୨୦୧୯ ପାଇଁ ମୋଦିଙ୍କ ଯୋଜନା ଥୋପ!

୨ ଲକ୍ଷ କୋଟିର ଯୋଜନା , ଚାକିରିଆଙ୍କ ଉପରେ ନଜର

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ନିର୍ବାଚନରେ ହାର୍‌ ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ନେଇ ଆଶଙ୍କା ଉପୁଜିଛି। ଖୋଦ୍‌ ବିଜେପି ନେତା ଓ ମନ୍ତ୍ରୀ ମଧ୍ୟ ସେମାନଙ୍କର ଏହି ପରାଜୟକୁ ସ୍ୱୀକାର କରିବା ସହ କିଭଳି ଭାବେ ସାଧାରଣ ନିର୍ବାଚନର ସାମ୍ନା କରିବେ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ନିର୍ବାଚନର କିଛି ଦିନ ପୂର୍ବରୁ ମୋଦି ସରକାର କିଛି ବଡ଼ ଯୋଜନାର ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପ୍ରଥମେ ମୋଦି କେୟାର ସ୍ୱାସ୍ଥ୍ୟବୀମା ପରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଦେଶର ୫୦ କୋଟି କର୍ମଜୀବୀ ପୁରୁଷ ଓ ମହିଳାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ହେବାପାଇଁ ସୀମିତ ସମୟ ଓ ଅର୍ଥ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଲେବର କୋଡ ଅନ ସୋସିଆଲ ସିକ୍ୟୁରିଟି ନାମକ ଆଇନରେ ନୂଆ ଯୋଜନା ଆରମ୍ଭ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ଯୋଜନା ଗୁଡ଼ିକ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ଜୀବନ ବୀମା ଓ ମାତୃତ୍ୱ ସୁବିଧା ଆଦି ରହିବ। କିନ୍ତୁ ଦେଶରେ ବେକାରି ସମସ୍ୟା ଏବେ ବି ମୋଦି ସରକାରଙ୍କ ପାଇଁ ଏକ ବଡ଼ ସମସ୍ୟା ଥିବା ବେଳେ ଏଥିପାଇଁ କୌଣସି ଯୋଜନା କରାଯାଇନାହିଁ। ନିକଟରେ ‘ୟୁନିଭର୍ସାଲ ସୋସିଆଲ ସିକ୍ୟୁରିଟି’ ଯୋଜନାକୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ସ୍ୱିକୃତି ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧାରରେ ୫୦କୋଟି ଚାକିରିଆଙ୍କୁ ସ୍ୱାସ୍ଥ୍ୟବୀମା ଓ ପେନସନ ସୁବିଧା ଯୋଗାଇ ଦିଆଯିବ। କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ବୋଲି ଜଣାପଡ଼ିଛି। ୨ ଲକ୍ଷ କୋଟି ଟଙ୍କାର ଏହି ଯୋଜନାରେ ଦେଶର ମୋଟ ୪୦ ପ୍ରତିଶତ ଚାକିରିଆ ସମ୍ପୂର୍ଣ୍ଣ ରୁପେ ଓ ୬୦ ପ୍ରତିଶତ ଚାକରିଆ ଆଂଶିକ ଭାବେ ଲାଭବାନ ହେବେ। ତେବେ ୨୦୧୯ ନିର୍ବାଚନର ଅଳ୍ପଦିନ ପୂର୍ବରୁ ଏହି ଯୋଜନାର ଘୋଷଣା ହେବ। ଉଲ୍ଳେଖଯୋଗ୍ୟ,ମୋଦି କେୟାର ଯୋଜନା ଅନ୍ତର୍ଗତ ଦେଶର ୫୦କୋଟି ଲୋକଙ୍କୁ ସ୍ୱାସ୍ଥ୍ୟବୀମାର ସୁବିଧା ପାଇଁ ମୋଦି କେୟାର ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିସାରିଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦେଶର ୧୦କୋଟି ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର