ସିବିଏସ୍‌ଇ ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ଲିକ୍‌: ପୁନଃପରୀକ୍ଷା କରିବନି ବୋର୍ଡ

ନୂଆଦିଲ୍ଲୀ: ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଆଜି ବୋର୍ଡ ସିବିଏସ୍‌ଇ ଦଶମ ଶ୍ରେଣୀ ଗଣିତ ପୁନଃପରୀକ୍ଷା କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସଚିବ ଅନିଲ ସ୍ୱରୂପ କହିଛନ୍ତି ଯେ ସିବିଏସ୍‌ଇ ଦଶମ ଶ୍ରେଣୀ ପାଇଁ ଗଣିତ ବିଷୟରେ ପୁନଃପରୀକ୍ଷା ଆବଶ୍ୟକ ନାହିଁ ବୋଲି ବୋର୍ଡ ଅନୁଭବ କରିଛନ୍ତି। ଦିଲ୍ଲୀ ଏନ୍‌ସିଆର ଏବଂ ହରିୟାଣାରେ ଗଣିତ ପରୀକ୍ଷା ହେବବୋଲି ପୂର୍ବରୁ ଘୋଷଣା ହୋଇଥିବା ବେଳେ ଆଜି ଏଭଳି ନିଷ୍ପତ୍ତି ପରୀକ୍ଷାର୍ଥୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ପରୀକ୍ଷା ଏପ୍ରିଲ୍‌ ୨୫ ତାରିଖରେ ହିଁ ହେବ। ଦିଲ୍ଲୀ ଏବଂ ହରିୟାଣାର ଉତ୍ତର ଖାତାଗୁଡ଼ିକୁ ତନ୍ନ ତନ୍ନ କରି ମୂଲ୍ୟାୟନ କରିବା ପରେ ଏହା ଜଣା ପଡ଼ିଥିଲା ଯେ ପ୍ରଶ୍ନପତ୍ର ଲିକ୍‌ ଘଟଣା ପରୀକ୍ଷାକୁ ପ୍ରଭାବିତ କରିପାରି ନାହିଁ।

ତେଣୁ ଏହାପରେ ହିଁ ପୁନଃ ପରୀକ୍ଷା ହେବନି ବୋଲି ବୋର୍ଡ ନିଷ୍ପତ୍ତି ନେଇଛି। ଏନେଇ ବୋର୍ଡ ପକ୍ଷରୁ ମଧ୍ୟ ଏକ ବିଜ୍ଞପ୍ତି ଜାରି ହେବ। କେତେକ ସୂତ୍ରରୁ ଜଣାଯାଇଛି ଯେ ଯଦି ଜଣେ ବିଦ୍ୟାର୍ଥୀ ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ୍‌ରେ ଅତ୍ୟନ୍ତ କମ୍‌ ନମ୍ବର ରଖିଥିବେ କିନ୍ତୁ ମୁଖ୍ୟ ପରୀକ୍ଷାରେ ଗଣିତରେ ଚକିତ କଲାଭଳି ନମ୍ବର ରଖିବେ ତେବେ ଏ କ୍ଷେତ୍ରରେ ଫଳାଫଳକୁ ସତର୍କତାର ସହ ଅନୁଧ୍ୟାନ କରାଯିବ। ଉଲ୍ଲେଖଯୋଗ୍ୟ ପ୍ରାରମ୍ଭରେ ସିବିଏସ୍‌ଇ ଆସନ୍ତା ଜୁଲାଇ ମାସରେ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ହେବବୋଲି କହିଥିବା ବେଳେ ଏନେଇ ତାରିଖ ନିର୍ଦ୍ଦିଷ୍ଟ କରିନଥିଲା। ଗତକାଲି ମଧ୍ୟ ଦିଲ୍ଲୀ ହାଇକୋର୍ଟ ଗଣିତ ପରୀକ୍ଷା କେବେ ହେବ ବୋଲି ସିବିଏସ୍‌ଇକୁ ପ୍ରଶ୍ନ କରିଥିଲେ ଏବଂ ଏନେଇ ଏପ୍ରିଲ ୧୬ ତାରିଖ ସୁଦ୍ଧା କୋର୍ଟଙ୍କୁ ଅବଗତ କରାଇବାପାଇଁ କହିଥିଲେ।

ସମ୍ବନ୍ଧିତ ଖବର