ ବର୍ଷ)ଙ୍କ ପର୍ଯ୍ୟନ୍ତ ଚଳିତ ଥର ନିର୍ବାଚନ ଲଢ଼ିବାରୁ ଦଳ ବଞ୍ଚିତ କରିଛି। ଏହି ଦୁଇ ନେତା ‌ଏବେ ଯଥାକ୍ରମେ ଗାନ୍ଧୀ ନଗର ଓ କାନପୁର ଲୋକସଭା ଆସନରୁ ଏମପି ଅଛନ୍ତି।

ତେବେ ସୁମିତ୍ରା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଆଜି ପର୍ଯ୍ୟନ୍ତ ଇନ୍ଦୋର ପାଇଁ ଦଳ ପାର୍ଥୀ ଘୋଷଣା କରିନାହିଁ। ସମ୍ଭବତଃ ଦଳ ଦ୍ବନ୍ଦ୍ବରେ ରହିଛି। ପୂର୍ବରୁ ଦଳର ବରିଷ୍ଠ ନେତାମାନଙ୍କ ସହିତ ମୁଁ ଆଲୋଚନା ମଧ୍ୟ କରିଛି। ଏହା ସତ୍ତ୍ବେ ସେମାନେ ଦ୍ବନ୍ଦ୍ବରେ ଥିବା ପ୍ରତୀୟମାନ ହେଉଛି। ତେଣୁ ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି ସୁମିତ୍ରା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ବିଜେପି ସଭାପତି ଅମିତ ଶାହ ଗତ ଗୁରୁବାର କହିଥିଲେ ୭୫ ବର୍ଷରୁ ଊର୍ଧ୍ବ ବୟସର ବ୍ୟକ୍ତିଙ୍କୁ ଟିକେଟ ନଦେବା ପାଇଁ ଦଳୀୟ ନିଷ୍ପତ୍ତି ହୋଇଛି। ଏହାର ପରଦିନ ସୁମିତ୍ରା ଏହି ଚିଠି ଲେଖିଛନ୍ତି। ଏହି ଚିଠି ଲେଖିବା ପରେ ସୁମିତ୍ରା ତାଙ୍କ ବାସ ଭବନକୁ ଇନ୍ଦୋରର ମେୟର ମାଳିନୀ ଗୌଡ଼ଙ୍କୁ ଡାକି ଏକ ରୁଦ୍ଧଦ୍ବାର ବୈଠକ ତାଙ୍କ ସହ କରିଛନ୍ତି। ଯଦି ସୁମିତ୍ରା ଟିକେଟ ନନିଅନ୍ତି ତାହାଲେ ତାଙ୍କ ସ୍ଥାନରେ ମାଳିନୀ ଟିକେଟ ପାଇଁ ଦୃଢ଼ ଦାବିଦାର ଅଛନ୍ତି।

ସମ୍ବନ୍ଧିତ ଖବର