ସେପ୍ଟେମ୍ବର ୨୫ରୁ ଆୟୁଷ୍ମାନ ଭାରତ

ବିଶ୍ୱ ଅର୍ଥନୀତିର ଇଞ୍ଜିନ୍‌ ହେବ ଭାରତ: ମୋଦୀ

ନୂଆଦିଲ୍ଲୀ : ଆଗାମୀ ୩ ଦଶନ୍ଧି ପର୍ଯ୍ୟନ୍ତ ବିଶ୍ୱ ଅର୍ଥନୀତିର ଇଞ୍ଜିନ୍‌ ସାଜିବ ଭାରତ। କାରଣ ଜିଏସ୍‌ଟି ଭଳି ଆର୍ଥିକ ସଂସ୍କାର ଦ୍ୱାରା ‘ଶୋଇଥିବା ହାତୀ’ (ଘରୋଇ ଅର୍ଥନୀତି) ଏବେ ଦୌଡ଼ିବା ଆରମ୍ଭ କରିଛି। ଆର୍ଥିକ ସଂସ୍କାର ଯୋଗୁ ଦେଶ ଏବେ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତିରେ ପରିଗଣିତ ହୋଇପାରିଛି। ୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ମୋଦୀ କହିଛନ୍ତି, ପୂର୍ବରୁ ଭାରତକୁ ଏକ ପଛୁଆ ବର୍ଗର ରାଷ୍ଟ୍ର ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଏବେ ଏହାକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ବୋଲି କୁହାଯାଉଛି। ୨୦୧୪ ପୂର୍ବରୁ ଭାରତ ସଂପର୍କରେ ଅନ୍ତର୍ଜାତୀୟ ନିବେଶକମାନେ ନକାରାତ୍ମକ ଟିପ୍ପଣୀ ଦେଉଥିଲେ। କିନ୍ତୁ ଏବେ ଏଠାରେ କୋଟି କୋଟି ଡଲାର ନିବେଶ ପାଇଁ ଆଗେଇ ଆସୁଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କ ପାଇଁ ଆୟୁଷ୍ମାନ ଭାରତ ବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ସ୍କିମ୍‌ ଘୋଷଣା କରିଛନ୍ତି। ଏହି ସ୍କିମ୍‌ ଦ୍ୱାରା ଦେଶର ୧୦ କୋଟି ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଏ ନେଇ ମୋଦୀ କହିଛନ୍ତି, ଗରିବ ପରିବାରଗୁଡ଼ିକୁ ଉତ୍ତମ ଚିକିତ୍ସା ଓ ଦୁରାରୋଗରୁ ସୁରକ୍ଷା ପ୍ରଦାନ ଲାଗି ଏଭଳି ଆରୋଗ୍ୟ ଭାରତ ଅଭିଯାନ ସହାୟକ ହେବ। ଆୟୁଷ୍ମାନ ଭାରତ ସ୍କିମ୍‌ରେ କୌଣସି ଲୋକଙ୍କୁ (ବିଶେଷକରି ମହିଳା, ପିଲା ଓ ବୃଦ୍ଧାବୃଦ୍ଧ) ମାଗଣା ତଥା ଉନ୍ନତ ଚିକିତ୍ସା ସେବାରୁ ବଞ୍ଚିତ କରାଯିବ ନାହିଁ। ଏଥିପାଇଁ ପରିବାରର ସଦସ୍ୟ ସଂଖ୍ୟା ଓ ବୟସ ଉପରେ କୌଣସି ସୀମା ଲାଗୁ ହେବନାହିଁ। ଆଗାମୀ ସେପ୍ଟେମ୍ବର ୨୫ରୁ ଆରମ୍ଭ ହେବାକୁ ଥିବା ଏହି ସ୍କିମ୍‌ରେ ହସ୍ପିଟାଲ୍‌ରେ ଭର୍ତ୍ତି ହେବାଠାରୁ ବାହାରିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚକୁ ସାମିଲ କରାଯିବ। ରୋଗୀଙ୍କୁ ଡାକ୍ତରଖାନା ଆଣିବା ଲାଗି ପରିବହନ ଖର୍ଚ୍ଚ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ। ଦେଶର ଯେ କୌଣସି ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଇ ପାରିବ। ରୋଗୀଙ୍କୁ ସହାୟତା ଯୋଗାଇବା ଲାଗି ସ୍ୱାସ୍ଥ୍ୟ ମିତ୍ର ମଧ୍ୟ ନିଯୁକ୍ତ କରାଯିବ।

ସ୍କିମ୍‌ ଅନୁସାରେ ଦେଶର ପ୍ରାୟ ୫୦ କୋଟି ଲୋକଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବୀମା ସୁବିଧା ମିଳିବ। ତେବେ ବର୍ତ୍ତମାନ ସୁଦ୍ଧା ଦେଶର ଆର୍ଥିକ ଏବଂ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସାମିଲ କରାଯିବ। ପଲିସିରେ ସାମିଲ ହେବାର ପ୍ରଥମ ଦିନରୁ ହିଁ ସୁବିଧା ମିଳିବ। ଦେଶର ସମସ୍ତ ରାଜ୍ୟରେ ଏହି ସ୍କିମ୍‌କୁ ହାଇବ୍ରିଡ୍‌ ମଡେଲ୍‌ ଅନୁସାରେ ଲାଗୁ କରାଯାଇପାରେ। ଏହି ମଡେଲ୍‌ ଅନୁସାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବୀମା କମ୍ପାନି ବହନ କରିବେ। ଚିକିତ୍ସା ଖର୍ଚ୍ଚ ୧ ଲକ୍ଷ ଟଙ୍କା ଟପିଲେ, ଟ୍ରଷ୍ଟ ଏହାକୁ ବହନ କରିବ। ଏହି ସ୍କିମ୍‌ ଲାଗୁ ପାଇଁ ପ୍ରାୟ ୨୩ ରାଜ୍ୟ ସହମତି ପ୍ରକାଶ କରିଛନ୍ତି।

ଆୟୁଷ୍ମାନ ଭାରତ ସ୍କିମ୍‌ ପାଇଁ ମୋଦୀ ସରକାର ପ୍ରାୟ ୧୧ କୋଟି ଫ୍ୟାମିଲି କାର୍ଡ ଛାପିବେ ଏବଂ ଏହାକୁ ଲୋକଙ୍କ ହାତରେ ସିଧାସଳଖ ପ୍ରଦାନ କରିବେ। ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଆୟୁଷ୍ମାନ ପକ୍ଷ ପାଳନ କରାଯିବ, ଯେଉଁଠାରେ ସମସ୍ତଙ୍କୁ ଫ୍ୟାମିଲି କାର୍ଡ ଯୋଗାଇ ଦିଆଯିବ। ଏହାବ୍ୟତୀତ ଲୋକଙ୍କୁ ସହାୟତା ଯୋଗାଇବା ସକାଶେ ଦିଲ୍ଲୀରେ ୨୪ ଘଣ୍ଟିଆ ହେଲ୍‌ପଲାଇନ୍‌ ବା କଲ୍‌ସେଣ୍ଟର ସ୍ଥାପନ କରାଯିବ। ଏହାବ୍ୟତୀତ ମୋଦୀ ନିଜ ସ୍ୱାଧୀନତା ସମ୍ଭାଷଣରେ ୨୦୨୨ ସୁଦ୍ଧା ମାନବଭିତ୍ତିକ ମହାକାଶ ଅଭିଯାନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଏହି ମିଶନ୍‌ରେ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମିଶନ୍‌ରେ ଜଣେ ବ୍ୟକ୍ତିଙ୍କୁ ମହାକାଶ ପଠାଇ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ର ବିବେଚିତ ହେବ। ଏହା ବାଦ୍‌ ସରକାର ଦେଶରେ ଖୁବ୍‌ଶୀଘ୍ର ନୂଆ କୃଷି ରପ୍ତାନି ନୀତି ଆଣିବେ ବୋଲି ମୋଦୀ ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ, ସଶସ୍ତ୍ର ବଳରେ ମହିଳାଙ୍କ ନିଯୁକ୍ତି ଅବଧି ବୃଦ୍ଧି ନିମନ୍ତେ ବିକଳ୍ପ ବ୍ୟବସ୍ଥା ଘୋଷଣା କରାଯାଇଛି। ମହିଳା ଅଧିକାରୀ ଚାହିଲେ ନିଜ ସେବା ଅବଧି ବୃଦ୍ଧି କରିପାରିବେ।

ସମ୍ବନ୍ଧିତ ଖବର