ବେଦାନ୍ତର କପର ପ୍ଲାଣ୍ଟ ବିରୋଧରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ, ପୁଲିସ ଗୁଳିରେ ୧୦ ମୃତ

ଚେନ୍ନାଇ : ତାମିଲନାଡୁର ତୁତିକୋରିନଠାରେ ଥିବା ବେଦାନ୍ତର ତମ୍ବା ସ୍ମେଲଟିଂ ପ୍ଲାଣ୍ଟରେ ଗତ ପ୍ରାୟ ୩ ମାସ ଧରି ଚାଲିଥିବା ଜନଆନ୍ଦୋଳନ ଆଜି ବିସ୍ଫୋରକ ରୂପ ନେଇଛି । ଲୋକଙ୍କ ବିକ୍ଷୋଭ ହିଂସାତ୍ମକ ହେବାପରେ ପୁଲିସ ଗୁଳିରେ ୧୦ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ପ୍ରାୟ ୨୦ହଜାର ବ୍ୟକ୍ତି ଏକତ୍ରିତ ହେବା ପରେ ଜିଲ୍ଲାପାଳଙ୍କ ଅଫିସରେ ପ୍ରବେଶ କରି ସରକାରୀ ସଂପତ୍ତିକୁ ଭଙ୍ଗାରୁଜା କରିଥିଲେ । ଏହି ହିଂସାତ୍ମକ ଭୀଡ଼କୁ ଅଟକାଇବାକୁ ଯାଇ ପୁଲିସ ପକ୍ଷରୁ ପ୍ରଥମେ ଲାଠିଚାର୍ଜ, ତାପରେ ଲୁହବୁହା ଗ୍ୟାସ ଓ ପରେ ଗୁଳି ମାଡ କରାଯାଇଥିଲା । ଏହି ଗୁଳିମାଡ ଯୋଗୁଁ ୧୦ ଜଣ ମୃତ୍ୟୁ ବରଣ କରିଛନ୍ତି ଓ ପ୍ରାୟ ୫୦ ଆହତ ହୋଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

ତୁତୁକୋରିନଠାରେ ଥିବା ବେଦାନ୍ତର କପର ସ୍ମେଲଟର ପ୍ଲାଣ୍ଟକୁ ସ୍ଥାନୀୟ ଲୋକମାନେ ବିରୋଧ କରିଆସୁଛନ୍ତି । ଏହାର ୨୫ ବର୍ଷିଆ ଲିଜ ସମୟ ଶେଷ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏହି ସମୟସୀମାକୁ ଆଉ ୨୫ ବର୍ଷ ପାଇଁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଲୋକମାନେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର