ବିଜେପି ବିଧାୟକ କହିଲେ, ୨୦୧୯ ସୁଦ୍ଧା ରାମ ମନ୍ଦିର ନିର୍ମାଣ ନହେଲେ ଦଳରୁ ଦେବେ ଇସ୍ତଫା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲାରେ ଜଣେ ବିଜେପି ବିଧାୟକ ଏକ ଅଦ୍ଭୁତ ବୟାନ ଦେଇଛନ୍ତି। ହାଇଦ୍ରାବାଦର ଗୋଶମହଲ ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଟି ରାଜା ସିଂହ ଘୋଷଣା କରିଛନ୍ତି ଯେ, ଯଦି ୨୦୧୯ ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ନହୁଏ, ତେବେ ସେ ଦଳ ଛାଡ଼ିବେ। ରାଜା ସିଂହ ନିଜାର ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଭିଡିଓ ଅପ୍‌ଲୋଡ଼ କରି ନିଜର ଭାବନାକୁ ଜନତାଙ୍କ ସମ୍ମୁଖରେ ଉପସ୍ଥାପନା କରିଛନ୍ତି।

ସେ କହିଛନ୍ତି, ଉତ୍ତରପ୍ରଦେଶର କଇରାଣା ଉପନିର୍ବାଚନରେ ଆମର ହିନ୍ଦୁ ଭାଇମାନେ ଝଗଡ଼ା କରିଥିବାରୁ ଆମକୁ ପରାଜୟ ହେବାକୁ ପଡ଼ିଛି। ମୋଗଲ ଶାସକମାନଙ୍କ ଦ୍ୱାରା ଅନେକ ବର୍ଷ ପର୍ଯ୍ୟନ୍ତ ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯାଇଥିଲା। ଆମେ ଅନେକ ବର୍ଷ ଧରି ସେମାନଙ୍କର ଅତ୍ୟାଚାର ସହିଛୁ। ସେହିଭଳି ବ୍ରିଟିଶ ଲୋକମାନେ ମଧ୍ୟ ଆମକୁ ଅତ୍ୟାଚାର କରିଛନ୍ତି। ତଥାପି ଆମର ହିନ୍ଦୁ ଭାଇ-ଭଉଣୀମାନେ କିଛି ଶିଖିଲେ ନାହିଁ। ସାମାନ୍ୟ ଘଟଣାକୁ ନେଇ ଆମର ହିନ୍ଦୁ ଭାଇମାନଙ୍କ ମଧ୍ୟରେ ମତମତାନ୍ତର ହୋଇଥାଏ ବୋଲି ବିଧାୟକ ରାଜା କହିଛନ୍ତି। ସେମାନେ ଭାବନ୍ତି ନାହିଁ ଯେ, ଦେଶର ପରିସ୍ଥିତି ଓ ଆମର ଭବିଷ୍ୟତ କ’ଣ।

ଯଦି କୌଣସି ବ୍ୟକ୍ତି ଛୋଟ ପଦବିରେ ଥାଏ, ତା’ର ଭାବନା ଭିନ୍ନ ଥାଏ। ଅପରପକ୍ଷେ ବଡ଼ ପଦବିରେ ଥିବା ବ୍ୟକ୍ତିର ଦାୟିତ୍ୱ ଅଧିକ ଥାଏ। ବଡ଼ ପଦବିରେ ଥିବା ଲୋକ କିଛି କାମ ପ୍ରତକ୍ଷ୍ୟ ଭାବରେ କରିଥାଏ କିନ୍ତୁ ପରୋକ୍ଷ ଭାବରେ ବହୁତ କାମ କରିବାକୁ ପଡ଼ିଥାଏ।

-ଟି. ରାଜା, ବିଜେପି ବିଧାୟକ, ଗୋଶମହଲ

ବିଧାୟକ ଟି. ରାଜାଙ୍କ ଅନୁସାରେ, ସେ ହେଉଛନ୍ତି ପ୍ରଥମ ବିଧାୟକ ଯାହାଙ୍କ ପାଇଁ ପ୍ରଥମେ ଧର୍ମ ବଡ଼, ପରେ ରାଜନୀତି। ତାଙ୍କ ପାଇଁ ବିଧାୟକ ଆସନ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେ କହିଛନ୍ତି, ମୋ ପାଇଁ ମୋର ଧର୍ମ ଓ ଦେଶ ଅଧିକ ଗୁରୁତ୍ୱପୂର୍ଣ୍ଣ। ମୋର ଭାବନା ଯେ, ମୋର ଦେଶ ସୁରକ୍ଷିତ ରହୁ।

ଟି. ରାଜା କହିଛନ୍ତି, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଯଦି ଜୀବନ ଦେବାକୁ ପଡେ, ମୁଁ ରାଜା ସିଂହ ପ୍ରସ୍ତୁତ ଅଛି। ମୋଦି ଓ ଯୋଗୀ ଯେତେବେଳେ କ୍ଷମତାରେ ନଥିଲେ ବହୁ ପ୍ରତିଶ୍ରୁତି ଦେଇଥିଲେ। ସବୁ ଲୋକଙ୍କ ଆଶୀର୍ବାଦରୁ ମୋଦି ପ୍ରଧାନମନ୍ତ୍ରୀ ଓ ଯୋଗୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି କିନ୍ତୁ ହିନ୍ଦୁ ଭାଇଙ୍କ କଲ୍ୟାଣ ପାଇଁ ସେମାନେ କିଛି କରି ନାହାନ୍ତି।

ସମ୍ବନ୍ଧିତ ଖବର