କେନ୍ଦ୍ର ସରକାରଙ୍କୁ ଧକ୍କା: ରାଜ୍ୟରେ ସିବିଆଇ ତଦନ୍ତ ନିଷିଦ୍ଧ କଲା ଆନ୍ଧ୍ରପ୍ରଦେଶ

ଅମରାବତୀ: ରାଜ୍ୟରେ କ୍ଷମତା ଓ କର୍ତ୍ତୃତ୍ୱ ଜାହିର କରିବାକୁ ଦିଲ୍ଲୀ ସ୍ପେସାଲ୍‌ ପୋଲିସ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌ର ସଦସ୍ୟମାନଙ୍କୁ ଦିଆଯାଇଥିବା ‘ସାଧାରଣ ସମ୍ମତି’ ବା ‘ଜେନେରାଲ୍‌ କନ୍‌ସେଣ୍ଟ୍‌’କୁ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି।

ରାଜିନାମା ପ୍ରତ୍ୟାହାର ପରେ ଦିଲ୍ଲୀ ସ୍ପେସାଲ୍‌ ପୋଲିସ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌ ଆକ୍ଟ୍‌ ୧୯୪୬ ଅଧୀନରେ ଗଠିତ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ କୌଣସି ମାମଲା ଉପରେ ତା’ର କ୍ଷମତା ଓ କର୍ତ୍ତୃତ୍ତ୍ୱ ଜାହିର କରିବାକୁ ସମର୍ଥ ହେବ ନାହିଁ।
ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁସାରେ, ଏବେ ଠାରୁ ତଦନ୍ତକାରୀ ଏଜେନ୍‌ସି ଆନ୍ଧ୍ରପ୍ରଦେଶରେ କୌଣସି ଚଢ଼ାଉ କରି ପାରିବ ନାହିଁ ବା କୌଣସି ସରକାରୀ କାର୍ଯ୍ୟରେ ରାଜ୍ୟରେ ପ୍ରବେଶ କରିବାକୁ ପୂର୍ବାନୁମତି ଆବଶ୍ୟକ କରିବ।

ଆନ୍ଧ୍ରପ୍ରଦେଶର ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ (ଏସିବି) ସିବିଆଇର କାର୍ଯ୍ୟ ନିର୍ବାହ କରିବ। ସଦ୍ୟତମ ପଦକ୍ଷେପ ଅନୁସାରେ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ କେନ୍ଦ୍ର ସରକାରଙ୍କ କେତେକ ବିଭାଗ ପ୍ରତି ସନ୍ଦେହ ହେଲେ ତା’ର ତଦନ୍ତ କରିବାକୁ ‘ଏସିବି’କୁ ଟିଡିପି ସୁପ୍ରିମୋ ମଧ୍ୟ ଅନୁମତି ଦେଇଛନ୍ତି।

ଟିଡିପିର ନେତା ଲଙ୍କା ଦିନାକର କହିଛନ୍ତି: ଗତ ଛଅମାସ ହେବ ସିବିଆଇରେ ଘଟୁଥିବା ଘଟନା ଯୋଗୁଁ ଏ ଭଳି ପଦକ୍ଷେପ ନିଆଯାଇଛି। କାଳ୍ପନିକ ବିବୃତି ପ୍ରସ୍ତୁତ କରି ରାଜନୈତିକ ବିରୋଧୀଙ୍କ ବିରୋଧରେ ସିବିଆଇକୁ ଅସ୍ତ୍ର ରୂପେ ବ୍ୟବହାର କରୁଥିବା ମୋଦି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ଯୋଗୁଁ ଏହି ତଦନ୍ତକାରୀ ସଂସ୍ଥା ତା’ର ସ୍ୱାଧୀନତା ହରାଇଛି।

ତେଲୁଗୁ ଦେଶମ୍‌ ପାର୍ଟିର ମୁଖ୍ୟ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସମୟରେ ଏ ଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର