ଗୁଜରାଟରେ ୫ ହଜାର କୃଷକଙ୍କ ଇଚ୍ଛାମୃତ୍ୟୁ ଦାବି

ଅହମ୍ମଦାବାଦ: ଆଜି ଗୁଜରାଟର ଭାବନଗର ଜିଲ୍ଲାରେ ୫ହଜାରରୁ ଉର୍ଦ୍ଧ୍ୱ କୃଷକ ଇଚ୍ଛାମୃତ୍ୟୁ ଦାବି କରିଛନ୍ତି। ଗୁଜରାଟ ଶକ୍ତି ନଗମ ପକ୍ଷରୁ ଜମି ଅଧିଗ୍ରହଣକୁ ବିରୋଧ କରି ସେମାନେ ଇଚ୍ଛାମୃତ୍ୟୁ ସଂକ୍ରାନ୍ତ ଚିଠି ଦେଇଛନ୍ତି। ଏହି ଚିଠି ସେମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ପ୍ରଭାବିତ ୧୨ଟି ଗ୍ରାମର ୫,୨୫୯ ଜଣ କୃଷକ ଓ ସେମାନଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କର ଚାଷ ଜମିକୁ ଗୁଜରାଟ ଶକ୍ତି ନିଗମ ବଳପୂର୍ବକ ଛଡ଼ାଇ ନେଇଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣେ କୃଷକ ନେତା କହିଛନ୍ତି। କୃଷକଙ୍କ ଅଭିଯୋଗ ମୁତାବକ, ୨୦ ବର୍ଷ ପୂର୍ବେ ନିଗମ ଏଠାରେ ଜମି ଅଧିଗ୍ରହଣ କରିଥିଲା। ତେବେ ୨୦ ବର୍ଷ ପରେ ମଧ୍ୟ ଏହି ଜମିକୁ ନିଜ ଅଧୀନରେ ରଖିବା ପାଇଁ ନିଗମ ଚେଷ୍ଟା କରୁଛି। ଏହା ଆଇନ୍‌ ବିରୋଧୀ କାର୍ଯ୍ୟ। ଜମି ଅଧିଗ୍ରହଣ ଆଇନ୍‌-୨୦୧୩ ଅନୁଯାୟୀ ଅଧିଗୃହୀତ ଜମିକୁ ଏକ କମ୍ପାନି ୫ବର୍ଷରୁ ଅଧିକ ସମୟ ରଖିପାରିବେ ନାହିଁ। ଅଧିଗୃହୀତ ଜମିକୁ ନିଜ ଅଧୀନରେ ରଖିବାକୁ ହେଲେ କମ୍ପାନିକୁ ପୁନର୍ବାର ଅଧିଗ୍ରହଣ କରିବାକୁ ହେବ।

ସମ୍ବନ୍ଧିତ ଖବର