ଜଟିଳ ହେଉଛି ରାଫେଲ ବିବାଦ: ରାଫେଲ ନିର୍ମାତା ୨୮୪ କୋଟି, ଟଙ୍କା ଲାଞ୍ଚ ଦେଇଛନ୍ତି: ରାହୁଲ

ସବୁ ଅର୍ଥ ଅନୀଲ ଅମ୍ବାନିଙ୍କ କମ୍ପାନି ପାଇଛି

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିକୁ ନେଇ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୂଆ ଅଭିଯୋଗ ଆଣିଛନ୍ତି। ରାଫେଲ ନିର୍ମାଣକାରୀ ସଂସ୍ଥା ଡାସଲ୍‌ଟ ଏଭିଏସନ ଅନୀଲ ଅମ୍ବାନିଙ୍କ କମ୍ପାନିକୁ ୨୮୪ କୋଟି ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ଲାଞ୍ଚ ଦେଇଛି ବୋଲି ରାହୁଲ କହିଛନ୍ତି। ଭାରତୀୟ କମ୍ପାନି ସହ ହୋଇଥିବା ଚୁକ୍ତିକୁ ନେଇ ଡାସଲ୍‌ଟ ସିଇଓ ମିଛ କହୁଛନ୍ତି ଏବଂ କେବଳ ଦେଶର ଶାସକଙ୍କୁ ସୁରକ୍ଷା ଦେବାପାଇଁ ହିଁ ସବୁକିଛି କରାଯାଉଛି ବୋଲି ରାହୁଲ ଆଜି ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ରାହୁଲ କହିଛନ୍ତି ଯେ କେବଳ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ରଖିବା ପାଇଁ କମ୍ପାନି ଆରମ୍ଭରୁ ହିଁ ମିଥ୍ୟା କହିଚାଲିଛି। ରିଲାଏନ୍‌ସ ସଂସ୍ଥାରେ ରା‌ଫେଲ ନିର୍ମାଣକାରୀ ସଂସ୍ଥା ୨୮୪ କୋଟି ଟଙ୍କାର ପୁଂଜି ନିବେଶ କାହିଁକି କରିଛି ତାହାର ଜବାବ ଦେବାକୁ ହେବ ବୋଲି ରାହୁଲ କହିଛନ୍ତି। ଏଭଳି ସ୍ଥିତିରେ ରାଫେଲ ଯୁଦ୍ଧ ବିମାନର ମୂଲ୍ୟ ସାର୍ବଜନୀନ କରିବା ପାଇଁ ସରକାର କାହିଁକି ଚାହୁନାହାନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମ୍ବାନିଙ୍କ ମିଳିତ ଭାଗିଦାରୀରେ ରାଫେଲ ଚୁକ୍ତି ସଂପନ୍ନ ହୋଇଛି ଏବଂ ଏହା ସମସ୍ତେ ଜାଣନ୍ତି ବୋଲି ରାହୁଲ କହିଛନ୍ତି। ଏ ବାବଦରେ ତଦନ୍ତ ଆରମ୍ଭ ହେଲେ ମୋଦୀ କ୍ଷମତାରେ ତିଷ୍ଠି ପାରିବେ ନାହିଁ ବୋଲି ସେ କହିଛନ୍ତି। ଅନୀଲ ଅମ୍ବାନିଙ୍କୁ ୩୦ ହଜାର କୋଟି ଟଙ୍କାର ଫାଇଦା ପହଞ୍ଚାଇବାକୁ ‌ଏହା କେବଳ ମୋଦୀଙ୍କ ଯୋଜନା ବୋଲି ସେ କହିଛନ୍ତି।

କ୍ଷତିରେ ଚାଲିଥିବା କମ୍ପାନିରେ ଡାସଲ୍‌ଟର ପୁଞ୍ଜି ବିନିଯୋଗ!
ନୂଆଦିଲ୍ଲୀ: ରାଫେଲ ଚୁକ୍ତିକୁ ନେଇ ଦେଶରେ ରାଜନୈତିକ ଝଡ଼ ଜାରି ରହିଥିବା ବେଳେ ରାଫେଲ ନିର୍ମାଣକାରୀ ସଂସ୍ଥା ଡାସଲ୍‌ଟ ଏଭିଏସନ ଦ୍ବାରା କ୍ଷତିରେ ଚାଲିଥିବା ଅନୀଲ ଅମ୍ବାନିଙ୍କ ରିଲାଏନ୍‌ସ ଗ୍ରୁପ୍‌ର ଏକ କମ୍ପାନିରେ ୨୮୪ କୋଟି ଟଙ୍କା ପୁଂଜିନିବେଶ କରିବା ସଂକ୍ରାନ୍ତ ରିପୋର୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରିଲାଏନ୍‌ସ ଡିଫେନ୍ସ ସହ ରାଫେଲ ଚୁକ୍ତି କରିବା କରିବା ପରେ ଡାସଲ୍‌ଟ ରିଲାଏନସ ଏୟାରପୋର୍ଟ ଡେଭଲପର୍ସ ଲିମିଟେଡରେ ୪୦ ଲକ୍ଷ ୟୁରୋ ବିନିଯୋଗ କରିଥିବା ସଂକ୍ରାନ୍ତ ତଥ୍ୟ ସାମ୍ନାକୁ ଆସିଛି। ତେବେ ଏଭଳି ବିନିଯୋଗ ଦୁଇ ବିଦେଶୀ କମ୍ପାନିଙ୍କ ମଧ୍ୟରେ କାରବାର ଓ ଆସ୍ଥାକୁ ନେଇ ପଦକ୍ଷେପ ଏବଂ ଏଥିରେ ରାଫେଲ ଚୁକ୍ତିର ଆଦୌ ସଂପର୍କ ନାହିଁ ବୋଲି ରିଲାଏନ୍‌ସ କହିଛି। ତେବେ କ୍ଷତିରେ ଚାଲିଥିବା ରିଲାଏନ୍‌ସର ଏକ କମ୍ପାନି ପ୍ରତି ଡାସଲଟର ଏଭଳି ଅହେତୁକ ଦରଦ କାହିଁକି ବୋଲି କେତେକ ମହଲ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

ସତ୍ୟକୁ ବଦଳାଇ ପାରିବ ନାହିଁ କଂଗ୍ରେସ: ରିଲାଏନ୍‌ସ
ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ରିଲାଏନ୍‌ସ ବିରୋଧରେ ଲଗାତାର ମିଛ କହିଚାଲିଛି। କିନ୍ତୁ ଏଭଳି ମିଛ ଦ୍ବାରା କଂଗ୍ରେସ ସତ୍ୟକୁ ବଦଳାଇ ପାରିବ ନାହିଁ ବୋଲି ଆଜି ରିଲାଏନ୍‌ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଅନୀଲ ଅମ୍ବାନି ବ୍ୟକ୍ତିଗତ ଭାବେ ରାଫେଲ ନିର୍ମତା ଡାସଲ୍‌ଟ ସହ କୌଣସି କାରବାର କରିନାହାନ୍ତି ଏବଂ ରାଫେଲ ଚୁକ୍ତି ପ୍ରକ୍ରିୟାରେ ତାଙ୍କର କୌଣସି ବ୍ୟକ୍ତିଗତ ଫାଇଦା ନାହିଁ ବୋଲି ରିଲାଏନ୍‌ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ରାଫେଲ ଚୁକ୍ତି ସହ ରିଲାଏସନ୍‌ ଏୟାରପୋର୍ଟ ଡେଭଲପର୍ସ ଲିମିଟେଡରେ ପୁଂଜିନିବେଶର କୌଣସି ସଂପର୍କ ନାହିଁ ବୋଲି ରିଲାଏନ୍ସ ସ୍ପଷ୍ଟ କରିଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରିଲାଏନ୍‌ସ ଗ୍ରୁପ୍‌ର ଅଧ୍ୟକ୍ଷଙ୍କୁ ଅଯଥା ବିବାଦ ଭିତରକୁ କଂଗ୍ରେସ ଟାଣିବାକୁ ଅପଚେଷ୍ଟା କରୁଛି ବୋଲି ଏଥିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର