କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ ୭୬,୫୦୦ଟି ଚାକିରି, ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ  : କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ ଖାଲି ଥିବା ୭୬,୫୭୮ଟି ପଦବିରେ ନିଯୁକ୍ତି ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି । ଏଥିରୁ ୫୪,୯୫୩ଟି କନଷ୍ଟେବଳ ପଦବି (ଜେନେରାଲ ଡ୍ୟୁଟି) ପାଇଁ ଷ୍ଟାଫ ସିଲେକ୍ସନ କମିସନ ଦ୍ୱାରା ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଏସଏସସି ପକ୍ଷରୁ ୧୧ ରୁ ମାର୍ଚ୍ଚ ୧୧ ମଧ୍ୟରେ କମ୍ପ୍ୟୁଟରଭିତ୍ତିକ ପରୀକ୍ଷା ଅନୁଷ୍ଠିତ ହେବ ।

୫୪୯୫୩ଟି କନଷ୍ଟେବଳ ପଦବିରୁ ସିଆରପିଏଫରେ ସର୍ବାଧିକ ୨୧୫୬୬ଟି, ବିଏସଏଫରେ ୧୬୯୮୪ଟି, ଏସଏସବିରେ ୮୫୪୬, ଆଇଟିବିପିରେ ୪୧୨୬ ଏବଂ ଆସାମ ରାଇଫଲ୍ସରେ ୩୦୭୬ଟି ପଦବି ରହିଛି । ବଳକା ପଦବି ଗୁଡ଼ିକ ସିଆଇଏସଏଫ ଏବଂ ଅନ୍ୟାନ୍ୟ ଅର୍ଦ୍ଧ ସାମରିକ ବଳରେ ରହିଛି । ଖାଲି ଥିବା ପଦବି ଗୁଡ଼ିକ ମଧ୍ୟରୁ ୭୬୪୬ଟି ପଦବି ମହିଳାଙ୍କ ପାଇଁ ଏବଂ ବଳକା ୪୭,୩୦୭ଟି ପୁରୁଷଙ୍କ ପାଇଁ ରହିଛି ।

ସବ୍ ଇନ୍ସପେକ୍ଟର ସ୍ତରରେ ଅର୍ଦ୍ଧ ସାମରିକ ବଳରେ ୧୦୭୩ଟି ପଦବି ଖାଲି ରହିଛି । ବିଏସଏଫରେ ସର୍ବାଧିକ ୫୦୮ଟି ପଦବି ଖାଲି ଥିବା ବେଳେ ସିଆରପିଏଫରେ ୨୭୪ଟି, ଏସଏସବିରେ ୨୦୬ଟି ଏବଂ ଆଇଟିବିପିରେ ୮୫ଟି ଖାଲି ରହିଛି । ଏଥିରୁ ମହିଳାଙ୍କ ପାଇଁ ୩୮ଟି ପଦବି ଥିବା ବେଳେ ୧୦୩୫ଟି ପୁରୁଷଙ୍କ ପାଇଁ ସଂରକ୍ଷିତ ରହିଛି । ଏସବୁ ପଦବି ପାଇଁ ୧୧୨.୦୩.୨୦୧୯ ରୁ ୧୬.୦୩.୨୦୧୯ ପର୍ୟ୍ୟନ୍ତ ଏସଏସସି ଦ୍ୱାରା ସିଧାସଳଖ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସ୍ତରରେ ଥିବା ୪୬୬ଟି ପଦବି ପାଇଁ ୟୁପିଏସସି ସିଧାସଳଖ ପରୀକ୍ଷା କରି ନିଯୁକ୍ତି ଦେବ । ଏଥିପାଇଁ ହୋଇଥିବା ଲିଖିତ ପରୀକ୍ଷାର ଫଳ ୧୦.୦୧.୨୦୧୯ରେ ପ୍ରକାଶ ପାଇଛି । ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନେ ୨୫.୦୨.୨୦୧୯ ପରେ ସଶସ୍ତ୍ର ସୀମା ବଳ (ଏସଏସବି) ଦ୍ୱାରା ଆୟୋଜିତ ଫିଜିକାଲ ଓ ମେଡିକାଲ ପରୀକ୍ଷା ଦେବେ ।

ଏଥିସହ ୨୦୦୮୬ଟି ଅନ୍ୟାନ୍ୟ ପଦବି ପାଇଁ (ଟ୍ରେଡ୍ସମ୍ୟାନ, ମିନିଷ୍ଟରିଆଲ,ମେଡିକାଲ, ପାରାମେଡିକାଲ, କମ୍ୟୁନିକେସନ, ଇଞ୍ଜିନିୟରିଂ) ମଧ୍ୟ ନିଯୁକ୍ତି ଦିଆଯିବ । ଏହିପରି ମୋଟ ୭୬୫୭୮ଟି ପଦବି ପାଇଁ ନିଯୁକ୍ତି ଦିଆଯିବ ।

ସମ୍ବନ୍ଧିତ ଖବର