ଟଙ୍କା ଦେଇ ପରୀକ୍ଷା ଖାତା ବଦଳ : ୬୦୦ ଅଯୋଗ୍ୟ ହୋଇଛନ୍ତି ଡାକ୍ତର

ମିରଟ : ଉତ୍ତରପ୍ରଦେଶର ଚୌଧୁରି ଚରଣ ସିଂହ ବିଶ୍ୱବିଦ୍ୟାଳୟ ଅଧୀନରେ ଅତି କମ୍‌ରେ ୬୦୦ ଜଣ ଅଯୋଗ୍ୟ ଡାକ୍ତରୀ ଛାତ୍ର ବ୍ୟାପକ ଅର୍ଥ କାରବାରରେ ପରୀକ୍ଷା ଖାତା ବଦଳାଇ ଡାକ୍ତର ସାଜିଥିବା ଘଟଣା ସାମନାକୁ ଆସିଛି। ଏହି ର‍୍ୟାକେଟ୍‌ର ମୁଖ୍ୟ ଅଭିଯୁକ୍ତ ସହ ଉକ୍ତ ବିଶ୍ୱବିଦ୍ୟାଳୟର ୩ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରି ଖୋଳତାଡ଼ ଜାରି ରଖିଛି।

ପୁଲିସ ସୂଚନାନୁଯାୟୀ, ଏହି କାରନାମାର ମୁଖ୍ୟ ଅଭିଯୁକ୍ତ କବିରାଜ ସିଂହ ଡାକ୍ତରୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରଲୋଭିତ କରୁଥିଲା। ସେମାନଙ୍କ ପରୀକ୍ଷାର୍ଥୀ ଖାତା ବଦଳାଇ ଅତ୍ୟୁଚ୍ଚ ନମ୍ବର ରଖିବାର ପ୍ରତିଶ୍ରୁତିରେ ପ୍ରତି ଆଶାୟୀଙ୍କ ଠାରୁ କବିରାଜ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ଅସୁଲ କରୁଥିଲା। ଏଥିପାଇଁ ସେ ବିଶ୍ୱବିଦ୍ୟାଳୟର ଉତ୍ତରଖାତା ଦାୟିତ୍ୱରେ ଥିବା ପବନ କୁମାରଙ୍କୁ ହାତ କରି ଆଶାୟୀଙ୍କ ପରୀକ୍ଷା ଖାତାକୁ ହଡ଼ପ କରିନେଇ ତାହା ଜାଗାରେ ସମ୍ପୂର୍ଣ୍ଣ ଠିକ୍‌ ଉତ୍ତର ଲେଖାଯାଇଥିବା ପରୀକ୍ଷା ଖାତା ରଖିବାରେ ସଫଳ ହେଉଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ଦୁଇ ଜଣ ଅସ୍ଥାୟୀ କର୍ମଚାରୀ କପିଳ କୁମାର ଓ ସନ୍ଦୀପ ମଧ୍ୟ ସହଯୋଗ କରୁଥିଲେ। ଏହି ପ୍ରକ୍ରିୟାରେ ଅତି ନିମ୍ନମାନର ଛାତ୍ରଛାତ୍ରୀ ମଧ୍ୟ ଡାକ୍ତରୀ ଚୂଡ଼ାନ୍ତ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ। ଏପରିକି ଡାକ୍ତରୀ ସ୍ନାତକ ବ୍ୟତୀତ ଅନ୍ୟାନ୍ୟ ବିଷୟ ପାଇଁ ମଧ୍ୟ ଆଶାୟୀଙ୍କ ଠାରୁ ଏହି ର‍୍ୟାକେଟ୍‌ ୩୦ରୁ ୪୦ ହଜାର ଯାଏ ଟଙ୍କା ଅସୁଲ କରି ସେମାନଙ୍କୁ ଆଶାତୀତ ସଫଳତା ଯୋଗାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର