ଚୀନର ଆଭିମୁଖ୍ୟ ଲକ୍ଷ୍ୟ ବିରୋଧୀ: ଆମେରିକା

ମସୁଦ୍‌ ବିରୋଧରେ ବିକଳ୍ପ କଟକଣା ପାଇଁ ପ୍ରୟାସ

ନୂଆଦିଲ୍ଲୀ: ବିଶ୍ବସ୍ତରରେ ଆଞ୍ଚଳିକ ସ୍ଥିରତା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଚୀନ୍ ଓ ଆମେରିକାର ମିଳିତ ଉଦ୍ୟମ ଜାରି ରହିଛି। ମାତ୍ର ଦୁଇ ଦେଶର ଏହି ଲକ୍ଷ୍ୟ ହାସଲରେ ଚୀନର ଆଭିମୁଖ୍ୟ ପ୍ରତିବନ୍ଧକ ସାଜିଛି। ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବାରେ ଚୀନର ବିରୋଧ ହିଁ ଏହାର କାରଣ ବୋଲି ଆମେରିକା ଦୂତାବାସର ଜଣେ ମୁଖପାତ୍ର ଆଜି ସ୍ପଷ୍ଟ କରିଛନ୍ତି। ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ମସୁଦକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବା ପାଇଁ ଫ୍ରାନ୍ସ, ବ୍ରିଟେନ୍ ଏବଂ ଆମେରିକା ଦ୍ବାରା ଆଗତ ପ୍ରସ୍ତାବକୁ ଚୀନ୍ ଗତକାଲି ବିରୋଧ କରିବା ପରିପ୍ରେକ୍ଷୀରେ ଆମେରିକା ତରଫରୁ ପ୍ରଥମ ଥର ପାଇଁ ଏପରି ଖୋଲାଖୋଲି ସମାଲୋଚନା କରାଯାଇଛି। ପୂର୍ବରୁ ତିନି ତିନି ଥର ଚୀନ୍‌ ଜାତିସଂଘରେ ମସୁଦ ସଂକ୍ରାନ୍ତ ପ୍ରସ୍ତାବକୁ ବିରୋଧ କରିବା ସହ ମସୁଦକୁ ପରୋକ୍ଷରେ ସୁରକ୍ଷା ଯୋଗାଇଥିଲା। ଚୀନ୍‌ ମସୁଦ ଉପରେ ଲଗାଯାଇଥିବା ଅପରାଧର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ପାଇଁ ଅଧିକ ସମୟ ମାଗିଛି। ଅପରପକ୍ଷେ, ମସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲ୍ କାଏଦା ପ୍ରତିବନ୍ଧ କମିଟିର ସମସ୍ତ ମାନଦଣ୍ଡ ନିହିତ ରହିଛି ବୋଲି ସଂପୃକ୍ତ ଆମେରିକୀୟ ମୁଖପାତ୍ର କହିଛନ୍ତି। ମସୁଦ୍‌ ବିରୋଧରେ କଠୋର କଟକଣା ପାଇଁ ଆମେରିକା ବିକଳ୍ପ ଖୋଜୁଛି ଏବଂ ଏ ଦିଗରେ ଖୁବ୍‌ଶୀଘ୍ର ଭଲ ପରିଣାମ ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର