ଭୁବନେଶ୍ବର‌ରେ ମାୟାବତୀ, ମେ‌ାଦିଜୀ ପୁଞ୍ଜିପତିଙ୍କ ଚୌକିଦାର

କଂଗ୍ରେସକୁ ସିଧା, ବିଜେଡିକୁ ତେର୍ଛା

ଭୁବନେଶ୍ବର: ଦଳିତ, ଆଦିବାସୀ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ବେରୋଜଗାର ଯୁବବର୍ଗଙ୍କ ପାଇଁ ମୋଦୀ ସରକାର କିଛି କରିନାହିଁ। ନାଟକବାଜୀ କରି ଦେଶ ସୁରକ୍ଷା ନାଁରେ ନିଜକୁ ଦେଶର ଚୌକିଦାର କହୁଥିବା େମାଦୀ ଅସଲରେ ହେଉଛନ୍ତି ପୁଞ୍ଜିପତିଙ୍କ ଚୌକିଦାର। ଗରିବ ଜନତାଙ୍କୁ ଠକି କଂଗ୍ରେସ ସରକାର ଯେମିତି ଦେଶରୁ ସତ୍ତା ହରାଇଛି, ଠିକ୍ ସେମିତି ବିଜେପି ମଧ୍ୟ ଏଥର କ୍ଷମତାରୁ ହଟିବ। ପୁଞ୍ଜିବାଦ ସହ ଜାତିବାଦ ଓ ସାମ୍ପ୍ରଦାୟିକତାବାଦର ରାଜନୀତି କରୁଥିବା ମୋଦୀ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିର ପବନ ବୁହାଇ ନିର୍ବାଚନ ଜିତି ପାରିବେ ନାହିଁ। ବୁଧବାର ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ବହୁଜନ ସମାଜ ପାର୍ଟି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଜନ ସମାବେଶରେ ବିଏସ୍‌ପି ମୁଖିଆ ମାୟାବତୀ ଏମିତି ଗର୍ଜିଥିଲେ। ସମଗ୍ର ଭାରତ ଭିତରେ କେବଳ ଓଡ଼ିଶାରେ ହିଁ ସର୍ବାଧିକ ଗରିବ ଅଛନ୍ତି ବୋଲି କହି ସେ ବିଜେଡିକୁ ବି ତେର୍ଛା ବାଣ ମାରିବାକୁ ଭୁଲି ନାହାନ୍ତି। ଏହି ନିର୍ବାଚନୀ ସମାବେଶରେ ସୁଶ୍ରୀ ମାୟାବତୀ କହିଥିଲେ ଯେ ୨୦୧୪ ନିର୍ବାଚନରେ ମୋଦି ଯେତିକି ପ୍ରତିଶ୍ରୁତି ଦେଇଥିଲେ, ତା’ର ଏକ ଚତୁର୍ଥାଂଶ ବି ପୂରଣ କରିପାରିନାହାନ୍ତି। ଗରିବ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ପୂର୍ବରୁ ଯେମିତି ଥିଲେ ସେମିତି ରହିଛନ୍ତି। ବିଜେଡ଼ିକୁ ସିଧା ସମାଲୋଚନା କରି ନଥିଲେ ମଧ୍ୟ ରାଜ୍ୟରେ ଏବେ ବି ବହୁ ସଂଖ୍ୟାରେ ଗରିବ ଅଛନ୍ତି ବୋଲି କହିଥିଲେ। ଓଡ଼ିଶା ସରକାର ଅନୁସୂଚିତ ଜାତି ଓ ଜନଜାତି ପାଇଁ ଉଦ୍ଦିଷ୍ଟ ସରକାରୀ ଚାକିରିରେ ସଂରକ୍ଷଣ ଅନୁଯାୟୀ ପଦବି ପୂରଣ କରୁନାହାନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ। ଚଳିତ ନିର୍ବାଚନରେ ବହୁ ଜନ ସମାଜ ପାର୍ଟିର ପ୍ରତିନିଧିମାନଙ୍କୁ ବହୁ ସଂଖ୍ୟାରେ ଭୋଟ୍‌ ଦେବାକୁ ସେ ଅନୁରୋଧ କରିଥିଲେ। ଏହି ସଭାରେ ରାଜ୍ୟ ପ୍ରଭାରୀ ଧରମବୀର ସିଂହ ଅଶୋକ, ଛୋଟୁ ରାମ, ରାଜ୍ୟ ସଭାପତି ଟଙ୍କଧରଜୀ, ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ଓ ପୂର୍ବତନ ସାଂସଦ ମୁରଲୀଧର ଜେନା , ଜିତୁ କୁ‌ଲେସିକା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର