ଘଟଣାକ୍ରମ: ଅସୀମାନନ୍ଦଙ୍କ ସମେତ ୫ ଦୋଷମୁକ୍ତ

ହାଇଦ୍ରାବାଦ୍‌ : ୨୦୦୭ ମସିହା ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲାରେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ଆଜି ହାଇଦ୍ରାବାଦର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଦୋଷମୁକ୍ତ କରିଛନ୍ତି। ପୂର୍ବତନ ଆରଏସଏସ ସଦସ୍ୟ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ୫ ଅଭିଯୁକ୍ତ ଦେବେନ୍ଦ୍ର ଗୁପ୍ତା, ଲୋକେଶ ଶର୍ମା, ଭରତ ମୋହନ ଲାଲ୍‌ ରତେଶ୍ୱର, ଏବଂ ରାଜେନ୍ଦ୍ର ଚୌଧୁରୀଙ୍କୁ ଦୋଷମୁକ୍ତ ହୋଇଛନ୍ତି। ଆଜିର ରାୟ ପ୍ରକାଶ ସମୟରେ ସମସ୍ତ ୫ ଜଣ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ୨୦୦୭ ମସିହା ମେ’ ୧୮ ତାରିଖରେ ହାଇଦ୍ରାବାଦ୍‌ର ଐତିହାସିକ ସ୍ଥଳ ମକ୍କା ମସଜିଦ୍‌ ପରିସରରେ ହୋଇଥିବା ବିସ୍ଫୋରଣରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୫୮ ଜଣ ଆହତ ହୋଇଥିଲେ। ବିସ୍ଫୋରଣ ପରେ ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଚଳାଇଥିବା ଗୁଳିରେ ଅନ୍ୟ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତ ପ୍ରଥମେ ସିବିଆଇ କରୁଥିବାବେଳେ ପରେ ୨୦୧୧ ମସିହାରେ ଏନ୍‌ଆଇଏ ଏହି ମାମଲା ହାତକୁ ନେଇଥିଲା। ଏହି ମାମଲାରେ ପ୍ରଥମେ ଦକ୍ଷିଣ ପନ୍ଥୀ ସଂଗଠନର ସମୁଦାୟ ୧୦ ଜଣଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜଫ୍ରେମ୍‌ କରିଥିଲେ ମଧ୍ୟ କେବଳ ସ୍ୱାମୀ ଅସୀମାନନ୍ଦ ଓରଫ ନବ କୁମାର ସରକାରଙ୍କ ସମେତ ୫ ଜଣ ଗିରଫ ହୋଇଥିଲେ ଏବଂ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିଚାର ଚାଲିଥିଲା। ଅନ୍ୟପକ୍ଷେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ କୋର୍ଟଙ୍କର ଏହି ରାୟରେ କ୍ରୋଧ ପ୍ରକାଶ କରି କହିଛନ୍ତି ଯଦି ବିସ୍ଫୋରଣ ମାମଲାରେ ସମସ୍ତେ ନିର୍ଦ୍ଦୋଷ ତେବେ ବିସ୍ଫୋରଣ ପାଇଁ ଦାୟୀ କିଏ? ବିଚାର ପ୍ରକ୍ରିୟାରେ ଏନ୍‌ଆଇଏ ସମୁଦାୟ ୨୨୬ ସାକ୍ଷୀଙ୍କୁ ପଚରାଉଚୁରା କରିଥିଲା ଏବଂ ୪୧୪ ଟି ତଥ୍ୟ ଉପସ୍ଥାପନ କରିଥିଲା।
ମେ’ ୧୮, ୨୦୦୭: ହାଇଦ୍ରାବାଦ୍‌ର ଐତିହାସିକ ମକ୍କା ମସଜିଦ୍‌ରେ ଶୁକ୍ରବାର ପ୍ରାର୍ଥନା ଚାଲିଥିବା ସମୟରେ ବିସ୍ଫୋରଣ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୫୮ ଜଣ ଆହତ ହୋଇଥିଲେ।
ଜୁନ୍‌, ୨୦୧୦: ଆରଏସ୍‌ଏସ୍‌ କର୍ମୀ ସୁନୀଲ ଯୋଶୀଙ୍କୁ ଏହି ମାମଲାରେ ସିବିଆଇ ଅଭିଯୁକ୍ତ କରିଥିଲା। ଏହାପରେ ଡିସେମ୍ବର ୨୯ ତାରିଖରେ ଯୋଶୀଙ୍କୁ ୩ ଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ।
ନଭେମ୍ବର ୧୯, ୨୦୧୦: ସ୍ୱାମୀ ଅସୀମାନନ୍ଦଙ୍କୁ ସିବିଆଇ ଗିରଫ କରିଥିଲା। ଏହିବର୍ଷ ମଧ୍ୟ ସିବିଆଇ ଅନ୍ୟ ଦୁଇ ଅଭିଯୁକ୍ତ ଦେବେନ୍ଦ୍ର ଗୁପ୍ତା ଏବଂ ଲୋକେଶ ଶର୍ମାଙ୍କୁ ଗିରଫ କରିଥିଲା।
ଡିସେମ୍ବର ୧୮, ୨୦୧୦: ସ୍ୱାମୀ ଅସୀମାନନ୍ଦ ଏହି ବିସ୍ଫୋରଣ ମାମଲାରେ ତାଙ୍କର ସମ୍ପୃକ୍ତି ନେଇ କୋର୍ଟରେ ସ୍ୱୀକାର କରିଥିଲେ।
ଏପ୍ରିଲ ୨୦୧୧: ଏନଆଇଏ ସିବିଆଇଠାରୁ ଏହି ମାମଲା ହାତକୁ ନେଇଥିଲେ
ମାର୍ଚ୍ଚ ୨୩, ୨୦୧୭: ଅସୀମାନନ୍ଦଙ୍କୁ ହାଇଦ୍ରାବାଦ୍‌ କୋର୍ଟରେ ଜାମିନ ମଞ୍ଜୁର ହୋଇଥିଲା ଯାହାଦ୍ୱାରା ଦୀର୍ଘ ୭ ବର୍ଷର ଜେଲ୍‌ ଜୀବନରୁ ମୁକ୍ତ ହେବା ନିମନ୍ତେ ଅସୀମାନନ୍ଦଙ୍କ ପାଇଁ ପଥ ପରିଷ୍କାର ହୋଇଗଲା।
ମାର୍ଚ୍ଚ ୩୧, ୨୦୧୭: ଅସୀମାନନ୍ଦ ଚଞ୍ଚଲଗୁଡ଼ା ଜେଲ୍‌ରୁ ମୁକ୍ତ ହେଲେ
ଏପ୍ରିଲ ୧୬, ୨୦୧୮ : ସମସ୍ତ ଅଭିଯୁକ୍ତ ଏକ ସ୍ୱତନ୍ତ୍ର ଏନ୍‌ଆଇ କୋର୍ଟ ଦ୍ୱାରା ଦୋଷମୁକ୍ତ ହେଲେ।

ସମ୍ବନ୍ଧିତ ଖବର