୬୫ ବର୍ଷର ଶତ୍ରୁତା ଶେଷ :ହାତ ମିଳାଇଲେ ଦୁଇ କୋରିଆ:ଯୁଦ୍ଧ ପରିସମାପ୍ତି ଘୋଷଣା

ବନ୍ଧୁତାର ନୂଆ ଅଧ୍ୟାୟ ଆରମ୍ଭ:

ସିଓଲ : ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘ ୬୫ ବର୍ଷ ଧରି ଲାଗି ରହିଥିବା ଶତ୍ରୁତାର ଆଜି ଅନ୍ତ ଘଟିଛି। କୋରିଆ ଉପଦ୍ୱୀପରେ ଶାନ୍ତି ଫେରାଇ ଆଣିବାକୁ ନୂଆ ଇତିହାସର ଅୟମାରମ୍ଭ ହୋଇଛି। ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରମୁଖ୍ୟ ମୁନ୍‌-ଜାଏ ଇନ୍‌ ଆଜି ପରସ୍ପର ହାତ ମିଳାଇ ସବୁ ତିକ୍ତତାର ପରିସମାପ୍ତି ଘଟାଇଛନ୍ତି। ଉଭୟ ରାଷ୍ଟ୍ରମୁଖ୍ୟ ଆଜି ଏକ ଐତିହାସିକ ଘଟଣାକ୍ରମରେ ଯୁଦ୍ଧର ପରିସମାପ୍ତି ଘଟିଲା ବୋଲି ଘୋଷଣା କରିବା ଫଳରେ ଦୁଇ ଦେଶର ନାଗରିକଙ୍କ ପାଇଁ ଖୁସିର ପର୍ବ ଆରମ୍ଭ ହୋଇଛି। ଦୁଇ କୋରିଆ ରାଷ୍ଟ୍ର ମୁଖ୍ୟ ଆଜି ଯେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ତାହା କୋରିଆ ଉପଦ୍ୱୀପରେ ଶାନ୍ତି ଫେରାଇ ଆଣିବା ସହ ବିଶ୍ୱବାସୀଙ୍କୁ ମଧ୍ୟ ଆଶ୍ୱସ୍ତ କରିଛି। ବିଶ୍ୱବାସୀଙ୍କୁ ଚକିତ କରି ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଆଜି ଦକ୍ଷିଣ କୋରିଆରେ ପହଞ୍ଚି ତାଙ୍କ ପ୍ରତିପକ୍ଷ ମୁନ୍‌ଙ୍କ ସହ ହାତ ମିଳାଇଛନ୍ତି। ସାମରିକ ସୀମାରେଖା ନିକଟରେ ମୁନ୍‌ ଉନ୍‌ଙ୍କୁ ସ୍ୱାଗତ ଜଣାଇଥିଲେ। ତେବେ ୧୯୫୦-୫୩ ମସିହା କୋରିଆ ଯୁଦ୍ଧ ପରଠାରୁ ଦକ୍ଷିଣ କୋରିଆ ମାଟିରେ ପାଦ ରଖିବାରେ ପ୍ରଥମ ଉତ୍ତର କୋରିଆ ନେତା। ସବୁବେଳେ ଯୁଦ୍ଧମନସ୍କ ରହୁଥିବା ଉନ୍‌ଙ୍କର ଏହି ନିଷ୍ପତ୍ତି ଦୁଇ କୋରିଆ ପାଇଁ ଆଜି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ପରମାଣୁ ନିରସ୍ତ୍ରୀକରଣ ଦିଗରେ ଉତ୍ତର କୋରିଆ ସର୍ବାଧିକ ଯତ୍ନବାନ ହେବ ବୋଲି ଉନ୍‌୍‌ଙ୍କ ଘୋଷଣାକୁ ଦକ୍ଷିଣ କୋରିଆ ହୃଦୟର ସହ ସ୍ୱାଗତ କରୁଥିବା କହିଛି। ଏହା ବିଶ୍ୱ ଶାନ୍ତି ଦିଗରେ ଏକ ବଳିଷ୍ଠ ପ୍ରୟାସ ବୋଲି ମୁନ୍‌ କହିଛନ୍ତି।
ଆଜି ଦୁଇ କୋରିଆ ଶାନ୍ତି ପ୍ରକ୍ରିୟା ନେଇ ଐତିହାସିକ ଘୋଷଣା କରିବା ପରେ ଆମେରିକା, ଚୀନ୍‌, ଜାପାନ ଓ ରୁଷ୍‌ ସମେତ ବିଭିନ୍ନ ରାଷ୍ଟ୍ର ଏହାକୁ ସ୍ୱାଗତ କରିଛନ୍ତି। ବିିଶ୍ୱ ଶାନ୍ତି ଓ ନିରସ୍ତ୍ରୀକରଣ ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ କହିଛନ୍ତି। ଜାପାନ ମଧ୍ୟ ଦୁଇ କୋରିଆର ମିଳନକୁ ସ୍ୱାଗତ କରି ଏହି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି କହିଛି। ଆଜି ଦୁଇ କୋରିଆ ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଆଲିଙ୍ଗନ କରିବାପରେ ବନ୍ଧୁତାର ପ୍ରତୀକ ସ୍ୱରୂପ ଏକ ବୃକ୍ଷ ରୋପଣ କରିଥିଲେ ଏବଂ ଏହାପରେ ୩୦ ମିନିଟ୍‌ ଧରି ସିଧାସଳଖ ଆଲୋଚନା ହୋଇଥିଲା। କୋରିଆ ଉପଦ୍ୱୀପରେ ଶାନ୍ତି, ସମୃଦ୍ଧି ଏବଂ ଏକତାପାଇଁ ଉଭୟ ରାଷ୍ଟ୍ରମୁଖ୍ୟ ପାନ୍‌ମୁନଜୋମ୍‌ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ। ମିଳିତ ଘୋଷଣାନାମାରେ ଦୁଇ ନେତା ୮୦ ନିୟୁତ କୋରିଆ ଜନସାଧାରଣଙ୍କୁ ଆଜି ଜଣାଇ ଦେଇଛନ୍ତି ଯେ କୋରିଆ ଉପଦ୍ୱୀପରେ ଯୁଦ୍ଧର ପରିସମାପ୍ତି ଘଟିଛି ଏବଂ ଶାନ୍ତିର ନୂଆ ଯୁଗ ଆରମ୍ଭ ହୋଇଛି । ଘୋଷଣାନାମାରେ କୁହାଯାଇଛି ଯେ ୧୯୫୩ ମସିହାରେ କୋରିଆ ଯୁଦ୍ଧ ଶେଷ ହେବାପରେ ଯୁଦ୍ଧର ଅବସାନ ହେଲାବୋଲି ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। କିନ୍ତୁ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇନଥିଲା। ତେଣୁ ଦୁଇ କୋରିଆ ସବୁ ସମୟରେ ଯୁଦ୍ଧ ପାଇଁ ତୟାର ହୋଇ ରହୁଥିଲେ । କିନ୍ତୁ ଆଜିର ଘଟଣା ନୂଆ ଇତିହାସ ସୃଷ୍ଟି କରିଛି । ଉଭୟ ମୁନ୍‌ ଏବଂ କିମ୍‌ ଜଙ୍ଗ୍‌ ଉନ୍‌ ଆଜି ଏକ ପରମାଣୁ ମୁକ୍ତ ଉପଦ୍ୱୀପ ପାଇଁ ରାଜି ହୋଇଛନ୍ତି ଏବଂ ଏହା ଉଭୟ ଦେଶ ଏଥିପାଇଁ ଅଙ୍ଗୀକାରବଦ୍ଧ ରହିବେ ବୋଲି ମିଳିିତ ଘୋଷଣାନାମାରେ କୁହାଯାଇଛି।
କୋରିଆ ସଙ୍କଟର ଇତିହାସ
୧୯୫୦ ମସିହା ଜୁନ୍‌ ୨୫ ତାରିଖରେ ଉତ୍ତର େ କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଚୀନ୍‌ ଏବଂ ରୁଷ୍‌ ସହାୟତାରେ ୭୫,୦୦୦ ସୈନ୍ୟଙ୍କୁ ଧରି ଉତ୍ତର କୋରିଆ ଆମେରିକା ସମର୍ଥିତ ରାଷ୍ଟ୍ର ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରିଥିଲା । ଆମେରିକା ଦକ୍ଷିଣ କୋରିଆକୁ ସମର୍ଥନ କରି ଉକ୍ତ ଯୁଦ୍ଧରେ ସେହି ବର୍ଷ ଜୁଲାଇ ମାସରେ ଯୋଗ ଦେଇଥିଲା। ୧୯୫୦ ମସିହା ଜୁନ୍‌ ମାସରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ୧୯୫୩ ମସିହା ଜୁଲାଇ ମାସରେ ଶେଷ ହୋଇଥିଲା। ଏହା ପରଠାରୁ ଦୁଇ କୋରିଆ ମଧ୍ୟରେ ଶତ୍ରୁତାର ବିଶାଳ ପାଚେରି ଠିଆ ହୋଇଥିଲା ଏବଂ ଉଭୟ ଦେଶ ମଧ୍ୟରେ ସର୍ବଦା ଅଶାନ୍ତିର ନିଆଁ କୁହୁଳିଥିଲା। କୋରିଆ ଯୁଦ୍ଧରେ ୫ ନିୟୁତ ସୈନ୍ୟ ଏବଂ ସାଧାରଣ ଜନତା ପ୍ରାଣ ହରାଇଥିଲେ।
୨୦୧୭ରେ ବର୍ଷ ତମାମ ଉତ୍ତର କୋରିଆ ଲଗାତାର ପରମାଣୁ ପରୀକ୍ଷଣ ଦ୍ୱାରା ଦକ୍ଷିଣ କୋରିଆ, ଜାପାନ ଓ ଆମେରିକାକୁ ଭୟଭୀତ କରି ଚାଲିଥିଲା। ଏହାଦ୍ୱାରା କୋରିଆ ଉପଦ୍ୱୀପରେ ଅଶାନ୍ତି ଚରମ ପର୍ଯ୍ୟାୟରେ ପହଞ୍ଚିଥିଲା। ଉତ୍ତର କୋରିଆ ଅନେକ ଶକ୍ତିଶାଳୀ ପରମାଣୁ ପରୀକ୍ଷା କରିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବା ଆଶଙ୍କା ପ୍ରକାଶ ପାଇଥିଲା। ଉତ୍ତର କୋରିଆ ଏପ୍ରିଲ ୪, ୨୦୧୭ରେ ହ୍ଵାସଙ୍ଗ୍‌-୧୨ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା ଯାହା ଜାପାନ୍‌ ସମୁଦ୍ରରେ ପହଞ୍ଚିଥିଲା। ଏପ୍ରିଲ ୧୫, ୨୦୧୭ରେ ଏହାର ଏକ ବଡ଼ କ୍ଷେପଣାସ୍ତ୍ର ପରୀକ୍ଷା ବିଫଳ ହୋଇଥିଲା। ମେ’ ୧୪ ୨୦୧୭ରେ ଏକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ଜୁଲାଇ ୪, ୨୦୧୭ରେ ଏହା ଶକ୍ତିଶାଳୀ ଆଇସିବିଏମ୍‌ କ୍ଷେପଣାସ୍ତ୍ର ହ୍ଵାସଙ୍ଗ୍‌୍‌-୧୪ ପରୀକ୍ଷା କରିବା ପରେ ଆମେରିକା ଉତ୍ତର କୋରିଆ ଉପରେ ଆକ୍ରମଣ ପାଇଁ ତୟାର ହୋଇଥିଲା। ଜୁଲାଇ ୨୮, ୨୦୧୭ରେ ମଧ୍ୟରେ ଉତ୍ତର କୋରିଆ ଆଉ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା ଯାହା ସମୁଦ୍ର ପତ୍ତନଠାରୁ ୩୦୦୦ କିମି ଉଚ୍ଚତାରେ ପହଞ୍ଚିଥିଲା। ସେପ୍ଟେମ୍ବର ୩ ତାରିଖରେ ଉତ୍ତର କୋରିଆ ଏହାର ଷଷ୍ଠ ଏବଂ ସବୁଠୁ ଶକ୍ତିଶାଳୀ ପରମାଣୁ ପରୀକ୍ଷା କରିଥିଲା ଏବଂ ଏହା ଏକ ଉଦ୍‌ଯାନ ବୋମା ବୋଲି ଦାବି କରିଥିଲା।

ସମ୍ବନ୍ଧିତ ଖବର