ଘଷିପୁରାରୁ ଖତମ ହେବ ଗୁଣ୍ତାରାଜ୍‌, ନାମାଙ୍କନ ଦାଖଲ କଲେ ନିରଞ୍ଜନ

ଆନନ୍ଦପୁର: କେନ୍ଦୁଝରର ଘଷିପୁରା ନିର୍ବାଚନମଣ୍ଡଳୀ ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୧୦ ବର୍ଷ ପରେ ପୁଣିଥରେ ପ୍ରତିଦ୍ବନ୍ଦ୍ବିତା କରିବା ସହ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଶ୍ରୀ ପଟ୍ଟନାୟକ ପୂର୍ବାହ୍ଣ ସାଢେ ୧୧ଟାବେଳେ ଦେଓଗାଁ କୁଶଳେଶ୍ବର ମନ୍ଦିରରେ ପହ‌ଞ୍ଚିଥିଲେ। ସେଠାରୁ ଏକ ବିଶାଳ ବାଇକ୍ ରାଲିରେ ବାହାରି ଘସିପୁରା ଓ ଆନନ୍ଦପୁର ଅଞ୍ଚଳ ପରିକ୍ରମା କରିବା ପରେ ସାଢ଼େ ୨ଟା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହ‌ଞ୍ଚିଥିଲେ। ଅପରାହ୍‌ଣ ପ୍ରାୟ ୩ଟା ବେଳେ ସେ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦୀର୍ଘ ୧୦ ବର୍ଷ ପରେ ସେ ପୁଣିଥରେ ବିଧାୟକ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି। ୨୦ ବର୍ଷ ବିଧାୟକ ହୋଇ ୧୫ ବର୍ଷ ମନ୍ତ୍ରୀଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ନିଜର କିମ୍ବା ପୁଅପୁତୁରାଙ୍କ ସମ୍ପତ୍ତି ବଢ଼ାଇବା ଲକ୍ଷ୍ୟ ନୁହେଁ, କେବଳ ଲୋକଙ୍କ ସେବା କରିବା ତାଙ୍କର ମୂଳ ଲକ୍ଷ୍ୟ। ‘ ଘସିପୁରା ନିର୍ବାଚନମଣ୍ଡଳୀ ଓ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ସବୁବେଳେ ଉଦ୍ୟମ କରିଛି। ଲୋକ ପ୍ରତିନିଧିଭାବେ ନିଜ ସ୍ବାର୍ଥ ହାସଲ ପାଇଁ ଲୋକଙ୍କୁ ହଣାକଟା କରିବାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଜନସାଧାରଣଙ୍କ ସହଯୋଗରେ ଘସିପୁରାରୁ ଗୁଣ୍ତାରାଜ୍‌ ଖତମ କରି ଶାନ୍ତି ଓ ଭାଇଚାରା ପ୍ରତିଷ୍ଠା କରିବାକୁ ଉଦ୍ୟମ କରିବେ,’ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ, ଗୁଣ୍ତାଗିରି କରି ନିର୍ବାଚନ ସମୟରେ ହିଂସା ଓ ଭୟଭୀତ କରି ଭୋଟ ହାତେଇବା ପାଇଁ ଯେଉଁମାନେ ଉଦ୍ୟମ କରୁଛନ୍ତି ତାଙ୍କୁ ଘସିପୁରାବାସୀ ଉଚିତ୍ ଜବାବ ଦେବେ। ତାଙ୍କ ପ୍ରତିନିଧିତ୍ବ ସମୟରେ ଘସିପୁରା ତଥା କେନ୍ଦୁଝର ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ କ୍ଷେତ୍ରରେ ଯଥେଷ୍ଟ ବିକାଶ ହୋଇଥିଲା। ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ କେବଳ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ।

ଶ୍ରୀ ପଟ୍ଟନାୟକଙ୍କ ସହିତ ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଜୟଦେବ ଜେନା, କୋରେଇ ବିଧାୟିକା ପ୍ରାର୍ଥିନୀ ବନ୍ଦିତା ପରିଡ଼ା, କେନ୍ଦୁଝର ଲୋକସଭା ପ୍ରାର୍ଥୀ ଡା. ଫକୀର ମୋହନ ନାୟକ, ବାଲେଶ୍ବର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ଶିଳ୍ପପତି ତାରାରଂଜନ ପଟ୍ଟନାୟକ, ଦେବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ନେତା ନବରଂଜନ ପଟ୍ଟନାୟକ, ଚତୁର୍ଭୁଜ ନାୟକ, ପଦ୍ମାକର ଗୁରୁ, ପିସିସି ସଂପାଦକ ସଂଗ୍ରାମ ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ, ବିପ୍ଲବ ମିଶ୍ର, ନିହାର ରଂଜନ ରାଉତ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁନେଶ ଧୀର, ସଂଯୋଜକ ଶୁଭମ ରାଜ୍‌, କଂଗ୍ରେସ ଉପସଭାପତି ସୁବ୍ରତ କୁମାର ଚକ୍ର, ଗଣେଶ ପ୍ରସାଦ କର, ନିକୁଞ୍ଜ ବିହାରୀ ମିଶ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ, ଯୁବନେତା ସଂଗ୍ରାମ ଜେନା, ପାର୍ଥସାରଥି ପହି, ବରିଷ୍ଠ ନେତା ରୁନା ଚକ୍ର, ଆଲୋକ ମିଶ୍ର, ସରପ‌ଞ୍ଚ ରଶ୍ମିରଂଜନ ଦାସ, ତାରିଣୀ ପ୍ରସାଦ ପଟ୍ଟନାୟକ, ମନୋଜ ସ୍ବାଇଁ, ତ୍ରିଲୋଚନ ପରିଡ଼ା, ନିରାକାର ଜେନା, କଳାକର ନାୟକ, ଚଗଲା କୁଅଁର, ମିଲୁ ବିଶ୍ବାଳ, ପ୍ରକାଶ ବଳଙ୍କ ସମେତ ଘସିପୁରା ନିର୍ବାଚନମଣ୍ତଳୀର ସମସ୍ତ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ।

୮ରେ ଭଣ୍ଡାରିପୋଖରୀରୁ
ଭଦ୍ରକ: ଆସନ୍ତା ୮ତାରିଖରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି। ନିରଞ୍ଜନ କେନ୍ଦୁଝରର ଘସିପୁରା ଓ ଭଦ୍ରକର ଭଣ୍ଡାରିପୋଖରୀ ଆସନରୁ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଥିଲେ। ଆଜି ସେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆସନ୍ତା ୮ରେ ଭଣ୍ଡାରିପୋଖରୀ ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ସେଥିପାଇଁ ଆଜି ଠାରୁ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ କଂଗ୍ରେସ କର୍ମୀମାନେ ବେଶ୍ ଉତ୍ସାହିତ ହୋଇ ଉଠିଛନ୍ତି।

ସମ୍ବନ୍ଧିତ ଖବର