ଭାରତ ଗସ୍ତରେ ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ, ସାଙ୍ଗରେ ବାଳକ ମୋସେ

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୧୪ ତାରିଖରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଗସ୍ତକୁ ସାମରିକ, ଆତଙ୍କବାଦ ନିରୋଧୀ ଅଭିଯାନ ଓ ଟେକନଲୋଜୀ ହସ୍ତାନ୍ତର ମୁଖ୍ୟ ପ୍ରସଙ୍ଗ ହେବ । ତେବେ ଏହି ଗସ୍ତର ଆଉ ଏକ ବିଶେଷତା ରହିଛି । ତାହା ହେଉଛି ନେତାନ୍ୟାହୁଙ୍କ ସାଙ୍ଗରେ ଆସିବ ୧୧ ବର୍ଷିୟ ବାଳକ ମୋସେ ହୋଲଜବର୍ଗ । ଯଦି ଏହି ବାଳକକୁ ଚିହ୍ନି ପାରୁନାହାନ୍ତି , ତେବେ ୨୬/୧୧ ମୁମ୍ବାଇ ଆତଙ୍କବାଦ କଥା ମନେପକାନ୍ତୁ ଓ ନାରିମନ ହାଉସରେ ଆତଙ୍କବାଦୀ ଆକ୍ରମଣ ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଥିବା ବେବି ମୋସେ କଥା ମନେପକାନ୍ତୁ । ୟେ ହେଉଛି ସେହି ଶିଶୁ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଇସ୍ରାଏଲ ଗସ୍ତ କାଳରେ ମୋସେ କୁ ଭେଟିଥିଲେ ଓ ତାକୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ତାଙ୍କର ସେହି ନିମନ୍ତ୍ରଣ ରକ୍ଷା କରି ମୋସେ ଭାରତ ଆସୁଛି । ନିଜର ଏହି ଭାରତ ରହିଣି କାଳରେ ସେ ମୁମ୍ବଇଠାରେ ଥିବା ନିଜର ଜନ୍ମସ୍ଥଳୀକୁ ଦେଖିବ ।

୨୦୦୮, ନଭେମ୍ବର ୨୬ରେ ପାକିସ୍ତାନି ଆତଙ୍କବାଦୀମାନେ ମୁମ୍ବାଇରେ ତାଜ୍‌ ହୋଟେଲ, ଓବରଇ ଓ ନାରିମନ ହାଉସରେ ଆକ୍ରମଣ କରିଥିଲେ । ଏହି ନାରିମନ ହାଉସ ବା ଛବାଦ ହାଉସ ଉହୁଦିମାନଙ୍କର ଏକ ଧାର୍ମିକ ସ୍ଥଳୀ ଯାହାକୁ ୨୦୦୩ ଠାରୁ ମୋସେର ପିତାମାତା ରାବି ଗାବ୍ରିଏଲ ଓ ରିବକା ହୋଲଜବର୍ଗ ଚଳାଉଥିଲେ । ୨୬/୧୧ ଆକ୍ରମଣରେ ମୋସେଙ୍କ ପିତାମାତାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ବଡ଼ ହେଲେ ଏହି ନାରିମନ ହାଉସକୁ ପୁଣି ଚଳାଇବାକୁ ଲକ୍ଷ୍ୟ ରଖିଛି ମୋସେ ।

ସମ୍ବନ୍ଧିତ ଖବର