ଶଶି ଥରୁର୍‌ଙ୍କ ବିରୋଧରେ ମାନହାନି ମାମଲା

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର୍‌ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଶିବ ଲିଙ୍ଗ ଉପରେ ଥିବା ବିଛା’ ବୋଲି କହିଥିବାରୁ ଆଜି ତାଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ ହୋଇଛି। ଦିଲ୍ଲୀର ଜଣେ ବି‌ଜେପି ନେତା ରାଜୀବ ବବର ଆଜି ଦିଲ୍ଲୀ କୋର୍ଟରେ ଶଶିଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ବବର କହିଛନ୍ତି ଯେ ସେ ଜଣେ ଶିବ ଭକ୍ତ, ତେବେ ଥରୁର୍‌ଙ୍କ ଏଭଳି ବୟାନ ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଦେଶର ଅଗଣିତ ଶିବ ଭକ୍ତଙ୍କ ଧାର୍ମିକ ଭାବନାକୁ ମଧ୍ୟ ଥରୁର ଆଘାତ ପହଞ୍ଚାଇଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଥରୁର୍‌ ଜାଣିଶୁଣି ବାରମ୍ବାର ଏଭଳି ବୟାନ ରଖୁଛନ୍ତି ବୋଲି ବବର ଅଭିଯୋଗ କରିଛନ୍ତି। ଆଇନଜୀବୀ ନିରଜଙ୍କ ଦ୍ବାରା ଏହି ମାମଲା ରୁଜୁ ‌ହୋଇଛି। ଅନ୍ୟପକ୍ଷରେ ଥରୁର୍‌ ଏହି ମାନହାନି ମାମଲାକୁ ଅନାବଶ୍ୟକ କାର୍ଯ୍ୟ ବୋଲି କହିଛନ୍ତି। ଏହା ତାଙ୍କ ଭାବନା ବ୍ୟକ୍ତ କରିବାର ଅଧିକାରକୁ ଦମନ କରିବାର ଏକ ଉଦ୍ୟମ ବୋଲି ଥରୁର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ରବିବାର ଶଶି ଥରୁର୍‌ ବେଙ୍ଗାଲୁରୁରେ ଏକ ସାହିତ୍ୟ ଉତ୍ସବରେ ମୋଦୀଙ୍କୁ ଶିବଲିଙ୍ଗ ଉପରେ ବସିଥିବା ବିଛା ସହ ତୁଳନା କରିଥିଲେ। ଥରୁର୍‌ଙ୍କ ଏଭଳି ବୟାନ ପାଇଁ ତାଙ୍କୁ କଡ଼ା ସମା‌ଲୋଚନାର ଶିକାର ‌ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର