ଚିଦାମ୍ବରମ୍‌ ଓ ତାଙ୍କ ସଂପର୍କୀୟଙ୍କ ନାମରେ କଳାଧନ ଆଇନ୍‌ ଆଧାରରେ ଆୟକର ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅପରାଧିକ ମାମଲାକୁ ଖାରଜ କଲେ ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍‌ମ୍ବରମ୍‌ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କଳାଧନ ଆଇନ୍‌ (ବ୍ଲାକ୍‌ ମନି ଆକ୍ଟ) ଅନୁଯାୟୀ ଆୟକର ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଏକ ଅପରାଧିକ ମାମଲାକୁ ଆଜି (ଶୁକ୍ରବାର) ମାଡ୍ରାସ୍‌ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ୟୁକେର କେମ୍ବ୍ରିଜ୍‌ରେ ଚିଦାମ୍ବରମ୍‌ ଓ ତାଙ୍କ ସଂପର୍କୀୟମାନଙ୍କ ମିଳିତ ମାଲିକାନାରେ ବିଦେଶରେ ରହିଥିବା ୫. ୩୭ କୋଟି ଟଙ୍କା ମୂଲ୍ୟର ଏକ ସଂପତ୍ତିକୁ ସେମାନେ ଆୟକର ବିଭାଗକୁ ଦର୍ଶାଇ ନ ଥିବା ଅଭିଯୋଗରେ ଚିଦାମ୍ବରମ୍‌ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଏହି ମାମଲା ଆଗତ କରା ଯାଇଥିଲା।

ତେବେ, ଚିଦାମ୍ବରମ୍‌ଙ୍କ ପତ୍ନୀ ନଳିନୀ, ପୁତ୍ର କାର୍ତ୍ତୀ ଚିଦାମ୍ବରମ୍‌ ଏବଂ ବୋହୂ ଶ୍ରୀନିଧି ଆୟକର ବିଭାଗ ପକ୍ଷରୁ ସେମାନଙ୍କ ନାମରେ ଆରମ୍ଭ କରାଯାଇଥିବା ମାମଲାର ବିରୋଧ କରି ମାଡ୍ରାସ୍‌ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାଡ୍ରାସ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ମଣିକୁମାର ଓ ଜଷ୍ଟିସ୍‌ ସୁବ୍ରମଣ୍ୟମ୍‌ ପ୍ରସାଦଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ବିଚାର କରି କଳାଧନ ଆଇନ୍‌ (ବ୍ଲାକ୍‌ ମନି ଆକ୍ଟ) ଅନୁଯାୟୀ ଆୟକର ବିଭାଗ ପକ୍ଷରୁ ଆବେଦନକାରୀମାନଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ଏହି ମାମଲା ଆଇନ୍‌ ସମ୍ମତ ନ ଥିବା ଦର୍ଶାଇ ଏହି ମାମଲାକୁ ଖାରଜ କରି ଦେଇଛନ୍ତି।

ଏଥିସହ ଆୟକର ବିଭାଗ (ଆଇଟି) ଓ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହି ମାମଲାରେ ଆବେଦନକାରୀମାନଙ୍କ ବିରୋଧରେ ଆରମ୍ଭ କରିଥିବା ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟଙ୍କ ଖଣ୍ଡପୀଠ।

ସମ୍ବନ୍ଧିତ ଖବର